ନାଇଜେରିଆ ବିପକ୍ଷରେ କ୍ରୋଏସିଆ ବିଜୟୀ
କାଲିନିନ୍ଗ୍ରାଡ୍ : ଫିଫା ଫୁଟ୍ବଲ ବିଶ୍ୱକପ୍ରେ ଶନିବାର ଏକ ଗ୍ରୁପ୍ ‘ଡି’ ମ୍ୟାଚ୍ରେ ବିଜୟୀ ହୋଇଛି କ୍ରୋଏସିଆ। ଗୋଟିଏ ଆତ୍ମଘାତୀ ଓ ଏକ ପେନାଲ୍ଟି ଗୋଲ୍ ବଳରେ ନାଇଜେରିଆ ଦଳକୁ ୨-୦ ଗୋଲ୍ରେ କ୍ରୋଏସିଆ ପରାସ୍ତ କରିଛି। ଉଭୟ ହାଫ୍ରେ କ୍ରୋଏସିଆ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲା। ମ୍ୟାଚ୍ରେ କ୍ରୋଏସିଆ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା ଏବଂ ବିଜୟୀ ହେବା ପାଇଁ ହକ୍ଦାର ଥିଲା। ୩ ପଏଣ୍ଟ ପାଇ କ୍ରୋଏସିଆ ବିଶ୍ୱକପ୍ର ବିଜୟ ଅଭିଯାନ ଆରମ୍ଭ କରିଛି।
ଚଳିତ ବିଶ୍ୱକପ୍ରେ ୨ୟ ଆତ୍ମଘାତୀ ଗୋଲ୍ ଦେଖିବାକୁ ମିଳିଥିଲା ଏହି ମ୍ୟାଚ୍ରେ। ୩୨ ମିନିଟ୍ରେ ନାଇଜେରିଆ ଏହି ଆତ୍ମଘାତୀ ଗୋଲ୍ ଦେଇଥିଲା। ଏକ କର୍ଣ୍ଣର କିକ୍ରୁ କ୍ରୋଏସିଆର ଲ୍ୟୁକା ମୋଡ୍ରିଚ୍ ମାରିଥିବା ସଟ୍କୁ ତାଙ୍କ ଦଳର ମାରିଓ ମାଣ୍ଡ୍ଜୁକିଚ୍ ହେଡ୍ କରିଥିଲେ। ଏହି ହେଡରକୁ କ୍ଲିଅର କରିବା ପ୍ରୟାସରେ ନାଇଜେରିଆର ଓଘେନେକାରୋ ଏଟେବୋ ବଲ୍କୁ ନିଜ ଗୋଲ୍ ମଧ୍ୟକୁ ମାରି ଦେଇଥିଲେ। ମ୍ୟାଚ୍ ଆରମ୍ଭରୁ କ୍ରୋଏସିଆ ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ତେବେ ନାଇଜେରିଆର ରକ୍ଷାପନ୍ଥୀ କ୍ରୋଏସିଆ ଷ୍ଟ୍ରାଇକରଙ୍କୁ ରୋକି ପାରିଥିଲେ। ୧୪ ମିନିଟରେ ଇଭାନ୍ ପେରିସିଚ୍ଙ୍କ ସଟ୍ ନାଇଜେରିଆ ଗୋଲ୍ପୋଷ୍ଟର ସାମାନ୍ୟ ଉପରେ ଚାଲି ଯାଇଥିଲା। ଏହାପରେ ମଧ୍ୟ କ୍ରୋଏସିଆ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ୨୨ ମିନିଟରେ ନାଇଜେରିଆକୁ ପ୍ରଥମ ସୁଯୋଗ ମିଳିଥିଲା। ତେବେ ଘେନେକାରୋ ଏଟେବୋ କିକ୍ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହାପରେ ନାଇଜେରିଆ ଆତ୍ମଘାତୀ ଗୋଲ୍ ବରଣ କରିଥିଲା। କ୍ରୋଏସିଆ ପାଇଁ ଲ୍ୟୁକା ମୋଡ୍ରିଚ୍ ଚମତ୍କାର ପ୍ରଦର୍ଶନ କରି ନିୟମିତ ଭାବେ ଷ୍ଟ୍ରାଇକରଙ୍କୁ ବଲ୍ ଯୋଗାଇଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା କ୍ରୋଏସିଆ ୧-୦ ଗୋଲ୍ରେ ଆଗୁଆ ରହିଥିଲା। ଷ୍ଟାଡିୟମ୍ରେ ପ୍ରାୟ ୬ ହଜାର କ୍ରୋଏସିଆ ସମର୍ଥକ ତାଙ୍କ ଦଳକୁ ସମର୍ଥନ ଦେଇଥିବା ବେଳେ ସୁପର ଇଗଲ୍ସ ଭାବେ ପରିଚିତ ନାଇଜେରିଆ ଦଳକୁ ମଧ୍ୟ ସମର୍ଥନ ମିଳିଥିଲା। ପ୍ରଥମାର୍ଦ୍ଧରେ କ୍ରୋଏସିଆ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ନାଇଜେରିଆ ଅଧିକ ଆକ୍ରମଣ କରିବା ଦେଖା ଯାଇଥିଲା। ତେବେ ଗୋଲ୍ଦେବାର ସୁଯୋଗ ଏହା ଭାଗ୍ୟରେ ଜୁଟିନଥିଲା। ୫୫ ମିନିଟରେ କ୍ରୋଏସିଆ ଏକ ନିଶ୍ଚିତ ଗୋଲ୍ ହାତଛଡ଼ା କରିଥିଲା। ଇଭାନ୍ ପେରିସିଚ୍ ଗୋଲ୍ ସମ୍ମୁଖରେ ଥିବା ଆଣ୍ଟେ ରେବିଚ୍ଙ୍କୁ ଏକ କ୍ରସ୍ ଦେଇଥିଲେ; ଯେଉଁଥିରୁ ରେବିଚ୍ ମାତ୍ର ୬ ଗଜ ଦୂରରୁ ମାରିଥିବା ଭଲି ଗୋଲ୍ପୋଷ୍ଟ ଉପରେ ଚାଲି ଯାଇଥିଲା। ୫୯ ମିନିଟରେ ନାଇଜେରିଆର ଓଡିଓନ୍ ଇଘାଲୋଙ୍କ ହେଡର ସିଧା ପହଞ୍ଚିଥିଲା କ୍ରୋଏସିଆର ଗୋଲ୍ରକ୍ଷକ ଡାନିଏଲ୍ ସୁବାସିଚ୍ଙ୍କ ହାତରେ। ୭୨ ମିନିଟରେ କ୍ରୋଏସିଆର ମାରିଓ ମାଣ୍ଡ୍ଜୁକିଚ୍ଙ୍କୁ ପେନାଲ୍ଟି ଏରିଆ ମଧ୍ୟରେ ନାଇଜେରିଆର ୱିଲିୟମ ଏକଙ୍ଗ୍ ଫାଉଲ୍ ମାରି ପକାଇ ଦେଇଥିଲେ। ଫଳରେ କ୍ରୋଏସିଆକୁ ପେନାଲ୍ଟି ମିଳିଥିଲା। ଏଥିରୁ ଅଧିନାୟକ ଲୁକା ମୋଡ୍ରିଚ୍ ଗୋଲ୍ଦେଇ କ୍ରୋଏସିଆକୁ ୨-୦ରେ ଆଗୁଆ କରିଥିଲେ। ଏହାପରେ ମଧ୍ୟ କ୍ରୋଏସିଆ ଆକ୍ରମଣ ଜାରି ରଖିଥିଲା ଏବଂ ଆଫ୍ରିକୀୟ ଦେଶ ନାଇଜେରିଆକୁ ମ୍ୟାଚ୍କୁ ଫେରିବାର ସୁଯୋଗ ଦେଇନଥିଲା। ଶେଷ ୫ ମିନିଟ ନାଇଜେରିଆ ଚାପ ପକାଇ ଖେଳି ଗୋଲ୍ର ସୁଯୋଗ ସୃଷ୍ଟି କରିଥିଲା।