କେନ୍ଦୁଝର ସଦର ବିଧାନସଭା ଆସନରେ ୫ ମହିଳା ପ୍ରାର୍ଥୀ, ମୋହନଙ୍କୁ ଚେକ୍‌‌ ଦେବକି ବିଜେଡି ଓ କଂଗ୍ରେସର ମହିଳା କାର୍ଡ

କେନ୍ଦୁଝରଗଡ: କେନ୍ଦୁଝର ସଦର ବ୍ଲକ ଓ କେନ୍ଦୁଝରଗଡ ପୌରପାଳିକା ଏବଂ ଝୁମ୍ପୁରା ବ୍ଲକର ୧୨ଟି ଓ ବାଂଶପାଳ ବ୍ଲକର ୫ଟି ପଞ୍ଚାୟତକୁ ମିଶାଇ ମୋଟ ୨୮୩ଟି ବୁଥ୍‌‌କୁ ନେଇ ଗଠିତ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। ଚଳିତଥର ଏହି ଆସନରୁ ମୋଟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଶାସକ ବିଜେଡି ଓ ବିରୋଧି କଂଗ୍ରେସ ପ୍ରଥମଥର ପାଇଁ ମହିଳା କାର୍ଡ ଖେଳି ବିଜୟ ଆଶା ବାନ୍ଧିଥିବା ବେଳେ ୩ଜଣ ମହିଳା ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଏହି ନିର୍ବାଚନମଣ୍ଡଳୀରେ ମହିଳା ସଶକ୍ତିକରଣକୁ ଦର୍ଶାଉଛି।

ବିଜେପି ଅଭିଜ୍ଞ ମୋହନଙ୍କୁ ଲଗାତାର ଷଷ୍ଠଥର ପାଇଁ ଏହି ଆସନରୁ ମଇଦାନକୁ ଓହ୍ଲାଇଥିବା ବେଳେ ମୋହନ ଏଠାରୁ ମେଣ୍ଟ ଶାସନରେ ୨ଥର ଏବଂ ଗତ ୨୦୧୯ ନିର୍ବାଚନରେ ସ୍ୱଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇ ତୃତୀୟଥର ପାଇଁ ବିଧାନସଭାକୁ ଯାଇଥିବା ବେଳେ ଚଳିତଥର ପୁଣିଥରେ ଏଠାରୁ ବିଜୟୀ ଆଶା ରଖିଛନ୍ତି। ତେବେ ଖଣି ଓ ଶିଳ୍ପ ବହୁଳ ଏହି ନିର୍ବାଚନମଣ୍ଡଳୀରେ ମୋହନଙ୍କ ଶାସନ କାଳରେ ସେଭଳି କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ ହେବାତ ଦୂରର କଥା ମୋହନ ରାଜ୍ୟ ନେତା ଭାବେ ନିଜକୁ ବିବେଚନା କରି ନିର୍ବାଚନମଣ୍ଡଳୀ ଲୋକଙ୍କ ସହ ସୁସମ୍ପର୍କ ବଜାୟ ନରଖିବା ଏବେ ନିର୍ବାଚନ ପ୍ରଚାରରେ ତାଙ୍କୁ ଭୋଟରଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡୁଛି। ଏହାସତ୍ତେ୍ୱ ଭୋଟରଙ୍କୁ ନିଜ ସପକ୍ଷରେ ଆଣି ଚତୁର୍ଥଥର ପାଇଁ ବିଜୟୀ ଆଶା ରଖିଛନ୍ତି ମୋହନ।

prayash

ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ଏହି ଆସନରୁ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ୨୦୧୯ରେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କ ଠାରୁ ମାତ୍ର ୧୧୨୪ ଭୋଟରେ ପରାସ୍ତ ହୋଇଥିଲେ। ଏହି ଆସନରେ ବିଜେଡି ଲଗାତାର ଭାବେ ପ୍ରାର୍ଥୀ ପରିବର୍ତ୍ତନ କରି ଆସୁଥିବା ବେଳେ ବିଜେପିର ମୋହନଙ୍କୁ ପରାସ୍ତ ଲକ୍ଷ୍ୟରେ ବିଜେଡି ପ୍ରଥମଥର ପାଇଁ ମହିଳା କାର୍ଡ ସହ ମୋହନଙ୍କ ସମ୍ପ୍ରଦାୟର କେନ୍ଦୁଝରର ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ମୀନା ଘରକୁ ଘର ବୁଲି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିବା ସହ ଲୋକଙ୍କ ସହ ମିଶି ନିର୍ବାଚନମଣ୍ଡଳୀର ବିକାଶ କିଭଳି ହୋଇପାରିବ ସେ ନେଇ ତାଙ୍କର ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏଭଳିସ୍ଥିତିରେ ବିଜେପିର ଅଭିଜ୍ଞ ମୋହନଙ୍କୁ ଚେକ୍‌‌ ଦେବାପାଇଁ ବିଜେଡିର ମହିଳା କାର୍ଡ କେତେଦୂର ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ।

ଅଣକଂଗ୍ରେସ ଦୁର୍ଗ ଭାବେ ପରିଚିତ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରେ ବିଗତ ୧୬ଥର ବିଧାନସଭା ନିର୍ବାଚନ ମଧ୍ୟରୁ ୧୯୮୦ ନିର୍ବାଚନରେ ମାତ୍ର ଥରୁଟିଏ କଂଗ୍ରେସ ପ୍ରାର୍ଥୀ ଯୋଗେନ୍ଦ୍ର ନାଏକ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟଥର ପାଇଁ କଂଗ୍ରେସ ଏଠାରୁ ବିଜୟର ସ୍ୱାଦ ଚାଖି ପରିନାହିଁ। ଏପରିକି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅକାଳ ବିୟୋଗ ପରେ ସମଗ୍ର ଦେଶରେ କଂଗ୍ରେସ ପ୍ରତି ଅନୁକମ୍ପାମୂଳକ ଭୋଟ ମିଳିବା ସହ ଓଡିଶା ସମେତ ବହୁ ରାଜ୍ୟରେ କଂଗ୍ରେସ ଦଳ ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ବେଳେ ସେହି ସମୟରେ ମଧ୍ୟ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ନାଏକ ଜନତାପାର୍ଟି ପ୍ରାର୍ଥୀ ଛୋଟରାୟ ମାଝୀଙ୍କ ଠାରୁ ସର୍ବନିମ୍ନ ୧୨୪ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହେବା ପରଠାରୁ ଏହି ଆସନରେ କଂଗ୍ରେସ ଦଳ ଏପର୍ଯ୍ୟନ୍ତ ନିଜର ସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ ଜାରି ରଖିଛି। ଚଳିତଥର ଏହି ଆସନରୁ କଂଗ୍ରେସ ମଧ୍ୟ ମହିଳା କାର୍ଡ ଖେଳି ଏଠାରୁ ପୂର୍ବତନ ବିଧାୟକ ତଥା ଝୁମ୍ପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷା ପ୍ରତିଭା ମଞ୍ଜରୀ ନାଏକଙ୍କୁ ପ୍ରାର୍ଥୀ କରିଛି। ପୂର୍ବତନ ବିଧାୟକ ସୁବର୍ଣ୍ଣ ନିଜର ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ପତ୍ନୀ ପ୍ରତିଭାଙ୍କ ବିଜୟ ପାଇଁ ଦିନରାତି ଏକ କରି ଦେଇଥିବା ବେଳେ ଆଗକୁ ଫଳ କ’ଣ ହେବାକୁ ଯାଉଛି ତାହା ଉପରେ ସଭିଁଙ୍କ ନଜର ରହିଛି।

ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀ ବ୍ୟତୀତ ବହୁଜନ ସମାଜ ପାର୍ଟିରୁ ରାମପ୍ରସାଦ ହେମ୍ବ୍ରମ୍‌‌, କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟରୁ ଜୟକୃଷ୍ଣ ନାଏକ, ମାନସ ଲୋକଶକ୍ତି ଦଳରୁ ଗୋଲାପ ଜୁଆଙ୍ଗ ଏବଂ ସ୍ୱାଧିନ ପ୍ରାର୍ଥୀ ଭାବେ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ସଶ୍ମୀତାରାଣୀ ସିଂହ, ଝରଣା ନାଏକ, ଜୀବନ ସିଂ ମୁଣ୍ଡା ଓ ରାଜକିଶୋର ମୁଣ୍ଡା ପ୍ରତିଦ୍ୱନ୍ଦିତା କରୁଛନ୍ତି। ପ୍ରଥମଥର ପାଇଁ ଚଳିତ ନିର୍ବାଚନରେ ଏହି ଆସନରୁ ୫ଜଣ ମହିଳା ମଇଦାନକୁ ଓହ୍ଲାଇଥିବା ବେଳେ ଗାଁ ଗହଳିରେ ପ୍ରଚାର କାର୍ଯ୍ୟ ବେଶ୍‌‌ ସରଗରମ ହେବାରେ ଲାଗିଛି।

Comments are closed.