ମେଲ୍ବୋର୍ଣ୍ଣ: ସାରା ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ କ୍ରିକେଟରମାନେ ବେଶ୍ କିଛି ମାସ ବିଶ୍ରାମ ପାଇ ଯାଇଛନ୍ତି। ଏହା ସେମାନଙ୍କ କ୍ରିକେଟ୍ ଜୀବନକୁ ଆହୁରି ଲମ୍ବା କରିବ ବୋଲି ମନେକରନ୍ତି ଅଷ୍ଟ୍ରେଲିଆ ସୀମିତ ଓଭର ଦଳର ଅଧିନାୟକ ଆରୋନ୍ ଫିଞ୍ଚ୍। କରୋନା ଯୋଗୁଁ ଗତ ୫ ମାସ ହେଲା ଘରେ ପରିବାର ସହ ସମୟ ବିତାଇବା ତାଙ୍କର ଆନ୍ତର୍ଜାତିକ କ୍ରିକେଟ୍ ଜୀବନ ବିଷୟରେ ପୁନର୍ବିଚାର କରିବାକୁ ତାଙ୍କୁ ସୁଯୋଗ ଦେଇଛି ବୋଲି ଫିଞ୍ଚ୍ କହିଛନ୍ତି। ଏବେ ସେ ୨୦୨୩ ବିଶ୍ୱକପ୍ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି। ଭାରତରେ ହେବାକୁ ଥିବା ୨୦୨୩ ବିଶ୍ୱକପ୍ର ଫାଇନାଲ ତାଙ୍କ ଜୀବନର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍ ହେବ। ଏହା ତାଙ୍କ ଜୀବନର ଲକ୍ଷ୍ୟ ଏବଂ ସେ ଏହି ଦିଗରେ ଅଗ୍ରସର ହେଉଛନ୍ତି ବୋଲି ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ଓପ୍ନିଂ ବ୍ୟାଟ୍ସମ୍ୟାନ୍ କହିଛନ୍ତି।
ଏକ ଗଣମାଧ୍ୟମକୁ ଆରୋନ୍ ଫିଞ୍ଚ୍ କହିଛନ୍ତି, ପୂର୍ବରୁ ୨୦୨୩ ବିଶ୍ୱକପ୍ ଖେଳିବା କଥା ଚିନ୍ତା କରିଥିଲି। ତେବେ କରୋନା ଯୋଗୁଁ ଘରେ ଏତେ ସମୟ ବିଶ୍ରାମ ପାଇବା ପରେ ୩ ବର୍ଷ ପରେ ଭାରତରେ ହେବାକୁ ଥିବା ବିଶ୍ୱକପ୍ ଖେଳିବା ଲାଗି ଆତ୍ମବିଶ୍ୱାସ ପାଇଛି। ସେତେବେଳକୁ ମୋ ବୟସ ୩୬ ବର୍ଷ ହୋଇଥିବ। ପୁଣି ବ୍ୟାଟିଂ ଫର୍ମ ଓ ଫିଟ୍ନେସ ରହିଲେ ହିଁ ମୁଁ ଏହି ବିଶ୍ୱକପ୍ ଖେଳିପାରିବି। କ୍ରିକେଟର ବର୍ଷକୁ ୧୦ରୁ ୧୧ ମାସ ଖେଳିଥାଆନ୍ତି ଏବଂ ନିୟମିତ ଭାବେ ଦେଶ ଭିତରେ ଓ ବିଦେଶରେ ଗସ୍ତ କରିଥାଆନ୍ତି। ତେଣୁ ଏତେ ଦିନ ଘରେ ବସିରହିବା ମୋ ପାଇଁ ନିଶ୍ଚୟ କଷ୍ଟଦାୟକ। ତେବେ ମାନସିକ ଭାବେ ଏହି ବିଶ୍ରାମ ମୋତେ ଅଧିକ ତାଜା କରିଦେଇଛି। କରୋନା ସଂକ୍ରମଣ ପୂର୍ବରୁ ଭାରତରେ ୨୦୨୩ ବିଶ୍ୱକପ୍ କଥା ମୋ ମନରେ ଥିଲା। ତେବେ ଏହି ବିଶ୍ରାମ ପରେ ମୁଁ ଏଥିପାଇଁ ଆତ୍ମବିଶ୍ୱାସ ପାଇଛି। ଫିଞ୍ଚ୍ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ୬ ମାସ ପରେ କ୍ରିକେଟ୍ ପଡ଼ିଆକୁ ଫେରିବାକୁ ଯାଉଛି। ଘରୋଇ ଇଂଲଣ୍ଡ ବିପକ୍ଷରେ ସେପ୍ଟେମ୍ବର ୪ରୁ ୩ଟି ଲେଖାଏଁ ଟ୍ୱେଣ୍ଟି୨୦ ଓ ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି ଅଷ୍ଟ୍ରେଲିଆ।
ଭାରତରେ ୨୦୨୩ ବିଶ୍ୱକପ୍ ଫାଇନାଲ ମୋର ଅନ୍ତିମ ମ୍ୟାଚ୍ ହେବ: ଫିଞ୍ଚ୍
Popular Categories



