ବିଶ୍ୱକପ କ୍ରିକେଟ : ସୁପରଓଭରରେ ରୋମାଞ୍ଚକର ବିଜୟ ସହ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ
ଲର୍ଡସ : ପ୍ରଥମଥର କ୍ରିକେଟ ବିଶ୍ବକପ୍ ଚମ୍ପିଆନ୍ ହୋଇଛି ଇଂଲଣ୍ଡ। ରବିବାର ଖେଳା ଯାଇଥିବା ଚଳିତ ବିଶ୍ବକପ୍ର ରୋମାଞ୍ଚକର ତଥା ଅଭୂତପୂର୍ବ ଫାଇନାଲ ମ୍ୟାଚ୍ରେ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି। ୫୦ ଓଭରର ମୁକାବିଲାରେ ଉଭୟ ଦଳ ୨୪୧ ରନ୍ ଲେଖାଏଁ କରିଥିବା ବେଳେ ନିର୍ଣ୍ଣାୟକ ସୁପର ଓଭରରେ ମଧ୍ୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସମାନ ୧୫ ରନ୍ ଲେଖାଏଁ କରିଥିଲେ। ତେବେ ଅଧିକ ବାଉଣ୍ଡରୀ ମାରିଥିବାରୁ ଇଂଲଣ୍ଡ ବିଜୟ ଟୀକା ପିନ୍ଧିପାରିଛି। କ୍ରମାଗତ ୨ୟ ବିଶ୍ବକପ୍ ଫାଇନାଲ ଖେଳି ବିଜୟ ହାତ ପାହାନ୍ତାରେ ଥିବା ସତ୍ତ୍ବେ ନ୍ୟୁଜିଲାଣ୍ଡ ନିରାଶ ହୋଇଛି। ଓପ୍ନର ହେନ୍ରି ନିକୋଲ୍ସଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୮ ୱିକେଟରେ ୨୪୧ ରନ୍ କରିଥିଲା। ଘରୋଇ ଦଳର ଦୁଇ ପେସ୍ ବୋଲର କ୍ରିସ୍ ୱକ୍ସ ଓ ଲିଆମ୍ ପ୍ଲଙ୍କେଟ୍ ୩ଟି ଲେଖାଏଁ ୱିକେଟ ନେଇ ନ୍ୟୁଜିଲାଣ୍ଡ ରନ୍ସଂଗ୍ରହ ଉପରେ ନିୟନ୍ତ୍ରଣ ରଖି ପାରିଥିଲେ। ୨୪୨ ରନ୍ ବିଜୟଲକ୍ଷ୍ୟ ଇଂଲଣ୍ଡ ପାଇଁ ସହଜ ହେବ ବୋଲି ଅନୁମାନ କରା ଯାଉଥିଲେ ହେଁ ନ୍ୟୁଜିଲାଣ୍ଡର ପେସ୍ ବୋଲର ନିୟମିତ ୱିକେଟ ନେଇ ଇଂଲଣ୍ଡକୁ ଚାପରେ ପକାଇଥିଲା। ତେବେ ବେନ୍ ଷ୍ଟୋକସ୍ ଓ ଜୋସ୍ ବଟ୍ଲର ଅର୍ଦ୍ଧଶତକ ହାସଲକରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ଶେଷ ବଲ୍ରେ ୧୫ ରନ୍ ଆବଶ୍ୟକ ଥିବା ବେଳେ ଶେଷ ବଲ୍ରେ ଆବଶ୍ୟକ ୨ ରନ୍ ନେବା ପ୍ରୟାସରେ ଇଂଲଣ୍ଡର ଶେଷ ବ୍ୟାଟ୍ସମ୍ୟାନ୍ ରନ୍ଆଉଟ ହୋଇଥିଲେ। ୫୦ ଓଭର ଶେଷରେ ମଧ୍ୟ ଇଂଲଣ୍ଡ ସମାନ ୨୪୧ ରନ୍ କରିଥିବାରୁ ମ୍ୟାଚ୍ର ଫଇସଲା ପାଇଁ ସୁପର ଓଭର ହୋଇଥିଲା।
ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ବୋଲିଂ କରିଥିବା ସୁପର ଓଭରରେ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟ୍ଲର ୧୫ ରନ୍ ନେଇଥିଲେ। ପରେ ଇଂଲଣ୍ଡର ଜୋଫ୍ରା ଆର୍ଚର ବୋଲିଂ କରିଥିବା ଓଭରରେ ମାର୍ଟିନ ଗପ୍ଟିଲ ଓ ଜେମ୍ସ ନିସାମ୍ ମଧ୍ୟ ସମାନ ୧୫ ରନ୍ ନେଇ ପାରିଥିଲେ। ସୁପର ଓଭରରେ ମଧ୍ୟ ବିଜୟସୂଚକ ୨ୟ ରନ୍ ନେବା ପ୍ରୟାସରେ ନ୍ୟୁଜିଲାଣ୍ଡର ଗପ୍ଟିଲ ରନ୍ଆଉଟ ହୋଇ ଯାଇଥିଲେ। ନ୍ୟୁଜିଲାଣ୍ଡ ୧ ୱିକେଟ ହରାଇ ସମାନ ୧୫ ରନ୍ କରିଥିଲା।
ପୂରା ଟୁର୍ଣ୍ଣାମେଣ୍ଟ ପରି ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡର ପେସ୍ ଆକ୍ରମଣ ଚମତ୍କାର ପ୍ରଦର୍ଶନ କରିଥିଲା। ୨୮ ରନ୍ର ଓପ୍ନିଂ ଭାଗିଦାରୀ ପରେ ଫର୍ମରେ ଥିବା ଓପ୍ନର ଜେସନ ରୟଙ୍କୁ ଆଉଟ କରି ଦେଇଥିଲେ ମ୍ୟାଟ୍ ହେନ୍ରି। ପରେ ଅନ୍ୟ ଓପ୍ନର ଜନି ବେୟାରଷ୍ଟୋ ଓ ଜୋ ରୁଟ୍ ୨ୟ ୱିକେଟ ପାଇଁ ୩୧ ରନ୍ ଯୋଡ଼ିଥିଲେ। ରୁଟ୍ ଅତ୍ୟଧିକ ଧିମା ବ୍ୟାଟିଂକରି ୩୦ ବଲ୍ରୁ ୭ ରନ୍କରି ଆଉଟ ହୋଇ ଯାଇଥିଲେ। ଇନିଂସ ଆରମ୍ଭରୁ ଜୀବନଦାନ ପାଇଥିବା ଜନି ବେୟାରଷ୍ଟୋ ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ। ମ୍ୟାଟ୍ ହେନ୍ରି ନିଜ ବୋଲିଂରେ ବେୟାରଷ୍ଟୋଙ୍କ କ୍ୟାଚ୍ ଛାଡ଼ିଥିଲେ। କିଛି ଓଭର ପରେ ଜନି ବେୟାରଷ୍ଟୋ ୫୫ ବଲ୍ରୁ ୭ଟି ଚୌକା ସହ ୩୬ ରନ୍କରି ବିଦାୟ ନେଇଥିଲେ। ଲୋକି ଫର୍ଗୁସନ୍ଙ୍କ ଦର୍ଶନୀୟ କ୍ୟାଚ୍ରେ ଅଧିନାୟକ ଇଓନ୍ ମୋର୍ଗାନ୍ ଆଉଟ ହୋଇ ଯାଇଥିଲେ। ୮୬ ରନ୍ରେ ଇଂଲଣ୍ଡ ୪ଟି ୱିକେଟ ହରାଇବା ପରେ ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟ୍ଲର ସଂଘର୍ଷ ଜାରି ରଖିଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିବା ସହ ୫ମ ୱିକେଟ ପାଇଁ ଲଢ଼ୁଆ ୧୧୦ ରନ୍ ଯୋଗକରି ଇଂଲଣ୍ଡର ବିଜୟ ଆଶା ଉଜ୍ଜୀବିତ କରିଥିଲେ। ତେବେ ଏକ ଉଚ୍ଚା ସଟ୍ ମାରି ବଟ୍ଲର ଆଉଟ ହେବା ଇଂଲଣ୍ଡକୁ ନିରାଶ କରିଥିଲା। ବଟ୍ଲର ୬୦ ବଲ୍ ଖେଳି ୬ଟି ଚୌକା ସହ ୫୯ ରନ୍ କରିଥିଲେ। କ୍ରିସ୍ ୱକ୍ସ ବିଫଳ ହୋଇ ୨ ରନ୍କରି ବିଦାୟ ନେଇଥିଲେ। ଶେଷ ୨ ଓଭରରୁ ୨୪ ରନ୍ ଆବଶ୍ୟକ ଥିଲା। ଲିଆମ୍ ପ୍ଲଙ୍କେଟ୍ ୧୦ ରନ୍ କରିଥିଲେ। ଶେଷ ଓଭରରେ ଇଂଲଣ୍ଡ ୧୫ ରନ୍ ଆବଶ୍ୟକ କରୁଥିଲା। ୩ୟ ବଲ୍ରେ ଷ୍ଟୋକ୍ସ ଛକା ମାରିଥିବା ବେଳେ ୪ର୍ଥ ବଲ୍ରେ ଓଭରଥ୍ରୋ ସହ ଇଂଲଣ୍ଡ ୬ ରନ୍ ପାଇଥିଲା। ୫ମ ବଲ୍ରେ ୧ ରନ୍ ହୋଇଥିବା ବେଳେ ଆଦିଲ୍ ରସିଦ୍ ରନ୍ଆଉଟ ହୋଇଥିଲେ। ଶେଷ ବଲ୍ରେ ବିଜୟସୂଚକ ୨ ରନ୍ ନେବା ପ୍ରୟାସରେ ମାର୍କ ଉଡ୍ ରନ୍ଆଉଟ ହୋଇଥିଲେ। ବେନ୍ ଷ୍ଟୋକ୍ସ ୯୮ ବଲ୍ରୁ ୨ଟି ଛକା ଓ ୫ଟି ଚୌକା ସହ ୮୪ ରନ୍କରି ଅପରାଜିତ ଥିଲେ। ଲୋକି ଫର୍ଗୁସନ୍ ଓ ଜେମ୍ସ ନିସାମ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ।
ମେଘୁଆ ପାଗ ସତ୍ତ୍ବେ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂର ସାହସିକ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଓପ୍ନର ମାର୍ଟିନ୍ ଗପ୍ଟିଲ କିଛି ସଟ୍ ଖେଳିବାର ପ୍ରୟାସ କରିଥିଲେ ହେଁ ୭ମ ଓଭରରେ ଆଉଟ ହୋଇ ଯାଇଥିଲେ। ଗପ୍ଟିଲ ୧୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍ କରିଥିଲେ। ଫର୍ମରେ ଥିବା ଅଧିନାୟକ କେନ୍ ୱିଲିୟମ୍ସନ ଓ ହେନ୍ରି ନିକୋଲ୍ସ ଆରମ୍ଭରୁ ଜଗିରଖି ଖେଳିଥିବା ବେଳେ ପରେ ସଟ୍ ଖେଳିବା ଆରମ୍ଭ କରିଥିଲେ। ତେବେ ଲିଆମ୍ ପ୍ଲଙ୍କେଟ ତାଙ୍କ ୨ୟ ସ୍ପେଲ୍ରେ ୱିଲିୟମ୍ସନଙ୍କୁ ଆଉଟ କରି ଦେଇଥିଲେ। ୨ୟ ୱିକେଟ ପାଇଁ ୭୪ ରନ୍ ଯୋଡ଼ିଥିବା ୱିଲିୟମ୍ସନ ୫୩ ବଲ୍ରୁ ୨ଟି ଚୌକା ସହ ୩୦ ରନ୍ କରିଥିଲେ। ଏହାର ୪ ଓଭର ପରେ ବାମହାତି ନିକୋଲ୍ସଙ୍କୁ ମଧ୍ୟ ପ୍ଲଙ୍କେଟ୍ ଆଉଟ କରିଥିଲେ। ନିକୋଲ୍ସ ୭୭ ବଲ୍ରୁ ୪ଟି ଚୌକା ସହ ୫୫ ରନ୍ କରିଥିଲେ। ଅନ୍ୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ମଧ୍ୟ ଅଧିକ ସମୟ କ୍ରିଜ୍ରେ ରହି ପାରିନଥିଲେ। ଟେଲର ୩୧ ବଲ୍ରୁ ୧୫ ରନ୍ କରିଥିଲେ। ଜେମ୍ସ ନିସାମ୍ ଓ ଟମ୍ ଲାଥାମ୍ ଏକ ଭାଗିଦାରୀ କରିବାର ପ୍ରୟାସ କରୁଥିବା ବେଳେ ନିସାମ୍ ୨୫ ବଲ୍ରୁ ୩ଟି ଚୌକା ସହ ୧୯ ରନ୍କରି ବିଦାୟ ନେଇଥିଲେ। ଅନ୍ୟ ଅଲ୍ରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍ ୧୬ ରନ୍ କରିଥିଲେ। ତେବେ ନ୍ୟୁଜିଲାଣ୍ଡକୁ ୨୪୧ ରନ୍ ସ୍କୋର୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟମ୍ ଲାଥାମ୍। ବାମହାତି ଲାଥାମ୍ ୫୬ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୪୭ ରନ୍ କରିଥିଲେ। ପୂରା ଟୁର୍ଣ୍ଣାମେଣ୍ଟରେ ବିଫଳ ହୋଇଥିବା ହେନ୍ରି ନିକୋଲ୍ସ ଓ ଟମ୍ ଲାଥାମ୍ ଫାଇନାଲରେ ନ୍ୟୁଜିଲାଣ୍ଡର ସଫଳ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। କ୍ରିସ୍ ୱକ୍ସ ଓ ଲିଆମ୍ ପ୍ଲଙ୍କେଟ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଇଂଲଣ୍ଡର ବୋଲର ୩୦ ଅତିରିକ୍ତ ରନ୍ ଦେଇଥିଲେ।
Comments are closed.