ଗାନ୍ଧୀଙ୍କ ଆଧ୍ୟାତ୍ମିକ-ରାଜନୀତି ତତ୍ତ୍ବ
ପାବକ କାନୁନ୍ଗୋ
ପୁରୀର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ସଂକ୍ରାନ୍ତରେ ନିକଟରେ ସେର୍ବାଚ୍ଚ ନ୍ୟାୟାଳୟ ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ଏବଂ ଯେଉଁ ସୁପାରିସ କରିଛନ୍ତି ସେ ସମ୍ପର୍କରେ ଗତ କେତେଦିନ ଧରି ଜୋର୍ ଆଲୋଚନା ଚାଲିଛି। ଏହି ଆଲୋଚନାବେଳେ, ବିଶେଷତଃ ମନ୍ଦିରରେ ସାର୍ବଜନୀନ ପ୍ରବେଶ ପ୍ରଶ୍ନ ଉଠିଲେ କେତେଜଣ ଧର୍ମଗୁରୁ ବାରମ୍ବାର କହୁଛନ୍ତି, ଜଗନ୍ନାଥ ମନ୍ଦିରଟି ଗାନ୍ଧୀ ସ୍ମୃତିପୀଠ ନୁହେଁ। ଏପରି ମନ୍ତବ୍ୟ ପଛରେ ମହାତ୍ମାଙ୍କ ପ୍ରତି ତାଚ୍ଛଲ୍ୟ ଭାବ ତ ରହିଛି, ଏଥିସହିତ ଅଧିକ ରହିଛି ଧର୍ମ, ଆଧ୍ୟାତ୍ମିକତା ଓ ନୈତିକତା ସମ୍ପର୍କରେ ଗାନ୍ଧୀ ଯାହାସବୁ କହିଥିଲେ ସେ ବିଷୟରେ ଅଜ୍ଞତା। ହିନ୍ଦୁ ଧର୍ମରେ ବ୍ୟାପକ ସଂସ୍କାର ଆଣି ବର୍ତ୍ତମାନର ଯୁଗ ସହିତ ତାଳ ଦେବାପାଇଁ ଏହାର ପୁନରୁତ୍ଥାନ ଲାଗି ଜୀବନବ୍ୟାପୀ ଯେଉଁ ସାଧନା, ଉଦ୍ୟମ ଓ ବିପ୍ଳବ କରିଥିଲେ ତାହାକୁ ନ୍ୟୂନ ଦୃଷ୍ଟିରେ ଦେଖିବାର ମାନସିକତା ମଧ୍ୟ ଏଥିରେ ରହିଛି।
୧୯୩୧ରେ ଲଣ୍ଡନରେ ଅନୁଷ୍ଠିତ ଗୋଲଟେବୁଲ ବୈଠକ ଶେଷରେ ଜଣେ ଇଂରେଜ ସାମ୍ବାଦିକ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ- ଆପଣ କେତେ ଦୂରକୁ ଜଣେ ସନ୍ଥ ଓ କେତେ ଦୂରକୁ ଜଣେ ଚତୁର ରାଜନେତା? ଏହାର ସ୍ପଷ୍ଟ ଉତ୍ତର ନପାଇଲେ ମଧ୍ୟ ସାମ୍ବାଦିକ କିଙ୍ଗ୍ସଲୀ ମାର୍ଟିନ ଲେଖିଥିଲେ- ଏକ ଜଟିଳ, ରହସ୍ୟମୟ ଚରିତ୍ରରେ ଦୁଇ ଉପାଦାନର ଅପୂର୍ବ ସମନ୍ବୟ ଘଟିଛି। ମଧ୍ୟଯୁଗୀୟ ଇଉରୋପରେ ସନ୍ଥମାନେ ଯେପରି ରାଜନୀତିର କେନ୍ଦ୍ରବିନ୍ଦୁ ହୋଇଯାଇଥିଲେ ଭାରତରେ ଗାନ୍ଧୀଙ୍କ େକ୍ଷତ୍ରରେ ମଧ୍ୟ ତାହା ହୋଇଥିଲା। ଗାନ୍ଧୀଙ୍କ ମହାପ୍ରୟାଣ ପରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ଅଟ୍ଲୀ କହିଥିଲେ- ଗାନ୍ଧୀ ହେଉଛନ୍ତି ଐଶ୍ବରିକ ଶକ୍ତିରେ ବଳୀୟାନ ଜଣେ ସନ୍ଥ। ଜୀବଦ୍ଦଶାରେ ସେ କହିଥିଲେ, ମୁଁ ଋଷି ନୁହେଁ, ମୁନି ନୁହେଁ ବା ସନ୍ଥ ନୁହେଁ- ମୁଁ ଜଣେ ସାଧାରଣ ମଣିଷ। ତାଙ୍କ ଚିନ୍ତା ଭିତରେ ଧାର୍ମିକ ବା ଆଧ୍ୟାତ୍ମିକ ଭାବ ଯେତେ ପ୍ରତିଫଳିତ ହୋଇନାହିଁ ତାହାଠାରୁ ଅଧିକ ନୈତିକତା ହିଁ ପ୍ରତିଫଳିତ ହୋଇଛି। ସେ ବସ୍ତୁତଃ ଥିଲେ ଜଣେ କର୍ମଯୋଗୀ। ତାଙ୍କ କାର୍ଯ୍ୟ ପଦ୍ଧତି ଓ ପ୍ରତିକାର ପନ୍ଥା ଥିଲା ଅଭିନବ। ତାଙ୍କ ଭିତରେ ରହସ୍ୟବାଦ, ସନ୍ଥତ୍ବ ଓ ବ୍ୟାବହାରିକ ରାଜନୀତିର ଏକ ଜଟିଳ ସମ୍ମିଶ୍ରଣ ଘଟିଥିଲା। ସେ ଥିଲେ ନିଷ୍କାମ ଧର୍ମରେ ବିଶ୍ବାସୀ। ତାଙ୍କର ଅସାଧାରଣ ସୃଜନୀ ଓ ମାନସିକ ଶକ୍ତିର ମୂଳ ଆଧାର ଥିଲା ନୈତିକତା। ଏଥିପାଇଁ ସାରା ମାନବଜାତି ସହିତ ସେ ନିଜକୁ ଏକାକାର କରିଦେଇଥିଲେ। ଧାର୍ମିକ ବିଶ୍ବାସ ଅପେକ୍ଷା ଧାର୍ମିକ ମୂଲ୍ୟବୋଧକୁ ଜୀବଦ୍ଦଶାରେ ଅଧିକ ଗୁରୁତ୍ବ ଦେଉଥିବାରୁ ଗାନ୍ଧୀଙ୍କୁ ମାନବ ସମାଜର ବିବେକ ବୋଲି କୁହାଯାଉଥିଲା।
ଗାନ୍ଧୀ କହୁଥିଲେ, ଧର୍ମ ସହିତ ରାଜନୀତିର ଘନିଷ୍ଠ ସମ୍ପର୍କ ରହିଛି। ବ୍ୟର୍ଥ (ରାଷ୍ଟ୍ରନୀତି) ବା ମୋକ୍ଷକୁ ଧର୍ମଠାରୁ ଅଲଗା କରି ହେବନାହିଁ। ଏଥିପାଇଁ କେତେକ ପ୍ରାଚୀନ ଗ୍ରନ୍ଥରେ ନୀତିଶାସ୍ତ୍ରକୁ ରାଜନୀତିରେ ଅଂଶବିଶେଷ ଭାବରେ ଚିତ୍ରଣ କରାଯାଇଥିଲା। ନୈତିକତାକୁ କାର୍ଯ୍ୟରେ ଲଗାଇବା ଓ ତାହାର ପ୍ରସାର କରିବାରେ ରାଜନୀତିର ମହତ୍ତ୍ବପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ସେ ଯୁକ୍ତି କରୁଥିଲେ। ଧର୍ମ, ଆଧ୍ୟାତ୍ମିକ ଓ ନୈତିକତାର ଭିତ୍ତିଭୂମି ଉପରେ ଗାନ୍ଧୀଙ୍କର ସବୁ କାର୍ଯ୍ୟକ୍ରମ, ଆନ୍ଦୋଳନ ଓ ସଂଗ୍ରାମ କେନ୍ଦ୍ରୀଭୂତ ହୋଇଥିଲା। ଦକ୍ଷିଣ ଆଫ୍ରିକା ସଂଗ୍ରାମକୁ ସେ ଏକ ‘ଆଧ୍ୟାତ୍ମିକ ଆନ୍ଦୋଳନ’ ଭାବରେ ବର୍ଣ୍ଣନା କରିଥିଲାବେଳେ ୧୯୩୪ରେ ପୁରୀରୁ ଭଦ୍ରଖ ପର୍ଯ୍ୟନ୍ତ ହରିଜନ ପଦଯାତ୍ରାକୁ ‘ପ୍ରଚଣ୍ଡ ଧର୍ମଯାତ୍ରା’ ଆଖ୍ୟା ଦେଇଥିଲେ। ଏହାକୁ ଲକ୍ଷ୍ୟ କରି ସନ୍ଥ ବିନୋବା କହିଥିଲେ, ବୁଦ୍ଧ ଓ ଯୀଶୁ ଯେଉଁ ବିଶ୍ବାସ ପଥରେ ନିରବଚ୍ଛିନ୍ନ ଭାବରେ ଚାଲିଥିଲେ ଗାନ୍ଧିଜୀ ସେହି ପଥର ଯାତ୍ରୀ ହୋଇଥିଲେ।
ଧର୍ମ ଓ ସଂସ୍କୃତି, ବିଶେଷତଃ ଭାରତବର୍ଷର ଦୀର୍ଘ ଇତିହାସକୁ ଅଧ୍ୟୟନ ଓ ତର୍ଜମା କଲାବେଳେ ଗାନ୍ଧୀ ଦେଖିଲେ, ବିଷାକ୍ତ ସାପ ଗୁଡ଼ାଇ ହେଲାଭଳି ରାଜନୀତି ଆମକୁ ସେହିପରି ଜୋରରେ ଗୁଡ଼ାଇ ଧରିଛି। ଏଥି ସହିତ ଲଢ଼ାଇ କରି ରକ୍ଷା ପାଇବାର ଏକମାତ୍ର ପନ୍ଥା େହଉଛି ରାଜନୀତିରେ ଧର୍ମକୁ ପ୍ରବେଶ କରାଇବା। ଆଜିର ରାଜନୀତି ସୂକ୍ଷ୍ମ ଚେତନାବିହୀନ ହୋଇ ପଡ଼ିରହିଛି। ରାଜନୀତିକୁ ଅଧିକ କାଳ ଧରି ଧର୍ମଠାରୁ ଦୂରେଇ ରଖିବା ଫଳରେ ତାହା ଏକ ଶବରେ ପରିଣତ ହୋଇଯାଇଛି ଏବଂ କେବଳ ଦାହଯୋଗ୍ୟ ଅବସ୍ଥାରେ ପଡ଼ିରହିଛି। ଆମ ଗୌରବମୟ ସଂସ୍କୃତି ଉପରେ ରୁଚିହୀନ ଓ ଅମାର୍ଜିତ ମାନସିକତା ଜମାଟ ବାନ୍ଧିଯାଇଛି। ସେହି ବହଳ ପରସ୍ତକୁ କାଢ଼ି ଫିଙ୍ଗି ଦେଲେ ଏବଂ ଉତ୍କଟ ଦାରିଦ୍ର୍ୟ ତଥା ଅଶିକ୍ଷାକୁ ଦୂର କରିଦେଲେ ଆମ ଲୋକେ ପୂର୍ବଭଳି ସଂସ୍କୃତି ସଂପନ୍ନ, ସଭ୍ୟ ଓ ମାର୍ଜିତ ହୋଇପାରିବେ। ଭାରତବାସୀଙ୍କ ସାମର୍ଥ୍ୟ ଉପରେ ଗାନ୍ଧିଜୀଙ୍କର ଅଗାଧ ବିଶ୍ବାସ ରହିଥିଲା। ସେମାନେ ନୈତିକତା ଓ ବୌଦ୍ଧିକତାର ପାହାଚରେ ଉପରକୁ ଉପରକୁ ଉଠିପାରିେବ ସେହି ବିଚାର ତାଙ୍କଠାରେ ଥିଲା। ଆମ ଲୋକଙ୍କୁ ଦୁର୍ବଳ, ମୂର୍ଖ ଓ ଅନୁନ୍ନତ କହି ସେମାନେ ଆଦିମ ଅଧିବାସୀ ଭାବରେ ଦୁର୍ବ୍ୟବହାର କରିଥିଲେ। ଏଥିପ୍ରତି ମହାତ୍ମା ସଚେତନ ଥିଲେ। ଏକ ଆଧ୍ୟାତ୍ମିକ ସଭ୍ୟତାର ଦାୟାଦ ଭାବରେ ସେମାନଙ୍କ ଭିତରେ ଅସୀମ କର୍ମପ୍ରେରଣା ଭରି ରହିଛି। ସେମାନେ ବୁଦ୍ଧିମାନ ଓ ଏକ ମୁକ୍ତ ସମାଜର ନାଗରିକ ହେବାପାଇଁ ସେମାନଙ୍କର ସମସ୍ତ ଯୋଗ୍ୟତା ରହିଛି। କିଂକର୍ତ୍ତବ୍ୟବିମୂଢ଼ ଓ ହତବୁଦ୍ଧି ହୋଇଯାଇ ଏକ ବିଚଳିତ ମାନବସମାଜକୁ ବିକାଶ ପଥରେ ଆଗେଇନେବା ଦିଗରେ ଭାରତୀୟମାନେ ଦିନେ ଆଗୁଆ ହୋଇ ବାହାରିବେ। ଏଥିପାଇଁ ଶାସକର ଧର୍ମ ଅପେକ୍ଷା ଲୋକଙ୍କର ଧର୍ମକୁ ସେ ଅଧିକ ଗୁରୁତ୍ବ ଦେଇଥିଲେ। ବିନୋବାଙ୍କ ମତରେ, ଗୀତାରେ ବର୍ଣ୍ଣିତ କର୍ମଯୋଗ ପ୍ରତି ଗାନ୍ଧୀ ଆକର୍ଷିତ ହୋଇଥିଲେ ଏବଂ ତାଙ୍କ ଜୀବନରେ ଏହା ଯେପରି ପ୍ରତିଫଳିତ ହୋଇଥିଲା ତାହାର ଦୃଷ୍ଟାନ୍ତ ବିରଳ। ସତ୍ୟର ଅନୁସନ୍ଧାନ ପାଇଁ ତାଙ୍କ ଭିତରେ ନିରନ୍ତର ବିବର୍ତ୍ତନ ପ୍ରକ୍ରିୟା ଚାଲିଥିଲା ଏବଂ ସେ ଏକ ଅଭିନବ ଚିନ୍ତାର ବାହକ ହୋଇଯାଇଥିଲେ। ଏଥିପାଇଁ ତାଙ୍କ ମହାପ୍ରୟାଣ ପରେ ଶ୍ରଦ୍ଧାଞ୍ଜଳି ଜଣାଇ ଆଇନ୍ଷ୍ଟାଇନ୍ କହିଥିଲେ- ଆଜିର ନୈତିକ ଅବକ୍ଷୟ ଯୁଗରେ ସେ ଥିଲେ ଏକ ମାତ୍ର ରାଷ୍ଟ୍ରନାୟକ ଯିଏକି ରାଜନୀତିକୁ ଉଚ୍ଚ ମାନବିକ ସମ୍ପର୍କ ଭିତରକୁ ନେଇଯାଇଥିଲେ।
ରାଜନୀତି, ଆଧ୍ୟାତ୍ମିକ ଓ ଧର୍ମର ଜୀବନ୍ତ ପ୍ରତୀକ ପାଲଟି ଯାଇଥିବା ମହାତ୍ମାଙ୍କ ବିଷୟରେ ଆପଣଙ୍କର ଧାରଣା କ’ଣବୋଲି ଜର୍ଜ ବର୍ଣ୍ଣାଡଶ’ଙ୍କୁ ପ୍ରଶ୍ନ ହେବାରୁ ସେ କହିଥିଲେ- ତୁମେ ଯଦି ମୋତେ ପଚାରିବ ହିମାଳୟ ସମ୍ପର୍କରେ ମୋର ଧାରଣା କ’ଣ ମୁଁ ଯେପରି କିଛି କହିପାରିବି ନାହିଁ ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ସେହିପରି ଅବସ୍ଥା। ଗାନ୍ଧିଜୀ ବରାବର କହୁଥିଲେ, ଯେତେବେଳେ ଆମେ ସବୁ ପ୍ରକାର ବନ୍ଧନରୁ ମୁକ୍ତ ହୋଇ ମୋକ୍ଷପ୍ରାପ୍ତି ପଥରେ ଚାଲିପାରିବୁ ସେତେବେଳେ ପ୍ରକୃତ ସ୍ବରାଜପ୍ରାପ୍ତି ହେବ। ଧର୍ମଯାଜକ, ପୂଜକ ଓ ପିତୁଳା ପୂଜାରେ ବିଶ୍ବାସୀ ଲୋକେ ଧର୍ମକୁ ସଂକୀର୍ଣ୍ଣ ଦୃଷ୍ଟିରେ ନଦେଖି ଏଥିରେ ଯୁଗୋପଯୋଗୀ ସଂସ୍କାର ଆଣିବାକୁ ଉଦ୍ୟମ କରିବାକୁ ସେ ଆହ୍ବାନ ଜଣାଇଥିଲେ। ଏଥିପାଇଁ ଯେପର୍ଯ୍ୟନ୍ତ ଅସ୍ପୃଶ୍ୟମାନେ ଜଗନ୍ନାଥ ମନ୍ଦିରକୁ ଯାଇନାହାନ୍ତି, ସେ ମନ୍ଦିର ଭିତରକୁ ଯିବେ ନାହିଁ ବୋଲି ଘୋଷଣା କରିଥିଲେ। ରାଜନୀତି ସେତେବେଳେ ଶୁଦ୍ଧ ବା ପବିତ୍ର ହୋଇପାରିବ ଯେତେବେଳେ ରୁଚିହୀନ ବା ନୀଚ ରାଜନୀତିର ଊର୍ଦ୍ଧ୍ବକୁ ଯାଇ ବିଶ୍ବର ସବୁ ଧର୍ମରେ ଥିବା ଭଲ କଥା ଭିତରେ ଆମେ ସମନ୍ବୟ ଆଣିପାରିବା। ଅଯଥା ବିଧିବିଧାନ ଓ କ୍ରିୟା ପଦ୍ଧତିକୁ ଛାଡ଼ି ଏକ ବିଶୁଦ୍ଧ ଧର୍ମ ପ୍ରତିଷ୍ଠା ଦିଗରେ ଏହା ସହାୟକ ହୋଇପାରିବ। ଆମ ଧର୍ମଯାଜକମାନେ ଆକ୍ଷରିକ ଅର୍ଥକୁ ଜାବୁଡ଼ି ଧରି ଏହା ଭିତରେ ଥିବା ଅନ୍ତର୍ନିହିତ ମହତ ଭାବନାଠାରୁ ଦୂରେଇ ଯିବା ଫଳରେ ହିନ୍ଦୁ ଧର୍ମ ନାନା ଦୁର୍ଗତିର ସମ୍ମୁଖୀନ ହେଉଛି। ଓଡ଼ିଶାରେ ହରିଜନ ପଦଯାତ୍ରାବେଳେ (୧୯୩୪)) ବିରଜାକ୍ଷେତ୍ର ଯାଜପୁରରେ ସେ କହିଥିେଲ- ମୋର କାର୍ଯ୍ୟ ଫଳରେ ହିନ୍ଦୁଧର୍ମ ଶକ୍ତି ପାଇବ, ଦୁର୍ବଳ ହେବ ବା ଧ୍ବଂସ ପାଇବ ତାହା ମୁଁ କହିପାରିବି ନାହିଁ, କିନ୍ତୁ ଅସ୍ପୃଶ୍ୟତା ନିଶ୍ଚୟ ଦୂରହେବ।
କାହାକୁ ଆମେ ଧାର୍ମିକ ବ୍ୟକ୍ତି କହିବା ବୋଲି ପ୍ରଶ୍ନହେବାରୁ ଗାନ୍ଧୀ କହିଥିଲେ- ଏପରି ଲୋକ ତିନିଟି ପର୍ଯ୍ୟାୟଦେଇ ଗତି କରିବା ଉଚିତ। ଉଚ୍ଚମାନର ଅାଧ୍ୟାତ୍ମିକତା ଉପରେ ତାାର ଅଗାଧ ବିଶ୍ବାସ ଥିବା ଆବଶ୍ୟକ। ନିଜ ଧର୍ମରୁ ହିଁ ସେ ଏହି ପ୍ରକ୍ରିୟା ଆରମ୍ଭ କରିବ ଏବଂ ଧର୍ମର ମୌଳିକ ଆଦର୍ଶକୁ ପାଳନ କରୁଥିବ। ଦ୍ବିତୀୟରେ ଅନ୍ୟ ଯେଉଁ ସବୁ ଧର୍ମରେ ମୂଲ୍ୟବାନ ନୀତିଶିକ୍ଷା ରହିଛି ତାହାକୁ ଗ୍ରହଣ କରି ନିଜ ଜୀବନରେ ପ୍ରୟୋଗ କରିବ। ଶେଷରେ ସବୁ ସଂଗଠିତ ଧର୍ମ ଓ ବ୍ୟବସ୍ଥାର ଊର୍ଦ୍ଧ୍ବକୁ ଯାଇ ବିଶୁଦ୍ଧ ଧର୍ମକୁ ଆଦରିଯିବ। ଗତାନୁଗତିକ ବିଶ୍ବାସରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତଥିବ। ଗାନ୍ଧୀଙ୍କର ଧାର୍ମିକ ବିବର୍ତ୍ତନ ପ୍ରକ୍ରିୟାବେଳେ ସେ ଏହି ନୀତିକୁ ଗ୍ରହଣ କରିଥିଲେ। ଏହାକୁ ଲକ୍ଷ୍ୟ କରି ଜଣେ ଦାର୍ଶନିକ କହିଛନ୍ତି, ଜୀବନରେ କିଛି କାଳ ହିନ୍ଦୁହୋଇ ରହିବାପରେ ସେ ସବୁ ଧର୍ମର ସମନ୍ବୟ ପନ୍ଥାଙ୍କୁ ଗ୍ରହଣ କଲେ ଏବଂ ସାରା ମାନବ ଜାତି ତାଙ୍କ ପାଇଁ ଗର୍ବ କଲା। ତାଙ୍କର ଘନିଷ୍ଠ ବନ୍ଧୁ ସିଏଫ୍ ଆଣ୍ଡୃଜ ଯେତେବେଳେ କହିଲେ ଯେ ଅନେକ ହିନ୍ଦୁଶାସ୍ତ୍ରରେ ଅହିଂସାକୁ ପ୍ରାଧାନ୍ୟ ଦିଆ ଯାଇଛି ଗାନ୍ଧିଜୀ ସେଥିରେ ଏକମତ ନହୋଇ କହିଥିଲେ- କାହିଁ ମହାଭାରତ ବା ରାମାୟଣରେ ତ ଏହାର ପ୍ରମାଣ ମିଳୁନାହିଁ। ମୋର ପ୍ରିୟ ତୁଳସୀ ଦାସ ମଧ୍ୟ ଏହି ଅଭିଯୋଗରୁ ମୁକ୍ତ ନୁହନ୍ତି। ଭାରତରେ ଦଳିତମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଛି ଏବଂ ଦେଶରୁ ବୌଦ୍ଧଧର୍ମକୁ ବହିଷ୍କାର କଲାବେଳେ ଚରମ ନିଷ୍ଠୁରତାର ଆଶ୍ରୟ ନିଆଯାଇଥିଲା।
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ତାଙ୍କ ଆଦର୍ଶର ଏହି ଦିଗଟି ବିଷୟରେ ଅଧିକ ଆଲୋଚନା ହେବବୋଲି ଆଶା।