ଆନ୍ତଃରାଜ୍ୟ ମଦମାଫିଆ ଗିରଫ: ୧.୨ କିଲୋ ଗଞ୍ଜେଇ ସହ ୯.୬ଲକ୍ଷ ଟଙ୍କା ଜବତ
କଣ୍ଟେନରରେ ହେଉଥିଲା ମଦ ଚାଲାଣ
ଭୁବନେଶ୍ୱର: ଅବକାରୀ ବିଭାଗକୁ ଚକମା ଦେଇ ଅଭିନବ ଉପାୟରେ ମଦ ଚାଲାଣ କରୁଥିବା ଜଣେ ଆନ୍ତଃରାଜ୍ୟ ମଦ ମାଫିଆକୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗମୋହନ ସାହୁ ଓରଫ ରାଜକୁମାର। ତାଙ୍କ ଘର ଢେଙ୍କାନାଳ ଗୁଡିଆକାଟେଣି ହୋଇଥିବା ବେଳେ ସେ ଧଉଳି ଥାନା ନୂଆଗାଁରେ ରହୁଥିଲେ। ପୂର୍ବରୁ କଣ୍ଟେନରରୁ ୧୦୭୦ ପେଟି ମଦ ଜବତ ହୋଇଥିଲା ବେଳେ ଶନିବାର ଚଢଉ ବେଳେ ଗୋଟିଏ କାର, ୧୨୦୦ ଗ୍ରାମ ଗଞ୍ଜେଇ ସହ ୯ଲକ୍ଷ ୬୯ହଜାର ୫୦୦ ଟଙ୍କା ଜବତ ହୋଇଛି।
ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଭ୍ରାମ୍ୟମାଣ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ସୂଚନା ଦେଇ କହିଛନ୍ତିଯେ ମାର୍ଚ୍ଚ ୧ ତାରିଖରେ ଢେଙ୍କାନାଳ ନିକଟରେ ଏକ କଣ୍ଟେନରରେ ଅରୁଣାଚଳରେ ବିକ୍ରି ପାଇଁ ଉଦ୍ଦିଷ୍ଟ ୧୦୭୦ ପେଟି ମଦ ଧରାପଡିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ୩ଜଣଙ୍କୁ ଗିରଫ କରିଥିଲା। ଜବତ ମଦର ବଜାର ୭୦ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା। ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବା ଲାଗି କଣ୍ଟେନର ଭିତରେ ଏକ ପାଣି ବିଶୁଦ୍ଧକାରୀ ଯନ୍ତ୍ର (ୱାଟର ପ୍ୟୁରିଫାୟର) ଭଳି ଦେଖାଯାଉଥିବା ଆଉ ଏକ ଛୋଟ କଣ୍ଟେନରରେ ମଦ ପେଟି ରଖାଯାଇଥିଲା। ଏପରିକି ୱେ ବିଲରେ ୱାଟର ପ୍ୟୁରିଫାୟର ଯନ୍ତ୍ର ଯାଉଥିବା ଦର୍ଶାଯାଇଥିଲା। ବିନା ଟିକସ ଦେୟ ଏହି ମଦ ରାଜକୁମାରଙ୍କ ପାଖକୁ ଯାଉଥିବା ନେଇ ଗିରଫ ଚାଳକ ଓ ସହଯୋଗୀମାନେ ଜେରା ବେଳେ କହିଥିଲେ।
ଏହାପରେ ରାଜ୍ୟ ଅବକାରୀ ଭ୍ରାମ୍ୟମାଣ ଦଳ, ଗୁଇନ୍ଦା ବିଭାଗ ଓ ଭୁବନେଶ୍ବର ଅବକାରୀକୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ନୂଆଗାଁ ପେଟ୍ରୋଲ ପମ୍ପ ନିକଟ ବାସଭବନରେ ଶନିବାର ସକାଳୁ ଚଢଉ କରାଯାଇଥିଲା। ଚଢଉ ବେଳେ ଜଗମୋହନ ଗାଡି ଧରି ଫେରାର ଉଦ୍ୟମ କଲାବେଳେ ଗିରଫ ହୋଇଥିଲେ। ଏଥିସହ ତାଙ୍କ ଘରୁ ବହୁ ଆପତ୍ତିଜନକ କାଗଜପତ୍ର ଜବତ ମଧ୍ୟ କରାଯାଇଛି। ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଏପରି ବେଆଇନ କାରବାର କରି ଆସୁଥିଲେ। ଜେରା ବେଳେ ସେ ନକଲି ସାମ୍ବାଦିକ ବୋଲି ଜଣାପଡିଥିଲା। ଆଜି ତାଙ୍କୁ ଅଦାଲତ ଚାଲାଣ କରାଯାଇଛି। ଏହି ଚଢଉରେ ଉମାକାନ୍ତ ସ୍ବାଇଁ, ସରୋଜ କୁମାର ପରିଡା, ପ୍ରବୀର ସାମଲ, ସତ୍ୟଜିତ ଖଟୁଆ, ବିକାଶ ନାୟକ, ସମରଜିତ ଦାଶ, ଅଂଶୁମାନ େଜନା ପ୍ରମୁଖ ସାମିଲ ହୋଇଥିଲେ।
Comments are closed.