କାଟୁନି କଟକଣା
କୌଣସି ଦୁର୍ଘଟଣା ଘଟିଲେ ସରକାରଙ୍କ ତତ୍ପରତା ବଢ଼େ। କେଉଁ ନିୟମ ଅଛି, ପାଳନ ହୋଇଛି କି ନାହିଁ ତା’ର ଆଲୋଚନା ଓ ସମୀକ୍ଷା ଚାଲେ। ଏପରିକି ଅତର୍କିତ ଆଇନକାନୁନ୍ ବି ତିଆରି ହୋଇଯାଏ। ନିୟମ ପୂର୍ବରୁ ପ୍ରଚଳିତ ଥିଲେ ତାହାକୁ କଡ଼ାକଡ଼ି ଏଣିକି ପାଳନ କରାଯିବ ବୋଲି ମନ୍ତ୍ରୀଠୁ ସଚିବ ପର୍ଯ୍ୟନ୍ତ ଘନଘନ ବୈଠକ କରିବସନ୍ତି। ଏସବୁ କେବଳ ସେ ଦୁର୍ଘଟଣାକାଳୀନ ଜନାକ୍ରୋଶକୁ ଚାପିବା ନିମିତ୍ତ; ତାହା ନିକଟରେ ଚିଲିକାରେ ଡ଼ଙ୍ଗାବୁଡି ଘଟଣାକୁ ପରଖିଲେ ସ୍ପଷ୍ଟ ହୋଇଯିବ।
ନିକଟରେ ଚିଲିକାରେ ଝଡ଼ବାତ୍ୟା ଯୋଗୁଁ ଡଙ୍ଗାବୁଡ଼ିରେ ୬ ଜଣଙ୍କ ଜୀବନ ଗଲା। ଏହାକୁ ନେଇ ସାଧାରଣରେ ନୌଯାତ୍ରୀଙ୍କ ସୁରକ୍ଷା ନେଇ ବ୍ୟବସ୍ଥାଗତ ଦୁର୍ବଳତା ଉପରେ ବିଭିନ୍ନ ମହଲରୁ ଉଠିଲା ଏକାଧିକ ପ୍ରଶ୍ନ। ସରକାର ତଦନ୍ତ ନିର୍ଦେଶ ଦେଲେ ଓ ରିପୋର୍ଟ ବି ଆସିଲା। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ମହାଶୟ କହିଲେ ଡଙ୍ଗାବୁଡ଼ି ପାଇଁ ଚାଳକ ହିଁ ଦାୟୀ। ଡଙ୍ଗାଟି ପଞ୍ଜିକୃତ ନଥିଲା। ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ବସିଥିଲେ। ଏପରିକି କୌଣସି ଯାତ୍ରୀ ଲାଇଫ୍ ଜାକେଟ୍ ପିନ୍ଧି ନଥିଲେ। ଯଦି ସେମାନେ ଲାଇଫ୍ ଜାକେଟ୍ ପିନ୍ଧିଥାନ୍ତେ କିମ୍ବା ତାଙ୍କ ସାଥିରେ ଲାଇଫ୍ ବୋଏ ଥାନ୍ତା, ତା’ହେଲେ ଜୀବନହାନି ସଂଖ୍ୟାକୁ ରୋକାଯାଇପାରିଥାନ୍ତା। ଏହା ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ ଭଳି ନୀତି। ଡଙ୍ଗା ବୁଡ଼ିବା ପାଇଁ ନାଉରିଆ ଯେ ଦାୟୀ ଏହା ସାଧାରଣ ଲୋକଟିଏ ବି କହିବ। ସରକାର ଅଧିକ ତଦନ୍ତ କ’ଣ କଲେ? ଯଦି ଡଙ୍ଗାରେ ଯାତ୍ରୀ ଲାଇଫ୍ ଜାକେଟ୍ ପିନ୍ଧି ନଥିଲେ ଓ ସେଥିପାଇଁ ଡଙ୍ଗାବାଲା ସେମାନଙ୍କୁ ବାଧ୍ୟ କରି ନଥିଲା ତା’ହେଲେ ଏଥିପାଇଁ ଦାୟୀ କିଏ? ଚିଲିକାରେ ଡଙ୍ଗା ଭଡ଼ାରେ ନେଇ ଯାତ୍ରୀଙ୍କୁ କାଳିଜାଈ ହେଉ ଅଥବା ଅନ୍ୟାନ୍ୟ ସ୍ଥାନରେ ବୁଲାଇବା ଲାଗି ଆସୋସିଏସନ୍ ଅଛି। ଏହା ସରକାରୀ ବ୍ୟବସ୍ଥାରେ ଚାଲୁଛି କି ନାହିଁ? ଡଙ୍ଗା ଘାଟ ବା ଜେଟି ଛାଡ଼ିବା ପୂର୍ବରୁ ଡଙ୍ଗା ମାଲିକ ହୁଅନ୍ତୁ ଅଥବା ସଂପୃକ୍ତ ସଂସ୍ଥା କିମ୍ବା ସରକାରଙ୍କ ଅନୁଧ୍ୟାନକାରୀ ଦଳ ଏହାକୁ ଆଜିର ଦିନରେ ବି ଯାଞ୍ଚ କରୁଛି କି? ଯାତ୍ରୀମାନେ ଲାଇଫ୍ ଜାକେଟ୍ ପିନ୍ଧିଛନ୍ତି କି ନାହିଁ, ସେମାନଙ୍କ ନିକଟରେ ଲାଇଫ୍ ବୋଏ ଅଛି କି ନାହିଁ ଏସବୁକୁ ସୁନିଶ୍ଚିତ କରିବା କ’ଣ ସରକାରୀ ବ୍ୟବସ୍ଥାର ଦାୟିତ୍ୱ ନୁହେଁ ? ଖାଲି ଜେଟି ନିଲାମ ନେଇ ଅର୍ଥ ଆଦାୟ କରିବାରେ କ’ଣ ସରକାରଙ୍କ ଦାୟିତ୍ୱ ଶେଷ ହୋଇଯାଉଛି। କେବଳ ମନ୍ତ୍ରୀ ନୁହେଁ; ମୁଖ୍ୟ ସଚିବଙ୍କଠାରୁ ଅନ୍ୟ ବିଭାଗୀୟ ସଚିବ ଓ ଜିଲାପାଳମାନେ ମଧ୍ୟ ବୈଠକ କଲେ। ଯାତ୍ରୀ ସୁରକ୍ଷା ନେଇ ସମୀକ୍ଷା ପରେ ଜିଲାପାଳମାନେ ଓଡ଼ିଶା ଜଳ ପରିବହନ ନୀତି ନେଇ ବେଶ୍ ସଚେତନତା ଗଣମାଧ୍ୟମ ଜରିଆରେ ଦେଖାଇଲେ। ଏତେ ସବୁ ପରେ ମଧ୍ୟ ଦିନକ ତଳେ ବିନା ଲାଇଫ୍ ଜାକେଟ୍ ଓ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ନଥାଇ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଓ ତାଙ୍କ ପରିବାର ସଂପର୍କୀୟ ଚିଲିକା ବୁଲିଥିବା ଖବର ନଜରକୁ ଆସିଛି। ସରକାରଙ୍କ ଏତେ ପ୍ରସ୍ତୁତି ଓ ରଣନୀତି ପରେ ଆଜିର ଦିନରେ ମଧ୍ୟ ଚିଲିକାରେ ନୌଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ଯେ ବିପନ୍ନ ତାହା ବୁଲିଥିବା ଯାତ୍ରୀଟିଏ ହିଁ ବୟାନ କରିପାରିବ। ଏଥିରୁ ବୁଝିହେଉଛି ଯାହା ରାଜଧାନୀରେ ଆଲୋଚନା ହୋଇ ନିର୍ଦେଶ ଦିଆଯାଏ ତାହା କ୍ଷେତ୍ରୀୟ ସ୍ତରରେ ବୋଧହୁଏ କାର୍ଯ୍ୟକାରୀ ହୁଏନି! ନଚେତ୍ କାଳିଜାଈ ଦୁର୍ଘଟଣା ପରେ ଆନ୍ଧ୍ର ବିଧାୟକଙ୍କ ବିପଦପୂର୍ଣ୍ଣ ଚିଲିକା ଦର୍ଶନ କିଭଳି ସମ୍ଭବ ହୋଇଥାନ୍ତା?
ମନ୍ତ୍ରୀ, ମୁଖ୍ୟ ସଚିବ ଓ ଜିଲାପାଳଙ୍କ ନିର୍ଦେଶକୁ ଏଭଳି ଉପେକ୍ଷା କରାଯାଉଛି କାହିଁକି ? ବିନା ଲାଇଫ୍ ଜାକେଟ୍ରେ ପର୍ଯ୍ୟଟକମାନେ କେବଳ କାଳିଜାଈ ନୁହେଁ; ଅନ୍ୟାନ୍ୟ ସ୍ଥାନରେ ଯାତ୍ରା କରୁଛନ୍ତି କିଭଳି? ଆନ୍ଧ୍ର ବିଧାୟକ ଓ ତାଙ୍କ ସଂପର୍କୀୟଙ୍କ ଲାଗି କ’ଣ ଭିନ୍ନ ଆଇନ ରହିଛି କି? ଏବେ ନୌଯାତ୍ରା ସୁରକ୍ଷା ନେଇ ଏଭଳି ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ। କୌଣସି ଦୁର୍ଘଟଣା ଘଟିଲେ ଗଣମାଧ୍ୟମରେ ତାହାକୁ ନେଇ ଜୋରସୋର ଚର୍ଚ୍ଚା ହେଉଥିବାରୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବୁଝିବା ଓ ବୁଝାଇବା ଲାଗି ତାହେଲେ କ’ଣ ଏସବୁ ଚାଲେ କି? ଯଦି ନୁହେଁ; ତାହେଲେ ଦୀର୍ଘମିଆଦୀ ସୂତ୍ରରେ କାର୍ଯ୍ୟଖସଡ଼ା ଓ ପ୍ରଚଳିତ ନିୟମ କାହିଁକି ପାଳନ କରାଯାଏ ନାହିଁ? ସରକାର କହୁଛନ୍ତି ବିନା ପଞ୍ଜୀକରଣରେ ଡଙ୍ଗା ଚାଲିପାରିବନାହିଁ। ସେମାନଙ୍କୁ ଯାତ୍ରୀ ପରିବହନ ଅନୁମତି ଦିଆଯିବନି; କିନ୍ତୁ ରାଜ୍ୟରେ କେତେ ଡଙ୍ଗା ବିନା ପଞ୍ଜୀକରଣରେ ଚାଲିଛି ସରକାର ଦୀର୍ଘବର୍ଷ ଭିତରେ ସେଥିନେଇ ଖୋଳତାଡ଼, ଯାଞ୍ଚ ତଥା କୌଣସି ଚଢଉ କରିଛନ୍ତି କି? କେବଳ ଦୁର୍ଘଟଣା ଘଟିବା ସମୟ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା କାହିଁକି? ସବୁଠୁ ବଡ଼ ଦୁର୍ଭାଗ୍ୟଜନକ କଥା ହେଉଛି; ଆନ୍ଧ୍ର ବିଧାୟକ ଓ ତାଙ୍କ ସଂପର୍କୀୟ ଯେଉଁଥିରେ କାଳିଜାଈ ବୁଲିବାକୁ ଯାଇଥିଲେ ତାହା କୌଣସି ହୁଲିଡଙ୍ଗା କିମ୍ବା ସାଧାରଣ ବୋଟ୍ ନଥିଲା। ଏହା ଖୋଦ୍ ପଞ୍ଜିକୃତ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ବୋଟ୍ ଥିଲା। ସରକାରୀ ବୋଟ୍ରେ ପୁଣି ଯାତ୍ରୀ ସୁରକ୍ଷା ନିୟମ ଉଲ୍ଲଙ୍ଘନ ସାଙ୍ଘାତିକ ଘଟଣା ନିଶ୍ଚୟ। ଯଦି ଓଟିଡିସି ବୋଟ୍ରେ ନୀତିନିୟମ ଓ ସୁରକ୍ଷା ପାଳନ ଏଭଳି, ତା’ହେଲେ ସାଧାରଣ ଡଙ୍ଗା କଥା ପଚାରେ କିଏ? ଏଥିପାଇଁ କାହାକୁ ଦାୟୀ କରାଯିବ? ତେଣୁ ନୀତିନିୟମ ଓ ମାର୍ଗଦର୍ଶିକା ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ତାହାକୁ ବ୍ୟବସ୍ଥିତ ତଥା ସୁନିଶ୍ଚିତ କରିବା ଦାୟିତ୍ୱ ସରକାର ତଥା ସଂପୃକ୍ତ ସଂସ୍ଥାର। ଯଦି ସେମାନେ ଏହାର ଖିଲାପ କରନ୍ତି ଓ ଦୋଷ, ଦୁର୍ଘଟଣା ଲାଗି ତଳିଆ କର୍ମଚାରୀ ଓ ସାଧାରଣ ନାଉରିଆକୁ ବଳି ପକାନ୍ତି, ତେବେ ବୁଝିବାକୁ ହେବ ବଡ଼ ମାଛ ଖସାଇବା ଲାଗି ମୀନର ଶିକାର କରୁଛନ୍ତି ସରକାର। ଚିଲିକାରେ ଡଙ୍ଗାବୁଡ଼ି ଯାତ୍ରୀଙ୍କ ଜୀବନ ଯିବା ପ୍ରଥମ ଘଟଣା ନୁହେଁ; ଅତୀତରେ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ଆଦିରେ ଏଭଳି ଦୁର୍ଘଟଣା ଘଟିସାରିଛି। ସେତେବେଳର ପ୍ରସ୍ତୁତି, ନୀତିନିୟମ ଓ ନିର୍ଦେଶରୁ ତାହେଲେ କ’ଣ ଶିକ୍ଷା ମିଳିଲା ଓ ଆମେ ଶିଖିଲେ ବୋଲି ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୬ ଜଣ ନିରୀହଙ୍କ ପ୍ରାଣହାନି ପରେ ପ୍ରଶ୍ନ ଉଠିବା କ’ଣ ସ୍ୱାଭାବିକ ନୁହେଁ ? କ୍ଷେତ୍ରରେ ଯାଞ୍ଚ ନକରି କେବଳ କାଚଘରୁ ନିର୍ଦେଶ ଦେଲେ କଟକଣା କାଟୁକରିବନି। ତେଣୁ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଦୁର୍ଘଟଣା ପରେ ନୁହେଁ; ଏହାର ବହୁପୂର୍ବରୁ ଅର୍ଥାତ୍ ନିରନ୍ତର ପ୍ରୟାସ ହେବା ଜରୁରୀ; ନଚେତ୍ ସ୍ଥିତି ବଦଳିବନି; ବରଂ ଦୋଷାରୋପର କାଦୁଅଫିଙ୍ଗା ବଢିବ।