ବିଦେଶକୁ ଯାତ୍ରା କରିବା ସମୟରେ ଆପଣଙ୍କର ଟ୍ରାଭେଲ ଇନସ୍ୟୁରାନ୍ସ ଆବଶ୍ୟକ କି ନାହିଁ
ଆନ୍ତର୍ଜାତୀୟ ଭ୍ରମଣ ସମୟରେ ଟ୍ରାଭେଲ ଇନସ୍ୟୁରାନ୍ସକୁ ଅଣଦେଖା କରିବାର ପରିଣାମ
ଭୁବନେଶ୍ୱର: ଭାରତରୁ ବିଦେଶକୁ ଯାତ୍ରା କରିବା ସମୟରେ ଆପଣଙ୍କର ଟ୍ରାଭେଲ ଇନସ୍ୟୁରାନ୍ସ ଆବଶ୍ୟକ କି ନାହିଁ ତାହା ଆପଣ ଭ୍ରମଣ କରୁଥିବା ଦେଶର ନୀତି ଉପରେ ନିର୍ଭର କରେ । ଯଦିଓ ସମସ୍ତ ଦେଶରେ ଆନ୍ତର୍ଜାତୀୟ ଟ୍ରାଭେଲ ଇନସ୍ୟୁରାନ୍ସ ବାଧ୍ୟତାମୂଳକ ନୁହେଁ, ତଥାପି ସାରା ବିଶ୍ୱରେ ଅନ୍ତତଃ ୩୮ଟି ଦେଶରେ ଏହା ଏକ ଆଇନଗତ ଆବଶ୍ୟକତା ଅଟେ । ମୁଖ୍ୟତଃ ପରିଦର୍ଶକମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ନିଜ ଦେଶର ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଆର୍ôଥକ ବୋଝକୁ ହ୍ରାସ କରିବା ପାଇଁ ବିଭିନ୍ନ ଦେଶର ସରକାରମାନେ ଏହି ବାଧ୍ୟତାମୂଳକ ଆଦେଶନାମାକୁ ଲାଗୁ କରିଛନ୍ତି । ଟ୍ରାଭେଲ ଇନସ୍ୟୁରାନ୍ସର ବାଧ୍ୟତାମୂଳକ ଆବଶ୍ୟକତା ଥିବା ଦେଶଗୁଡ଼ିକ ପରିଦର୍ଶନ କରିବା ସମୟରେ ଆପଣଙ୍କର ଟ୍ରାଭେଲ ଇନସ୍ୟୁରାନ୍ସକୁ ପୂର୍ବରୁ ପ୍ରସ୍ତୁତ କରି ରଖିବା ଆବଶ୍ୟକ । ବିଦେଶଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଆଗରୁ ଟ୍ରାଭେଲ୍ ଇନସ୍ୟୁରାନ୍ସ ବା ଭ୍ରମଣ ବୀମା କରିବା ଆବଶ୍ୟକ ।
ତେବେ କେଉଁ ଦେଶରେ ଟ୍ରାଭେଲ ଇନସ୍ୟୁରାନ୍ସ ବାଧ୍ୟତାମୂଳକ ଅଟେ ଏବଂ ଏହା ବିନା ଭ୍ରମଣ କରିବାର ପରିଣାମ ବିଷୟରେ ଆସନ୍ତୁ ଜାଣିବା ।
ଯେତେବେଳେ କୌଣସି ଦେଶ ଟ୍ରାଭେଲ ଇନସ୍ୟୁରାନ୍ସକୁ ବାଧ୍ୟତାମୂଳକ ଭାବରେ ଲାଗୁ କରେ, ସେତେବେଳେ ସେହି ଦେଶରେ ପ୍ରବେଶ କରିବା କିମ୍ବା ଭିସା ପାଇଁ ଆବେଦନ କରିବା ସମୟରେ ଏହା ଏକ ଆଇନଗତ ଆବଶ୍ୟକତାରେ ପରିଣତ ହୋଇଯାଏ । ଏହି ବାଧ୍ୟତାମୂଳକ ନୀତିଗୁଡ଼ିକ ସାଧାରଣତଃ ନିୟମିତ ଟ୍ରାଭେଲ ଇନସ୍ୟୁରାନ୍ସରେ ମିଳୁଥିବା ସୁବିଧାଗୁଡ଼ିକ ପରି ସମାନ ସୁବିଧା ପ୍ରଦାନ କରିଥାଏ ଯେପରିକି ଜରୁରୀକାଳୀନ ଚିକିତ୍ସା, ବିଳମ୍ବିତ ବିମାନ, ବ୍ୟାଗେଜ/ପାସପୋର୍ଟ ହଜିବା, ସମ୍ପତି ନଷ୍ଟ କିମ୍ବା ଶାରୀରିକ ଆଘାତର ଦାୟୀତ୍ୱ ଇତ୍ୟାଦି କ୍ଷେତ୍ରରେ କଭରେଜ ।
ବାଧ୍ୟତାମୂଳକ ଟ୍ରାଭେଲ ଇନସ୍ୟୁରାନ୍ସ କ’ଣ?
କେତେକ ଦେଶ ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ ଇନସ୍ୟୁରାନ୍ସ ସହିତ ଅତିରିକ୍ତ ଆବଶ୍ୟକତାଗୁଡ଼ିକ ଲାଗୁ କରନ୍ତି । ଉଦାହରଣ ସ୍ୱରୂପ, ଆପଣଙ୍କୁ ସର୍ବନିମ୍ନ ସମୟ ପାଇଁ ସର୍ବନିମ୍ନ କଭରେଜ ମୂଲ୍ୟ ସହିତ ଏକ ବୀମା ପଲିସି ନେବାକୁ ପଡ଼ିପାରେ । ସେହିଭଳି ଭାବରେ କିଛି ଦେଶରେ ଦୁଃସାହସିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା କିମ୍ବା ମହାମାରୀ କିମ୍ବା ନାଗରିକ ଅଶାନ୍ତି ପରି ଜରୁରୀକାଳୀନ ପରିସ୍ଥିତିରେ ଟ୍ରାଭେଲ ଇନସ୍ୟୁରାନ୍ସ ଆବଶ୍ୟକ ହୋଇଥାଏ ।
ବେଳେବେଳେ ଏହି ବାଧ୍ୟତାମୂଳକ ଆଦେଶନାମା ସାମୟିକ ହୋଇଥାଏ । ଉଦାହରଣ ସ୍ୱରୂପ, କୋଭିଡ-୧୯ ମହାମାରୀ ସମୟରେ ସିଙ୍ଗାପୁର ଏବଂ ଭୁଟାନ ଭଳି ଦେଶଗୁଡ଼ିକ ଯାତ୍ରୀମାନଙ୍କ ପାଇଁ କୋଭିଡ-୧୯ କଭରେଜ ସହିତ ଇନସ୍ୟୁରାନ୍ସ ରହିଥିବା ବିଷୟକୁ ଏକ ଆବଶ୍ୟକତା ଭାବରେ ଲାଗୁ କରିଥିଲେ । ତେବେ ମହାମାରୀର ପ୍ରକୋପ କମିଯିବା ପରେ ଅନେକ ସ୍ଥାନରେ ଏଭଳି ବିଧିନିଷେଧକୁ ହଟାଇ ଦିଆଯାଇଛି ।
ଟ୍ରାଭେଲ ଇନସ୍ୟୁରାନ୍ସକୁ ବାଧ୍ୟତାମୂଳକ କରିବାର କେତେକ ମୁଖ୍ୟ କାରଣ
୧. ପର୍ଯ୍ୟଟକମାନଙ୍କୁ ଅବିଳମ୍ବେ ଚିକିତ୍ସା ସହାୟତା ପ୍ରଦାନ କରିବାକୁ: ପର୍ଯ୍ୟଟକମାନେ ଯେମିତି ଏକ ବଡ ଆର୍ଥିକ ବୋଝ ବିନା ଅବିଳମ୍ବେ ଚିକିତ୍ସା ସହାୟତା ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ଦେଶଗୁଡ଼ିକ ଅନ୍ତର୍ଜାତୀୟ ଟ୍ରାଭେଲ ଇନସ୍ୟୁରାନ୍ସକୁ ବାଧ୍ୟତାମୂଳକ କରିଛନ୍ତି । ଆପଣଙ୍କ ଇନସ୍ୟୁରାନ୍ସ ପ୍ରଦାନକାରୀ ଔଷଧ ଏବଂ ଡାକ୍ତରଖାନାରେ ଭର୍ତି ହେବା ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବା ଆପଣଙ୍କ ପାଇଁ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇପାରେ, ବିଶେଷକରି ସେସବୁ ଦେଶରେ ଯେଉଁଠି ସରକାରୀ ଖର୍ଚ୍ଚରେ ସ୍ୱାସ୍ଥ୍ୟସେବା ଭିତିଭୂମିର ଅଭାବ ରହିଛି ।
୨. ସ୍ଥାନୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଆର୍ଥିକ ବିପଦକୁ ହ୍ରାସ କରିବାକୁ: ଟ୍ରାଭେଲ ଇନସ୍ୟୁରାନ୍ସ କରିନଥିବା କୌଣସି ପର୍ଯ୍ୟଟକ ତାଙ୍କର ରହଣୀ ସମୟରେ ଯଦି ଅସୁସ୍ଥ ହୋଇପଡ଼ନ୍ତି, ତେବେ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାର ଆର୍ôଥକ ବୋଝ ସ୍ଥାନୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ପଡ଼େ । ଏହା ଫଳରେ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଥିବା ଦେଶରେ ସ୍ଥାନୀୟ ଟିକସଦାତାଙ୍କ ଉପରେ ଏହା ଏକ ବିଶାଳ ବୋଝ ହୋଇପାରେ ।
୩. ଜନସାଧାରଣଙ୍କ ନିରାପତା ଏବଂ ଜନସ୍ୱାସ୍ଥ୍ୟକୁ ଉନ୍ନତ କରିବାକୁ: ଯଦି ଜଣେ ପର୍ଯ୍ୟଟକ ଚିକିତ୍ସା ସହାୟତା ପାଇବାରେ ବିଫଳ ହୁଅନ୍ତି, ବିଶେଷକରି ସଂକ୍ରାମକ ରୋଗ କ୍ଷେତ୍ରରେ, ତେବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଦେଖାଦିଏ । ଟ୍ରାଭେଲ ଇନସ୍ୟୁରାନ୍ସ ସୁନିଶ୍ଚିତ କରେ ଯେ ଆପଣ ଆର୍ଥିକ ପ୍ରଭାବ ବିଷୟରେ କୌଣସି ଦୁଶ୍ଚିନ୍ତା ବିନା ଅବିଳମ୍ବେ ସହାୟତା ପାଇପାରିବେ ।
୪. ସରକାରଙ୍କ ଉପରେ ବୋଝ ହ୍ରାସ କରିବାକୁ: ପ୍ରାକୃତିକ ବିପର୍ଯ୍ୟୟ, ନାଗରିକ ଅଶାନ୍ତି ଏବଂ ଯୁଦ୍ଧ ପରି ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ସରକାରଗୁଡ଼ିକ ପର୍ଯ୍ୟଟକମାନଙ୍କ ପାଇଁ ସରକାରୀ ପାଣ୍ଠି ବ୍ୟବହାର କରିବାକୁ ସର୍ବଦା ଇଚ୍ଛା ପ୍ରକାଶ ନକରିପାରନ୍ତି । ତଥାପି, ଯଦି ଆପଣଙ୍କର ଟ୍ରାଭେଲ ଇନସ୍ୟୁରାନ୍ସ ଥାଏ, ତେବେ ଏହା ଚିକିତ୍ସା ସହାୟତା, ଜରୁରୀକାଳୀନ ପରିବହନ ଏବଂ ଉଦ୍ଧାର କରି ନିରାପଦ ସ୍ଥାନରେ ପହଂଚାଇବା ପାଇଁ ଆବଶ୍ୟକ ଖର୍ଚ୍ଚ ବହନ କରିବ ବୋଲି ଆପଣ ନିଶ୍ଚିନ୍ତ ହୋଇପାରିବେ ।
୫. ନିର୍ବିଘ୍ନ ପରିଭ୍ରମଣର ଅନୁଭୂତି ପ୍ରଦାନ କରିବାକୁ: ମନେକରନ୍ତୁ ଛୁଟି କଟାଇବା ପାଇଁ ଆପଣ କୌଣସି ଏକ ଦେଶକୁ ଯାଇଛନ୍ତି ମାତ୍ର କେବଳ ଜରୁରୀକାଳୀନ ଚିକିତ୍ସା, ବିମାନ ଡେରିରେ ପହଂଚିବା କିମ୍ବା ବିଳମ୍ବିତ ହେବା କିମ୍ବା ବ୍ୟାଗେଜ ଚୋରି ଯୋଗୁଁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିଛି । ତେବେ, ଟ୍ରାଭେଲ ଇନସ୍ୟୁରାନ୍ସ ଥିବା ଫଳରେ ଏହା ଯେକୌଣସି ଜରୁରୀକାଳୀନ ପରିସ୍ଥିତିକୁ କଭର କରିବ ।
ଯେଉଁ ଦେଶଗୁଡ଼ିକରେ ଟ୍ରାଭେଲ ଇନସ୍ୟୁରାନ୍ସ ବାଧ୍ୟତାମୂଳକ ଅଟେ
ଅନେକ ଦେଶ ଭାରତୀୟ ପର୍ଯ୍ୟଟକମାନଙ୍କ ପାଇଁ ଆନ୍ତର୍ଜାତୀୟ ଟ୍ରାଭେଲ ଇନସ୍ୟୁରାନ୍ସକୁ ବାଧ୍ୟତାମୂଳକ କରିଛନ୍ତି, ଯେଉଁଥିରେ ପ୍ରାୟତଃ ଜରୁରୀକାଳୀନ ଚିକିତ୍ସା, କୋଭିଡ-୧୯ ଚିକିତ୍ସା କିମ୍ବା ଉଦ୍ଧାର କରି ନିରାପଦ ସ୍ଥାନରେ ପହଂଚାଇବା ପାଇଁ କଭରେଜକୁ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାହୋଇଥାଏ । ଉଲ୍ଲେଖନୀୟ ଉଦାହରଣ ମଧ୍ୟରେ କ୍ୟୁବା, ଇକ୍ୟୁଏଡର (ଗାଲାପାଗୋସ ପାଇଁ), ଆରୁବା, ଜୋର୍ଡାନ, ନେପାଳ (ଟ୍ରେକିଂ/ପର୍ବତାରୋହଣ), ଭିଏତନାମ, ଇରାନ, ଲାଓସ, କାତାର, ରୁୱାଣ୍ଡା ଏବଂ ସିସେଲ୍ସ ଅନ୍ତର୍ଭୁକ୍ତ । ଶେଙ୍ଗେନ ଦେଶଗୁଡ଼ିକ ଅତି କମରେ ୩୦,୦୦୦ୟୁରୋ ର କଭରେଜ ଆବଶ୍ୟକ । ରୁଷିଆ, ତୁର୍କୀ, ୟୁଏଇ (ମଲ୍ଟିପଲ-ଏଂଟ୍ରି ଭିସା), ସାଉଦି ଆରବ ଏବଂ ଯୁକ୍ତରାଷ୍ଟ୍ର ଆମେରିକା (ଛାତ୍ରମାନଙ୍କ ପାଇଁ)ରେ ମଧ୍ୟ ନିର୍ଦ୍ଦିଷ୍ଟ ଆବଶ୍ୟକତା ରହିଛି ।
ଆଣ୍ଟାର୍କଟିକା ପରି ସୁଦୂର ଗନ୍ତବ୍ୟସ୍ଥଳ ପାଇଁ କମ୍ପ୍ରିହେନସିଭ ମେଡ଼ିକାଲ ଇଭାକୁଏସନ କଭରେଜ ଜରୁରୀ ଅଟେ । ଆପଣଙ୍କ ପରିଭ୍ରମଣ ପାଇଁ ଯୋଜନା କରିବା ପୂର୍ବରୁ ସର୍ବଦା ଦୂତାବାସ କିମ୍ବା ଅଫିସିଆଲ ୱେବସାଇଟରୁ ଅପଡେଟ କରାହୋଇଥିବା ନିୟମାବଳୀକୁ ଅନୁସରଣ କରନ୍ତୁ ।
ଯେଉଁସବୁ ଦେଶରେ ଟ୍ରାଭେଲ ଇନସ୍ୟୁରାନ୍ସ ବାଧ୍ୟତାମୂଳକ, ସେଠାରେ ବୈଧ ଟ୍ରାଭେଲ ଇନସ୍ୟୁରାନ୍ସ ଦେଖାଇବାରେ ବିଫଳ ହେବା ଦ୍ୱାରା ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ, ଏହା ମଧ୍ୟରେ ରହିଛି:
୧. ଟ୍ରାଭେଲ ଇନସ୍ୟୁରାନ୍ସ ନଥିବା ଯାତ୍ରୀମାନଙ୍କ ପ୍ରବେଶକୁ ବାରଣ କରାଯାଇପାରେ । ଯେଉଁସବୁ କ୍ଷେତ୍ରରେ ଭିସା ଆବେଦନ କରିବା ପାଇଁ ଇନସ୍ୟୁରାନ୍ସ ଆବଶ୍ୟକ, ସେସବୁ କ୍ଷେତ୍ରରେ ଭିସାକୁ ଖାରଜ କରାଯିବ ।
୨. ଯାତ୍ରୀମାନେ ଇନସ୍ୟୁରାନ୍ସର ଆବଶ୍ୟକତାଗୁଡ଼ିକୁ ପାଳନ କରିବାରେ ବିଫଳ ହେଲେ ସ୍ଥାନୀୟ ଆଇନ ଅନୁଯାୟୀ ଜୋରିମାନା କିମ୍ବା ଅନ୍ୟାନ୍ୟ ଆଇନଗତ ପରିଣତିର ସମ୍ମୁଖୀନ ହୋଇପାରନ୍ତି ।
୩. ଇନସ୍ୟୁରାନ୍ସ କରିନଥିବା ଯାତ୍ରୀମାନେ ଏକ ନୂତନ ଇନସ୍ୟୁରାନ୍ସ ପଲିସି କିଣିବା କିମ୍ବା ଫେରନ୍ତା ବିମାନରେ ଟିକେଟ କରିବା ପରି ତତ୍କାଳ ଆର୍ଥିକ ବାଧ୍ୟବାଧକତାର ସମ୍ମୁଖୀନ ହୋଇପାରନ୍ତି । ଜରୁରୀକାଳୀନ ଚିକିତ୍ସା କିମ୍ବା ଜିନିଷପତ୍ର ହଜିବା ଘଟଣାରେ ବ୍ୟାପକ ଖର୍ଚ୍ଚର ଆବଶ୍ୟକତା ଦେଖା ଦେଇପାରେ ।
୪. ଭ୍ରମଣରେ ବ୍ୟାଘାତ: ବାଧ୍ୟତାମୂଳକ ଟ୍ରାଭେଲ ଇନସ୍ୟୁରାନ୍ସ ବିନା ଯାତ୍ରୀମାନଙ୍କ ପରିଭ୍ରମଣ ଯୋଜନାରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇପାରେ । ଏହାର ଅର୍ଥ ରହଣୀ, ପରିବହନ କିମ୍ବା କାର୍ଯ୍ୟକଳାପରେ ପରିବର୍ତନ ଘଟିବା ଯଦ୍ୱାରା ଏପରି ମାନସିକ ଚାପ ଏବଂ ଅସୁବିଧା ସୃଷ୍ଟି ହୋଇଥାଏ ଯାହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ।
Comments are closed.