ପୌର ନିର୍ବାଚନ: ୫ ଦିନ ବନ୍ଦ ରହିବ ମଦ ଦୋକାନ
ଜିଲାପାଳଙ୍କୁ ଚିଠି ଲେଖିଲେ ଅବକାରୀ ଆୟୁକ୍ତ
ଭୁବନେଶ୍ବର: ରାଜ୍ୟରେ ମୋଟ ୧୦୬ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହିତ ୩ଟି ମହାନଗର ନିଗମରେ ମାର୍ଚ୍ଚ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ପର୍ଯ୍ୟନ୍ତ ସହରାଞ୍ଚଳର ମଦ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ଟା ଠାରୁ ୨୬ ପର୍ଯ୍ୟନ୍ତ ପୌରାଞ୍ଚଳଗୁଡ଼ିକରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ମଦ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଆଦି ସ୍ଥାନରେ ମଦ ପିଇବା ଉପରେ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ଅବକାରୀ ଆୟୁକ୍ତ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ ଏବଂ ମଦ ଗଚ୍ଛିତ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାରୁ ଏହି ଦିନଗୁଡ଼ିକୁ ‘ଡ୍ରାଇ ଡେ’ ଭାବରେ ବିବେଚନା କରାଯିବ। ଆଜି ଏ ସଂକ୍ରାନ୍ତରେ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ ରାଜ୍ୟର ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ବର୍ତ୍ତମାନ ପୌର ନିର୍ବାଚନ ପାଇଁ ସହରାଞ୍ଚଳରେ ଜୋର୍ଦାର ପ୍ରଚାର ଚାଲିଛି ଏବଂ ଗଳିକନ୍ଦିରେ ଭୋଜିଭାତର ଆସର ଜମିଛି। ହୋଟେଲ, ଢାବା, ରେଷ୍ଟୁରାଣ୍ଟରେ ଖିଆପିଆ ସାଙ୍ଗକୁ ହେଉଛି। ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ। ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାତା ଭୋଟ ଦେବେ। ୨୬ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
Comments are closed.