ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ ଉପକଣ୍ଠ ପିପିଲି ଥାନା ଅଞ୍ଚଳର ଏକ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ମାଡ ମରାଯିବା ସହ ରାଗିଂ କରାଯାଇଛି। ଏ ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରଜଣଙ୍କୁ ଡ୍ରଗ୍ସ ସେବନ ସହିତ ୨ଲକ୍ଷ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଇ ମାଡ଼ ମରାଯାଇଛି। ଏପରି କି ପାଇଖାନା ଚଟାଣକୁ ଜିଭରେ ଚଟାଯାଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି। ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ମା’ଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲା ଆଳି ଅଞ୍ଚଳର ଜଣେ ଛାତ୍ର ପିପିଲି ଥାନା ଅଞ୍ଚଳରେ ଥିବା ଉକ୍ତ ପ୍ରମୁଖ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଦ୍ୱିତୀୟ ବର୍ଷରେ ପଢୁଛନ୍ତି। ଗତ ନଭେମ୍ବର ମାସ ୨୪ରେ ଉକ୍ତ ଛାତ୍ର ଜଣକ କଲେଜର ଶ୍ରେଣୀ କକ୍ଷରେ ପାଠ ପଢୁଥିବା ସମୟରେ ତାଙ୍କର ଜଣେ ସହପାଠୀ ଓ ଅନ୍ୟ ଜଣେ ସିନିଅର ଛାତ୍ର ତାଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନର ଦ୍ୱିତୀୟ ମହଲାକୁ ଡାକିନେଇଥିଲେ। ସେଠାରେ ଥିବା ଶୌଚାଳୟ ମଧ୍ୟରେ ତାଙ୍କୁ ସେମାନେ ନିସ୍ତୁକ ମାଡ ମାରିଥିଲେ। ପାଇଖାନା ପ୍ୟାନ ଭିତରେ ତାଙ୍କ ମୁହଁକୁ ଜୋର ଜବରଦସ୍ତ ଭର୍ତ୍ତି କରାଇ ସେଥିରେ ଥିବା ପାଣି ପିଇବାକୁ ବାଧ୍ୟ କରିଥିଲେ। ଏଥିସହ ତାଙ୍କ ମୁଁହ, ଛାତି, ବେକ, ପେଟ, ଆଣ୍ଠୁକୁ ମୁଥ ମାରିବା ସହ ସେଠାରେ ତାଙ୍କୁ ଉଲଗ୍ନ କରିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ହାଉସ କିପିଂ ଷ୍ଟାଫ୍ ଆସିଯିବାରୁ ସେମାନେ ଉକ୍ତ ଛାତ୍ରଙ୍କୁ ଛାଡି ଦେଇଥିଲେ। ପରେ ପ୍ରାୟ ଦୁଇଘଣ୍ଟା କାଳ ଦୁଇଟା ଶୌଚାଳୟ ଭିତରେ ତାଙ୍କୁ ମାଡ ମାରିବା ସହ ପାଇଖାନା ଚଟାଣ ଚଟାଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏଥିସହ ଉପରୋକ୍ତ ସିନିଅର ଛାତ୍ର, ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ବାନ୍ଧବୀ ଉକ୍ତ ପୀଡିତ ଛାତ୍ରଙ୍କୁ ଭୋଜି ଖାଇବା ବାହାନାରେ କଲେଜ ବାହାରେ ଥିବା ଏକ ଘରକୁ ଡାକିନେଇ ସେଠାରେ ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରିବା ସହ ୨ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ପୀଡିତ ଛାତ୍ରଙ୍କୁ ଉକ୍ତ ଘରେ ୨ରୁ ୩ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା। ୨୫ ତାରିଖରେ ଜ୍ୱର ଯୋଗୁଁ ପୀଡିତ ଛାତ୍ରଜଣକ କଲେଜ ଆସି ନ ଥିଲେ ଓ ୨୬ ତାରିଖରେ କଲେଜକୁ ପାଠ ପଢିବାକୁ ଆସିଥିଲେ। ସେଦିନ ତାଙ୍କୁ କଲେଜ ମଧ୍ୟରେ ଉକ୍ତ ଆକ୍ରମଣକାରୀ ଛାତ୍ର ଜଣକ ପୁନର୍ବାର ଟଙ୍କା ମାଗିବା ସହ ନାନା ଧମକଚମକ ଦେଇଥିଲେ । ତୁ କଲେଜ ଆସି ପାରିବୁନି କିମ୍ବା ଘରେ ରହିପାରିବୁନି ବୋଲି ଧମକଚମକ ଦେବା ସହ ତାଙ୍କୁ କଲେଜରୁ ବାହାର କରିବାକୁ ଚେଷ୍ଟା କରିଥିଲେ। ଏଥିରେ ଛାତ୍ର ଜଣକ ପ୍ରବଳ ମାତ୍ରାରେ ଭୟଭୀତ ହୋଇ ସେହିଦିନଠାରୁ କଲେଜ ଯାଇ ନ ଥିଲେ। ଏଭଳି ନିର୍ଯାତନାରେ ଛାତ୍ରଜଣକ ଭୟଭୀତ ହୋଇ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ। କଲେଜ ନ ଯାଇ ସେ ଭୁବନେଶ୍ୱରସ୍ଥିତ ବାସଭବନରେ ଭୟଭୀତ ଅବସ୍ଥାରେ ରହିଥିଲେ। ଗତ ରବିବାର ଦିନ ସେ ନିଜ ଘର ଆଳିକୁ ଯାଇ ସେଠାରେ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଅଠାରୁ ସବୁ ଶୁଣିବା ପରେ ତାଙ୍କ ମା’ ଏ ସଂପର୍କରେ କଲେଜ କତ୍ତୃପକ୍ଷଙ୍କୁ ଇ-ମେଲ ଜରିଆରେ ଅଭିଯୋଗ କରିଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଡାକରାପାଇ ଛାତ୍ରଙ୍କ ସହ ତାଙ୍କ ମାଆ କଲେଜରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ତେବେ ରାଗିଂ କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଘଟଣାର ଆପୋଷ ସମାଧାନ କରିଦେବା ପାଇଁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି। ପୁଅର ଜୀବନ ପ୍ରତି ବିପଦ ଆଶଙ୍କା କରି ତାଙ୍କ ମା’ ଏ ସଂପର୍କରେ ମଙ୍ଗଳବାର ଅପରାହ୍ନରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଅ ପ୍ରତି ରାଗିଂ ଅଭିଯୋଗକୁ ପିଲାଖେଳ ଭାବି ଆପୋଷ ସମାଧାନ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିବାର ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଓ ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୁରମା ସ୍ୱାଇଁ ମଙ୍ଗଳବାର ଅପରାହ୍ନରେ ପୁଲିସ ଟିମ୍ ସହ ଉକ୍ତ କଲେଜକୁ ଯାଇ ଘଟଣାର ଅନୁସନ୍ଧାନ କରିଥିଲେ। ରାଗିଂ କରିଥିବା ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରୀଙ୍କ ସହ ଡ୍ରଗ୍ସ ସେବନ କରୁଥିବାର ଭିଡିଓକୁ ପୀଡିତ ଛାତ୍ର ଜଣକ ପୁଲିସକୁ ପ୍ରଦାନ କରିଥିବା ସୂଚନା ମିଳିଛି।


