ମଝି ନଈରେ ଯୁଦ୍ଧ

ଯୁଦ୍ଧଠାରୁ ନିଜ ଘର ସଜାଡ଼ିବା ସବୁଠାରୁ ବଡ଼ କଥା, ଏବେ ସମାଧାନ ସକାଶେ ସବୁ ପକ୍ଷଙ୍କ ନିଦ ହଜିବା ଆରମ୍ଭ କରିଛି ଘୋର ଅନିଶ୍ଚୟତା ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ସତ କହିବାକୁ ଗଲେ ଦୁଇ ସମ୍ପୃକ୍ତ ରାଷ୍ଟ୍ର ପାଇଁ ବୋଝ ହୋଇପଡ଼ିଛି ଏହି ଯୁଦ୍ଧ। କୋଭିଡ୍‌ ପରବର୍ତ୍ତୀ ବିଶ୍ବର ପ୍ରଗତିରେ ଏହି ଯୁଦ୍ଧ ମୁଖ୍ୟ ବାଧକ ହୋଇଥିଲେ ମଧ୍ୟ ନିଜ ଅହଙ୍କାର ଓ ଜିଦ୍‌ରୁ ଦୁଇ ଦେଶ ଓହରିବାକୁ ଚାହୁଁନାହାନ୍ତି । ଏକାଧିକ ଆଗୁଆ କ୍ଷେତ୍ରରୁ ରୁଷ ସୈନ୍ୟ ପଛଘୁଞ୍ଚା ଦେଉଥିଲେ ମଧ୍ୟ ୟୁକ୍ରେନ୍‌ ଯେ ନିଜକୁ ସମ୍ପୂର୍ଣ୍ଣରୂପେ ମୁକ୍ତ କରିପାରିବ ଏହା ମଧ୍ୟ ସମ୍ଭବ ନୁହେଁ। ଶୀତଋତୁ ନିକଟତର ହୋଇଗଲାଣି, ଘମାଘୋଟ ଯୁଦ୍ଧରେ ଆଗକୁ ନିଶ୍ଚୟ ଶିଥିଳତା ଆସିବ ।

ଏହା ହିଁ ହେବ ପ୍ରକୃଷ୍ଟ ସମୟ, ଯୁଦ୍ଧ ବିରତି ତଥା ବୁଝାମଣା ପାଇଁ କୂଟନୈତିକ ସ୍ତରରେ ଗୋଟି ଚାଳନା କରିବାକୁ। ଯେହେତୁ ରୁଷ ଯୁଦ୍ଧ ଆରମ୍ଭ କରିଛି ସେ ଦୃଷ୍ଟିରୁ ୟୁକ୍ରେନ୍‌ ସହ ଗଠନମୂଳକ ଆଲୋଚନା ସକାଶେ ପୁଟିନଙ୍କ ପକ୍ଷରୁ ଅନୁକୂଳ ବାତାବରଣ ସୃଷ୍ଟି ହେବା ଆବଶ୍ୟକ। ବିଶ୍ବ ନେତୃବର୍ଗଙ୍କ ପକ୍ଷରୁ ଏହିଭଳି ଏକ ସବୁଜ ସଙ୍କେତ ବାଲି ଜି-୨୦ ସମ୍ମିଳନୀ ପ୍ରେକ୍ଷାପଟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାରୁ ସୂଚନା ମିଳିଛି। ଏହା ଯୁଦ୍ଧର ସମୟ ନୁହେଁ, ବିଶ୍ବ ଅର୍ଥନୀତିକୁ ସଜାଡ଼ିବାର ବେଳ। ନ ହେଲେ, ମୁଣ୍ଡ ଉପରେ ଝୁଲୁଥିବା ମାନ୍ଦାବସ୍ଥା ଯେ କୌଣସି ସମୟରେ ବିଶ୍ବକୁ କବଳିତ କରିବ। ଜିନ୍‌ପିଙ୍ଗ୍‌ ଓ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତାର ଦିଗ ଓ ଇଙ୍ଗିତରୁ ଏହା ସ୍ପଷ୍ଟ ହୋଇଛି।

ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ବେଳେ ପୋଲାଣ୍ଡରେ ଅନିୟନ୍ତ୍ରିତ ଅବସ୍ଥାରେ କ୍ଷେପଣାସ୍ତ୍ର ପଡ଼ିବାରୁ ଦୁଇ ଜଣଙ୍କ ପ୍ରାଣହାନି ଘଟଣା ଏକ ବୃହତ୍ତର ଯୁଦ୍ଧ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା। ସୃଷ୍ଟ ଭୁଲ ବୁଝାମଣାରୁ ‘ନାଟୋ’ ସିଧାସଳଖ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ୟୁକ୍ରେନ୍‌ ରାଷ୍ଟ୍ରପତି ଜେ​‌େ​‌ଲନସ୍କିଙ୍କ କହିବା କଥା ହେଲା, ପୋଲାଣ୍ଡରେ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ ପାଇଁ ରୁଷ ଦାୟୀ। ଏହାକୁ ନାଟୋ ବିରୋଧରେ ଆକ୍ରମଣ ରୂପେ ଗ୍ରହଣ କରାଯାଇପାରେ । ତେବେ ରୁଷିଆ ତୁରନ୍ତ ଏକ ସ୍ପଷ୍ଟୀକରଣ ମାଧ୍ୟମରେ ଘଟଣା ସହ ତା’ର ସମ୍ପର୍କ ନ ଥିବା କଥା ସୂଚାଇ ଦେବା ପରେ ଏକ ବଡ଼ ସଂହାତରୁ ବିଶ୍ବ ଦୂରେଇଯିବା ସମ୍ଭବ ହୋଇଛି । ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ସମେତ ନାଟୋ ସଦସ୍ୟଭୁକ୍ତ ରାଷ୍ଟ୍ରର ନେତାମାନେ ବେଶ୍‌ ଦାୟିତ୍ବପୂର୍ଣ୍ଣଭାବେ ଘଟଣା ସମ୍ପର୍କରେ ମତାମତ ଦେଇଥିଲେ ।

ଏକ ବଡ଼ଧରଣର ବିପର୍ଯ୍ୟୟକୁ ଏଡ଼ାଇଯିବା ସକାଶେ ବିଶ୍ବ ନେତୃବର୍ଗଙ୍କ ଏହି ପ୍ରୟାସ ନିଶ୍ଚୟ ସ୍ବାଗତଯୋଗ୍ୟ, କାରଣ ଆମେ ତ ଆଗରୁ କହିଛୁ ଏହା ଏକ ଅହଂକାରର ଯୁଦ୍ଧ। ଅହଂକାର ଓ ଅସୂୟାର ପରିଣତି ଯେ କେତେ ଭୟଙ୍କର ଆମେ ଆମର ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ଘଟଣା ପ୍ରବାହରୁ ଅନୁମାନ କରିପାରୁଥିବା।
ପୋଲାଣ୍ଡରେ କ୍ଷେପଣାସ୍ତ୍ର ମାଡ଼ର ପ୍ରକୃତ ଦିଗଟି ହେଲା, ରୁଷ ପ୍ରତିରକ୍ଷା ବାହିନୀର ଏସ୍‌-୩୦୦ କ୍ଷେପଣାସ୍ତ୍ର ଗତି ହରାଇ ଏହି ବିପଦ ସୃଷ୍ଟି କରିଥିଲା। ଆଗୁଆ ଅଞ୍ଚଳରୁ ପଛଘୁଞ୍ଚା ଦେଇଥିବା ବେଳେ ଏହି ରୁଷ ତିଆରି କ୍ଷେପଣାସ୍ତ୍ର ୟୁକ୍ରେନ୍‌ ହାତରେ ପଡ଼ିଥିଲା । ତାହାକୁ ୟୁକ୍ରେନ୍‌ ସେନା ପ୍ରତିପକ୍ଷଙ୍କ ଆକ୍ରମଣର ପ୍ରତିରୋଧ ସକାଶେ ପ୍ରୟୋଗ କରିଥିବାର ଜଣାପଡ଼ିଛି। ଯେହେତୁ ଏହା ଏସ୍‌-୩୦୦ କ୍ଷେପଣାସ୍ତ୍ର ତାହାର ସୁଯୋଗ ନେଇ ରୁଷ ବିରୋଧରେ ଆରୋପ କରିଥିଲେ ଜେଲେନସ୍କି। କାରଣ ନିଜର ସୁରକ୍ଷା ପାଇଁ ସେ ଚାହାନ୍ତି ରୁଷ ବିରୋଧରେ ନାଟୋ ପ୍ରତ୍ୟକ୍ଷଭାବେ ଯୁଦ୍ଧରେ ସାମିଲ ହେଉ। ତେବେ ଏକ ବୃହତ୍ତର ବିପର୍ଯ୍ୟୟରୁ ବିଶ୍ବ ରକ୍ଷା ପାଇଯାଇଛି। ଏ କ୍ଷେତ୍ରରେ ରୁଷ ଓ ନାଟୋ ସମେତ ଅନ୍ୟ ବିଶ୍ବ ନେତୃବୃନ୍ଦଙ୍କ ଭୂମିକା ପ୍ରଶଂସନୀୟ। ଏଠାରେ ଏତିକି କୁହାଯାଇପାରେ କି ପୋଲାଣ୍ଡ ସଂକଟକୁ ଅତିକ୍ରମିବା ସକାଶେ ଯେଉଁ ପ୍ରୟାସ ହେଲା ତାହାକୁ ଏକ ସୁଯୋଗ ରୂପେ ଗ୍ରହଣ କରି ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ଶାନ୍ତି ଓ ସଦ୍‌ଭାବନା ପ୍ରତିଷ୍ଠା ସକାଶେ କଥାବାର୍ତ୍ତା ଆରମ୍ଭ ହେବା ଉଚିତ।

ଏହି ପ୍ରେକ୍ଷାପଟରେ ଆମେରିକାର ମିଳିତ ସାମରିକ ବାହିନୀର ମୁଖ୍ୟ ଜେନେରାଲ ମାର୍କ ଏ ମିଲରଙ୍କ ପର୍ଯ୍ୟାଲୋଚନାରୁ ଅନୁକୂଳ ପରିବେଶ ଓ ପରିସ୍ଥିତିର ଯେଉଁ ସୂଚନା ମିଳିଛି ତାହା ପଛରେ ମତୈକ୍ୟ ଥିଲା ଭଳି ମନେହୁଏ। ପ୍ରବଳ ଶୀତ ଓ ହିମ ପ୍ରବାହ ମଧ୍ୟରେ ଏହି ଯୁଦ୍ଧରେ ଶିଥିଳତା ପରିଲକ୍ଷିତ ହେବା ସ୍ବାଭାବିକ। ସମ୍ପ୍ରତି ଯୁଦ୍ଧର ଗତି ଯାହା ସେଥିରେ ରୁଷ ସୈନ୍ୟ ପଛଘୁଞ୍ଚା ଦେଇଛନ୍ତି; କିନ୍ତୁ ଏହି ଅଗ୍ରଣୀକୁ ଭିତ୍ତିକରି ୟୁକ୍ରେନ ଯେ ରୁଷକୁ ନିଜ ଅଞ୍ଚଳରୁ ସମ୍ପୂର୍ଣ୍ଣରୂପେ ନିକାଲି ଦେବାକୁ ସମର୍ଥ ହେବ ଏ କଥା ନୁହେଁ। ତାଙ୍କର ଏହି ମତାମତ ପ୍ରତି ଆମେରିକା ଓ ନାଟୋ ନେତୃତ୍ବର ମଧ୍ୟ ସମର୍ଥନ ରହିବା ସ୍ବାଭାବିକ। କାରଣ ଏହା ହେଲା, ଯୁଦ୍ଧ ପରିଣତିର ନିଚ୍ଛକ ସତ୍ୟ। ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଜେଲେନସ୍କି କଥାବାର୍ତ୍ତା ସକାଶେ ଅରାଜି ଥିବାର ଯେଉଁ ସୂଚନା ସେ ଆଗରୁ ଦେଇଥିଲେ ତାହା ଆମେରିକା ଚାପରେ ବଦଳିବାର ସମ୍ଭାବନା ଅଛି। ଯୁଦ୍ଧଠାରୁ ନିଜ ଘର ସଜାଡ଼ିବା ସବୁଠାରୁ ବଡ଼ କଥା। ଅର୍ଥନୀତି ଏବେ ମଝି ନଈରେ ବୁଡ଼ାଇବାକୁ ବସିଥିବାବେଳେ ସମସ୍ତଙ୍କ ନିଦ ଭାଙ୍ଗିବା ଆରମ୍ଭ କରିଛି।

Comments are closed.