ଓଡ଼ିଶାରେ ଗତିଶୀଳ ହେବ ପ୍ରଗତିର ରଥ: ଧର୍ମେନ୍ଦ୍ର ପ୍ରଧାନ
ପବିତ୍ର ରାମ ନବମୀରେ ଭଦ୍ରକ-ନୟାଗଡ଼ ଟାଉନ ମେମୁ ରେଳର ଶୁଭାରମ୍ଭ
କଟକ: ଭଦ୍ରକ-ନୟାଗଡ଼ ଟାଉନ ମେମୁ ରେଳର ଶୁଭାରମ୍ଭ ହୋଇଛି। କଟକ ରେଳଷ୍ଟେସନରେ ରେଳ ଚଳାଚଳ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍ସବରେ ବାରବାଟୀ ବିଧାୟକ ଓ ଧାମନଗର ବିଧାୟକ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହାକୁ ପୂରଣ କରନ୍ତି ବୋଲି ଗୁରୁବାର ପବିତ୍ର ରାମ ନବମୀ ଅବସରରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଟ୍ରେନର ଶୁଭାରମ୍ଭ ଦ୍ୱାରା ଭଦ୍ରକ ଓ ନୟାଗଡବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଧାମନଗରର ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଅନୁରୋଧକୁ ରଖି ଏହି ରେଳ ପ୍ରକଳ୍ପକୁ ଅନୁମୋଦନ କରି ସର୍ବୋପରି ଓଡ଼ିଶା ତଥା ଓଡ଼ିଆଙ୍କ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ। ଏହି ନୂତନ ଟ୍ରେନ୍ ସ୍ଥାନୀୟ ନାଗରିକଙ୍କୁ ଉନ୍ନତ ରେଳ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ପ୍ରଦାନ କରିବ।
ମୋଦି ଯେଉଁ କଥା କୁହନ୍ତି ତାହା ପୂରଣ କରନ୍ତି। ଅତୀତରେ ଓଡ଼ିଶାକୁ ରେଳବାଇରେ ଅର୍ଥ ଆସୁନଥିଲା। ମୋଦି ସରକାରରେ ଓଡ଼ିଶାକୁ ରେଳ ଅନୁଦାନ ବଢିଛି। ପୂର୍ବୋଦୟର ସ୍ୱପ୍ନ ସାକାର ହେଉଛି। ପ୍ରଥମ ଥର ପାଇଁ ଓଡ଼ିଶାର ୫୭ଟି ରେଳ ଷ୍ଟେସନର ନବୀକରଣ ହେବ। ରାଜ୍ୟରେ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦିଆଯାଉଛି । କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱରର ଷ୍ଟେସନ ଜାତୀୟ ସ୍ତରର ରେଳ ଷ୍ଟେସନ ହେଉଛି।
ଆଗାମୀ ଦିନରେ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନ ଅନ୍ତରାଷ୍ଟ୍ରୀୟ ରେଳ ଷ୍ଟେସନ ନେଇ କଳ୍ପନା ରଖାଯାଇଛି। ଖୁବ ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ହେବାକୁ ଯାଉଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପରାମର୍ଶରେ ଓଡ଼ିଶାରେ ପ୍ରଗତିର ରଥ ଗତିଶୀଳ ହେବ ଏବଂ ଦେଶର ଅର୍ଥନୀତିରେ ଓଡ଼ିଶାର ବହୁତ ବଡ ଯୋଗଦାନ ରହିବ ବୋଲି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି।
Comments are closed.