ଅନିଶ୍ଚିତ ପୃଥିବୀ, ଅଜଣା ଭବିଷ୍ୟତ

0

ସୁଧାଂଶୁ ଷଡ଼ଙ୍ଗୀ

ଆଜି ଯେଉଁ ପିଲାମାନେ ଜନ୍ମ ହେଉଛନ୍ତି, ହୁଏତ ସେମାନେ ସକ୍ରିୟ ଜୀବନରୁ ଅବସର ଗ୍ରହଣ କଲାବେଳକୁ ୨୦୭୮ ମସିହା ପର ହେଇଯିବ । ସେତେବେଳକୁ ପୃଥିବୀରେ କ’ଣ ହେଉଥିବ, କଳ୍ପନା କରିହେଉନି। ୨୦୭୮ ଛାଡ଼ନ୍ତୁ, ୨୦୨୫ ବେଳର ଚିତ୍ର ଆଙ୍କିବା କଷ୍ଟ । ଅନ୍ୟ ପକ୍ଷରେ, ଆମେ ଶହଶହ ବର୍ଷ ତଳର ଇତିହାସକୁ ବିଭିନ୍ନ ଭାବରେ କଳ୍ପନା କରିପାରୁଛେ, ଆବେଗର ସହ ବାଦ-ବିବାଦ କରୁଛେ । ଇତିହାସ ଆମର ସାଂସ୍କୃତିକ ପରିଚୟ, ରାଷ୍ଟ୍ରୀୟ ସ୍ୱାଭିମାନର ଉତ୍ସ; ତା’ମାନେ ନୁହେଁ ଆମେ ପଛକୁ ଚାହିଁ ରହିବା ।
‘ଆଗରୁ ସବୁ ଠିକ୍ ଥିଲା’ କହିବା ଲୋକ କେବଳ ଭାରତ ନୁହେଁ, ସାରା ପୃଥିବୀରେ ଅଛନ୍ତି। ହାନ୍ସ ରୋଜ୍‌ଲିଙ୍ଗ ତାଙ୍କ ‘ଫାକ୍‌ଟ୍‌ଫୁଲ୍‌ନେସ୍‌’ ପୁସ୍ତକରେ ଏ ପ୍ରକାର ଚିନ୍ତାଧାରାର ବିସ୍ତୃତ ବ୍ୟାଖ୍ୟା କରିଛନ୍ତି । ଯଦି ଆମ ରାଜ୍ୟକୁ ଦେଖିବା, ଊଣେଇଶଶହ ମସିହାରେ ଓଡ଼ିଶାର ନବେ ଭାଗ ଲୋକ ଅତି ଗରିବ ଥିଲେ, ଚାରିଆଡ଼େ ଝାଟିମାଟି ଘର ଥିଲା, ବିଜୁଳି ନଥିଲା, ଅନେକ କୁସଂସ୍କାର ଥିଲା, ପୁରୁଷଙ୍କ ମଧ୍ୟରେ ମାତ୍ର ଦଶ ଭାଗ ଓ ମହିଳାଙ୍କ ମଧ୍ୟରେ ଦୁଇ ଭାଗ ଶିକ୍ଷିତ ଥିଲେ, ଛୁଆଁ-ଅଛୁଆଁ ଭେଦଭାବ ଥିଲା, ହଇଜା ଓ ବସନ୍ତରେ ଗାଁ’ ଗାଁ’ ନିଶ୍ଚିହ୍ନ ହେଇଯାଉଥିଲା, ଦୁଇ ଜଣ ପିଲା ଜନ୍ମ ହେଲେ ଜଣେ ପାଞ୍ଚ ବର୍ଷ ବୟସ ଯାଏଁ ବଞ୍ଚୁ ନ ଥିଲା, ମାଆମାନେ ସାତରୁ ଅଧିକ ପିଲା ଜନ୍ମ କରୁଥିଲେ, ଲୋକଙ୍କ ହାରାହାରି ଆୟୁଷ ଥିଲା ୨୭ ବର୍ଷ। ଆଗ ତୁଳନାରେ ଆମେ ବର୍ତ୍ତମାନ ବହୁତ ଭଲରେ ଅଛେ, ଯଦିଓ ଏବେ ବି ସମସ୍ୟା ଅନେକ। ତେଣୁ ଅତୀତର ଆଈ ମା’କାହାଣୀ କହି ପଛକୁ ଫେରିବାକୁ ବା ୧୮୦୫ ମସିହାର ସମସ୍ୟା ବର୍ତ୍ତମାନ ସମାଧାନ କରିବାକୁ ସମୟ ନଷ୍ଟ ନକରି, ବର୍ତ୍ତମାନ ଓ ଭବିଷ୍ୟତର ସମସ୍ୟା ସମଧାନ ପାଇଁ କିଛି ସମୟ ଦେଲେ ଭଲ ହେବ।
ଅତୀତରୁ ବର୍ତ୍ତମାନକୁ ସଂଯୋଗ କଲେ ଏହା ଏକ ସରଳରେଖା ହୁଏ ନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଆଜିର ବାସ୍ତବତା ମଧ୍ୟରେ ବୁଝିବାକୁ ହେବ, ଅତୀତକୁ ନେଇ ନୁହେଁ। ଏବର ବିଶ୍ୱକୁ ବର୍ଣ୍ଣନା କରିବାକୁ ଚାରିଟି ଶବ୍ଦ ବ୍ୟବହାର କରାଯାଉଛି: ‘ଅସ୍ଥିର’, ‘ଅନିଶ୍ଚିତ’, ‘ଜଟିଳ’ ଓ ‘ଅସ୍ପଷ୍ଟ’ । କାହିଁକି ଏଭଳି ଭାରି ଶବ୍ଦ ସବୁ ବ୍ୟବହାର କରାଯାଉଛି ବୁଝିବା ପାଇଁ ତିନୋଟି ଉଦାହରଣ ବିଚାରକୁ ନେବା।
ପ୍ରଥମ, ୨୦୧୨ ମସିହାରେ ପୃଥିବୀର ଗୋଟିଏ ଅତି ନାମୀ କମ୍ପାନୀ ‘କୋଡ଼ାକ୍’ ନିଜକୁ ଦେବାଳିଆ ଘୋଷଣା କଲା । ଫଟୋ ଫିଲ୍ମ ଓ କାଗଜ ପ୍ରସ୍ତୁତ କରିବାରେ ଏହା ଥିଲା ବିଶ୍ୱର ଅଗ୍ରଣୀ କମ୍ପାନୀ। ଫଟୋକୁ ଯେ ଡିଜିଟାଲ୍ କରି​‌େ​‌ହବ ଓ ନ ଛପେଇ କମ୍ପ୍ୟୁଟରରେ ଦେଖିହେବ,ତାହା ମଧ୍ୟ କମ୍ପାନୀକୁ ୧୯୭୩ ମସିହାରୁ ଜଣାଥିଲା; କିନ୍ତୁ ସେମାନେ ଫିଲ୍ମ ଓ କାଗଜ ଛାଡ଼ିପାରିଲେନି । ଲୋକେ ମୋବାଇଲ୍ ଫୋନ୍ ବ୍ୟବହାର କରି ନିଜେ ଫଟୋ ଉଠାଇବା ଆରମ୍ଭ କଲେ, ଫେସ୍‌ବୁକ୍‌ରେ ପରସ୍ପରକୁ ଦେଖାଇଲେ, କମ୍ପ୍ୟୁଟର୍‌ରେ ଜମା ରଖିଲେ, ଆଉ ଛପେଇଲେ ନାହିଁ, ଫିଲ୍ମ ବିକ୍ରି ହେଲାନି, କୋଡ଼ାକ୍ କମ୍ପାନୀ ଦୁଇ-ତିନି ବର୍ଷରେ ଲୋପ ପାଇଗଲା। ବର୍ତ୍ତମାନ ସବୁ କମ୍ପାନୀ ସାମନାରେ ଏହିଭଳି ଅସ୍ଥିରତା ମଧ୍ୟରେ ବଞ୍ଚି ରହିବାର ଆହ୍ୱାନ; ନୂଆ ବୈଷୟିକ ଜ୍ଞାନ ପ୍ରତ୍ୟେକ ଦିନ ଆସୁଛି, କେତେବେଳେ ବି ନୂଆ ଯନ୍ତ୍ର ଆସିପାରେ, କମ୍ପାନୀ ବନ୍ଦ ହେଇଯାଇପାରେ।
ଦ୍ବିତୀୟ ଉଦାହରଣଟି ରାଜନୀତିରୁ ନେବା । ୨୦୧୫ ଜୁନ୍ ୧୫ରେ ଡୋନାଲ୍‌ଡ଼୍‌ ଟ୍ରମ୍ପ‌ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ । ଆମେରିକାର ରାଜନୈତିକ ଇତିହାସକୁ ଜାଣିଥିବା ସବୁ ପଣ୍ଡିତ କହିଲେ, ଟ୍ରମ୍ପ ନିର୍ବାଚନ ଜିତିବା କଥା ଛାଡ଼, ଦଳୀୟ ଟିକଟ୍ ବି ପାଇବେନି। ଟ୍ରମ୍ପ ରାଜନୀତିରେ ନଥିଲେ କି କୌଣସି ଦଳର ସଦସ୍ୟ ନଥିଲେ। ଆଗରୁ ଆଉ ଜଣେ ଧନିକ ହେନେରୀ ଫୋର୍ଡ଼, ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ, ଦଳୀୟ ଟିକଟ୍‌ ନପାଇ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରି ନଥିଲେ । ଟ୍ରମ୍ପ ବିଭିନ୍ନ ନୈତିକ ଲକ୍ଷ୍ମଣରେଖା ଅତିକ୍ରମ କଲେ, ବଡ଼ ବଡ଼ ସମ୍ବାଦ ସଂସ୍ଥା ତାଙ୍କୁ ସମାଲୋଚନା କଲେ। ସେ ଟ୍ୱିଟର୍, ଫେସ୍‌ବୁକ୍ ଓ ସାଧାରଣ ସଭା ଜରିଆରେ ସମର୍ଥକମାନଙ୍କ ପାଖରେ ପହଞ୍ଚିଲେ ଓ କହିଲେ ଯେ ଦେଶର ପ୍ରତିଷ୍ଠିତ ରାଜନୈତିକ ନେତାମାନେ ଲୋକଙ୍କ ଦୁର୍ଗତିର କାରଣ। ଟ୍ରମ୍ପଙ୍କୁ ରିପବ୍ଲିକାନ୍ ଦଳର ଟିକେଟ୍ ମିଳିଲା ଓ ସେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ରାଷ୍ଟ୍ରପତି ହେଲେ। ତାଙ୍କ ସମର୍ଥକ ଏହି ବିଜୟକୁ ‘ଟ୍ରମ୍ପ ବିଦ୍ରୋହ’ ଆଖ୍ୟା ଦେଇଛନ୍ତି।
ତୃତୀୟ ଉଦାହରଣ, ଇଟାଲୀରେ ନିକଟରେ ଲୋକପ୍ରିୟବାଦୀ ‘ଫାଇଭ୍ ଷ୍ଟାର୍’ ଆନ୍ଦୋଳନ ସରକାର ଗଢ଼ିଛି । ଆନ୍ଦୋଳନଟି ଯୁବକମାନେ ପ୍ରଚଳିତ ବ୍ୟବସ୍ଥା ବିରୋଧରେ ଇଣ୍ଟରନେଟ୍‌ରେ ସଂଗଠିତ କରିଛନ୍ତି; ଏହା ଏକ ଇଣ୍ଟରନେଟ୍ ଦଳ। ସେମାନଙ୍କ ମୂଳ ଦାବି ହେଲା, କୌଣସି ରାଜନୈତିକ ଲୋକଙ୍କୁ ସରକାର ଗଢିବାକୁ ଦେବେନି। ଏଣୁ ଜଣେ ଅଣ-ରାଜନୈତିକ ବ୍ୟକ୍ତି ଜେସେପି କୋନ୍ତେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଛନ୍ତି। କୋନ୍ତେ ଆଇନ୍‌ର ପ୍ରଫେସର୍ ଓ ସମ୍ପୂର୍ଣ୍ଣ ଅଜଣା। ଆନ୍ଦୋଳନର ସଦସ୍ୟ ରାଜନୀତିକୁ ପେସା ଭାବରେ ଗ୍ରହଣ କରିପାରିବେ ନାହିଁ । ସର୍ବାଧିକ ଦୁଇ ଥରରୁ ଅଧିକ କେହି ନିର୍ବାଚନ ଲଢ଼ିପାରିବେ ନାହିଁ, ନିଜ ମୂଳ ପେସାକୁ ଫେରିଯିବେ। ଇଟାଲୀ ପୃଥିବୀର ଅଷ୍ଟମ ବଡ଼ ଅର୍ଥନୀତି। ବିନା ରାଜନୈତିକ ଦଳ ଓ ନେତାରେ ଗଣତନ୍ତ୍ରରେ ସରକାର ଗଠନର ଏହା ପ୍ରଥମ ପରୀକ୍ଷା। କେତେକ ରାଜନୈତିକ ଚିନ୍ତକ କହିଲେଣି ନିର୍ବାଚନ ନକରି, ଲଟେରିରେ ସମାଜର ବିଭିନ୍ନ ବର୍ଗରୁ ସାଂସଦ ବାଛି, ବିଶେଷଜ୍ଞଙ୍କ ସହାୟତାରେ ସରକାର ଚଳାଇଲେ ବେଶୀ ଭଲ ହେବ । ଆଗକୁ ଆଉ କେଉଁ ଦେଶରେ କ’ଣ ପରିବର୍ତ୍ତନ ହେବାକୁ ଯାଉଛି,କେହି ଭବିଷ୍ୟବାଣୀ କରିବା ସମ୍ଭବପର ନୁହେଁ; ଯାହା ଏବେ ହେଉଛି, ଅତୀତରେ ହେଇ ନଥିଲା।
ଆଗରୁ ବ୍ୟାପକ ସାମାଜିକ, ରାଜନୈତିକ ବା ଅର୍ଥନୈତିକ ପରିବର୍ତ୍ତନ ହେଲେ ଅନେକ ଗଣ୍ଡଗୋଳ ହେଉଥିଲା । ଏବେ ପରିବର୍ତ୍ତନର ଝଡ଼ ନୀରବରେ ବହୁଛି ଓ ବିନା ପ୍ରାକ୍-ସୂଚନାରେ ଆସୁଛି। ଏହି ଝଡ଼ରେ କିଏ କେତେବେଳେ ଉଡ଼ିଯିବ, କହିହେବ ନାହିଁ । ଆଜି ସବୁ ଠିକ୍ ଲାଗୁଥିବ, କାଲିକି ନଥିବ; ଜ୍ଞାନ, ବୁଦ୍ଧି, କ୍ଷମତା, ଲୋକପ୍ରିୟତା, ଅର୍ଥ କିଛି କାମ କରିବନି। ସବୁ ପେସା, ନେତା, ଦଳ, କର୍ମଚାରୀ, ସମସ୍ତେ ଏହି ବାସ୍ତବତାକୁ ବୁଝିବାକୁ ପଡ଼ିବ ଓ ଚେଇଁ ରହିବାକୁ ହେବ, ନଚେତ ବ୍ୟକ୍ତିଗତ ସ୍ତରରେ ଓ ସାମୂହିକ ଭାବେ ହାରିଯିବା। ପୃଥିବୀ ଏଭଳି ଅସ୍ଥିର, ଅନିଶ୍ଚିତ, ଜଟିଳ ଓ ଅସ୍ପଷ୍ଟ ହବାର କାରଣ କ’ଣ ? ଏଭଳି ପରିସ୍ଥିତିରେ ଆମେ ପୃଥିବୀକୁ ବୁଝିବା କେମିତି ? କରିବା କ’ଣ ?
ବର୍ତ୍ତମାନ ପୃଥିବୀର ବଡ଼ ପାଞ୍ଚଟିଯାକ କମ୍ପାନୀ ଆଇ.ଟି. କମ୍ପାନୀ: ଆପଲ୍‌, ଗୁଗୁଲ୍, ମାଇକ୍ରୋସଫ୍ଟ, ଆମାଜନ୍, ଫେସ୍‌ବୁକ୍। ଗଲା ତିନି ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର ପନ୍ଦର ଗୁଣ ବଢିଛି। ଏହି ଡାଟାକୁ ଲୋକେ କେଉଁଭଳି ବ୍ୟବହାର କରୁଛନ୍ତି ଓ ତାହାର କ’ଣ ପ୍ରଭାବ ପଡୁଛି, ଆକଳନ କରିବା ସହଜ ନୁହେଁ । ୨୦୩୦ ବେଳକୁ ପୃଥିବୀର ଏଭଳି କୌଣସି ଅଞ୍ଚଳ ରହିବ ନାହିଁ ଯେଉଁଠି ଅତି କ୍ଷିପ୍ର ଗତିର ଇଣ୍ଟରନେଟ୍ ସଂଯୋଗ ନଥିବ। କୋଟିକୋଟି ଲୋକ ବର୍ତ୍ତମାନ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ଯାହା ଚାହୁଁଛନ୍ତି ଦେଖୁଛନ୍ତି, ଶୁଣୁଛନ୍ତି। ସେମାନଙ୍କ ଭିତରୁ କିଏ ପରବର୍ତ୍ତୀ ଫେସ୍‌ବୁକ୍ ବା ଆମାଜନ୍ ସୃଷ୍ଟି କରିବ, ତାହା କାହାକୁ ଜଣା ନାହିଁ। ନିକଟରେ ମଧ୍ୟପ୍ରଦେଶର ଜଣେ ଅଧ୍ୟାପକ ସଂଜୀବ ଶ୍ରୀବାସ୍ତବଙ୍କ ନାଚୁଥିବା ଭିଡିଓ ଭାଇରଲ୍ ହେଲା, କୋଟିକୋଟି ଲୋକ ତା’କୁ ଦେଖିଲେ ଓ ରାତାରାତି ସେ ହେଇଗଲେ ‘ସୁପରଷ୍ଟାର୍‌’। ଆଗକୁ କେଉଁ ଲେଖକ, ଗାୟକ, ରାଜନୈତିକ ନେତାଙ୍କୁ ଲୋକେ ସମର୍ଥନ ଦେବେ ତାହାକୁ କୌଣସି ଗଣମାଧ୍ୟମ, ପ୍ରକାଶକ, ନିର୍ଦେଶକ ବା ପ୍ରଯୋଜକ ନିୟନ୍ତ୍ରଣ କରିପାରିବେ ନାହିଁ । କିଏ ହେବ ପରବର୍ତ୍ତୀ ଟ୍ରମ୍ପ ବା ଜେସେପି କୋନ୍ତେ, ଜଣା ନାହିଁ ।
ଆଗରୁ ‘ଡିସ୍‌ରପ୍‌ସନ୍’ ବା ‘ବିଘଟନ’ ଶବ୍ଦଟିକୁ ଖରାପ ଅର୍ଥରେ ବ୍ୟବହାର କରାଯାଉଥିଲା, ଏବେ ଏହା ହେଇଛି ସଫଳତାର ମୂଳ ମନ୍ତ୍ର। ସବୁ ବଡ଼ କମ୍ପାନୀ ବିଘଟନର ପରବର୍ତ୍ତୀ ସୂତ୍ର ବାହାର କରିବାକୁ ଅର୍ଥ ଖଟାଉଛନ୍ତି, ସେମାନଙ୍କ ମଧ୍ୟରେ ଏକ ଅଘୋଷିତ ଶୀତଳ ଯୁଦ୍ଧ ଚାଲିଛି । ଯେ କୌଣସି ସାଧାରଣ ଲୋକ ବି ଏହି ନାମୀ କମ୍ପାନୀମାନଙ୍କୁ ପରାସ୍ତ କରିପାରେ; କୌଣସି ସମ୍ଭାବନାକୁ ମନା କରିହବନି। ବିଂଶ ଶତାବ୍ଦୀରେ ବୈଦ୍ୟୁତିକ ଶକ୍ତି ଯୋଗୁଁ ଯେଉଁଭଳି ବ୍ୟାପକ ପରିବର୍ତ୍ତନ ହୋଇଥିଲା, ଏହି ଶତାବ୍ଦୀରେ କୃତ୍ରିମ ବୁଦ୍ଧିମତ୍ତା ଯୋଗୁଁ ସେହିଭଳି ବ୍ୟାପକ ପରିବର୍ତ୍ତନ ହେବାକୁ ଲାଗିଲାଣି। ଏସବୁ ପରିବର୍ତ୍ତନର ଗତି ଏତେ ପ୍ରଖର ଯେ ତାଳଦେଇ ଚାଲିବା ସହଜ ନୁହେଁ। ଆମେ ଯାହା ଜାଣିଛେ, ହୁଏତ ଅଳ୍ପ କିଛି ବର୍ଷରେ ତାହା ପୁରୁଣାକାଳିଆ ହେଇଯାଇପାରେ। ପୃଥିବୀରେ ପ୍ରତ୍ୟେକ ଦିନ ନୂଆନୂଆ ଚିନ୍ତାଧାରା ବାହାରୁଛି, ବଢ଼ିଆ ବହିସବୁ ଲେଖାଯାଉଛି। ନିକଟରେ ଗୋଟିଏ ସର୍ଭେରୁ ଜଣାଯାଏ ଯେ ବଡ଼ବଡ଼ କମ୍ପାନୀର କାର୍ଯ୍ୟନିର୍ବାହୀମାନେ ଏବେ ବର୍ଷକୁ ହାରାହାରି ୬୧ଟି ବହି ପଢୁଛନ୍ତି, ଅର୍ଥାତ୍ ସପ୍ତାହକୁ ଗୋଟେ ବହି । ଆମ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ; ‘ରେବତୀ’, ‘ପରଜା’ ବା ‘ବୈଦେହୀଶ ବିଳାସ’ ଏହାର ଦୃଷ୍ଟାନ୍ତ, କିନ୍ତୁ କେବଳ ଅତୀତରେ ରହିଗଲେ ହେବନି। ପ୍ରତ୍ୟେକ ସାହିତ୍ୟ ଓ ଭାଷାକୁ ଆଜିର ଜ୍ଞାନ ଦ୍ୱାରା ନିଜକୁ ସମୃଦ୍ଧ କରିବାକୁ ହେବ।
ଯଦି ଭବିଷ୍ୟତ ଅଜଣା, ତାହାହେଲେ ଆମେ ଆଗାମୀ ପରିସ୍ଥିତି ପାଇଁ ନିଜକୁ ଓ ପରବର୍ତ୍ତୀ ପିଢ଼ିକୁ ପ୍ରସ୍ତୁତ କରିବା କିପରି ? ଏ ବିଷୟରେ ବିଶ୍ୱସ୍ତରରେ ଯାହା ମତ ପ୍ରକାଶ ପାଉଛି ତାହାହେଲା ଆମେ ସବୁବେଳେ ଶିଖିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ଓ ପରବର୍ତ୍ତୀ ପିଢ଼ିକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଯିଏ ଶିଖି ପାରିବ, ପରିବର୍ତ୍ତନ ସାଙ୍ଗରେ ଖାପ ଖୁଆଇ ନେବ, ସଫଳ ହେବ; ଯିଏ ଶିଖି ନପାରିବ, ହାରିଯିବ। ଏବେ କେନ୍ଦ୍ର ସରକାର ସ୍କୁଲ ପାଠ୍ୟ ଖସଡ଼ାକୁ ପଚାଶ ଭାଗ କମେଇବାକୁ କହୁଛନ୍ତି। ଏହା ସ୍ୱାଗତ ଯୋଗ୍ୟ, କିନ୍ତୁ ଯଥେଷ୍ଟ ନୁହେଁ। ଯେମିତି ଯନ୍ତ୍ର ମଣିଷଠାରୁ ଅଧିକ ମାଟି ଖୋଳିପାରେ, ସେମିତି ଗୁଗୁଲ୍ ମଣିଷଠାରୁ ଅଧିକ ଜାଣିପାରେ, କିନ୍ତୁ କେତେକ ବିଷୟରେ ଆମେ ଯନ୍ତ୍ରଠାରୁ ଅଧିକ ସକ୍ଷମ। ପିଲାଙ୍କୁ ଏ ସବୁରେ ପାରଙ୍ଗମ କରାଯିବା ଉଚିତ। ଯେମିତି, ମଣିଷ ଯନ୍ତ୍ରଠାରୁ ଅଧିକ ସୃଜନଶୀଳ, ଅନ୍ୟ ପ୍ରତି ସମବେଦନା ଦେଖାଇପାରେ, ସହାନୁଭୂତି ପ୍ରକଟ କରିପାରେ, ଏସବୁ ଆମର ଦକ୍ଷତା। ଛୋଟ ପିଲା ଅତି ସୃଜନଶୀଳ, କିନ୍ତୁ ଶିକ୍ଷା ବ୍ୟବସ୍ଥା ଏପରି ଯେ ତାଙ୍କ ମଧ୍ୟରୁ ଚିତ୍ରକର, ଲେଖକ, ନୃତ୍ୟ ଶିଳ୍ପୀକୁ ଆମେ ମାରି ଦେଉଛେ। ପିଲାମାନେ ଠିକ୍ ଉତ୍ତର ଲେଖି ନମ୍ବର ପାଉଛନ୍ତି, କିନ୍ତୁ ସୃଜନଶୀଳତା ହରାଉଛନ୍ତି। ଯିଏ ଭୁଲ୍‌ କରିବାକୁ ଡ଼ରେ, ସେ ସୃଜନଶୀଳ ହବା କଷ୍ଟ। ଆମେ ଘୋଡ଼ାକୁ ଉଡ଼େଇବା ଶିଖାଉଛେ, ଚଢ଼େଇକୁ ଦଉଡ଼େଇବା ଶିଖାଉଛେ। ଆମେ ଏବେ ପିଲାଙ୍କୁ ଆଗାମୀ ଦିନ ପାଇଁ ନୁହେଁ, ଅତୀତ ପାଇଁ ଶିଖାଉଛେ। ୨୦୭୮ ମସିହାରେ ପହଞ୍ଚିଲା ବେଳକୁ ଏସବୁ କିଛି ଦରକାର ପଡ଼ିବନି। ଯିଏ ନୂଆ କଥା ଅନବରତ ଶିଖି ଚାଲିବ, ମାନବିକ ପରାକାଷ୍ଠା ଦେଖାଇ ପାରିବ, ସେ ଏହି ଅଜଣା ଭବିଷ୍ୟତରେ ସଫଳ ହେବ। ଭବିଷ୍ୟତ ବିଷୟରେ ଅଧିକ ଆଲୋଚନା ଆବଶ୍ୟକ।

Leave A Reply