ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା, ୫୦ହଜାରରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ
ନେମାଳ : କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ପଞ୍ଚାୟତ ବିରେହିଁପୁର(ସହରାଜପୁର) ଗ୍ରାମରେ ଏକ ଅଗ୍ନିକାଣ୍ଡରେ ୨ବଖରା ଚାଳ ଛପର ଘର ଜଳିଯିବା ସହିତ ୫୦ହଜାରରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି।
ଖବରଅନୁସାରେ ଗୁରୁ ଚରଣ ପତିହାରିଙ୍କ ଘରେ ଶନିବାର ଅପରାହ୍ନ ୧୨ଟା ସମୟରେ ହଠାତ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ସମେତ ୫୦ହଜାର ଟଙ୍କାରୁ ଅଧିକ ମୂଲ୍ୟର ସଂପତ୍ତି ପୋଡି ଯାଇଛିି। ଏପରିକି ଖାଇବା ପାଇଁ ଗଣ୍ଡେ ଖାଦ୍ୟ ଶସ୍ୟ ଓ ପିନ୍ଧିବା ପାଇଁ ପୋଷାକ ଟିଏ ନାହିଁ। ଆଜି ଅପରାହ୍ନ୍ନ ୧୨ ସମୟରେ ଗୁରୁ ଚରଣ ପତିହାରି ବିଲକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଘରେ ତାଙ୍କର ପୁଅ ଓ ଝିଅ ରହିଥିଲେ। ତେବେ ହଠାତ ନିଆଁ ଲାଗିଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ସେମାନେ ଆସି ନିଆଁକୁ ଆୟତ କରିବା ସହିତ ଦମକଳ କେନ୍ଦ୍ର ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ କେନ୍ଦ୍ର ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ଘରେ ଥିବା ପ୍ରାୟ ସମସ୍ତ ଜିନିଷ ନଷ୍ଟ ହୋଇଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହା ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସେ ସମ୍ପର୍କରେ ତଦନ୍ତ କରାଗଲେ ସତ୍ୟତା ପ୍ରକାଶ ପାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏପର୍ଯ୍ୟନ୍ତ ତହସିଲ ପକ୍ଷରୁ କୌଣସି ସହଯୋଗ ଯୋଗାଇ ଦିଆଯାଇନଥିବା ଜଣାପଡିଛି।