ମୃତାହତଙ୍କ ସ୍ମୃତି ଅବଲୁପ୍ତ ନ ହେଉ
ଜୀବନ ଭୋଗ କରୁଥିବା ଏ ଜୀବଗୁଡ଼ା ଓ ମରଣ ଭୋଗୁଥିବା ଏ ଶବଗୁଡ଼ାଙ୍କ ମଧ୍ୟରେ ତଫାତ୍ କେବଳ ଜୀବ ଅନୁଭବ କରେ, ମରଣ ସେଥିପ୍ରତି ଉଦାସୀନ, କଥାଟା ସମ୍ପୂର୍ଣ୍ଣ ଠିକ୍ ନୁହେଁ। କାରଣ ଜୀବଠି ଭିନ୍ନ ଏକ ସତ୍ତା ଥିବାର ତର୍କ ଓ ପ୍ରମାଣ ବହୁ ଭିନ୍ନ ମତାବଲମ୍ବୀ କରନ୍ତି। ମୃତାତ୍ମାକୁ ଅନୁଭବ ଓ ସ୍ବୀକାର ବହୁ ଆଦିମ ଏକ ତଥ୍ୟ, ଜୀବ ପ୍ରତି ଥିବା ଭାବ ମୃତାତ୍ମା ବା ଶବଠି କାହିଁ? ଏଠି ଶବକୁ ଛୁଇଁ ଦେଲେ ଜଣେ ମାରା ହୋଇଯାଏ। ଶବ ସବୁବେଳେ ଅଛୁଆଁ, ତୁରନ୍ତ ସଂସ୍କାର ଅପେକ୍ଷୀ। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଦେହାନ୍ତ ହୋଇଗଲା, ତାଙ୍କର ଶେଷ ଦର୍ଶନ ପାଇଁ ମନ୍ତ୍ରୀ ମହୋଦୟଙ୍କୁ ତାଙ୍କ ଦପ୍ତରରୁ ସିଧା ଯିବାକୁ ହେଲା। ମନ୍ତ୍ରୀଙ୍କ ସ୍ତ୍ରୀ ଏ ଦୁଃଖଦ ଖବର ଶୁଣି ସ୍ବାମୀଙ୍କୁ ତୁରନ୍ତ ଫୋନ କଲେ, ‘ହଇଓ ତମେ କ’ଣ ତାଙ୍କ ଶବରେ ଫୁଲମାଳ ଦେବାକୁ ଯାଉଚ ବୋଲି ହରି ପିଅନ ଫୋନ କରିଥିଲା।’ ସ୍ବାମୀ କହିଲେ, ‘ହଁ ପରା ବଡ଼ ଦୁଃଖଦ ଖବର, ତମେ ବ୍ୟସ୍ତ ହୁଅନି, ମୁଁ ଶବ ସଂସ୍କାର ଯାଏ ରହିବି।’ ଗର୍ଜି ଉଠିଲେ ସିଆଡୁ ମ୍ୟାଡାମ୍ (ସ୍ତ୍ରୀ), ରଖିଦିଅ ତମ ସମାଜସେବା। ଦୂରରୁ ରହି ଫୁଲମାଳଟା ଶବ ଉପରେ ପକାଇଦେବ। ତଥାପି କାଳେ ତମ ଦେହ କି ହାତ ଶବଠି ବାଜିଯିବ, ତମ ଡେଉଁରିଆ ଓ ରୁଦ୍ରାକ୍ଷମାଳା ଦି’ଟା କାଢ଼ି ଗାଡ଼ିରେ ରଖିଦିଅ। ଫେରିଲେ ଘରେ ଗାଧୋଇ ସାରି ପିନ୍ଧିବ। ନ ହେଲେ ସେଇଟା ମାରା ହୋଇଯିବ, କାମ କରିବନି ବୋଲି ଘନଗୁଣିଆ କାନେକାନେ କହିଥିଲା। ମନ୍ତ୍ରୀ ବି ମ୍ୟାଡାମ (ସ୍ତ୍ରୀ)ଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ଇଏ ଦେହ ଓ ଶବ ଭିତରେ ଫରକ୍, ଆକାଶ ପାତାଳ।
ଏବର ପ୍ରେମ ସୋହାଗ ସବୁ ଜୀବ ଗଲା ପରେ ପାଣି ଫାଟିଯାଏ। ମନବୋଧ ଚଉତିଶାରେ ତ କବି ଲେଖିଲେ, ‘ଘର ବୋଲି ଅର୍ଜିଛୁ ଯେତେ ସମ୍ପଦ, ଘଟ ଛୁଟିଲେ ତତେ ବୋଲିବେ ଭୂତ, ଘର ଘରଣୀ ଦେହ କିଳାଉଥିବେ ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ।’ ମଣିଷ ମଲା ପରେ ନିଶ୍ଚିହ୍ନ ହୁଏନି, ଭୂତ ବନିଯାଏ। ଆଉ ତା’ ଆପଣା ଲୋକଙ୍କ ପାଖୁ ଅଶରୀର ବାୟବୀୟ ଅବସ୍ଥାରେ ଦେଖାଦେଲେ, ସେ କ’ଣ କୃତକୃତ୍ୟ ଭାଗ୍ୟବାନ କି କ’ଣ ଅନୁଭବ କରେ? ନା, ସେ ଡରେ। ରାତିଅଧରେ ଚିହିଁକି ଉଠେ, ବୋବାଳି ଛାଡ଼େ। ତା’ପର ଦିନ ଘରକୁ ଗୁଣିଆ ଡକାଯାଏ, ଲୁହାକଣ୍ଟା ମାରି ଘରକୁ କିଳାଏ। ଭୂତରୂପୀ ସ୍ବାମୀ, ଭାଇ, ପ୍ରେମିକା କେହି ଆପଣାର ଯଦି ତମ ପାଖୁ ବଡ଼ ବିକଳରେ ଫେରନ୍ତି ତମେ ତାଙ୍କୁ ଘରବାଟ ମନା କରିଦିଅ। ଇଏ ହେଲା ଆମ ଭାବ, ବିଚାର। ଭୂତପ୍ରେତ ଅଛି କି ନାହିଁ ଏକ ଘୋର ତାତ୍ତ୍ବିକ ତର୍କ ଓ ବିଶ୍ବାସ। ସ୍ବାମୀ ଅଭେଦାନନ୍ଦ ତାଙ୍କ ‘ମରଣର ଗାରେ’ ପୁସ୍ତକରେ ଭୂତପ୍ରେତର ତାତ୍ତ୍ବିକ ଆଲୋଚନା ବୈଜ୍ଞାନିକ ମାଧ୍ୟମରେ କରିଛନ୍ତି।
ତୁଳସୀ ଦାସ ତାଙ୍କ ଲିଖିତ ହନୁମାନ ଚାଳିଶାରେ ଭୂତପିଶାଚ ଭୟ କଥା ଲେଖିଛନ୍ତି। ‘ଭୂତ ପିଶାଚ ନିକଟ ନେହି ଆୱେ, ମହାବୀର ଯବ ନାମ ସୁନାୱେ।’ ବିଲାତ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ତାଙ୍କର ପୁସ୍ତକରେ ଏ ବିଷୟରେ ସମ୍ୟକ ସୂଚନା ଦେଇଚନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜଣେ ବିଶ୍ବସ୍ତ ସୈନିକକୁ ଏକ ବାର୍ତ୍ତା ଦେବାକୁ କୁହାଗଲା। ସେ ବାର୍ତ୍ତାଟି ଯିବା ବାଟରେ ଶତ୍ରୁପକ୍ଷ ଦ୍ବାରା ଧରାପଡ଼ିଲା ଓ ମୃତ୍ୟୁ ଲଭିଲା। ସେ କରିଥିବା ପ୍ରତିଜ୍ଞା ପୂର୍ଣ୍ଣ ହୋଇ ନ ପାରିବାରୁ ଅତୃପ୍ତ ପ୍ରାଣ ତା’ର ବାୟବୀୟ ଶରୀରରେ ଦ୍ରୁତ ସାଇକଲ ଚାଳନା କରି ଯିବା ବହୁ ଲୋକ ଦେଖିଥିବାର ବର୍ଣ୍ଣନା ହୋଇଛି। ତାକୁ ଧରିପାରିବା, ଛୁଇଁପାରିବା ବେଗଠୁ ସେ ଅଧିକ ଥିଲା। ଏକ ସମ୍ଭ୍ରାନ୍ତ ପତ୍ରିକା ‘ମିରର୍’ରେ ବହୁ ଦଶନ୍ଧି ତଳେ ବିଲାତର ଏକ ହଣ୍ଟେଡ୍ ବା ପ୍ରେତାଧୀନ ଚର୍ଚ୍ଚ ବିଷୟରେ ଅନୁଭୂତିଟିଏ ପ୍ରକାଶ ପାଇଥିଲା। ଆେମ୍ବ୍ରାସ୍ ନାମକ ବହୁ ଦଶନ୍ଧି ପୂର୍ବରୁ ଜଣେ ବିଶପଙ୍କ ଅମୋକ୍ଷ ଆତ୍ମା କିପରି ସେ ଚର୍ଚ୍ଚକୁ ନିଶାର୍ଦ୍ଧରେ ଆସନ୍ତି। ଫଳରେ ସେହି ପରିତ୍ୟକ୍ତ କୋଠାରେ ହେଉଥିଲା ତା’ର ବିବରଣୀ ଉଲ୍ଲିଖିତ। ଜଣେ ଯୁବ ବିଶପଙ୍କ ସାହସ ଫଳରେ ଆେମ୍ବ୍ରାସ୍ଙ୍କ ସହ ତାଙ୍କର ସାକ୍ଷାତ୍ ଆଲୋଚନା ହୋଇପାରିଲା ଓ ସେ ଦିନୁ ସେ ଚର୍ଚ୍ଚ ପ୍ରେତ ଦଖଲରୁ ମୁକ୍ତ ହେଲା। ସବୁଜ କବି ମାୟାଧର ମାନସିଂ ତାଙ୍କ ଏକ କବିତାରେ ତାଙ୍କ ଇଚ୍ଛା ବିଷୟରେ ଲେଖିଛନ୍ତି, ‘ଶୁଣିବ ଯେବେ ପ୍ରିୟାଗୋ ମୋର, ପ୍ରଣୟୀ ତବ ଜଗତେ ନାହିଁ, ଆସିବ ମୋର ଭସ୍ମ ପାଶେ, ଦେବହେ ତାରେ ଦେହର ଛାଇ। ପାରିବ ଯଦି ଭସ୍ମ ପରେ, ପଦ୍ମପାଦ ଚାଲିବ ଧୀରେ, ଜୀବନ ପୁଣି ଲଭିବ ସଖୀ, ନିଶ୍ଚୟ ମୁଁ ମରଣ-ତୀରେ।’ ଜୀବନ ଅପେକ୍ଷାରେ ମରଣରେ ଓ ଜୀବ ଅପେକ୍ଷା ପ୍ରେତରେ ଜୀବନ ତତ୍ତ୍ବ ଅଧିକ ଏ କଥା ବହୁ ଭାବେ ପ୍ରମାଣିତ। ତାଙ୍କୁ ଡରୁଥିବା ମୃତ୍ୟୁଭୀତ ସ୍ବାର୍ଥାନ୍ଧ ଜନତାଙ୍କ ପାଇଁ ସେମାନେ ବିଶଦ, ଭୟଙ୍କର ପ୍ରେତତତ୍ତ୍ବ ଯେଉଁମାନେ ବଖାଣିଛନ୍ତି ସେମାନେ କହିଛନ୍ତି ଯେ, ପ୍ରେତମାନେ ନୀରବ ଓ ନିକାଞ୍ଚନ ପରିବେଶରେ ଥାଆନ୍ତି ଓ ସେମିତି ଏକ ପରିବେଶରେ ଆବିର୍ଭୂତ ହୁଅନ୍ତି। ସେମାନେ ପ୍ରଥମେ କିଛି କହିପାରନ୍ତି ନାହିଁ, ମାତ୍ର ତାଙ୍କୁ ନ ଡରି, ହାଉଳି ନ ଛାଡ଼ି ଯିଏ ତାଙ୍କ ସହ କଥା ଆରମ୍ଭ କରେ ସେ ଜାଣିପାରେ ବିଚରା ଏ ଅତୃପ୍ତ ଆତ୍ମାର ଅବସୋସ କଥା। ଏମିତି ଏକ ଘଟଣାର ବର୍ଣ୍ଣନା କରିଛନ୍ତି ଭାରତ ପ୍ରସିଦ୍ଧ ଆଧ୍ୟାତ୍ମବାଦୀ, ଗୀତା ପ୍ରେସ, କଲ୍ୟାଣ ପଞ୍ଜିକାର ପ୍ରତିଷ୍ଠାତା ସ୍ବର୍ଗତ ହନୁମାନ ପ୍ରସାଦ ପୋଦାରଜୀ। ବମ୍ବେରୁ ଦିଲ୍ଲୀ ଆସୁଥିବା ଅବକାଶରେ ସେ ବମ୍ବେ ରେଳ ଷ୍ଟେସନର ଏକ ନିକାଞ୍ଚନ ବେଞ୍ଚ ଉପରେ ବସି ରେଳକୁ ଅପେକ୍ଷା କରୁଥିବାବେଳେ ନାମ ଜପ କରୁଥିଲେ।
ଏତିକିବେଳେ ଏକ ବାୟବୀୟ ମୂର୍ତ୍ତି ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଗଲା। ସେ ତାଙ୍କୁ କିଏ ଓ ଆଗମନର କାରଣ ପଚାରିଥିଲେ। ଏକ ଦୀର୍ଘ ବର୍ଣ୍ଣନା ହେତୁ ଅଧିକ ବର୍ଣ୍ଣନା ଅନୁକୂଳ ନୁହେଁ। ସେ ଯାହା ହେଉ ‘ଭୂତପ୍ରେତ’ ବିଶ୍ବାସ ହେଉ କି ଅନ୍ଧବିଶ୍ବାସ ହେଉ ତା ଏବେ ବି ଜନମାନସରେ ଉଦ୍ଜୀବିତ ଅଛି। ଏବେ ନିକଟରେ ବାହାନଗାରେ ଘଟି ଯାଇଥିବା ଭୟଙ୍କର ରେଳ ଦୁର୍ଘଟଣାରୁ, ‘ଜୀବନ ଯେ ପାଣି ଫୋଟକା’, ‘ଏବକୁ ଅଛି ଆଉ ଟିକେକୁ ନାହିଁ’ ଏ କଥା ହୃଦୟକୁ ଭେଦେଇ ଦେଇଥିବାବେଳେ ‘ମଣିଷପଣିଆ’ର ମହାସାଗର ଯେ ଏ ମଣିଷମାନଙ୍କ ଭିତରେ ଲହଡ଼ି ମାରୁଛି ଏ କଥା ବି ଦେଖେଇ ଦେଇଥିଲା। ବାହାନଗା ଜନତାଙ୍କ ଅକ୍ଳାନ୍ତ ଶ୍ରମ ଓ ସେବା ବାସ୍ତବିକ ହୃଦୟସ୍ପର୍ଶୀ ଓ ମଣିଷପଣିଆ କ’ଣ ତା’ର ଏକ ଜୀବନ୍ତ ଉଦାହରଣ ସୃଷ୍ଟି କରିଦେଲା। ଦାତା ଓ ସ୍ବେଚ୍ଛାସେବୀଙ୍କ ଆଗ୍ରହ ତ ଅବର୍ଣ୍ଣନୀୟ। ଏ ସବୁ ଭିତରେ ବାହାନଗା ସ୍କୁଲ ଘରେ ଶହଶହ ଶବ ଗଦା ଏକ ଭିନ୍ନ ଭାବ ଜାରି କରିଦେଲା। ସେଠି ଶବ ବୁହାର, ଶବ କୁଢ଼ାର ବିକଳ ଅବସ୍ଥା ଭୟଙ୍କର ଥିଲା। ମଣିଷ ମୃତ ଶରୀରକୁ ଥାକ ମାରି ରଖିବା, ଆଳୁ ବସ୍ତା ପରି ନେବା ଆଣିବାର ବାଧ୍ୟ ପରିସ୍ଥିତି କିନ୍ତୁ ସେଠି ଜନତା ଓ ବିଶେଷତଃ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଆତଙ୍କ, ଭୟ ଓ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଅବସୋସ ଅଧ୍ୟୁଷିତ ଏ ମୃତାତ୍ମାମାନଙ୍କର ସେଠା ଅବସ୍ଥାନ ସିନା ଜୀବନ୍ତଙ୍କ ପାଇଁ କ୍ଷଣିକ ମାତ୍ର ଏ ଘରେ ସେମାନଙ୍କ ଛାପ ରହିବାର ଏକ ଆଶଙ୍କା ବହୁଙ୍କ ମଧ୍ୟରେ ରହିଯିବା ସ୍ବାଭାବିିକ। ଶବାଧାର ଗାଁ ଦାଣ୍ଡରେ ଯାଉଥିବାବେଳେ କୋମଳମତି ଶିଶୁ ଘରେ ବୋଉକୁ କୁଣ୍ଢାଇ ପକାଇ ମୁହଁ ଲୁଚାଇବା ତ ଆଜି ଦିନର ଏକ ସତ୍ୟ, ତଥ୍ୟ। ରୁଷିଆରେ ଚିହ୍ନଟ ହୋଇନଥିବା ଶବକୁ ଆଜିଯାଏ ସାଇତି ରଖାଯାଇଛି। ଶ୍ମଶାନ ଯିବା ଓ ଶବ ପ୍ରତି ଆମ ପ୍ରତିକ୍ରିୟାରୁ ଆମେ ଆମ ଭଲପାଇବାର ଆନ୍ତରିକତାକୁ ମାପିବା କଥା। ବଡ଼ଙ୍କଠୁ ବୁଢ଼ାଙ୍କଠୁ ଏ କଥା ବ୍ୟାପିଛି ପିଲାଯାଏ, ପିଢ଼ିକୁ ପିଢ଼ିଯାଏ। ଶବ ସଂରକ୍ଷଣ ଗୃହ ବନିଥିବା ଏ ବିଦ୍ୟାଳୟ କୋଠରିକୁ ଭାଙ୍ଗି ତା’ର ନବକଳେବର ହେଉ, ମାତ୍ର ଏହା ପିଲାଙ୍କ ବୁଢ଼ାଙ୍କ ଭୟ, ଆତଙ୍କକୁ ଦୂର କରିପାରିବ ତ?
ଏହା ବିଚରା ମୃତତ୍ମାଙ୍କ ପାଇଁ ଅସମ୍ମାନଜନକ ନ ହେଉ। ଏହାକୁ ଏକ ସ୍ମାରକୀର ସାକ୍ଷୀ ବନାଯାଉ ଓ ଏହି ସ୍ମାରକୀ ସେବା, ଆନ୍ତରିକତା ଓ ଆତିଥେୟତାର ବାର୍ତ୍ତା ଏ କୋମଳମତି ପିଲାଙ୍କୁ ଉଦ୍ବୁଦ୍ଧ କରୁ। ୫-ଟି ସଚିବଙ୍କ ବିଦ୍ୟାଳୟର ତୁରନ୍ତ ନବକଳେବର ନିର୍ଦେଶରେ ମୃତାହତ ସ୍ମୃତି ଚିହ୍ନ ଅବଲୁପ୍ତ ନ ହେଉ। ଏହା ଭୟ ଦୂରୀକରଣ ନ ହୋଇ ଅଭୟ ଆଶ୍ରୟର ପୁନର୍ଗଠନ, ପୁନଃନିର୍ମାଣ ହେଉ। ଜୀବ ଓ ନିର୍ଜୀବ ମଧ୍ୟରେ ଅବାଞ୍ଛିତତା ଘୃଣ୍ୟ ଓ ହୀନ ନ ହେଉ।
Comments are closed.