-ମାର୍ଚ୍ଚ ଅଭିଯୋଗ ଉପରେ ଏସ୍ଆଇଟି କରିଥିଲା ତଦନ୍ତ
ଭୁବନେଶ୍ବର,: ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସବ୍ ଇନ୍ସ୍ପେକ୍ଟର(ଏସ୍ଆଇ) ନିଯୁକ୍ତି କ୍ଷେତ୍ରରେ ବିବାଦ ପିଛା ଛାଡୁନି। ଏଭଳି ସ୍ଥିତିରେ ପୂର୍ବରୁ ଏହି ନିଯୁକ୍ତି ପରୀକ୍ଷା ସ୍ଥଗିତର କାରଣ ସାମ୍ନାକୁ ଆସିଛି। ପୂର୍ବରୁ ପରୀକ୍ଷା ପରିଚାଳନା କାର୍ଯ୍ୟରେ ନିୟୋଜିତ ଘରୋଇ ସଂସ୍ଥା ‘ରିଚ ମାଇଣ୍ଡ’କୁ ନିଯୁକ୍ତି କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବାବେଳେ ପରୀକ୍ଷା ବନ୍ଦ କରାଯାଇଥିଲା। ପୁନର୍ବାର ଅଭିଯୋଗ ହେବା ପରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚଳାଇଛି। ମୁଖ୍ୟତଃ ୨ ଥର ପରୀକ୍ଷା ସ୍ଥଗିତ ରହିବା ପରେ କିଭଳି ଆଗାମୀ ଦିନରେ ସ୍ବଚ୍ଛତାର ସହ ପରୀକ୍ଷା ହେବ ସେନେଇ ସରକାରୀସ୍ତରରେ ବିଚାରବିମର୍ଶ ଚାଲିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୫ ମାର୍ଚ୍ଚରେ ଜଣେ ବ୍ୟକ୍ତି ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଘରୋଇ ସଂସ୍ଥାର ବିଶ୍ବସନୀୟତା ନଥିବା ଅଭିଯୋଗ କରିଥିଲେ। ତତ୍ ସମ୍ବନ୍ଧରେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗୃହ ବିଭାଗକୁ ଜଣାଇଥିଲେ। ଏହି ଅଭିଯୋଗ ମିଳିବା ପରେ ପରୀକ୍ଷାରେ ପକ୍ଷପାତିତା ଆଶଙ୍କା କରି ମାର୍ଚ୍ଚ ୬ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଥିଲା ‘ଓପିଆର୍ବି’। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଗୃହ ବିଭାଗ ପକ୍ଷରୁ ମାର୍ଚ୍ଚରେ ଘଟଣାର ତଦନ୍ତ କରିବାକୁ ପୁଲିସ ମହାନିର୍ଦେଶକ(ଡିଜି)ଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହି ଘଟଣାରେ ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍(ଏସ୍ଆଇଟି) ଗଠନ କରି ଓଡ଼ିଶା ପୁଲିସ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥାର ବିଶ୍ବସନୀୟତା ଯାଞ୍ଚ କରିଥିଲା। ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଯାଇ ପୁଲିସ ସଂସ୍ଥା ବିଷୟରେ ତଥ୍ୟ ଏକତ୍ର କରିଥିଲା। ଏଥିରେ ଉକ୍ତ ସଂସ୍ଥା ବିରୋଧରେ ଏକାଧିକ ମାମଲା ଥିବା ଜାଣିବାକୁ ପାଇଥିଲା। ସଂସ୍ଥାର ବିଶ୍ବସନୀୟତାକୁ ନେଇ ଆସିଥିବା ଅଭିଯୋଗ ସତ ବୋଲି ଜାଣିବାକୁ ପାଇଥିଲା ପୁଲିସ। ଏହି ସଂସ୍ଥା ପରୀକ୍ଷା ପରିଚାଳନା କଲେ ପରୀକ୍ଷାରେ ସ୍ବଚ୍ଛତା ରହିବନି ବୋଲି ଆଶଙ୍କା କରି ଉକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ପଦ୍ଧତିରୁ ବାଦ୍ ଦେବାକୁ ଡିଜି ଗୃହ ବିଭାଗକୁ ସୁପାରିସ୍ କରିଥିଲେ। ଉକ୍ତ ସଂସ୍ଥାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେତେବେଳେ ପରୀକ୍ଷା ସ୍ଥଗିତକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।
ଅନୁରୂପ ଭାବେ ଚଳିତ ମାସ ୫ ଓ ୬ରେ ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ହେବାର ଥିଲା। ଏଥିପାଇଁ ପରୀକ୍ଷାର୍ଥୀମାନେ ପ୍ରବେଶପତ୍ର ପାଇଥିଲେ ମଧ୍ୟ ଅନିୟମିତତା ଅଭିଯୋଗ ଆସିବା ପରେ ପୁନର୍ବାର ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆର୍ବି ପକ୍ଷରୁ ସୂଚିତ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର କେବେ ପରୀକ୍ଷା ହେବ ତାକୁ ନେଇ ଅନିଶ୍ଚିତତା ଦେଖିଦେଇଛି। ସବୁଠାରୁ ବଡ଼ କଥା ହେଲା ପରୀକ୍ଷା ହେବା ପୂର୍ବରୁ ଦୁଇଥର ଯାକ ଆସୁଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା। ପରୀକ୍ଷା ପୂର୍ବରୁ ହୋଇଥିବା ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ସରକାର ପ୍ରଦର୍ଶନ କରୁଥିବାବେଳେ ଗିରଫ ସଂଖ୍ୟା କ୍ରମାଗତ ଭାବେ ବଢୁଛି। ତେବେ ୨ଥର ପରୀକ୍ଷା ସ୍ଥଗିତ ରହିବା ପରେ ଆଗାମୀ ଦିନରେ କିଭଳି ଭାବେ ତ୍ରୁଟିଶୂନ୍ୟ ଓ ସ୍ବଚ୍ଛତାର ସହ ପରୀକ୍ଷା ହେବ ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ସଂସ୍କାର ଆଣିବା ସହ କିଭଳି ପ୍ରକ୍ରିୟା ସରିବ ସେନେଇ ଚିନ୍ତାେର ପଡ଼ିଛି ଗୃହ ବିଭାଗ। ବିଭିନ୍ନ ରାଜ୍ୟରେ କିଭଳି ତ୍ରୁଟିଶୂନ୍ୟ ପରୀକ୍ଷା ହେଉଛି ତାକୁ ରାଜ୍ୟ ସରକାର ଅନୁଶୀଳନ କରୁଛନ୍ତି।



