ଶତ୍ରୁତା ହେଉ କି ମନୋମାଳିନ୍ୟ, ଏହାକୁ ଭୁଲି ପୁନର୍ବାର ସଂପର୍କ ଯୋଡ଼ିବାକୁ ସୁଯୋଗ ଖୋଜେ ମଣିଷ। ବାଣିଜ୍ୟିକ କ୍ଷତି ହେଉ କି ଅନ୍ୟ ବାଧ୍ୟବାଧକତା, ଶେଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ତମ ଜନ୍ମଦିନର ଅବ୍ୟବହିତ ପୂର୍ବରୁ ପ୍ରଥମେ ଟେଲିଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଟ୍ରମ୍ପ୍ ମଙ୍ଗଳବାର ରାତିରେ ଫୋନ୍ କରିଥିବା ମୋଦୀ ସୂଚନା ଦେବା ପରେ ବିଳମ୍ବିତ ରାତିରେ ଖୋଦ୍ ଟ୍ରମ୍ପ୍ ଏ ନେଇ ନିଜ ସାମାଜିକ ଗଣମାଧ୍ୟମ ହାଣ୍ଡେଲ୍ ‘ଟ୍ରୁଥ୍’ରେ ସ୍ପଷ୍ଟ କରିଥିଲେ। ଟ୍ରମ୍ପ୍ ଲେଖିଥିଲେ- ‘‘ଏବେ ଏବେ ମୋର ଉତ୍ତମ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭଲ କଥାବାର୍ତ୍ତା ହେଲା। ମୁଁ ତାଙ୍କୁ ଜନ୍ମଦିନ ପାଇଁ ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି। ସେ ଅଦ୍ଭୁତ କାମ କରୁଛନ୍ତି। ନରେନ୍ଦ୍ର, ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିରେ ତୁମ ସହଯୋଗ ପାଇଁ ଧନ୍ୟବାଦ।’’ ଟ୍ରମ୍ପ୍ଙ୍କ ପରେ ମୋଦୀ ମଧ୍ୟ ଆଉ ପାଦେ ଆଗକୁ ଯାଇ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ- ‘‘ଥ୍ୟାଙ୍କ୍ ୟୁ ମେରେ ଦୋସ୍ତ, ପ୍ରେସିଡେଣ୍ଟ ଟ୍ରମ୍ପ୍। ମୋ ଜନ୍ମଦିନରେ ଆପଣଙ୍କ ଫୋନ୍ କଲ ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣଙ୍କ ଭଳି ମୁଁ ମଧ୍ୟ ଭାରତ-ଆମେରିକା ମଧ୍ୟରେ ବ୍ୟାପକ ଓ ବୈଶ୍ବିକ ସହଭାଗିତାକୁ ନୂତନ ଶିଖରକୁ ନେଇଯିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଆମେ ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଆପଣଙ୍କ ଉଦ୍ୟମକୁ ସମର୍ଥନ କରୁଛୁ।’’
ଏହା ଥିଲା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ବୋଝ ଲଦିଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଓ ଏଭଳି ଟାରିଫ୍ ଚାପ ଆଗରେ ମୁଣ୍ଡ ନ ନୁଆଁଇ ଥିବା ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଜନ୍ମଦିନ ଅବ୍ୟବହିତ ପୂର୍ବ ରାତିର ଦୂରସଂଚାର ବାର୍ତ୍ତାଳାପ। ବୋଧହୁଏ, ମୋଦୀଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ ଥିଲେ ବିଶ୍ବର ସର୍ବାଧିକ ଶକ୍ତିମାନ ନେତା ଦାବି କରୁଥିବା ଟ୍ରମ୍ପ୍। ବାର ଦିନରେ ଟ୍ରମ୍ପ୍ ଦୁଇ ଦୁଇ ଥର ମୋଦୀଙ୍କ ସହ ଟେଲିଫୋନ୍ରେ କଥା ହେଲେଣି। ଏପରି କି ଗତ ୧୦ ତାରିଖରେ ମଧ୍ୟ ଟ୍ରମ୍ପ ନିଜ ସାମାଜିକ ଗଣମାଧ୍ୟମରେ ଭାରତ ସହ ଆମେରିକା ବ୍ୟାବସାୟିକ କାରବାର ବଢାଇବା ଲାଗି କିଭଳି ଆଗ୍ରହୀ ଓ ଆଗକୁ ସେ ଏ ନେଇ ତାଙ୍କ ବନ୍ଧୁ ମୋଦୀଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏପରି କି ଆଗାମୀ ସପ୍ତାହରେ ମୋର ଘନିଷ୍ଠ ବନ୍ଧୁ ମୋଦୀଙ୍କ ସହ କଥା ହେବି ବୋଲି ମଧ୍ୟ ଟ୍ରମ୍ପ୍ ସେଥିରେ ଉଲ୍ଲେଖ କରିଥିଲେ। ଯାହାକି ୧୬ ତାରିଖ ରାତିରେ ଦେଖିବାକୁ ମିଳିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଟ୍ରମ୍ପ୍ଙ୍କ ଟାରିଫ୍ ଅସ୍ତ୍ରକୁ ଭାରତ ନିଷ୍ଫଳ ତଥା ନିରସ୍ତ୍ର କରିବା ପରେ ସେ ଏବେ ବିଳିବିଳାଉଛନ୍ତି । ଟ୍ରମ୍ପ୍ଙ୍କ ୧୦ ତାରିଖର ବିବୃତି ପରେ ମୋଦୀ ମଧ୍ୟ ଆମେରିକା-ଭାରତ କହିବା ସହ ଦ୍ବିପାକ୍ଷିକ ବାଣିଜ୍ୟ ସ୍ବାଭାବିକ ହୋଇ ଅସୀମିତ ସମ୍ଭାବନା ସୃଷ୍ଟି ହେବ ବୋଲି ଯେଉଁ ମନ୍ତବ୍ୟ ରଖିଥିଲେ, ତାହା ଟ୍ରମ୍ପ୍ଙ୍କ ବିରୋଧରେ ଆମେରିକାରେ ଉଠୁଥିବା ଜନବିରୋଧୀ ଭାବନାକୁ କିଛିଟା ଶାନ୍ତ କଲା ଭଳି ଲାଗୁଛି। ବିଭିନ୍ନ ରାଷ୍ଟ୍ର ସହ ଟ୍ରମ୍ପ୍ଙ୍କ ଏଭଳି କଠୋର ଟାରିଫ୍ ନିୟମ ଲାଗୁ ତାଙ୍କୁ ମଧ୍ୟ ଖୋଦ୍ ନିଜ ଜାଲରେ ଛନ୍ଦି ଦେଇଛି।
ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ଦେଖିଲେ ଆମେରିକା ଭାରତର ଭଲ ସହଯୋଗୀ ରାଷ୍ଟ୍ର। ଉଭୟଙ୍କ ମଧ୍ୟରେ ୧୧ ଲକ୍ଷ କୋଟି ଟଙ୍କାର ବାର୍ଷିକ କାରବାର ହୋଇଥାଏ। ଆମେରିକାରୁ ଭାରତ ୩.୫ ଲକ୍ଷ କୋଟି ଟଙ୍କାର ଅଶୋଧିତ ତୈଳ, ପେଟ୍ରୋଲିୟମ୍, କୋଇଲା, ହୀରା, ବିମାନ, ଅନ୍ତରୀକ୍ଷ ଯାନର ଯନ୍ତ୍ରାଂଶ ଆଦି କିଣୁଥିବାବେଳେ ଭାରତରୁ ଆମେରିକା କିନ୍ତୁ ଦୁଇଗୁଣାରୁ ଅଧିକ ମୂଲ୍ୟର ଅର୍ଥାତ୍ ୭.୩୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣୁଛି। ବିଶେଷକରି ଔଷଧ ସାମଗ୍ରୀ, ଦୂରସଞ୍ଚାର ଯନ୍ତ୍ରପାତି, ଅଳଙ୍କାର, ବୟନ ଓ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଆମେରିକା ଆମଠାରୁ କିଣୁଛି। ସେ ଦୃଷ୍ଟିରୁ ଆମେରିକା ସହ କାରବାର ବଢାଇବା ଭାରତ ପାଇଁ ସମସ୍ୟା ନାହିଁ; କିନ୍ତୁ ଟ୍ରମ୍ପ ଯେଭଳି କୃଷି, ଦୁଗ୍ଧ ଓ ମତ୍ସ୍ୟ ସାମଗ୍ରୀ କ୍ଷେତ୍ରରେ ଭାରତୀୟ ବଜାରରେ ଅଧିକ ଆମେରିକା ସାମଗ୍ରୀ ବିକିବାକୁ ଚାହୁଁଛନ୍ତି ତାହାକୁ ନୂଆଦିଲ୍ଲୀ ଗ୍ରହଣ କରିପାରୁନି। ଏହାଦ୍ବାରା ଭାରତୀୟ କୃଷକ, ମତ୍ସ୍ୟଜୀବୀ ଓ ବୁଣାକାର ପ୍ରଭାବିତ ହେବେ। ରୁଷ୍ ସହ ସଂପର୍କ ହ୍ରାସ ଲାଗି ଟ୍ରମ୍ପ୍ ଭାରତ ଉପରେ ଟାରିଫ୍ ଯୁଦ୍ଧ ଥୋପିଛନ୍ତି। ମାତ୍ର ମୋଦୀ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଓ ଭୋକାଲ ଫର୍ ଲୋକାଲ୍ ମନ୍ତ୍ରକୁ ଆଗକୁ ବଢାଇବାକୁ ସଙ୍କଳ୍ପର ସହ କାମ କରୁଛନ୍ତି। ଏହା ଭିତରେ ଟ୍ରମ୍ପଙ୍କ ଆଉ ଏକ ମିଛକୁ ପାକିସ୍ତାନ ସାମ୍ନାକୁ ଆଣିଛି। ଅପରେସନ୍ ସିନ୍ଦୂରବେଳେ ଆମେରିକା ମଧ୍ୟସ୍ଥତା କରି ଯୁଦ୍ଧବିରତି କରିଥିବା ନେଇ ଟ୍ରମ୍ପ୍ ବାରମ୍ବାର ଯେଉଁ ଦାବି କରି ଆସୁଥିଲେ, ତାହାକୁ ମିଛ ପ୍ରମାଣିତ କରିଛନ୍ତି ପାକ୍ ବିଦେଶ ମନ୍ତ୍ରୀ। ଏହା ଫଳରେ ଟ୍ରମ୍ପ୍ଙ୍କ ପୁଣି ଏକ ମିଛ ଧରାପଡିଛି ଓ ଭାରତର ଯୁକ୍ତି ବିଶ୍ବ ପ୍ରେକ୍ଷାପଟରେ ପୁଣି ପ୍ରମାଣିତ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଜଣେ ଅସ୍ଥିର ଚିତ୍ତର ନେତା ଏବଂ ତାଙ୍କ ବୈଦେଶିକ ନୀତି ପ୍ରମାଣିତ କରୁଛି ଯେ ସେ ଭରସାଯୋଗ୍ୟ ନୁହନ୍ତି। ମୋଦୀଙ୍କର ତଥାକଥିତ ‘ଭଲ ବନ୍ଧୁ’ ଟ୍ରମ୍ପଙ୍କୁ ସେ କିପରି ବିଶ୍ବାସକୁ ନେବେ ତାହା ସମୟ କହିବ।



