ବୈଷୟିକ ଶିକ୍ଷା ବିନା ଅଗ୍ରଗତି ଅସମ୍ଭବ

ଭୁବନେଶ୍ୱର: ବୈଷୟିକ ଶିକ୍ଷାର ଉନ୍ନତି ଯୋଗୁ ଜଣେ ଇଞ୍ଜିନିୟର ଘରେ ରହି ଆମେରିକାରେ ରହୁଥିବା ତାଙ୍କର ସହପାଠୀଙ୍କ ସହିତ ଚାର୍ଟିଂ କରିପାରୁଛନ୍ତି, କଥା ହୋଇପାରୁଛନ୍ତି। ତେଣୁ ବିନା ବୈଷୟିକ ଶିକ୍ଷାରେ କୌଣସି ଦେଶର ଅଗ୍ରଗତି ଅସମ୍ଭବ ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି।

ଇଞ୍ଜିନିୟର ଭାରତରତ୍ନ ସାର୍ ଏମ୍. ବିଶ୍ୱେଶ୍ୱରାୟଙ୍କ ଜନ୍ମ ଦିବସକୁ ଇଞ୍ଜିନିୟର୍ସ ଦିବସ ରୂପେ ପାଳନ କରାଯାଇ ଆସୁଛି। ଚଳିତବର୍ଷ ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଘଡ଼େଇ କହିଥିଲେ ଯେ, ପ୍ରତ୍ୟେକ ଇଞ୍ଜିନିୟର ଦେଶ ଓ ରାଜ୍ୟ ଗଠନ କରିବାର ଦାୟିତ୍ୱ ନେଇଛନ୍ତି। ସେ ଆହୁରି କହିଥିଲେ ଯେ, ଯୁବ ଇଞ୍ଜିନିୟରଙ୍କ ସ୍ୱପ୍ନକୁ ସାକାର କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଆଜି ଇଞ୍ଜିନିୟରମାନେ ଦେଶ ନିର୍ମାଣରେ ବିଶ୍ୱକର୍ମା ଭଳି କର୍ତ୍ତବ୍ୟ ନିର୍ବାହ କରିଚାଲିଛନ୍ତି। ଏହା ସହିତ ପରିବେଶ ଓ ବାତାବରଣକୁ ସୁସ୍ଥ ସମୃଦ୍ଧ ରଖିବା ସହିତ ସୌରଶକ୍ତି କ୍ଷେତ୍ରରେ ମଧ୍ୟ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ସମ୍ମାନନୀୟ ଅତିଥି ଭାବେ ବିପିୟୁଟିର କୁଳପତି ଡ. ଚିତ୍ତରଞ୍ଜନ ତ୍ରିପାଠୀ, ବୁର୍ଲା ଭିଏସ୍ଏସ୍ୟୁଟିର ବରିଷ୍ଠ ପ୍ରଫେସର ଡ. ବଂଶୀଧର ମାଝି, ଓୟୁଟିଏଆରସିର ପ୍ରଫେସର ଡ. ପି.କେ. ପାତ୍ର, ଯୁବ ଉଦ୍ୟୋଗପତି ଆନନ୍ଦ କୁମାର ମିଶ୍ର, ସ୍ୱାଗତିକ ସ୍ୱାଇଁ, ଥିଙ୍କ୍ଜୋନର ବିନାୟକ ଆଚାର୍ଯ୍ୟ, ଷ୍ଟାର୍ଟଅପ୍ ଓଡ଼ିଶାର ସଂଯୁକ୍ତା ବଢେଇ, ଜେଏସଡବ୍ଲ୍ୟୁ ପ୍ରକଳ୍ପ ମୁଖ୍ୟ ଅଶେଷ ପାଢୀ, ଯୁବ ଇଞ୍ଜିନିୟର ଇଂ ପାର୍ଥସାରଥି ମୁଦୁଲି, ଇଂ ଶକ୍ତି ପ୍ରସାଦ ରଥ, ଇଂ ସଂସଦ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.