ତାରକା ସନ୍ତାନଙ୍କୁ ନେଇ ବିବାଦ
ଏଇ କିଛିଦିନ ତଳେ କରୀନା କପୁର ଖାନ୍ ଅଭିନୀତ ‘ଭିରେ ଦି ୱେଡିଙ୍ଗ’ ଚଳଚ୍ଚିତ୍ର ସୁପରହିଟ୍ ତାଲିକାଭୁକ୍ତ ହୋଇଛି। ତେବେ ଗଣମାଧ୍ୟମ ସମ୍ମୁଖକୁ ଯେତେବେଳେ କରୀନା ଆସୁଛନ୍ତି, ତାଙ୍କ ଅପେକ୍ଷା ପୁଅ ତୈମୁରକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ମାତ୍ର ଦେଢ଼ ବର୍ଷର ଶିଶୁ ତୈମୁର ଆଜିକାଲି କ୍ୟାମେରା ଦେଖିବା ମାତ୍ରେ ହାତ ହଲାଇବା ସହ ଖୁବ୍ ଖୁସି ହୋଇଯାଉଛି। କିଛିଦିନ ତଳେ ସୈଫ୍ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ଅବଗତ କରାଇଥିଲେ। ତାଙ୍କ ପିଲାକୁ ସେ ସାଧାରଣ ଜୀବନଶୈଳୀରେ ବଢ଼ାଇବାକୁ ଚାହୁଁଛନ୍ତି, ହେଲେ ଗଣମାଧ୍ୟମ ସେ ସୁଯୋଗ ଦେଉନାହିଁ। ଯେଉଁଠାକୁ ଗଲେ, ତୈମୁରର ପଛରେ କ୍ୟାମେରା ଦଳ। ପ୍ରଥମେ ସୈଫ୍ ଭାବୁଥିଲେ ନିୟମିତ ଭାବେ କ୍ୟାମେରା ସମ୍ମୁଖକୁ ଆସିବା ପରେ ଗଣମାଧ୍ୟମର ତାଙ୍କ ପିଲା ପ୍ରତି ଏତେ ଧ୍ୟାନ ରହିବ ନାହିଁ। ବରଂ ଫଳ ଓଲଟା ହେଉଛି। ଅନ୍ୟ ଜଣେ ତାରକା ସନ୍ତାନ ଆରାଧ୍ୟା ବଚ୍ଚନଙ୍କୁ ନେଇ ମଧ୍ୟ ପ୍ରଶଂସକ ମହଲରେ ସମାନ ଆଗ୍ରହ। ଏପରିକି ଐଶ୍ ବିଦେଶ ଯାତ୍ରା ସମୟରେ ତାଙ୍କ ମ୍ୟାନେଜର୍ ଆଜିକାଲି ଏ ସଂକ୍ରାନ୍ତ କୌଣସି ଖବର ଗଣମାଧ୍ୟମକୁ ଦେଉନାହାନ୍ତି। କାରଣ ଆରାଧ୍ୟା ନିୟମିତ ଭାବେ ଏସବୁ ସମ୍ମଖକୁ ଆସୁ, ଏକଥା ବଚ୍ଚନ ପରିବାର ଚାହୁଁନାହାନ୍ତି। ଶାହରୁଖ ଖାନ୍ଙ୍କ ସାନ ପୁଅ ଅବରାମ୍ ଖାନ୍, ଶାହିଦ୍ କପୁରଙ୍କ ଝିଅ ମିଶା ମଧ୍ୟ ଏ ତାଲିକାରେ ସାମିଲ। ଗଣମାଧ୍ୟମ ତରଫରୁ ଏ ନେଇ ସହଯୋଗ ମିଳୁନଥିବାରୁ ତାରକାମାନେ ନିଜେ ହିଁ ସଚେତନ ହେବା ସହ ପଦକ୍ଷେପ ନେଉଥିବାର ଦେଖାଯାଉଛି।