www.samajalive.in
Wednesday, December 10, 2025
18.1 C
Bhubaneswar

ଆମେରିକା ଭଳି ହେବ ଓଡ଼ିଶା ରାଜପଥ: ଗଡ଼କରୀ

ଭୁବନେଶ୍ୱର: ଓଡ଼ିଶାର ଜାତୀୟ ରାଜପଥ ଆମେରିକାର ଜାତୀୟ ରାଜପଥ ଭଳି ହେବ। ଲୋକେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଏହାଦ୍ବାରା ଲୋକଙ୍କର ସମୟ ସଞ୍ଚୟ ହେବ ବୋଲି କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।
ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ୪ ହଜାର ୧୭୩ କୋଟି ଟଙ୍କା ନିବେଶରେ ମୋଟ ୧୫୪କି.ମି. ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ। ୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, ୩୩୩୨ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ୧୩ଟି ପ୍ରକଳ୍ପକୁ ତତ୍କାଳ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ମୁଲ୍ୟ ୯୦୨୩ କୋଟି ଟଙ୍କା। ସମାରୋହକୁ ସମ୍ବୋଧିତ କରି ଶ୍ରୀ ଗଡ଼କରୀ କହିଛନ୍ତି, ପାଣି, ପରିବହନ, ଯୋଗାଯୋଗ ଭିତ୍ତିଭୂମି ବିକାଶ କରିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଡ଼କ ପଥ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦେଉଛନ୍ତି। ୬୦ବର୍ଷରେ ଯାହା ହୋଇନାହିଁ, ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ମାତ୍ର ୧୧ବର୍ଷରେ ତାହା ହୋଇପାରିଛି। ପୁରୀ ଜିଲାର ସାତପଡ଼ା-କୃଷ୍ଣପ୍ରସାଦ ମଧ୍ୟରେ ୫୦୦କୋଟି ଟଙ୍କା ବ୍ୟୟରେ ୨ଟି ପୋଲ ନିର୍ମାଣ ପାଇଁ ଡିପିଆର ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ। ଏଠାରେ ଭୂମିପୂଜନ ପାଇଁ ଶୀଘ୍ର ଓଡ଼ିଶା ଆସିବି। ସାଧାରଣ ନିର୍ବାଚନ-୨୦୨୪ ସମୟରେ ସମ୍ବିତ ପାତ୍ରଙ୍କ ପାଇଁ ପ୍ରଚାର ସମୟରେ ଲୋକଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲି ଏବଂ ଏହି ପ୍ରତିଶ୍ରୁତି ପୂରା କରିବି। ଓଡ଼ିଶାରେ ୨ଲକ୍ଷ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଛି। ଆଗାମୀ ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପୂରା କରିବୁ। ରାଜ୍ୟରେ ଏକାଧିକ ଜାତୀୟ ରାଜପଥ ନିର୍ମାଣ କାମ ଜାରି ରହିଛି। ଏଥିରେ ରାୟପୁର-ବିଶାଖାପାଟଣା କରିଡର ମଧ୍ୟ ସାମିଲ ରହିଛି, ଯାହା ଚଳିତ ବର୍ଷ ଡିସେମ୍ବରରେ ସରିବ। ନବରଙ୍ଗପୁର- ବିଶାଖାପାଟଣା ଯିବା ପାଇଁ ଏବେ ସାଢ଼େ ୮ଘଣ୍ଟା ସମୟ ଲାଗୁଛି। ଏହି କରିଡର ପୂରା ହେଲା ପରେ ନବରଙ୍ଗପୁର-ବିଶାଖାପାଟଣା ପହଞ୍ଚିବା ପାଇଁ ୪ଘଣ୍ଟା ଲାଗିବ। ଫଳରେ ଲୋକଙ୍କର ସାଢ଼େ ୪ଘଣ୍ଟା ସମୟ ବଞ୍ଚିବ। ରାଜ୍ୟରେ ନିର୍ମାଣାଧୀନ ସବୁ ପ୍ରକଳ୍ପ ନିର୍ମାଣ କାମ ସରିବା ପରେ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଅଭାବ ନାହିଁ। ଏସବୁର ବିନିଯୋଗ କରି ଓଡ଼ିଶାର ବିକାଶକୁ ନୂଆ ରୂପ ଦିଆଯାଇପାରିବ। ପାରାଦ୍ବୀପ ଆସିବାକୁ ଅନେକ ସୁଯୋଗ ପାଇଛି। ପାରାଦ୍ବୀପ ପାଇଁ ମୋର ଦୁର୍ବଳତା ଥିଲା। ଏହାର ବିକାଶ ପାଇଁ ଅନେକ ଉଦ୍ୟମ କରିଛି। ସାଗରମାଳା ପ୍ରକଳ୍ପରେ ପାରାଦ୍ବୀପରେ ଭଲ କାମ ହୋଇଛି। ପ୍ରଭୁ ଜଗନ୍ନାଥଙ୍କ ମାଟିକୁ ଆସି ଧନ୍ୟମନେ କରୁଛି। ଜଗନ୍ନାଥ ଦର୍ଶନ ପାଇଁ ଭୁବନେଶ୍ବର-ପୁରୀ ସଡ଼କ ୮ଲେନ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଦେଇଛନ୍ତି। ଦିଲ୍ଲୀ ଗଲା ପରେ ସେଠାରେ ସମୀକ୍ଷା କରି ଯାହା କିଛି ନିଷ୍ପତ୍ତି ନିଆଯିବ। ପୁରୀ-ଭୁବନେଶ୍ବର ୬ଲେନ୍ ହେବ ଏବଂ ପୁରୀ-ଭୁବନେଶ୍ବର ମଧ୍ୟରେ ସର୍ଭିସ ରୋଡ଼ ହେବ। ସେ କହିଲେ, ମହାରାଷ୍ଟ୍ରରେ ଫ୍ଲାସ୍‌ ବସ୍‌ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ ହୋଇଛି। ଅଧା ମିନିଟ୍‌ରେ ଏହି ବିଦ୍ୟୁତ୍‌ ଚାଳିତ ବସ୍‌ର ବ୍ୟାଟେରୀ ଚାର୍ଜ କରାଯାଇପାରିବ। ଏଥିରେ ଡ୍ରାଇଭର ନିକଟରେ ଯାତ୍ରୀ ଉଠିବା ଲାଗି ବ୍ୟବସ୍ଥା ରହିଛି। ୧୩୫ ସିଟ୍‌ ବିଶିଷ୍ଟ ଏହି ବାତାନୁକୁଳ ବସ୍‌ ଡିଜେଲ ଚାଳିତ ବସ୍‌ ତୁଳନାରେ ୩୦ ପ୍ରତିଶତ କମ୍‌ ଯାତ୍ରୀଭଡ଼ା ରହିବ। ପାଇଲଟ୍ ପ୍ରକଳ୍ପ ସଫଳ ହେବା ପରେ ଓଡ଼ିଶା ସରକାର ଏଭଳି ବସ୍‌ ଆଣି କଟକରୁ ପୁରୀ ଚଲାଇବାକୁ ଗଡ଼କରୀ ପ୍ରସ୍ତାବ ଦେଇଛନ୍ତି। ମୁଁ ଯେତେବେଳେ ଜାହାଜ ଚଳାଚଳ ମନ୍ତ୍ରୀ ଥିଲି ମୋର ବଜେଟ୍‌ ୮୦୦ କୋଟି ଟଙ୍କା ଥିଲା। ମୁଁ ଯୋଜନା କରିଥିଲି ୧୬ ଲକ୍ଷ କୋଟିର। ମୋତେ ଲୋକ ପଚାରନ୍ତି ପଇସା କେଉଁଠୁ ଆଣୁଛ। ମୁଁ କହିଥାଏ କି ଯେମିତି ଦ୍ରୌପଦୀଙ୍କ ପାଖରେ ଥାଳି ଥିଲା, ଯେତେବି ଲୋକ ଖାଇବାକୁ ଆସୁଥିଲେ କିଛି ଅସୁବିଧା ହୁଏନି। ସେହିପରି ମୋ ପାଇଁ ପଇସାର କିଛି ଅଭାବ ନାହିଁ। ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବନି, ସବୁ ପ୍ରକଳ୍ପ ମଞ୍ଜୁର କରାଯିବ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ଅନ୍ୟ ସାଂସଦ ଓ ବିଧାୟକମାନେ ଯୋଗଦେଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories