– ମଠରେ ଗୁଳିମାଡ଼ ମାମଲା
– ତଦନ୍ତ ପାଇଁ ଆହତଙ୍କ ଗାଁକୁ ଯିବ
ଭୁବନେଶ୍ବର, : ଇନଫୋଭ୍ୟାଲି ଥାନା ଦେଉଳିଆ ପାଟଣା ଭାଇ ଭାଇ ମଠରେ ଗୁଳିମାଡ ଘଟଣାକୁ ଦୁଇ ଦିନ ବିତିଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଗୁଳିକାଣ୍ଡରେ ସମ୍ପୃକ୍ତି ଦୁର୍ବୃତ୍ତଙ୍କ ସୁରାକ୍ ମିଳୁନି। ଅଭିଯୁକ୍ତ ଠାବ ହୋଇନଥିବାରୁ ପୁଲିସ ଅକଳରେ ପଡ଼ିବା ସହ ଅନ୍ଧାରରେ ବାଡି ବୁଲାଉଛି। ମଠର ଅନ୍ତେବାସୀଙ୍କୁ ବୟାନରେ ତାଳମେଳ ରହୁନଥିବା ପୁଲିସର ସନ୍ଦେହ ବଢ଼ୁଛି। ଗୁଳିମାଡ଼ ପଛରେ କିଏ ଓ କାରଣ କ’ଣ ରହିଛି, ରହସ୍ୟ ହଟୁନି। ଏମିତିକି କେତେ ଜଣ ଦୁର୍ବୃତ୍ତ ମଠକୁ ଆସି ଗୁଳିକାଣ୍ଡ ଘଟାଇଥିଲେ, ସେଥିରେ ବି ସ୍ପଷ୍ଟତା ଆସିନି। ଗୁଳିକାଣ୍ଡର ଖିଅ ଖୋଜିବା ଲାଗି ପୁଲିସ ତଦନ୍ତକୁ କ୍ରିୟାଶୀଳ କରିଛି। ଗୁରୁତର ଆହତ ହୋଇଥିବା ସୁନିଲ ଓ ସାମାନ୍ୟ ଆହତ ହୋଇଥିବା ଅଶୋକଙ୍କ ପୃଷ୍ଟଭୂମି ଯାଞ୍ଚ କରାଯିବ। ସେମାନଙ୍କ ଘର ଯାଜପୁର ଓ ଜଗତସିଂହପୁର ଜିଲାକୁ ପୁଲିସ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ସୁନିଲ ଓ ଅଶୋକଙ୍କ ସହ ଦୁର୍ବୃତ୍ତଙ୍କ କିଛି ପୂର୍ବ ଶତ୍ରୁତା ଥିଲା କି ନାହିଁ। ଯଦି କୌଣସି ପୂର୍ବ ଶତ୍ରୁତା ଥିଲା ତେବେ ସେମାନେ ମଠ ବିଷୟରେ ଅବଗତ ଥିଲେ କି ନାହିଁ ସେନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ସ୍ପେଶାଲ ସ୍କ୍ବାଡ୍ ସହ ଇନଫୋଭ୍ୟାଲି, ତମାଣ୍ଡୋ ,ଚନ୍ଦକା ଓ ଜଟଣୀ ଥାନା ଅଧିକାରୀ ରହସ୍ୟ ହଟାଇବା ଲାଗି ଉଦ୍ୟମ କରୁଛନ୍ତି। ଅନୁରୂପ ଭାବେ କୌଣସି ଅଘଟଣ ମୁକାବିଲା ପାଇଁ ମଠରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତେଣୁ ଦୁଇଟି ଦଳ ଗଠନ କରି ଘଟଣାର ତଦନ୍ତ ଚଳାଇଛି କମିସନରେଟ ପୁଲିସ। ଏଥିସହ ସୁନିଲଙ୍କ ଦେହରେ ୪ଟି ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେ ସୁସ୍ଥ ହେବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ ଆଶା କରିଛି।
ଅପରପକ୍ଷେ ସ୍ଥାନୀୟ ଦେଉଳିଆପାଟଣା ଗ୍ରାମର କିଛି ଲୋକଙ୍କ କହିବା କଥା, ମଠରେ ଦଶହରା, ରାଖି ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଭଳି ଅନେକ ପର୍ବପର୍ବାଣିରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ବାହାର ଜିଲାରୁ ବହୁ ଭକ୍ତ ଆସନ୍ତି। ସେହି ସମୟରେ ପୂଜାର୍ଚ୍ଚନା ହେବା ସହ ଭୋଜିଭାତ ମଧ୍ୟ ହୁଏ। ସ୍ଥାନୀୟ ଲୋକେ ସେଠାକୁ ଆତଜାତ କରନ୍ତି ନାହିଁ। ତେଣୁ ମଠର କାର୍ଯ୍ୟକଳାପ ବାବଦରେ ସ୍ଥାନୀୟ ଲୋକ ଅବଗତ ନାହାନ୍ତି।
ସୂଚନାଯୋଗ୍ୟ ଯେ, ଗତ ରବିବାର ସନ୍ଧ୍ୟାରେ ମଠରେ ପୂଜାର୍ଚ୍ଚନା ସରିବା ପରେ ସମସ୍ତେ ଭିତର ଘରେ ଥିଲେ। ହଠାତ୍ ଜଣେ ଦୁର୍ବୃତ୍ତ ଆସି ଡାକିବାରୁ ଅଜୟ ଓ ସୁନିଲ ବାହାରକୁ ଆସିଥିେଲ। ପରେ ଦୁର୍ବୃତ୍ତ ଉଭୟଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲା।



