ଆମେ କେଉଁ ରତ୍ନଭଣ୍ଡାର ପଛରେ ଧାଇଁଛୁ?
ବିଜୟ କୁମାର ପଟ୍ଟନାୟକ
ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଆଜି ଚତୁର୍ଦିଗରେ ଆଲୋଡ଼ନ। ଶ୍ରୀମନ୍ଦିର କ’ଣ ଶ୍ରୀହୀନ ହୋଇଯିବ? କିଏ ସେ ଖଳନାୟକ? କା’ର ସେ ଆସ୍ପର୍ଦ୍ଧା? ଏସବୁ ପ୍ରଶ୍ନର ଉତ୍ତର ହୁଏତ ଅବସରପ୍ରାପ୍ତ ବିଚାରପତି ମହୋଦୟ ଅନୁସନ୍ଧାନ କରି ଉପସ୍ଥାପନ କରିବେ। ଦୋଷୀକୁ ଶାସ୍ତି ବିଧାନ କରିବା ଅବଶ୍ୟ ଉଚିତ୍।
ତେବେ ପ୍ରଶ୍ନ ଉଠେ ଆମେ କେଉଁ ରତ୍ନଭଣ୍ଡାର ପଛରେ ଧାଇଁଛେ? ହୀରା, ନୀଳା, ମୋତି, ମାଣିକ୍ୟ- ଯେଉଁ ବ୍ୟକ୍ତି ବା ରାଜାମାନେ ଏସବୁ ଦ୍ରବ୍ୟ ପ୍ରଦାନ କରିଛନ୍ତି ତାହା କ’ଣ ଠାକୁରଙ୍କର ପ୍ରିୟ? ଭକ୍ତି କ’ଣ ଏକ ଭୌତିକ ନୈବେଦ୍ୟ? ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଅଳଙ୍କାର ହେଉଛି ଭକ୍ତି ଓ ଅନାବିଳ ପ୍ରେମ। ସେଇ ଅଳଙ୍କାରର ସ୍ଥାନ କୌଣସି ଏକ ଅନାଲୋକିତ ଭଣ୍ଡାର ନୁହେଁ। ଏହା ଆମ ଅନ୍ତରର ସ୍ପନ୍ଦନ। ମନର ଆଶଙ୍କା ହୁଏ, ସେ ଭଣ୍ଡାରର ଚାବି ଆମେ ହଜେଇ ଦେଇ ନାହୁଁତ?
ଦିନେ ମୁଁ ସୁଦୂର ଶ୍ରୀନଗର ସହରରେ ଜଣେ ବନ୍ଧୁଙ୍କ ସହ ବସିଥିବା ସମୟରେ ତାଙ୍କର ଜଣେ ବନ୍ଧୁ ଆସି ପହଞ୍ଚିଥିଲେ। ମୋର ପରିଚୟ ପାଇବା ମାତ୍ରେ ସେ କହି ଉଠିଲେ- ‘ଥରେ ମୁଁ ପୁରୀ ଯାଇଥିଲି ଶ୍ରୀମନ୍ଦିର ଦର୍ଶନ ପାଇଁ, ଆପଣଙ୍କର ରାଜ୍ୟ ଏକ ଶାସନବିହୀନ ରାଜ୍ୟ। ମୁଁ ଆଉ କେବେହେଲେ ସେଠାକୁ ଯିବି ନାହିଁ।’
ମୋର ମନର ସ୍ବାଭାବିକ କ୍ରୋଧକୁ ସମ୍ବରଣ କରି ପଚାରିଲି, ‘କାହିଁକି’? ସେ କହିଲେ, ‘ମୁଁ ସପରିବାର ଶ୍ରୀମନ୍ଦିରରେ ପହଞ୍ଚିଲି। ସକାଳେ ଗର୍ଭଗୃହରେ ପ୍ରବେଶ କରିବା ସମୟରେ ସେବାୟତମାନେ ଯେଉଁଭଳି ଭାବରେ ଉଚ୍ଚସ୍ବରରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥିଲେ ସେଥିରେ ଆମେ ଆମର ଏକାଗ୍ରତା ହରାଇଲୁ। ଯଥେଷ୍ଟ ପରିମାଣର ଦକ୍ଷିଣା ଦେଇନଥିବାରୁ ଗାଳିମନ୍ଦ ଖାଇଲୁ। ବାହାରକୁ ଆସିବା ପରେ ମହାପ୍ରସାଦ ପାଇଁ ଅପେକ୍ଷା କରି କରି କ୍ଷୁଧାରେ ସନ୍ତୁଳି ହେଲୁ। ସମୟ ଯେତେବେଳେ ତିନିଟା ବାଜିଲା ଆଉ ଅପେକ୍ଷା କରିବା ସମ୍ଭବପର ହେଲାନାହଁ। ବାଧ୍ୟ ହୋଇ ହୋଟେଲରେ ଖାଇଲୁ ଏବଂ ଫେରି ଆସିଲୁ।’
ମୁଁ ନିଜକୁ ଅସହାୟ ମନେ କଲି, କାରଣ ମୁଁ ଥିଲି ନିରୁତ୍ତର। କ୍ଷୋଭର ସହିତ ସେଠାରୁ ଚାଲିଆସିଲି। ପରିତାପର ବିଷୟ ହେଲା ଏ ପ୍ରକାରର ଅନୁଭୂତି ଅନେକ ବ୍ୟକ୍ତିଙ୍କର ହୋଇଛି। କେବଳ ନୀତି ନିର୍ଘଣ୍ଟର ଅନିୟମିତତା ବା ଦକ୍ଷିଣା-ଜନିତ ଦୁର୍ବ୍ୟବହାର ନୁହେଁ। ଶ୍ରୀମନ୍ଦିର ପରିସରରେ ପାନଛେପ, ଆବର୍ଜନା ଓ କେତେକ ସ୍ଥାନରେ ଦୁର୍ଗନ୍ଧ ଦୂର ଦୂରାନ୍ତରରୁ ଆସିଥିବା ଭକ୍ତମାନଙ୍କୁ ବ୍ୟଥିତ କରେ। ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହି ଅବ୍ୟବସ୍ଥା ପାଇଁ କାହାରି ଅନୁଶୋଚନା ନାହିଁ; ବରଂ କେତେକ ବ୍ୟକ୍ତି ଏହାକୁ ମନ୍ଦିରର ଐତିହ୍ୟ ବୋଲି କହି ଗର୍ବ ଅନୁଭବ କରନ୍ତି। କହନ୍ତି ଏହା ହେଉଛି କାଳିଆର ଲୀଳା।
ମୁଁ ବିଶ୍ବର ଅନେକ ପ୍ରସିଦ୍ଧ ଦେବସ୍ଥଳ ଦେଖିବାର ସୁଯୋଗ ପାଇଛି। କ୍ୟାଥଲିକ ଖ୍ରୀଷ୍ଟିଆନ୍ମାନଙ୍କର ଭାଟିକାନ୍ ପରିଦର୍ଶନ କଲେ ଉକ୍ତ ଧର୍ମର ବୈଶିଷ୍ଟ୍ୟ ସ୍ପଷ୍ଟ ଅନୁଭବ କରିହୁଏ। ପ୍ରତିଦିନ ପୃଥିବୀର ଲକ୍ଷାଧିକ ବ୍ୟକ୍ତି ସେଠାକାର ମ୍ୟୁଜିୟମ ଏବଂ ପ୍ରାର୍ଥନା ସ୍ଥଳ ପରିଦର୍ଶନ କରନ୍ତି। ମିକେଲାଞ୍ଜେଲୋଙ୍କ ଭଳି ଅନେକ ପ୍ରତିଭାସଂପନ୍ନ ଶିଳ୍ପୀମାନଙ୍କର କଳା କୃତିରେ ତାହା ଆଚ୍ଛାଦିତ। ଯୀଶୁଖ୍ରୀଷ୍ଟଙ୍କ ଜୀବନର ଅନେକ ଗାଥା ଉକ୍ତ କୃତିର ଆଧାର। ସବୁଠାରୁ ଲକ୍ଷଣୀୟ ବିଷୟ ହେଉଛି ପ୍ରବଳ ଜନସମାଗମ ସତ୍ତ୍ବେ କେଉଁଠାରେ ହେଲେ କେହି କାହାରିକୁ ଠେଲାପେଲା କରନ୍ତି ନାହିଁ। କୋଳାହଳର ପ୍ରଶ୍ନ ଉଠୁନାହିଁ। ଶୃଙ୍ଖଳିତ ପରିବେଶ ମଧ୍ୟରେ ହଜାରହଜାର ଦର୍ଶକ ଧୈର୍ଯ୍ୟ ଓ ନମ୍ରତାରସହ ଏହି ପୀଠସ୍ଥଳର ମାହାତ୍ମ୍ୟକୁ ଉପଭୋଗ କରନ୍ତି। କୌଣସି ସ୍ଥାନରେ କେହି ଦର୍ଶକମାନଙ୍କଠାରୁ ଅର୍ଥ ଆଦାୟ କରନ୍ତି ନାହିଁ। କେବଳ ପ୍ରବେଶ ମୂଲ୍ୟ ବାଧ୍ୟତାମୂଳକ ଏବଂ ତାହା ନଗଣ୍ୟ ନୁହେଁ।
ଅନ୍ୟ ଏକ ସମୟରେ ମୁଁ ଇସ୍ତାନବୁଲର ମୁଖ୍ୟ ମସ୍ଜିଦ ‘ବ୍ଲୁମସ୍କ’ ପରିଦର୍ଶନ କରିବାର ସୁଯୋଗ ପାଇଥିଲି। ଯଦିଓ ମୁଁ ଜଣେ ହିନ୍ଦୁ, ମୋର ମସ୍ଜିଦ୍ ମଧ୍ୟରେ ପ୍ରବେଶ କରିବାରେ ବା ତା’ ମଧ୍ୟରେ ପ୍ରାର୍ଥନା କରିବାରେ କୌଣସି ପ୍ରତିବନ୍ଧକ ନଥିଲା। ସେଠାକାର ପରିଷ୍କାର ପରିବେଶ ଅତ୍ୟନ୍ତ ଶିକ୍ଷଣୀୟ। କୌଣସି ଦର୍ଶକ ଜୋତା ପିନ୍ଧି ମସ୍ଜିଦ୍ ମଧ୍ୟରେ ପ୍ରବେଶ କରିବା ନିଷେଧ। ମସ୍ଜିଦ୍ ତରଫରୁ ଗୋଡ଼ରେ ପିନ୍ଧିବାପାଇଁ ଏକ କନାର ମୁଣା ଦିଆଯାଏ। ଯାହାକୁ କି ଥରେ ମାତ୍ର ବ୍ୟବହାର କରାଯାଏ। ତେଣୁ ମସ୍ଜିଦ୍ ଭିତରେ ଟୋପାଏ ପାଣି ବା କାଣିଚାଏ ଧୂଳି ପରିଲକ୍ଷିତ ହୁଏନାହିଁ।
କିଛିଦିନ ପୂର୍ବେ ଶିଖମାନଙ୍କର ପବିତ୍ର ଧର୍ମପୀଠ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିବାରେ ସୌଭାଗ୍ୟ ଅର୍ଜନ କରିଥିଲି। ଯଦିଓ ଏହା ପୂର୍ବ ବର୍ଣ୍ଣିତ ଗୀର୍ଜା ବା ମସ୍ଜିଦ୍ ଭଳି ନିଃଶବ୍ଦ ନଥିଲା ତେବେ ସେଠାରେ ଭକ୍ତମାନଙ୍କ ମଧ୍ୟରେ ଏକ ଅନାବିଳ ପ୍ରେମ ଓ ଧର୍ମପୀଠ ପ୍ରତି ଅଜସ୍ର ଭକ୍ତି ପରିସ୍ଫୁଟ ହୋଇ ରହିଥିଲା। କେହି କାହାରି ପ୍ରତି ଦୁର୍ବ୍ୟବହାର କରିବା ବା କାହାରିକୁ ହେୟ ଜ୍ଞାନ କରିବା ମୁଁ ଲକ୍ଷ୍ୟ କଲି ନାହିଁ। ଧର୍ମପୀଠରେ ପ୍ରବେଶ କରିବା ପୂର୍ବରୁ ପୁଷ୍କରିଣୀରେ ପାଦଧୋଇବା ଏଠାରେ ଏକ ପରମ୍ପରା, କିନ୍ତୁ ଏହା ଫଳରେ ମନ୍ଦିର ମଧ୍ୟରେ କାଳେ ମାଟି ବା କାଦୁଅ ପ୍ରଦେଶ କରିଯିବ ତାହାର ପ୍ରତିକାର ପାଇଁ ପୁଷ୍କରିଣୀ ପାଖରେ ବସିଛନ୍ତି କର ସେବକ ବୃନ୍ଦ। ସେମାନେ ମନ୍ଦିରର ସ୍ଥାୟୀ ସେବାୟତ ନୁହନ୍ତି। ସେମାନେ ଅତ୍ୟନ୍ତ ବିତ୍ତଶାଳୀ ଅବା ପଦସ୍ଥ ବ୍ୟକ୍ତି ମଧ୍ୟ ହୋଇପାରନ୍ତି, କିନ୍ତୁ ସ୍ବଇଚ୍ଛାରେ ସେମାନେ ମନ୍ଦିରକୁ ଆସିଥାନ୍ତି ସେବା କରିବାପାଇଁ ଯାହାକି ସଂପୂର୍ଣ୍ଣ ଭାବରେ ଅବୈତନିକ। ପାଦ ଧୋଇଥିବା ଭକ୍ତର ପାଦକୁ ଆଦରର ସହ ପୋଛି ସଂପୂର୍ଣ୍ଣ ଭାବରେ ଶୁଷ୍କ କରିବା ସେମାନଙ୍କର ଉକ୍ତ ଦିନର କର୍ତ୍ତବ୍ୟ। ଲକ୍ଷ୍ୟ କରିବାକୁ ହେବ ଏହି କରସେବା କିଭଳି ଭାବରେ ମନ୍ଦିରର ସ୍ବଚ୍ଛତା ରକ୍ଷାପାଇଁ ଅଭିପ୍ରେତ ଏବଂ ଏହି ଅଭିପ୍ରାୟ ଚରିତାର୍ଥ କରିବାପାଇଁ କର ସେବକ ଭକ୍ତ ପ୍ରତି କିଭଳି ଅନାବିଳ ପ୍ରେମ! ଶିଖ ସଂପ୍ରଦାୟ ମଧ୍ୟରେ କରସେବାକୁ ସର୍ବୋଚ୍ଚ ମାନ୍ୟତା ଦିଆଯାଏ। ପୁଣ୍ୟ ଅର୍ଜନ ପାଇଁ ଏହା ସର୍ବୋତ୍କୃଷ୍ଟ ମାଧ୍ୟମ।
ଏସବୁ ଧର୍ମପୀଠ ବ୍ୟତୀତ ମୁଁ ଅନେକ ହିନ୍ଦୁ ଦେବାଳୟ ଦର୍ଶନ କରିଛି, ଯଥା କାଶୀ ବିଶ୍ବନାଥଙ୍କ ପୀଠ, ତିରୁପତି ଶ୍ରୀ ବାଲାଜୀଙ୍କ ମନ୍ଦିର, ବୈଷ୍ଣୋଦେବୀଙ୍କର ଧର୍ମସ୍ଥାନ, ଇତ୍ୟାଦି। ଏହି ବିଭିନ୍ନ ଧର୍ମ ମଧ୍ୟରେ ବା ଦେବାଳୟ ବା ଦେବଦେବୀଙ୍କ ମଧ୍ୟରେ ତୁଳନା କରି କିଏ ଶ୍ରେୟ ତାହା କହିବାର ଧୃଷ୍ଟତା ମୋର ନାହିଁ। ପ୍ରତ୍ୟେକ ଧର୍ମ ଓ ପ୍ରତ୍ୟେକ ଧର୍ମପୀଠର ନିଜସ୍ବ ମର୍ଯ୍ୟାଦା ରହିଛି।
ବର୍ତ୍ତମାନ ଆମେ ଆସିବା ଆମର କଳାଠାକୁରଙ୍କ ନିକଟକୁ। ସେ ହେଉଛନ୍ତି ପୁରୁଷୋତ୍ତମ, ପ୍ରେମର ବିଶାଳ ସମୁଦ୍ର। ଠାକୁରଙ୍କର ଏହି ଚୁମ୍ବକୀୟ ଶକ୍ତି ଲକ୍ଷଲକ୍ଷ ଭକ୍ତଙ୍କୁ ଆକର୍ଷଣ କରି ଆଣେ ଦେଶବିଦେଶରୁ। ଏହାହିଁ ଆମର ବିଭବ। ଆମର ରତ୍ନ ଭଣ୍ଡାର।
ତେବେ ଏହି ଅଯାଚିତ ସଂପଦର ସୁରକ୍ଷା ପାଇଁ ଆମେ କ’ଣ କରିଛେ? ମହାପ୍ରଭୁଙ୍କର ଗରିମାଗାନ କରି ତାକୁ ପାଥେୟ କରି ସମସ୍ତ କୁକର୍ମରେ ଲିପ୍ତ ହେବା ଯେ ମହାପାପ ଏହା ଯେ କୌଣସି ବ୍ୟକ୍ତି ସ୍ବୀକାର କରିବ। କିନ୍ତୁ ଆମେ ମହାପ୍ରଭୁଙ୍କର ଉଦାରତା ଓ କ୍ଷମତାଶୀଳତାର ସୁଯୋଗ ନେଇ ଶ୍ରୀମନ୍ଦିରକୁ ଏକ ଧାର୍ମିକ ବ୍ୟବସାୟ ସ୍ଥଳରେ ପରିଣତ କରିଛେ। ଏହାର ପ୍ରତିକାର ପାଇଁ ସ୍ବୟଂ ମହାପ୍ରଭୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହେବାପରି ମନେ ହୁଏ। ନ୍ୟାୟାଳୟର ନିର୍ଦେଶ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ, କିନ୍ତୁ ଆମ ପାଇଁ ଲଜ୍ଜାକର। ବର୍ତ୍ତମାନ ଯେଉଁ ପରିବର୍ତ୍ତନର ପ୍ରକ୍ରିୟାକୁ କେବଳ ନ୍ୟାୟାଧୀଶ ବା କେତେକ ମୁଷ୍ଟିମେୟ ଓକିଲଙ୍କ ହାତରେ ଛାଡ଼ିଦେବା ଅନୁଚିତ।
ମନ୍ଦିରର ପରିଚାଳନାଗତ ସଂସ୍କାର ବିଷୟରେ ଚିନ୍ତା କରିବା ସମୟରେ ସେବାୟତମାନଙ୍କର ଆର୍ଥିକ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ଉଚିତ୍। ମନେରଖିବାକୁ ହେବଯେ ଚତୁର୍ଦ୍ଧା ମୂର୍ତ୍ତି କୌଣସି ବ୍ୟକ୍ତିବିଶେଷ ବା ସଂପ୍ରଦାୟର ପୈତୃକ ସଂପତ୍ତି ନୁହନ୍ତି। ସେ ଆମର ଜାତିର ମସ୍ତକମଣି, ଆମର ପରିଚୟ, ଆମର ବୈଭବ। ତେଣୁ ତାଙ୍କ ଯଶର ପ୍ରସାର ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ।
ପୂର୍ବତନ ମୁଖ୍ୟ ଶାସନ ସଚିବ