ପୂଜ୍ୟ ପ୍ରଣାମ – ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଫକିରମୋହନ

ବିଶ୍ବବିଜୟୀ ଦାଶ

୧୮୪୩ ମସିହା ଜାନୁଆରୀ ୧୩ ତାରିଖରେ ପବିତ୍ର ମକରସଂକ୍ରାନ୍ତି ଦିନ ବାଲେଶ୍ବର ଜିଲାର ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ ଗାଳ୍ପିକ ତଥା ଔପନ୍ୟାସିକ ବ୍ୟାସକବି ଫକିରମୋହନ ସେନାପତି। ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ତୁଳସୀ ଦେବୀ ସେନାପତି। ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା। ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ। ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା’ ସମ୍ଭାଳିଥିଲେ। ଫକିରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ। ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକିରମାନଙ୍କ ପାଖକୁ ନେଇଯାଉଥିଲେ। ସେହି ଫକିରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକିରମୋହନ।

ଜଣେ ସୁଦକ୍ଷ ସେନାପତି ଯେପରି ନିଜର ଉପସ୍ଥିତ ବୁଦ୍ଧି, ସାହସ ଓ ଶକ୍ତି ଦ୍ବାରା ଯୁଦ୍ଧକ୍ଷେତ୍ରରେ ବିଜୟର ଧ୍ବଜା ଉଡ଼ାଇଥାଏ, ଠିକ୍ ସେହିପରି ବ୍ୟାସକବି ଫକିରମୋହନ ସେନାପତି କଠିନ ସଂଗ୍ରାମ କରି ଆମ ମାତୃଭାଷାକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ ଏବଂ ଫକିରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ। ୧୮୬୮ ମସିହାରେ ଫକିରମୋହନ ବାଲେଶ୍ବରରେ ଏକ ପ୍ରେସ ପ୍ରତିଷ୍ଠା କରିବା ସହ କରିଥିଲେ ଓଡ଼ିଆ ଭାଷା ଆନ୍ଦୋଳନ ଯୁଦ୍ଧ ର ଅୟମାରମ୍ଭ। ଏହି ପ୍ରେସର ପ୍ରତିଷ୍ଠା ହେବା ପରେ ବହୁ ପାଠ୍ୟ ପୁସ୍ତକ ପ୍ରକାଶ କରିବା ସହ ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିଲେ। ଗୌରୀଶଙ୍କର ରାୟଙ୍କ ଉତ୍କଳ ଦୀପିକା ସମ୍ବାଦପତ୍ର ଭଳି ତାଙ୍କରି ସମ୍ପାଦନାରେ ବାଲେଶ୍ବରରୁ ପ୍ରକାଶ ହୋଇଥିଲା ପାକ୍ଷିକ ସାହିତ୍ୟପତ୍ର ‘ବୋଧଦାୟିନୀ’ ଓ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମ୍ବାଦ ବାହିକା’। ଯାହା ତାଙ୍କର ଅକ୍ଳାନ୍ତ ପରିଶ୍ରମ, ପ୍ରାଣପାତ ଉଦ୍ୟମ, ଗଭୀର ଆତ୍ମବିଶ୍ବାସ, ଜାତିପ୍ରୀତି ଓ କର୍ତ୍ତବ୍ୟନିଷ୍ଠାର ସୁସ୍ପଷ୍ଟ ପରିଚୟ। ଓଡ଼ିଆ ସାହିତ୍ୟକୁ ତାଙ୍କର ଥିଲା ଅନନ୍ୟ ଦାନ।

prayash

ନିଜ ଲେଖନୀ ମୁନରେ ସିଏ ଓଡ଼ିଆ ଭାଷାକୁ ଜୀବନ୍ତ କରି ଗଢି ତୋଳିଥିଲେ। ତାଙ୍କ ରଚନାରେ ତତକାଳୀନ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥାଗୁଡିକ ସହଜରେ ବାରି ହୋଇପଡେ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ- ‘ଛ’ ମାଣ ଆଠ ଗୁଣ୍ଠ’, ‘ମାମୁଁ’, ‘ପ୍ରାୟଶ୍ଚିତ’ ଓ ‘ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ। ୧୮୯୮ରେ ତାଙ୍କ ରଚିତ ‘ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା, ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ।

ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ ୧୮୬୭ରେ ‘ଉତ୍କଳ ଭାଷା ଉନ୍ନତି ବିଧାନି ସଭା’ ନାମକ ଏକ ସଙ୍ଗଠନ ଗଢ଼ିଥିଲେ। ‘ଉତ୍କଳ ସାହିତ୍ୟ ସମାଜର’ ୧୯୧୨ ଓ ୧୯୧୭ର ବାର୍ଷିକ ସଭାରେ ସେ ସଭାପତି ଦାୟିତ୍ୱ ତୁଲାଇଥିଲେ। ୧୯୧୫ ମସିହାରେ ଫକିରମୋହନ ସତ୍ୟବାଦୀ ବିଦ୍ୟାଳୟକୁ ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ। ଓଡ଼ିଆ ସାହିତ୍ୟର କଥା ସମ୍ରାଟ ବ୍ୟାସକବି ଫକିରମୋହନ ସେନାପତି ୧୪ ଜୁନ୍ ୧୯୧୮ ମସିହାରେ ଦୁନିଆ ଛାଡ଼ିଗଲେ।

kalyan agarbati

Comments are closed.