ଓଡ଼ିଶାର ଜନସାଧାରଣଙ୍କ ମନରେ ଦଶହରା ଓ ବନ୍ୟା ସବୁବେଳେ ଏକାଠି ଆସନ୍ତି। ଦିନଥିଲା ଦେବୀପୂଜା ସମୟରେ ଓଡ଼ିଶାର ଜୀବନରେଖା ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକ ଜଳରେ ଭରପୂର ରହୁଥିଲା। ଉପରମୁଣ୍ଡରେ ସାମାନ୍ୟ ବର୍ଷା ହେଲେ ନଈରେ ବଢ଼ି ଆସୁଥିଲା, ଯାହା ସବୁବେଳେ ଧ୍ୱଂସକାରୀ ନଥିଲା; ବରଂ ବର୍ଷାଦିନେ ନଦୀରେ ଜଳ ଭରପୂର ରହିବା ରାଜ୍ୟର କୃଷି, ପରିବେଶ ଏବଂ ଭୂତଳ ଜଳସ୍ତର ପାଇଁ ଅତ୍ୟନ୍ତ ମଙ୍ଗଳକାରୀ ଥିଲା। ମାତ୍ର ଦୁର୍ଭାଗ୍ୟବଶତଃ, ଏଭଳି ଚିତ୍ର ଓଡ଼ିଶାବାସୀ ଦୀର୍ଘ ବର୍ଷ ହେବ ଭୁଲିଗଲେଣି। ଛତିଶଗଡ଼ର ଉପରମୁଣ୍ଡରେ ନିର୍ମିତ ଅନେକ ବ୍ୟାରେଜ୍ ଯୋଗୁଁ ଓଡ଼ିଶାର ନଈଗୁଡ଼ିକ ସବୁ ସମୟରେ ଶୁଖିଲା ପଡ଼ିବାରେ ଲାଗିଛି। ଏହା କେବଳ ଏକ ପରିବେଶଗତ ସମସ୍ୟା ନୁହେଁ, ବରଂ ଓଡ଼ିଶାର କୃଷି, ଜଳସେଚନ, ମତ୍ସ୍ୟଚାଷ ଏବଂ ସର୍ବୋପରି ଜନଜୀବନ ଉପରେ ଗଭୀର ପ୍ରଭାବ ପକାଉଥିବା ଏକ ଜଟିଳ ପ୍ରସଙ୍ଗ। ପଡ଼ୋଶୀ ଛତିଶଗଡ଼ ଓଡ଼ିଶା ସହିତ ପରାମର୍ଶ ନକରି ମହାନଦୀ ଉପରେ ଅନେକ ବ୍ୟାରେଜ୍ ନିର୍ମାଣ କରି ଜଳ ପ୍ରବାହକୁ ନିୟନ୍ତ୍ରିତ କରିଛି। ସେତେବେଳେ ରାଜ୍ୟରେ ଥିବା ବିଜେଡି ସରକାର ଆପୋସ ଆଲୋଚନା କରିବା ପରିବର୍ତ୍ତେ ୨୦୧୬ରେ ସୁପ୍ରିମକୋର୍ଟରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ ଆବେଦନ କରିଥିଲେ ଏବଂ ୨୦୧୮ରେ ମହାନଦୀ ଜଳ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଦୀର୍ଘ ବର୍ଷ ଧରି ଟ୍ରିବ୍ୟୁନାଲ୍ରେ ଶୁଣାଣି ପରେ ଶୁଣାଣି ହୋଇ ଚାଲିଥିଲେ ବି ସମସ୍ୟାର କୌଣସି ସ୍ପଷ୍ଟ ସମାଧାନ ସୂତ୍ର ବାହାରିପାରି ନାହିଁ, ଯାହାର ମୂଳ କାରଣ ରାଜନୈତିକ ଇଚ୍ଛାଶକ୍ତିର ଅଭାବ।
ନିକଟରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବିଭାଗୀୟ ସଚିବମାନଙ୍କ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ନେଇ ବୈଠକ ଏକ ଉତ୍ତମ ସଙ୍କେତ। ଦ୍ୱିପାକ୍ଷିକ ବୈଠକ ଓ ଆପୋସ ଆଲୋଚନା ଜରିଆରେ ସମାଧାନ ପାଇଁ ଉଭୟ ପକ୍ଷର ଆଗ୍ରହ ଏହି ଦୀର୍ଘ ଦିନର ବିବାଦର ନିରାକରଣ ଦିଗରେ ଏକ ନୂଆ ଆଶା ସଞ୍ଚାର କରିଛି। ଏହି ବୈଠକରେ ମୌସୁମି ଓ ଅଣମୌସୁମି ସମୟରେ ଜଳ ଆବଣ୍ଟନ, ଜଳ ପ୍ଲାବିତ ଅଞ୍ଚଳ, କ୍ୟାଚ୍ମେଣ୍ଟ ଏରିଆର ଆକଳନ, ଜଳ ବଣ୍ଟନରେ ପାରସ୍ପରିକ ସହଯୋଗ ଓ ସମନ୍ୱୟ, ଏବଂ ନଦୀବନ୍ଧ ପରିଚାଳନା ଆଦି ସମସ୍ତ ତଥ୍ୟର ଆକଳନ କରାଯିବ। ଆସନ୍ତା ଡିସେମ୍ବର ଆଡ଼କୁ ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି, ଯେଉଁଥିରେ ସମାଧାନର ସୂତ୍ର ବାହାରିପାରେ। ଏହି ସମାଧାନ ପ୍ରକ୍ରିୟା ପଛରେ କେନ୍ଦ୍ର ଓ ଉଭୟ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ‘ଟ୍ରିପଲ୍ ଇଞ୍ଜିନ୍‘ ସରକାର ରହିବା ଏକ ବଡ଼ କାରଣ। ଏହି ପରିସ୍ଥିତି ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଏ । ଆଇନଗତ ଭାବେ କୌଣସି ରାୟ ରାଜ୍ୟଙ୍କ ଉପରେ ଥୋପିବା ଅପେକ୍ଷା ଅଦାଲତ ବାହାରେ ଆପୋସ ଆଲୋଚନାରେ ସମାଧାନ କରିବା ମହାନଦୀ କ୍ଷେତ୍ରରେ ଅଧିକ ଫଳପ୍ରଦ ହେବ। ତେବେ, ଏହି ଆଲୋଚନା ପ୍ରଭାବଶାଳୀ ହେବା ପାଇଁ କେତେକ ପ୍ରାଥମିକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ପ୍ରଥମେ, କେନ୍ଦ୍ର ସରକାର ତୁରନ୍ତ ଛତିଶଗଡ଼କୁ ମହାନଦୀ ଉପରେ ଚାଲିଥିବା ସମସ୍ତ ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦିଅନ୍ତୁ। ଏକପାଖିଆ ଭାବରେ ବ୍ୟାରେଜ୍ ନିର୍ମାଣ ଚାଲୁ ରଖି ଆଲୋଚନା କରିବା ନିରର୍ଥକ ହେବ। ମହାନଦୀକୁ ଶୁଖିଲା ପଡ଼ିବାରୁ ରୋକିବା ପାଇଁ ଏହା ଏକ ଅପରିହାର୍ଯ୍ୟ ସର୍ତ୍ତ। ଦ୍ୱିତୀୟତଃ, ଓଡ଼ିଶା ସରକାର ଆଲୋଚନାକୁ ଯିବା ପୂର୍ବରୁ ରାଜ୍ୟର ସଚେତନ ବୁଦ୍ଧିଜୀବୀ, ସମସ୍ତ ସକ୍ରିୟ ରାଜନୈତିକ ଦଳ ଏବଂ ହୀରାକୁଦ ଜଳ ପରିଚାଳନା କ୍ଷେତ୍ରରେ ଅଭିଜ୍ଞ ଇଞ୍ଜିନିୟରମାନଙ୍କ ସହିତ ବିସ୍ତୃତ ଆଲୋଚନା କରି ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରନ୍ତୁ।
ମହାନଦୀ ଜଳ ବିବାଦ ଓଡ଼ିଶାର କୋଟି କୋଟି ଜନସାଧାରଣଙ୍କ ଭାବାବେଗ ଓ ଜୀବନଜୀବିକା ସହିତ ଜଡ଼ିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏବେ ଉଭୟ ରାଜ୍ୟରେ ଏବଂ କେନ୍ଦ୍ରରେ ଏକା ଦଳର ସରକାର ଥିବାରୁ ଏହି ବିବାଦର ସମାଧାନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ; କିନ୍ତୁ ଏହି ସୁଯୋଗକୁ ଠିକ୍ ଭାବରେ ବିନିଯୋଗ କରିବା ପାଇଁ ପ୍ରଥମେ ଛତିଶଗଡ଼ ବ୍ୟାରେଜ୍ ନିର୍ମାଣ ବନ୍ଦ କରୁ ଏବଂ ତାପରେ ଏକ ସୁସଂଯୋଜିତ ଆଲୋଚନା ମାଧ୍ୟମରେ ମହାନଦୀର ଜଳ ଓଡ଼ିଶାକୁ ଫେରିଆସୁ। ନଚେତ୍ ‘ନେଡ଼ିଗୁଡ଼ କହୁଣିକୁ ବୋହିଗଲା’ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଓଡ଼ିଶାର ଆଶା ଓ ବିଶ୍ୱାସ ଯେପରି ମହାନଦୀର ଶୁଖିଲା ଜଳଧାରା ସହିତ ବହି ନଯାଏ, ସେଥିପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ।
ସମ୍ପାଦକୀୟ : ଶୁଖିଲା ନଈ ଓ ଦଶରା
Popular Categories



