୩କୋଟି ୭୬ଲକ୍ଷ ୭୭ହଜାର ୯୮୧ଟଙ୍କା ଜୋରିମାନା ଓ କ୍ଷତିପୂରଣ ଆଦାୟ
ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୧୩୫୯ମାମଲା ଫଇସଲା
କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲା କୋର୍ଟ ଏବଂ ବଡବିଲ, ହାଟଡିହି ଓ ତେଲକୋଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମଗ୍ର ଜିଲାର ବିଭିନ୍ନ ଅଦାଲତରେ ସମୁଦାୟ ୧୧୩୫୯ଟି ମକଦ୍ଦମାର ଚୂଡାନ୍ତ ଫଇସଲା କରାଯାଇ ୩କୋଟି ୭୬ଲକ୍ଷ ୭୭ହଜାର ୯୮୧ଟଙ୍କା ଜୋରିମାନା ଓ କ୍ଷତିପୁରଣ ଆଦାୟ ହୋଇଛି। ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡା ଶୁଭାରମ୍ଭ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ।
ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲା ଓ ଦୌରାଜଜ ମମିତା ଦାଶ, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଇ.ବିଘ୍ନେଶ୍ୱର ରାଓ, ମହିଳା ଅଦାଲତ ତଥା ବରିଷ୍ଠ ଦେୱାନୀ ବିଚାରପତି ପତଞ୍ଜଳି ସାହୁ, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଶ୍ମୀତା ମିଶ୍ର, ଭାରପ୍ରାପ୍ତ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର, ଉପଖଣ୍ଡୀୟ ବିଚାରପତି ସୁମିତ୍ରା ଦାଶ, ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଶିବାନୀ ମହାପାତ୍ର, ଆଦ୍ୟାଶା ମିଶ୍ର ଓ ଅମ୍ବିକେଶ ପାଣିଗ୍ରାହୀ ପ୍ରମୁଖ ନିଜ ନିଜ କୋର୍ଟ ପରିଚାଳନା କରିଥିଲେ। ଜିଲା ଆଇନସେବା ପ୍ରାଧିକରଣ ସଚିବ ମାମୀ ବେହେରା ସମସ୍ତ କୋର୍ଟର ତଦାରଖ ଦାୟିତ୍ୱ ସହ ନିଜ କୋର୍ଟ ପରିଚାଳନା କରିଥିଲେ।
କୋର୍ଟ ମ୍ୟାନେଜର ଅଚ୍ୟୁତାନନ୍ଦ ସାମନ୍ତରା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ ଓ ପରିଚାଳନାର ସଂଯୋଜନା କରିଥିଲେ। ଦେଶର ଅଦାଲତ ଗୁଡିକରେ ବହୁ ମାମଲା ବିଚାର ନିମନ୍ତେ ପଡି ରହିଥିବାରୁ ତାହାର ଆଶୁ ସମାଧାନ, ବହୁମୂଲ୍ୟ ସମୟ ସହ ଅର୍ଥ ସଞ୍ଚୟ ଏବଂ ଗରିବ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଆସୁଛି ବୋଲି ଜିଲା ଓ ଦୌରାଜଜ୍ ଶ୍ରୀ ପଣ୍ଡା କହିଛନ୍ତି। ବିଶେଷକରି ଉଭୟପକ୍ଷଙ୍କ ସହମତିଭିତ୍ତିରେ ପାରିବାରିକ ବିବାଦର ଆପୋଷ ସମାଧାନ, ଛାଡପତ୍ର ସମ୍ବନ୍ଧୀୟ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟା, ଜମିଜମା ସଂକ୍ରାନ୍ତୀୟ ମାମଲାର ଫଇସଲା, ବ୍ୟାଙ୍କ ଋଣ ଖିଲାପକାରୀଙ୍କ ଆଶୁ ସମାଧାନ ଏହି ଲୋକ ଅଦାଲତରେ ଫଇସଲା କରାଯାଇ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏହି ଅଦାଲତର ମୂଳ ଲକ୍ଷ୍ୟ ବୋଲି ଜିଲା ଓ ଦୌରାଜଜ୍ ଶ୍ରୀ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ ଯେ,ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୯୧ଟି ପ୍ରାକ୍ ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ୩୫ଲକ୍ଷ ୬୧ହଜାର ୩୦୦ଟଙ୍କା ଓ ବିଏସ୍ଏନ୍ଏଲର ୧୨ଟି ମାମଲାର ଚୂଡାନ୍ତ ବିଚାର କରାଯାଇ ୭୦ହଜାର ୧୧୧ଟଙ୍କା, ୨୬ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ଚୂଡାନ୍ତ ବିଚାର କରାଯାଇ ୧କୋଟି ୩ଲକ୍ଷ ୨୫ହଜାର କ୍ଷତିପୂରଣ ପ୍ରଦାନ ନିମନ୍ତେ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ହୋଇଛି। ୧୦୦ଟି ଫୌଜଦାରୀ ମକଦ୍ଦମାର ଚୂଡାନ୍ତ ଫଇସଲା କରାଯାଇ ୮୧ଲକ୍ଷ ୯୯ହଜାର ୬୩୮ଟଙ୍କା ଜୋରିମାନା ଆଦାୟ କରାଯାଇଛି। ୫୧ଟି ଦେୱାନୀ ମକଦ୍ଦମାର ଫଇସଲା କରାଯାଇ ୧କୋଟି ୪୦ଲକ୍ଷ ୮୬ହଜାର ୬୫୭ଟଙ୍କା ଜୋରିମାନା ଓ ରାଜସ୍ୱ ଆଦାୟ ହୋଇଥିବା ବେଳେ ପରିବାର ଅଦାଲତର ୮ଟି ମକଦ୍ଦମା ସମାଧାନ କରାଯାଇଛି। ଖାଉଟି ଅଦାଲତରେ ଗୋଟିଏ ମାମଲାର ଚୂଡାନ୍ତ ଫଇସଲା କରାଯାଇଛି।
ସ୍ଥାୟୀ ଲୋକ ଅଦାଲରେ ଲୋକ ଉପଯୋଗୀ ସେବାର ୬୮ଟି ମକଦ୍ଦମାର ଚୂଡାନ୍ତ ଫଇସଲା ହୋଇ ୯ଲକ୍ଷ ୩୫ହଜାର ଟଙ୍କା ଏବଂ ୧୧୦୦୨ଟି ରାଜସ୍ୱ ମାମଲାର ଚୂଡାନ୍ତ ଫଇସଲା କରାଯାଇ ୫ଲକ୍ଷ ୨୭୫ଟଙ୍କା ଜୋରିମାନା ଆଦାୟ କରାଯାଇଛି। କୋର୍ଟ ନାଜିର ଅବିନାଶ ଦାଶ, ସହକାରୀ ନାଜିର ନିର୍ମଳ କୁମାର ନାଏକ, ପ୍ୟାନେଲ ଅଧିବକ୍ତା ଅର୍ଚ୍ଚନା ଦାଶ, କରୁଣାକର ବ୍ରହ୍ମ, ସୁନୀଲ କୁମାର ମହାନ୍ତ, ତାରିଣୀ ପ୍ରସାଦ ପୋଥାଳ, ରମଣୀରଞ୍ଜନ ସେଠୀ, ରେଣୁଦେବୀ ସିଂହ, ଶକ୍ତିପ୍ରସାଦ ଶତପଥୀ, ପ୍ରଶାନ୍ତ କୁମାର ଜେନା ଓ ସବିତା ସିଂହ, ପ୍ରାଧିକରଣକର୍ମୀ ସତ୍ୟରଞ୍ଜନ ଦାସ, ଦେବବ୍ରତ କୁମାର ଦାସ, ସ୍ନେହଲତା ବାସ୍କେ, ମାନସ ରଞ୍ଜନ ନାଏକ, ଶିଶିର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହାୟତା କରିଥିଲେ।
Comments are closed.