ସୁପ୍ରିମକୋର୍ଟଙ୍କୁ ଉପରାଷ୍ଟ୍ରପତିଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ବିଲ୍‌ ଅନୁମୋଦନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ୫ ଦିନ ପୂର୍ବେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଯେଉଁ ସମୟସୀମା ଧାର୍ଯ୍ୟ କରିଛନ୍ତି, ସେ ପ୍ରସଙ୍ଗରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ସୁପ୍ରିମକୋର୍ଟଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ରାଷ୍ଟ୍ରପତିଙ୍କୁ ଯଦି ସୁପ୍ରିମକୋର୍ଟ ଏଭଳି ନିର୍ଦେଶ ଦେବେ, ତାହାହେଲେ ଏଭଳି ନ୍ୟାୟିକ ବ୍ୟବସ୍ଥାକୁ ସହ୍ୟ କରିବା ଅସମ୍ଭବ ବୋଲି ଧନକଡ କହିଛନ୍ତି। ଧନକଡ ଏହି ପ୍ରସଙ୍ଗରେ ସମ୍ବିଧାନର ଧାରା ୧୪୨ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଧାରା ଅନୁଯାୟୀ ସୁପ୍ରିମକୋର୍ଟଙ୍କୁ କେବଳ ଆଇନ ତର୍ଜମା କରିବାକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିବାବେଳେ ଅଦାଲତ ନିଜକୁ ସଂସଦ ଓ ରାଷ୍ଟ୍ରପତିଙ୍କ ଠାରୁ ଊର୍ଦ୍ଧ୍ବରେ ବୋଲି ଭାବି ଏଭଳି ନିର୍ଦେଶନାମା ଜାରି କରିଥିବା ସେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏତାଦୃଶ ଆଭିମୁଖ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପରମାଣୁ କ୍ଷେପଣାସ୍ତ୍ର ମାଡ କରିବା ସହ ସମାନ ବୋଲି ଧନକଡ ମତବ୍ୟକ୍ତ କରିଛନ୍ତି।
ରାଜ୍ୟସଭା ଷ​‌ଷ୍ଠ ବ୍ୟାଚ୍‌ର ଶିକ୍ଷାନବୀଶ (ଇନ୍‌ଟର୍ନ)ଙ୍କୁ ସମ୍ବୋଧିତ କରିବା ଅବସରରେ ଧନକଡ କହିଲେ, ରାଷ୍ଟ୍ରପତି ହେଉଛନ୍ତି ସଂସଦ ଓ ସମ୍ବିଧାନର ସଂରକ୍ଷକ। ରାଷ୍ଟ୍ରପତିଙ୍କ ପରେ ଆସୁଛି ଲୋକସଭା ଓ ରାଜ୍ୟସଭା। ସେ ତିନି ସେନାର ସୁପ୍ରିମ କମାଣ୍ଡର। ଭାରତୀୟ ସମ୍ବିଧାନ ରାଷ୍ଟ୍ରପତିଙ୍କୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିଛି। ସୁପ୍ରିମକୋର୍ଟ କ’ଣ ରାଷ୍ଟ୍ରପତିଙ୍କ ଉପରେ କି ? ବୋଲି ଧନକଡ଼ ପ୍ରଶ୍ନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ନିର୍ଦେଶ ଦେଇ ସୁପ୍ରିମକୋର୍ଟ କ’ଣ ନିଜେ ଆଇନ ତିଆରି କରିବେ କି ବୋଲି ଉପରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତିଙ୍କର ସାମ୍ବିଧାନିକ ବ୍ୟବସ୍ଥାରେ କି ଉତ୍ତର ଦାୟିତ୍ବ ରହିଛି ବୋଲି ଧନକଡ଼ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରୁଥିବାବେଳେ ସୁପ୍ରିମକୋର୍ଟ ବିଚାରପତି କାହିଁକି ଏଥିରୁ ବାଦ୍‌ ପଡୁଛନ୍ତି। କିଛି ସମ୍ପତ୍ତି ତାଲିକା ଦେଉଛନ୍ତି ତ’ ଆଉ କିଛି ବିଚାରପତି ଏହା କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଯଶୱନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ଟଙ୍କା ଜବତ ଘଟଣାକୁ ସେ ଉଲ୍ଲେଖ କରିଛନ୍ତି। ମାର୍ଚ୍ଚ ୧୪ ବିଳମ୍ବିତ ରାତିରେ ବିଚାରପତି ବର୍ମାଙ୍କ ବାସଭବନରୁ ଟଙ୍କା ଜବତ ହୋଇଥିବାର ୭ ଦିନ ପର୍ଯ୍ୟନ୍ତ ଏହା କାହିଁକି ଲୋକଲୋଚନକୁ ଆସିନଥିଲା ବୋଲି ଧନକଡ ପ୍ରଶ୍ନ କରିଛନ୍ତି। ଏଥିରୁ ନ୍ୟାୟପାଳିକାର ସ୍ବଚ୍ଛତା ସମ୍ପର୍କରେ ସନ୍ଦେହ ଉପୁଜିବା ସ୍ବାଭାବିକ ବୋଲି ସେ କହିଛନ୍ତି। ଯଦି କୌଣସି ସାଧାରଣ ବ୍ୟକ୍ତି, ରାଜନେତା କିମ୍ବା ସରକାରୀ ପଦାଧିକାରୀଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରାଯାଇଥାନ୍ତା, ତେବେ ସୁପ୍ରିମକୋର୍ଟ କ’ଣ ଏକ ସପ୍ତାହ ନିରବ ରହିଥାନ୍ତେ ବୋଲି ଧନକଡ ପ୍ରଶ୍ନ ଉଠାଇଛନ୍ତି। ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପୁଲିସକୁ କୈଫିୟତ ତଲବ କରାଯାଇଥାନ୍ତା। ଗଣତନ୍ତ୍ରର ଅନ୍ୟତମ ମଜଭୁତ ସ୍ତମ୍ଭ ଭାବେ ପରିଗଣିତ ନ୍ୟାୟପାଳିକା ଯଦି ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କାଳକ୍ଷେପଣ ନୀତି ଅବଲମ୍ବନ କରିବେ, ତାହାଦେଲେ ଦେଶବାସୀ କାହାକୁ ବିଶ୍ବାସ କରିବେ ବୋଲି ଧନକଡ କହିଛନ୍ତି।
ପୁନଶ୍ଚ ସଂପୃକ୍ତ ବିଚାରପତିଙ୍କ ବିରୋଧରେ ଏପର୍ଯ୍ୟନ୍ତ ଏତଲା ଦାଏର କରାଯାଇନଥିବା ପ୍ରସଙ୍ଗରେ ଧନକଡ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବିଚାରପତିଙ୍କ ବିରୋଧରେ ଏତଲା ଦାଏର କରିବାରେ କାହାରି ପ୍ରାକ୍‌ ଅନୁମତିର ଆବଶ୍ୟକତା ନାହିଁ। ତେଣୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜଷ୍ଟିସ ବର୍ମାଙ୍କ ବିରୋଧରେ ତୁରନ୍ତ ଏତଲା ଦାଏର କରାଯିବା ଉଚିତ ହୋଇଥାନ୍ତା ବୋଲି ଧନକଡ କହିଛନ୍ତି। ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ କେବଳ ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କୁ ନ୍ୟାୟିକ ସ୍ବାଧୀନତା ପ୍ରଦାନ କରାଯାଇଛି। ବିଚାରପତିମାନେ କ’ଣ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉପରେ ବୋଲି ଧନକଡ ପ୍ରଶ୍ନ କରିଛନ୍ତି। ସାଧାରଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଲେ, ଆଇନ ରକେଟ ଭଳି କାର୍ଯ୍ୟ କରିଥାଏ। ତେବେ ଜଷ୍ଟିସ ବର୍ମାଙ୍କ କ୍ଷେତ୍ରରେ ଏହା ଶଗଡ ଗାଡିର ବେଗ ଭଳି ଗତି କରୁଥିବା ସେ କଟାକ୍ଷ କରିଛନ୍ତି। କୌଣସି ଦୁର୍ନୀତିର ତଦନ୍ତ ଦାୟିତ୍ବ କାର୍ଯ୍ୟକାରିଣୀ ପରିସର ଭୁକ୍ତ ହୋଇଥିବାବେଳେ ସୁପ୍ରିମକୋର୍ଟ ତିନିଜଣିଆ ତଦନ୍ତ କମିଟି ଗଠନ କରିବାର ତାତ୍ପର୍ଯ୍ୟ ସମ୍ପର୍କରେ ଧନକଡ ପ୍ରଶ୍ନ ଉଠାଇଛନ୍ତି। ଏଭଳି କମିଟି ଗଠନ ପାଇଁ ସଂସଦ କୌଣସି ଆଇନ ପ୍ରଣୟନ କରିଛନ୍ତି କି? ଆଇନ ଅନୁଯାୟୀ ଏହି କମିଟି ଅତିବେଶୀରେ ସୁପାରିସ କରିପାରିବ। ତେବେ କାହାକୁ ଏବଂ କ’ଣ ସୁପାରିସ କରିବ, ତାହା ଅସ୍ପଷ୍ଟ ରହିଛି। ବିଚାରପତିଙ୍କ କ୍ଷେତ୍ରରେ ଯେଉଁ ବ୍ୟବସ୍ଥା ରହିଛି, ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣର କ୍ଷମତା କେବଳ ସଂସଦ ନିକଟରେ ହିଁ ସଂରକ୍ଷିତ ରହିଛି। ଘଟଣାର ଏକମାସ ଅତିକ୍ରାନ୍ତ ହୋଇସାରିଥିବାବେଳେ ତଦନ୍ତ ପ୍ରକ୍ରିୟା କଚ୍ଛପ ଗତିରେ ଅଗ୍ରସର ହେଉଥିବା ଧନକଡ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋକ ଲାଗି ଗଲେଣି। ଆଉ ବିଳମ୍ବ ଘଟିଲେ କେବଳ କଙ୍କାଳ ଦେଖିବାକୁୁ ମିଳିବ। ଜଣେ ଭାରତୀୟ ହୋଇଥିବା ଏବଂ ଉପରାଷ୍ଟ୍ରପତି ଭଳି ସାମ୍ବିଧାନିକ ପଦରେ କାର୍ଯ୍ୟ କରୁଥିବାରୁ ଏହି ଘଟଣା ତାଙ୍କୁ ବିସ୍ମିତ କରୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ତାମିଲନାଡୁ ବିଧାନସଭାରେ ଗୃହୀତ ୧୦ଟି ବିଲକୁ ଅନୁମୋଦନ କରିବାରେ ରାଜ୍ୟପାଳ ଆର.ଏନ.ରବି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିଲେ। ଏହାର ପ୍ରତିବାଦରେ ସେଠାରେ କ୍ଷମତାସୀନ ଡିଏମକେ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ ଆର.ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଚଳିତମାସ ୮ରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ବିଧାନସଭା​‌େ​‌ର ଦୁଇଥର ଗୃହୀତ ହେବାର ମାସକ ମଧ୍ୟରେ ରାଜ୍ୟପାଳ ଏହି ବିଲକୁ ଅନୁ​‌େ​‌ମାଦନ କରିବାକୁ ବାଧ୍ୟ ବୋଲି ରାୟରେ ଦର୍ଶାଯାଇଥିଲା। ଏଥିସହିତ ରାଜ୍ୟପାଳଙ୍କ ନିକଟରୁ ଆସିଥିବା ବିଲ୍‌କୁ ରାଷ୍ଟ୍ରପତି ୩ ମାସ ମଧ୍ୟରେ ଅନୁମୋଦନ କିମ୍ବା ଖାରଜ କରିବାକୁ ବାଧ୍ୟ ବୋଲି ଖଣ୍ଡପୀଠ ରାୟରେ ଉଲ୍ଲେଖ କରିଥିଲେ।

Comments are closed.