www.samajalive.in
Monday, December 8, 2025
24.1 C
Bhubaneswar

ସନ୍ଥ ଓ ବିଦ୍ବାନଙ୍କ ଭୂମି ଓଡ଼ିଶା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶା ହେଉଛି ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ। ଓଡ଼ିଶା ସବୁକାଳେ ଭାରତ ତଥା ମାନବ ସମାଜର ସେବା କରିଆସିଛି। ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ଭାରତୀୟ ନୌବାଣିଜ୍ୟ ପରମ୍ପରା ଏବଂ ଓଡିଆ ନାବିକଙ୍କ ସାମର୍ଥ୍ୟକୁ ପରିପୁଷ୍ଠ କରିଛି। ବାଲିଯାତ୍ରାକୁ ଅଧିକ ଲୋକପ୍ରିୟ କରିବା ପାଇଁ ବାଲିଯାତ୍ରା ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇଛନ୍ତି। ଓଡିଶୀ ନୃତ୍ୟ ପାଇଁ ଓଡିଶୀ ଦିବସ ଏବଂ ସମୃଦ୍ଧ ଆଦିବାସୀ ପରମ୍ପରାର ପ୍ରଚାର ପ୍ରସାର ଦ୍ୱାରା ଉଭୟ ପର୍ଯ୍ୟଟନ ଓ କୁଟୀର ଶିଳ୍ପର ଅଭିବୃଦ୍ଧି ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାରର ବିକାଶ ଲାଗି ଦୂରଦୃଷ୍ଟି ରହିଛି। ଏଥିପାଇଁ ନକ୍ସା (ରୋଡ୍‌ମ୍ୟାପ୍) ମଧ୍ୟ ପ୍ରସ୍ତୁତ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଓଡ଼ିଶାକୁ ସମୃଦ୍ଧିର ଶିଖରରେ ପହଞ୍ଚାଇବା ଲାଗି ଏହାର ଭୌଗୋଳିକ ଅବସ୍ଥିତି ମଧ୍ୟ ଆମ ପାଇଁ ବରଦାନ ପାଲଟିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ୩ ଦିନିଆ ଓଡିଶା ପର୍ବ-୨୦୨୪ର ଉଦ୍‌ଯାପନୀ ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆରେ ଭାଷଣ ଆରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ କହିଲେ ଯେ, ହଜାର ଵର୍ଷ ପୂର୍ବରୁ ଯେତେବେଳେ ବୈଷୟିକ ଜ୍ଞାନକୌଶଳ ନଥିଲା ସେତେବେଳେ ଓଡ଼ିଆ ନାବିକ ସମୁଦ୍ରପାରି କରିବାକୁ ସାହସ କରିପାରୁଥିଲେ। ଓଡ଼ିଆ ନାବିକ ଇଣ୍ଡୋନେସିଆର ଜାଭା, ବାଲି ଅଞ୍ଚଳକୁ ଯାତ୍ରା କରି ବ୍ୟବସାୟ ଓ ସଂସ୍କୃତିର ବିସ୍ତାର କରୁଥିଲେ। ବିକଶିତ ଭାରତ ସଂକଳ୍ପ ସିଦ୍ଧି ନିମନ୍ତେ ସାମୁଦ୍ରିକ ଶକ୍ତି ମହତ୍ୱପୂର୍ଣ୍ଣ। କଟକର ମହାନଦୀ କୂଳରେ ହେଉଥିବା ବାଲିଯାତ୍ରା ଓଡ଼ିଆ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ନାବିକ ସାମର୍ଥ୍ୟର ପ୍ରତିଫଳତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ଶେଷ ହୋଇଥିବା ୯ ଦିନିଆ ବାଲିଯାତ୍ରାର ଆୟୋଜନକୁ ସେ ପ୍ରଶଂସା କରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଓଡିଶା ପର୍ବକୁ ଓଡ଼ିଆ ସାଂସ୍କୃତିକ ମହାକୁମ୍ଭ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଓଡିଶା ନିଜର ସାଂସ୍କୃତିକ ବିବିଧତା ଦ୍ୱାରା ଭାରତକୁ ଜୀବନ୍ତ ରଖିବାରେ ବଡ଼ ଭୂମିକା ପ୍ରତିପାଦନ କରିଛି। ଏହା ସବୁବେଳେ ସନ୍ଥ ଓ ବିଦ୍ୱାନଙ୍କ ଭୂମି ରହିଛି। ସାରଳା ମହାଭାରତ ଓ ଭାଗବତ ଧର୍ମଗ୍ରନ୍ଥ ଲୋକଭାଷାରେ ଘରେ ଘରେ ପହଁଞ୍ଚିଛି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସମପର୍ଣ ଭାବରେ କାମ କଲେ ପ୍ରଭୁ ସର୍ବଦା ସାଙ୍ଗରେ ଥାଆନ୍ତି। ଆମେ କେତେବେଳେ ଏକା ନଥାଉ, ସବୁବେଳେ ପ୍ଲସ ୱାନ ଥାଉ। ମହାପ୍ରଭୁ ନିଜେ ଭକ୍ତ ପାଇଁ ଯୁଦ୍ଧ କ୍ଷେତ୍ରକୁ ବାହାରିଥିଲେ। ଯୁଦ୍ଧ କ୍ଷେତ୍ରକୁ ଯିବା ସମୟରେ ନିଜ ଭକ୍ତ ମାଣିକ ଗଉଡୁଣୀ ହାତରୁ ଦହି ପିଇଥିଲେ। ଓଡ଼ିଆ ମାଟିର ସନ୍ଥକବି ଭୀମ ଭୋଇଙ୍କ ପଂକ୍ତି ‘ମୋ ଜୀବନ ପଛେ ନର୍କେ ପଡିଥାଉ…….:’କୁ ଉଲ୍ଲେଖ କରି କହିଥିଲେ ଯେ, ଓଡିଶା ଯୁଗେ ଯୁଗେ ସମଗ୍ର ରାଷ୍ଟ୍ର ତଥା ମାନବ ସମାଜର ସେବା କରିଛି । ପୁରୀ ଧାମ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାକୁ ମଜଭୁତ କରିଛି।
ଆଜି ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ପଦରେ ଅଛନ୍ତି। ତାଙ୍କ ପ୍ରେରଣାରେ ଦେଶରେ ଜନଜାତିଙ୍କ ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ବିକାଶ ମୂଳକ ଯୋଜନା ହେଉଛି। ଓଡିଶାର ନାରୀଶକ୍ତିର ସାମର୍ଥକୁ ଉଲ୍ଲେଖ କରି କହିଥିଲେ, ରାଜ୍ୟର ମହିଳା ଆଗକୁ ନ ବଢିଲେ ଓଡିଶା ଆଗକୁ ବଢିବ ନାହିଁ। ମାତା ସୁଭଦ୍ରାଙ୍କ ନାମରେ ଓଡିଶା ହେଉଛି ନାରୀଶକ୍ତି ଓ ସାମର୍ଥର ଭୂମି। ଏଥିପାଇଁ ରାଜ୍ୟରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଛି। ଏହାର ବଡ଼ ଲାଭ ମହିଳାଙ୍କୁ ମିଳିବ।
ଓଡିଶାକୁ ବିକାଶର ନୂଆ ଶିଖରକୁ ନେବା ପାଇଁ କେନ୍ଦ୍ର ସରକାରଙ୍କ ବିଗତ ୧୦ଵର୍ଷ ଧରି ଅନବରତ ପ୍ରୟାସ ସଫଳତା ଆଣିଛି। ଆମେ ବଡ଼ ଲକ୍ଷ୍ୟ ସ୍ଥିର କରିଛୁ। ଆମର ପ୍ରୟାସ ୨୦୩୬ରେ ରାଜ୍ୟ ଗଠନର ଶତାବ୍ଦୀ ବର୍ଷରେ ଓଡିଶା ସଶକ୍ତ, ସମୃଦ୍ଧ ଓ ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବେ ଆଗକୁ ବଢୁଥିବା ରାଜ୍ୟରେ ଗଣାଯାଉ। ଏକ ସମୟରେ ପୂର୍ବ ଭାରତରେ ଓଡିଶା ଭଳି ରାଜ୍ୟକୁ ପଛୁଆ ରାଜ୍ୟ କୁହାଯାଉଥିଲା। ପୂର୍ବ ଭାରତ ହିଁ ଦେଶ ବିକାଶର ବିକାଶ ଇଂଞ୍ଜିନ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଏଥିପାଇଁ ପୂର୍ବ ଭାରତରେ ଯୋଗାଯୋଗ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ବିକାଶକୁ ଗତି ମିଳିଛି । ୧୦ ବର୍ଷ ତୁଳନାରେ ଏବେ ତିନି ଗୁଣ ଅଧିକ କେନ୍ଦ୍ରୀୟ ଵଜେଟ ଅନୁଦାନ ମିଳୁଛି । ଗତ ଵର୍ଷ ତୁଳନାରେ ଚଳିତ ଵର୍ଷ ୩୦ ପ୍ରତିଶତ ଅଧିକ ଅନୁଦାନ ରାଜ୍ୟ ପାଇଛି । ସରକାରଙ୍କ ଆଗାମୀ ଦିନର ଲକ୍ଷ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବନ୍ଦର କ୍ଷେତ୍ରର ବିକାଶ ପାଇଁ ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ଆଦି ବନ୍ଦରର ବିକାଶ କରାଯିବ। ରାଜ୍ୟର ଇସ୍ପାତ ଏବଂ ଆଲମୁନିୟମ କ୍ଷେତ୍ର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। କପା, କାଜୁ, ରାଶି, ହଳଦୀ ଯେପରି ବଡ଼ ବଜାରରେ ପହଞ୍ଚିବ ଏବଂ ଚାଷୀ ଲାଭବାନ ହେବେ ସରକାର ପ୍ରଚେଷ୍ଟା କରିବେ। ରାଜ୍ୟରେ ସାମୁଦ୍ରିକ ଉତ୍ପାଦନ ପ୍ରକ୍ରିୟାକରଣ ଶିଳ୍ପର ଯଥେଷ୍ଟ ସମ୍ଭାବନା ରହିଛି। ଓଡିଶା ଏହି କ୍ଷେତ୍ରରେ ଗ୍ଲୋବାଲ ବ୍ରାଣ୍ଡରେ ପରିଣତ ପାଇଁ ସରକାର ଉଦ୍ୟମ କରିବେ। ଓଡିଶା ପୁଞ୍ଜି ନିବେଶର ଉତ୍କୃଷ୍ଟ ସ୍ଥାନରେ ଏବଂ ବ୍ୟବସାୟ ପାଇଁ ଅନୁକୂଳ ସ୍ଥାନରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ ଅଛନ୍ତି। ରାଜ୍ୟରେ ନୂତନ ସରକାର ଗଠନର ୧୦୦ ଦିନରେ ୪୫ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି । ଆଜି ଓଡିଶା ପାଖରେ ଦୂରଦୃଷ୍ଟି ଅଛି, ନକ୍ସା ବି ରହିଛି । ଓଡ଼ିଶାର ଭୌଗୋଳିକ ସ୍ଥିତି ମଧ୍ୟ ଏଥିପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଦେଶ ଭିତରେ ଏବଂ ବିଦେଶରେ ବିଶେଷକରି ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ ପାଇଁ ମହତ୍ୱପୂର୍ଣ୍ଣ ସ୍ଥାନ । ରାଜ୍ୟର ସହରୀକରଣକୁ ପ୍ରୋତ୍ସାହନ ଦେବା ଲାଗି ଗତିଶୀଳ  ଏବଂ ୱେଲ କନେକଟେଡ଼ ସିଟି ନିର୍ମାଣ କରିବାକୁ ପ୍ରଚେଷ୍ଟା ଚାଲିଛି। ଏଥିରେ ଦ୍ବିତୀୟ ଶ୍ରେଣୀର ସହର ବିଶେଷ କରି ପଶ୍ଚିମ ଓଡିଶା ଜିଲାରେ ନୂଆ ଭିତ୍ତିଭୂମି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ମୋଦୀ ସରକାରଙ୍କ ସବ୍‌କା ସାଥ ସବକା ବିକାଶ ମନ୍ତ୍ରର ଓଡିଶା ସବୁଠାରୁ ଅଧିକ ଲାଭାର୍ଥୀ ରାଜ୍ୟ । ଓଡିଶାର ମହାପୁରୁଷ ସନ୍ଥ ଭୀମଭୋଇ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ଗରିବ କଲ୍ୟାଣ ତତ୍ତ୍ୱ ଏବେ ଭାରତ ସରକାର ଶାସନ ବ୍ୟବସ୍ଥାର ପ୍ରଣାଳୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ଆଗାମୀ ୨୩ ବର୍ଷ ପ୍ରତ୍ୟେକ ନାଗରିକଙ୍କ ପାଇଁ କର୍ତ୍ତ୍ୟବ୍ୟ ଓ ଦାୟିତ୍ବକାଳ ରହିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଓଡ଼ିଆ ଭାଷା ମହାପ୍ରଭୁ ଜଗନ୍ନାଥଙ୍କ ଭାଷା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଜନରେ ପୂର୍ବ ଭାରତରେ ଓଡ଼ିଶାର ସ୍ଥାନ ପ୍ରଥମ। ମୋଦୀ ସରକାର ଅମଳରେ ରାଜ୍ୟକୁ ୧୦ ହଜାର କୋଟି ଟଙ୍କାର ରେଳ ଅନୁଦାନ ମିଳୁଛି। ୧୦ ଵର୍ଷରେ ୧୮୦୦ ଶହ କିଲୋମିଟର ରେଳପଥ ନିର୍ମାଣ ହୋଇଛି, ଯାହାକି ଶ୍ରୀଲଙ୍କା ଭଳି ରାଷ୍ଟ୍ରର ସମୁଦାୟ ରେଳରୁଟ୍‌ ଠାରୁ ଅଧିକ। ରାଜ୍ୟର ଅପହଞ୍ଚ ଇଲାକାରେ ୫୩୩୩ଟି ନୂତନ ମୋବାଇଲ ଟାୱାର ନିର୍ମାଣ ହୋଇଛି। ସେହିପରି ରାଜ୍ୟର ୪ଟି ଶିକ୍ଷା ଅନୁଷ୍ଠାନରେ ସେମିକଣ୍ଡକ୍ଟର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।  ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଷ୍ଟଲ ବୁଲିବା ସହ ଚା’ ପିଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories