ଜିମେନେଜ୍ଙ୍କ ଗୋଲ୍ରେ ଜିତିଲା ଉରୁଗୁଏ
ଏକାତେରିନ୍ବର୍ଗ : ୨୧ତମ ଫିଫା ଫୁଟ୍ବଲ ବିଶ୍ୱକପ୍ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ୨ ଥର ଚମ୍ପିଆନ୍ ଉରୁଗୁଏ। ୮୯ ମିନିଟରେ ଜୋସ୍ ଜିମେନେଜ୍ଙ୍କ ଏକମାତ୍ର ଗୋଲ୍ ବଳରେ ଇଜିପ୍ଟକୁ ୧-୦ ଗୋଲ୍ରେ ଉରୁଗୁଏ ପରାସ୍ତ କରିଛି। ପୂରା ମ୍ୟାଚ୍ରେ ଉରୁଗୁଏ ପ୍ରାଧାନ୍ୟ ବିସ୍ତାରକରି ଖେଳି ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ପ୍ରଥାମାର୍ଦ୍ଧରେ କୌଣସି ଗୋଲ୍ ହୋଇନଥିଲା। ତେଣୁ ମ୍ୟାଚ୍ ଗୋଲ୍ଶୂନ୍ୟ ଭାବେ ଶେଷହେବାକୁ ଯାଉଥିବା ବେଳେ ଇଜିପ୍ଟର ଡିଫେନ୍ସ ଭେଦକରି ଜୋସ୍ ଜିମେନେଜ୍ ଗୋଲ୍ ସ୍କୋର୍କରି ଉରୁଗୁଏକୁ ପୂରା ୩ ପଏଣ୍ଟ ଦେଇଥିଲେ। ସୂଚନାଯୋଗ୍ୟ; ୧୯୭୦ ପରେ ଉରୁଗୁଏ ଏକ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଜିତିପାରିଛି।
ଗ୍ରୁପ୍ ‘ଏ’ର ଶୀର୍ଷରେ ରହିବା ପାଇଁ ଦୁଇ ଦାବିଦାର ଉରୁଗୁଏ ଓ ଇଜିପ୍ଟ ମଧ୍ୟରେ ଏହି ମୁକାବିଲା ବେଶ୍ ଆକର୍ଷଣୀୟ ହୋଇଥିଲା। ଆହତ ଥିବାରୁ ଇଜିପ୍ଟ ତା’ର ତାରକା ଫରୱାର୍ଡ ତଥା ଆହତ ହୋଇଥିବା ମହମ୍ମଦ ସାଲ୍ଲାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲେ। ଆରମ୍ଭରୁ ଉରୁଗୁଏର ପଲ୍ଲା ଭାରି ରହିଥିଲା। ଦୁଇ ତାରକା ଷ୍ଟ୍ରାଇକର ଲୁଇ ସ୍ୱାରେଜ୍ ଓ ଏଡିନ୍ସନ କାଭାନି ଚମତ୍କାର ପ୍ରଦର୍ଶନ କରି ଇଜିପ୍ଟ ଡିଫେନ୍ସକୁ ଚାପରେ ପକାଇଥିଲେ। ତେବେ ଇଜିପ୍ଟର ଡିଫେଣ୍ଡର ଉଭୟଙ୍କୁ ଗୋଲ୍ଦେବାର ସୁଯୋଗ ଦେଇନଥିଲେ। ଆରମ୍ଭରୁ ଲୁଇ ସ୍ୱାରେଜ୍ ଏକ ସୁଯୋଗ ପାଇଥିଲେ ହେଁ ତାଙ୍କ ପ୍ରୟାସ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ପରେ ଇଜିପ୍ଟ ମଧ୍ୟ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୦-୦ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଲୁଇ ସ୍ୱାରେଜ୍ ଆଉ ଏକ ସୁଯୋଗ ପାଇଥିଲେ ହେଁ ତାଙ୍କ ପ୍ରୟାସ ମଧ୍ୟ ବେକାର ହୋଇଥିଲା। ପରେ ମୁକାବିଲା ମିଡ୍ଫିଲଡରେ ସୀମିତ ରହିଥିଲା ଏବଂ ଲୁଇ ସ୍ୱାରେଜ୍ଙ୍କୁ ଇଜିପ୍ଟର ଡିଫେଣ୍ଡର ଜଗି ରହିଥିଲେ। ୮୯ ମିନିଟରେ ଡାହାଣପଟୁ ଉରୁଗୁଏ ମାରିଥିବା ଫ୍ରିକିକ୍ରୁ କୁଦାମାରି ହେଡ୍କରି ଜୋସ୍ ଜିମେନେଜ୍ ମ୍ୟାଚ୍ର ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ। ଏହାପରେ ଉରୁଗୁଏ ଦଳ ତା’ର ଦୁର୍ଗ ରକ୍ଷା କରି ପାରିଥିଲା। ମ୍ୟାଚ୍ରେ ଉରୁଗୁଏର ଗୋଟିଏ ନିଶ୍ଚିତ ଗୋଲ୍କୁ ଇଜିପ୍ଟ ଗୋଲ୍ରକ୍ଷକ ରୋକି ଦେଇଥିବା ବେଳେ ଗୋଟିଏ ସଟ୍ ଇଜିପ୍ଟ ଗୋଲ୍ପୋଷ୍ଟରେ ବାଜିଥିଲା। ସୂଚନାଯୋଗ୍ୟ; ୧୯୯୦ ପରେ ଏହା ଇଜିପ୍ଟ ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଖେଳିଥିବା ବେଳେ ଏହା ପରାଜୟ ବରଣ କରିଛି। ଆଗକୁ ଇଜିପ୍ଟକୁ ଆୟୋଜକ ରୁଷିଆ ଓ ସାଉଦି ଆରବ ବିପକ୍ଷରେ ଖେଳିବାକୁ ପଡ଼ିବ।