ଜଳ ପ୍ରଦୂଷଣ ରୋକିବା ଜରୁରୀ

ବିଶ୍ବରେ ଅର୍ଦ୍ଧାଧିକ ଜନସଂଖ୍ୟା ଏବେ ବି ସ୍ବଚ୍ଛଜଳ ପାଇବାରୁ ବଞ୍ଚିତ। ଆମେ ବ୍ୟବହାର କରୁଥିବା ଭୂତଳ ଜଳରେ ଦିନକୁ ଦିନ ଅଧିକ ମାତ୍ରାରେ ରାସାୟନିକ ପଦାର୍ଥ ବାହାରୁଛି। ଏହାକୁ ରୋକାଯିବା ଜରୁରୀ।

ପାନୀୟ ଜଳରେ ରାସାୟନିକ ପଦାର୍ଥ ବୃଦ୍ଧିପାଇବା ଏବେ ଚିନ୍ତାର ବିଷୟ ପାଲଟିଛି। ଜଳରେ ବୃଦ୍ଧି ପାଉଥିବା ଅଧିକ ନାଇଟ୍ରେଟକୁ କିପରି ହ୍ରାସ କରିହେବ ସେ ଦିଗରେ ପଦକ୍ଷେପ ନେବା ଜରୁରୀ । ଜଳକୁ ରାଜ୍ୟ ସୂଚୀରେ ସ୍ଥାନିତ କରାଯାଇଛି। ତେବେ ରାଜ୍ୟ ସରକାରମାନେ ଏହି ଜଳ ପ୍ରଦୂଷଣ ପ୍ରତି ଧ୍ୟାନ ଦେଉ ନଥିବା ନଜରକୁ ଆସିଛି। ଏପରି କ୍ଷେତ୍ରରେ କେନ୍ଦ୍ର ସରକାର ଉଦାସୀନ ରହିବା ମଧ୍ୟ ସଭିଙ୍କୁ ଚକିତ କରିଛି। ନିକଟରେ ଜାରି କରାଯାଇଥିବା କେନ୍ଦ୍ରୀୟ ଭୂଜଳ ବୋର୍ଡ଼ ରିପୋର୍ଟ ଅନୁଯାୟୀ ଦେଶର ୧୮ଟି ରାଜ୍ୟର ୨୩୯ ଜିଲାର ଭୂଜଳ ଲୁଣିଆ। ସେହିପରି ୨୩ ରାଜ୍ୟର ୩୭୦ ଜିଲା​‌ର ଭୂଜଳରେ ଫ୍ଲୋରାଇଡ ମା୍ତ୍ରା ସାମାନ୍ୟ ଠାରୁ ଅଧିକ। ୨୧ ରାଜ୍ୟର ୧୫୪ ଜିଲାର ଭୂଜଳରେ ଆର୍ସେନିକ ମାତ୍ରା ଅଧିକ ଥିବା ଜଣାପଡ଼ିଛି।

ସେହିପରି ୨୪ ଜିଲାର ଭୂଜଳରେ କେଡମିୟମ, ୯୪ ଜିଲାରେ ସୀସା, ୩୪୧ ଜିଲାରେ ଲୌହ ଓ ୪୨୩ ଜିଲାର ଭୂଜଳରେ ନାଇଟ୍ରେଟ ମାତ୍ରା ଅଧିକ ଥିବା ଜଣାପଡ଼ିଛି। ଏହି ଜିଲାଗୁଡ଼ିକର ଜନସାଧାରଣ କ୍ଷେତରେ ପ୍ରଚୁର ରାସାୟନିକ ସାର ବ୍ୟବହାର କରୁଛନ୍ତି। କୃଷି ପ୍ରଧାନ ରାଜ୍ୟ ଉତ୍ତର ପ୍ରଦେଶର ୫୯, ପଞ୍ଜାବର ୧୯, ହରିୟାଣାର ୨୧ ଓ ମଧ୍ୟପ୍ରଦେଶର ୨୯ଟି ଜିଲାର ଭୂଜଳରେ ନାଇଟ୍ରେଟ ପରିମାଣ ଅଧିକ ରହିଛି। ବିନା କୃଷି ବୈଜ୍ଞାନିକଙ୍କ ପରାମର୍ଶ ଓ ଅଧିକ ରାସାୟନିକ ସାର ଜମିରେ ପକାଉଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ଜଳରେ ବୃଦ୍ଧି ପାଉଥିବା ନାଇଟ୍ରେଟ ଶରୀରର ହଜମ ଶକ୍ତି ଓ ଶ୍ବାସକ୍ରିୟାରେ ବାଧା ଉପୁଜାଇ ଥାଏ। ସଂସଦରେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଅନୁଯାୟୀ ଦେଶରେ ୪ ଶହରୁ ଊର୍ଦ୍ଧ୍ବ ଜିଲାର ପାନୀୟ ଜଳରେ ରାସାୟନିକ ପଦାର୍ଥ ବାହାରୁଛି। ବିଶୁଦ୍ଧ ଜଳ ଟିକିଏ ମିଳୁ ନାହିଁ। ଆଉ କେତେକ ଜିଲାର ଫ୍ଲୋରାଇଡ, ଆର୍ସେନିକ ପରି ରାସାୟନିକ ଦ୍ରବ୍ୟ ପାନୀୟ ଜଳରୁ ବାହାରୁଛି। ଅଧିକାଂଶ ଜିଲାର ଭୂଜଳରେ ନାଇଟ୍ରେଟ ଓ ଲୌହ ବାହାରୁଥିବା ଜଣାପଡ଼ିଛି। ଜଳରେ ନାଇଟ୍ରେଟ ବାହାରିବା ମାନବକୃତ ବୋଲି କୁହାଯାଉଛି। ଯେଉଁ ରାଜ୍ୟର କୃଷିରେ ଯେତେ ରାସାୟନିକ ସାର ସିଞ୍ଚନ କରାଯାଉଛି ସେହିସବୁ ସ୍ଥାନର ଭୂଜଳରେ ସେତେ ଅଧିକ ନାଇଟ୍ରେଟ ଦେଖିବାକୁ ମିଳୁଛି। ଜାତିସଙ୍ଘ ରିପୋର୍ଟ ଅନୁଯାୟୀ, ବିଶ୍ବର ଅର୍ଦ୍ଧାଧିକ ଜନସଂଖ୍ୟା ଏବେ ବି ସ୍ବଚ୍ଛ ଜଳ ପାଇବାରୁ ବଞ୍ଚିତ। ଭାରତରେ ଏପରି ସ୍ଥିତି ଭୟାବହ ରୂପ ଧାରଣ କରିଛି। ଏହି ବିକଟ ପରିସ୍ଥିତିରେ ଭୂଜଳରେ ନାଇଟ୍ରେଟ ବାହାରିବା ନିଶ୍ଚୟ ଚିନ୍ତାଜନକ। ୨୪ ସେପ୍ଟେମ୍ବର ୨୦୨୦ର ଏକ ଅଧିସୂଚନା ଅନୁଯାୟୀ ଭୂଜଳର ଗୁଣବତ୍ତା ପାଇଁ ଦେଶରେ କେତେଗୁଡ଼ିଏ କଠୋର ପଦକ୍ଷେପ ନିଆଯାଇଥିଲା। ମୁହାଣରେ କଳକାରଖାନା ସ୍ଥାପନ କରି ଭୂଜଳକୁ ପରିଷ୍କାର କରିବା, ଜଳାଶୟ ଓ ନଦୀଗୁଡ଼ିକରେ ନାଳ ଦ୍ବାରା ଆସୁଥିବା ଦୁର୍ଗନ୍ଧମୟ ପାଣିକୁ ବନ୍ଦ କରିବା ଆଦି ପଦକ୍ଷେପ ପ୍ରମୁଖ ଭାବେ ସ୍ଥାନ ପାଇଥିଲା। ଏହି ଅଧିସୂଚନା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଜଳ ଜୀବନ ମିଶନ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି।

ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦ ପ୍ରତିଶତ ରୋଗର କାରଣ ହେଉଛି ଦୂଷିତ ଜଳ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବ୍ୟାପକ ସହରୀକରଣ ଓ ଉଦ୍ୟୋଗୀକରଣ ଯୋଗୁଁ ଆମର ପର୍ଯ୍ୟଟନ କ୍ଷେତ୍ର ନଷ୍ଟ ହେବାରେ ଲାଗିଛି। କୌଣସି ଦେଶର ଜଳ ପୂର୍ତ୍ତିର ମାଧ୍ୟମ ହେଉଛି ଭୂଜଳ। ଏବେ ଏହା ଦୂଷିତ ହେବାରେ ଲାଗିଛି। ଏଥିରୁ ନାଇଟ୍ରେଟ ବାହାରିବା ଚିନ୍ତାଜନକ । ନାଇଟ୍ରେଟ ହେଉଛି ନାଇଟ୍ରୋଜେନ ଓ ଅମ୍ଳଜାନରୁ ସୃଷ୍ଟି ହେଉଥିବା ଏକ ରାସାୟନିକ। ବର୍ଷା ଜଳ କ୍ଷେତରେ ମିଶି ଏହାକୁ କୂପ, ପୋଖରୀ ଆଦି ସ୍ଥାନକୁ ନେଇ ଆସେ। ଏହି ନାଇଟ୍ରେଟ ମିଶା ଜଳକୁ ମଣିଷ ଓ ପଶୁ ପିଇ ମୃତ୍ୟୁ ମୁଖରେ ପଡ଼ିଥା’ନ୍ତି। ଗତ ବର୍ଷ ନାଇଟ୍ରେଟର ବ୍ୟବହାର ଅଧିକ ଦେଖିବାକୁ ମିଳିଛି। ଦେଶର ଅନେକ ସ୍ଥାନରେ ନାଇଟ୍ରେଟ ବୃଦ୍ଧି ପାଇଥିବା କୃଷି ବିଜ୍ଞାନୀମାନେ ସ୍ବୀକାର କରିଛନ୍ତି। ଗ୍ରାମାଞ୍ଚଳ​‌ରେ ନାଇଟ୍ରୋଜନ ସାର ଅଧିକ ବ୍ୟବହାର କରାଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ବାସ୍ତବପକ୍ଷେ ନାଇଟ୍ରେଟ ଏକାକୀ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ ନାହିଁ। ତେବେ ଅଳ୍ପ ମାତ୍ରାର ନାଇଟ୍ରାଇଟ ସମସ୍ତଙ୍କ ପାଇଁ କ୍ଷତି କାରକ। ପାଣି ଅଥବା ଭୋଜନ ମାଧ୍ୟମରେ ଯେତେବେଳେ ନାଇଟ୍ରେଟ ଶରୀର ମଧ୍ୟକୁ ଯାଏ; ମୁହଁ ତଥା ଅନ୍ତକୋଷରେ ଥିବା ଜୀବାଣୁମାନେ ଏହାକୁ ନାଇଟ୍ରାଇଟରେ ରୂପାନ୍ତରିତ କରିଥା’ାନ୍ତି। ଏହା ରକ୍ତର ହେମ୍ଳୋଗୋବିନ ପରିବହନ କ୍ଷମତାକୁ ହ୍ରାସ କରି ଥାଏ। ଅତିରିକ୍ତ ନାଇଟ୍ରାଇଟ ସୃଷ୍ଟି ହେଲେ ଆମ ଶ୍ବାସ ପ୍ରଶ୍ବାସରେ ବାଧା ଉପୁଜି ଥାଏ।

ଜଳରେ ନାଇଟ୍ରେଟ ମାତ୍ରା ଅଧିକ ରହିବା ଶିଶୁଙ୍କ ପକ୍ଷେ ଅଧିକ କ୍ଷତିକାରକ ବୋଲି ରୁଷ୍‌ର ବୈଜ୍ଞାନିକମାନେ ମତ ଦେଇଛନ୍ତି। ଅଧିକ ନାଇଟ୍ରେଟ ଯୁକ୍ତ ଜଳ କର୍କଟ ରୋଗର ଅନ୍ୟ ଏକ କାରଣ। ଜଳରେ ନାଇଟ୍ରେଟ ବୃଦ୍ଧି ପାଇଲେ ମନୁଷ୍ୟ ଶରୀରର ମାଂଶପେଶୀ ଦୁର୍ବଳ ହୋଇପଡ଼େ। ଆଉ ଫୂର୍ତ୍ତି ଲାଗେ ନାହିଁ। ଗରମ ଦିନରେ ପଶୁପକ୍ଷୀମାନେ ଅଧିକ ସଂଖ୍ୟାରେ ନାଇଟ୍ରେଟ ମିଶା ପାଣି ବ୍ୟବହାର କରୁଥିବା ଭାରତୀୟ ପଶୁ ଚିକିତ୍ସା ଅନୁସଂଧାନ ସଂସ୍ଥା ପ୍ରକାଶ କରିଛି। ପଶୁମାନେ ଏହି ପାଣିକୁ ବ୍ୟବହାର କରିବା ଦ୍ବାରା ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଜଳରୁ ନାଇଟ୍ରେଟର ମାତ୍ରା କିପରି ହ୍ରାସ କରାଯିବ ତାହା ଏବେ ପ୍ରଶ୍ନ ପାଲଟିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈଜ୍ଞାନିକ ପ୍ରଣାଳୀରେ ଲୋକଙ୍କୁ ଏ ଦିଗରେ ସଚେତନ କରିବା ଜରୁରୀ ହୋଇପଡ଼ିଛି।

Comments are closed.