‘କର ବା ମର’ ଆନ୍ଦୋଳନରେ ଓଡ଼ିଶା

0

ସୁରେନ୍ଦ୍ରନାଥ ନାୟକ

prayash

ଭାରତଛାଡ଼ ଆନ୍ଦୋଳନ ଆମ ସ୍ୱାଧୀନତା ସଂଗ୍ରାମର ଏକ ଅବିସ୍ମରଣୀୟ ଅଧ୍ୟାୟ। ବ୍ରିଟିଶ୍ ଶାସନକୁ ଭାରତ ମାଟିରୁ ହଟାଇବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉଦାତ୍ତ ଆହ୍ୱାନ ‘କର ବା ମର’ରେ ଅଭିମନ୍ତ୍ରିତ ହୋଇ ଦେଶବାସୀ ସତେ ଯେମିତି ସେତେବେଳେ ବାଜି ଲଗାଇ ଦେଇଥିଲେ ସେମାନଙ୍କ ଜୀବନକୁ। ୭୬ ବର୍ଷ ତଳର ଏହି ଐତିହାସିକ ଘଟଣାବଳୀ ଆଜି ବି ହାତଠାରି ଡାକୁଛି କ୍ରାନ୍ତିକାମୀମାନଙ୍କୁ ଦେଶ ମାତୃକାକୁ ଉଗ୍ର ସାମ୍ପ୍ରଦାୟିକତା, ଦାରିଦ୍ର୍ୟ, ବେକାରୀ, ବେରୋଜଗାରୀ, ସାମାଜିକ ଅସମାନତା ଆଦିରୁ ଉଦ୍ଧାର କରିବାକୁ।
ସେଦିନ ଥିଲା ୧୯୪୨ ଅଗଷ୍ଟ ୮ ତାରିଖ। ବମ୍ବେର ଗୋଆଲିଆ ଟ୍ୟାଙ୍କ (ଅଗଷ୍ଟ କ୍ରାନ୍ତି) ମଇଦାନରେ କଂଗ୍ରେସର ଖୋଲା ଅଧିବେଶନରେ ଦେଶର ଶେଷ ସ୍ୱାଧୀନତା ସଂଗ୍ରାମ ପାଇଁ ଗାନ୍ଧିଜୀ ଦେଇଥିଲେ ‘କର ବା ମର’ ଡାକରା। ଆକୁମାରି ହିମାଚଳ ତାଙ୍କ ଆହ୍ୱାନ ପ୍ରତିଧ୍ୱନିତ ହୋଇଥିଲା। ଫରାସୀ ରାଷ୍ଟ୍ର ବିପ୍ଳବ କିମ୍ବା ରୁଷ୍ ବିପ୍ଳବଠାରୁ କୌଣସି ଗୁଣରେ ଏହି ଅଗଷ୍ଟ ବିପ୍ଳବ କମ୍ ନୁହେଁ। ଏହି ଜାତୀୟ ମୁକ୍ତି ଆନ୍ଦୋଳନରେ ଓଡ଼ିଶାର ଅବଦାନ ଅତୁଳନୀୟ।
୧୯୨୦ର ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ ଏବଂ ତା’ପରେ ବାଣୀ ସତ୍ୟାଗ୍ରହ ପରି ସତ୍ୟ, ଅହିଂସା ଉପରେ ଆଧାରିତ ଅନେକ ଆନ୍ଦୋଳନ ଦେଶରେ ମୁଣ୍ଡ ଟେକିଥିଲା। ୧୯୪୨ ଜୁଲାଇ ମାସରେ ୱାର୍ଦ୍ଧାଠାରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ପ୍ରସ୍ତାବ ଆଧାରରେ ଅଗଷ୍ଟ ୮ ତାରିଖରେ ହେଲା ବମ୍ବେରେ କଂଗ୍ରେସର ଖୋଲା ଅଧିବେଶନ। ଏଥିରେ ଲକ୍ଷାଧିକ ଲୋକ ଗାନ୍ଧିଜୀଙ୍କ ଚରମ ଆହ୍ୱାନ ଶୁଣିବାକୁ ସମବେତ ହୋଇଥିଲେ। କଂଗ୍ରେସ କାର୍ଯ୍ୟକାରୀ କମିଟିର ପ୍ରାୟ ୨୦୦ ସଦସ୍ୟ ବି ଏଥିରେ ଯୋଗ ଦେଇଥିଲେ। ମାଳତୀ ଚୌଧୁରୀ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ହରେକୃଷ୍ଣ ମହତାବ, ପ୍ରହଲ୍ଲାଦ ରାୟ ଲାଠ୍ ଓ ଲକ୍ଷ୍ମୀନାରାୟଣ ମିଶ୍ର ଏଥିରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ଏହି ବିଶାଳ ସମାବେଶରେ ଇଂରେଜଙ୍କୁ ଭାରତ ଛାଡ଼ି ଚାଲିଯିବାକୁ ଗାନ୍ଧିଜୀଙ୍କ ଆହ୍ୱାନ ସହିତ ଶେଷ ଲଢ଼େଇ ଲାଗି ଦେଶବାସୀଙ୍କୁ ଗାନ୍ଧିଜୀ ଦେଇଥିଲେ ‘ଡୁ ଅର୍ ଡାଏ’ର ମହାମନ୍ତ୍ର। ଏହା ସାରା ଦେଶରେ ଚମକ ଖେଳାଇଦେଲା। ପରିସ୍ଥିତିର ଭୟାବହତାକୁ ଆଶଙ୍କା କରି ବ୍ରିଟିଶ୍ ସରକାର ଗାନ୍ଧିଜୀଙ୍କ ସମେତ ପ୍ରାୟ ସବୁ ନେତାଙ୍କୁ ଅଗଷ୍ଟ ୮-୯ ମଧ୍ୟରାତ୍ରିରେ ଗିରଫ କରିନେଲେ। ତେବେ ପୁଲିସ ଆଖିରେ ଧୂଳି ଦେଇ ଛଦ୍ମବେଶରେ ବମ୍ବେରୁ ଓଡ଼ିଶା ଚାଲି ଆସିଥିଲେ ମାଳତୀ ଚୌଧୁରୀ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ। ସେମାନେ ଏଠାରେ ପହଞ୍ଚିବା ପୂର୍ବରୁ ରାଜ୍ୟରେ ପ୍ରାୟ ସବୁ ନେତା ଓ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଜେଲରେ। ମାଳତୀ ଦେବୀ ଓ ଦ୍ୱିବେଦୀଙ୍କ ଗୁପ୍ତ ସଂଯୋଜନାରେ ସାରା ରାଜ୍ୟରେ ସଂଗ୍ରାମ ଜୋରଦାର୍ ହେଲା। ବିଜୁ ପଟ୍ଟନାୟକ ବ୍ରିଟିଶ ସରକାରଙ୍କର ପାଇଲଟ ଥାଇ ମଧ୍ୟ ସରୋଜିନୀ ନାଇଡ଼ୁଙ୍କ ସମେତ ବହୁ ସଂଗ୍ରାମୀଙ୍କୁ ଗୁପ୍ତ ସ୍ଥାନରୁ ନବା ଆଣିବା କରିଥିବାରୁ ତାଙ୍କୁ ଗିରଫ କରାଯାଇ ତାଙ୍କ ଶରୀର ଉପରେ ବହୁ ଅତ୍ୟାଚାର କରାଯାଇଥିଲା।
ସେତେବେଳକୁ ବର୍ତ୍ତମାନ ଭଳି ବ୍ୟାପକ ଗଣମାଧ୍ୟମ ନ ଥାଏ। ତେବେ ଇଂରେଜଙ୍କୁ ହଟାଇବାକୁ ଗାନ୍ଧିଜୀଙ୍କ କର ବା ମର ଡାକରା କଟକ, ସମ୍ବଲପୁରରୁ ଆରମ୍ଭ କରି କୋରାପୁଟର ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ଆଦିବାସୀ ପଲ୍ଲୀରେ ବି ପ୍ରତିଧ୍ୱନିତ ହେଲା। ଜନଆନ୍ଦୋଳନକୁ ଦବାଇବା ପାଇଁ ବ୍ରିଟିଶ୍ ସରକାର ଓଡ଼ିଶାରେ ଯେପରି ଦମନଲୀଳା ଚଳାଇଲେ ସେଥିରେ ଅନ୍ୟୂନ ୨୦୦ ଓଡ଼ିଆ ସହିଦ ହେବାର ସୌଭାଗ୍ୟ ପାଇଲେ।
ଭଦ୍ରକର ବାସୁଦେବପୁର ନିକଟବର୍ତ୍ତୀ ଇରମ୍ ଅଞ୍ଚଳକୁ ଲୋକେ ସ୍ୱାଧୀନ ଘୋଷଣା କରି ଗଢ଼ିଥିଲେ ସ୍ୱାଧୀନ ବାଞ୍ଛାନିଧି ଚକ୍‌ଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କର ଭାରତଛାଡ଼ ଆନ୍ଦୋଳନ ପୂର୍ବରୁ ପରଲୋକ ହୋଇସାରିଥାଏ। ତେବେ ସେ ଯେଉଁ ସଙ୍ଗଠନର ମଞ୍ଜି ପୋତିଥିଲେ ତାହା ଏକପ୍ରକାର ଦ୍ରୁମରେ ପରିଣତ ହେଲା। ସେଦିନ ଥିଲା ୧୯୪୨ ସେପ୍ଟେମ୍ବର ୨୮ ତାରିଖ। ଇରମରେ ୧୦ ହଜାରରୁ ଊର୍ଦ୍ଧ୍ବ ସ୍ୱାଧୀନତା ପିପାସୁଙ୍କ ସମାବେଶ। ୧୯୧୯ରେ ଯେମିତି ପଞ୍ଜାବର ଜାଲିଆଁୱାଲାବାଗରେ ଜନ ସମାବେଶ ଉପରେ ବ୍ରିଟିଶ୍ ସରକାର ଆଖିବୁଜା ଗୁଳିଚାଳନା କରି ନରସଂହାର ରଚିଥିଲେ ଠିକ୍ ସେହିପରି ଘଟାଇଲେ ଇରମରେ। ବ୍ରିଟିଶ୍ ପୁଲିସର ଅତର୍କିତ ଗୁଳି ବର୍ଷଣରେ ଜଣେ ମହିଳାଙ୍କ ସମେତ ୨୯ ଜଣ ସହିଦ ହେଲେ ଓ ୫୬ରୁ ଅଧିକ ଗୁଳିମାଡ଼ରେ ଆହତ ହେଲେ। ସଂଗ୍ରାମ ଭୂମି ଇରମ୍ ପାଲଟିଗଲା ରକ୍ତତୀର୍ଥ। ଭାରତଛାଡ଼ ଆନ୍ଦୋଳନ ସମୟରେ ଦେଶର ଅନ୍ୟ କୌଣସି ସ୍ଥାନରେ ଏତେ ସଂଖ୍ୟକ ଲୋକ ସହିଦ ହୋଇନାହାନ୍ତି।
ରକ୍ତମୁଖା ବ୍ରିଟିଶ୍ ପ୍ରଶାସନ ନବରଙ୍ଗପୁର ନିକଟବର୍ତ୍ତୀ ପାପଡ଼ାହାଣ୍ଡିର ତୁରୀ ନଦୀ ନିକଟରେ ବି ରଚିଥିଲା ଅନ୍ୟ ଏକ ଜାଲିଆଁୱାଲବାଗ୍। ଏଠାରେ ଶୋଭାଯାତ୍ରାରେ ଯାଉଥିବା ଅହିଂସ ସତ୍ୟାଗ୍ରହୀମାନଙ୍କୁ ନଦୀକୂଳରେ ଘେରିଯାଇ ଆଖିବୁଜା ଗୁଳିଚାଳନା କରାଯିବାରୁ ୧୯ ଜଣ ସହିଦ ହେଲେ। ତୁରୀ ନଦୀର ପ୍ରଖର ସ୍ରୋତକୁ ଲମ୍ଫ ଦେଇ ଆଉ କେତେ ସଂଗ୍ରାମୀ ମଧ୍ୟ ଭାସିଗଲେ। ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲୁଣିଆରେ ୯ ଜଣ ସଂଗ୍ରାମୀ ପୁଲିସ ଗୁଳିରେ ସହିଦ ହୋଇଥିବା ବେଳେ ତୁଡ଼ିଗଡ଼ିଆ-ଖଇରାଡିହିରେ ୩ ଜଣ ଦେଶ ପାଇଁ ଜୀବନ ଦେଲେ। ଯାଜପୁରର ବରୀ ନିକଟବର୍ତ୍ତୀ କାଇପଡ଼ା-କଳାମାଟିଆରେ ୪ ଜଣ ସଂଗ୍ରାମୀ ବ୍ରିଟିଶ୍ ଫୌଜର ଗୁଳି ଆଗରେ ଛାତି ପତାଇ ସହିଦ ହେଲେ। ସେତେବେଳେ ଏହି ରକ୍ତମୁଖା ଫୌଜକୁ ଅନ୍ନପୂର୍ଣ୍ଣା ମହାରଣାଙ୍କ ଭଳି ଜଣେ ସାହସିନୀ ଯୁବତୀ ଯେପରି ମୁକାବିଲା କରିଥିଲେ ତାହା ଇତିହାସର କଥାବସ୍ତୁ।
ମାଲକାନଗିରି ଜିଲାର ମାଥିଲିରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ବାହାରିଥିବା ନିରସ୍ତ୍ର ସତ୍ୟାଗ୍ରହୀମାନଙ୍କ ଶୋଭାଯାତ୍ରା ଉପରେ ଆଖିବୁଜା ଗୁଳିମାଡ଼ ଯୋଗୁ ୫ ଜଣ ସଂଗ୍ରାମୀ ସହିଦ ହେବା ସହିତ ଆକସ୍ମିକ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡ ମରିଥିଲା। ତେବେ ଏହି ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ପାଇଁ ଆଦିବାସୀ ଯୁବକ ଲକ୍ଷ୍ମଣ ନାୟକଙ୍କୁ ମିଛ ମାମଲାରେ ଛନ୍ଦି ଦୋଷୀ ସାବ୍ୟସ୍ତ କରାଇ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା। ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ବୀର ଲକ୍ଷ୍ମଣ ନାୟକ କହିଥିଲେ ଯେ ସୂର୍ଯ୍ୟଚନ୍ଦ୍ର ସତ ହୋଇଥିଲେ ଦେଶ ନିଶ୍ଚୟ ସ୍ୱାଧୀନ ହେବ, କିନ୍ତୁ ତାଙ୍କର ଅବସୋସ ସେ ସ୍ୱାଧୀନତାର ସୂ​‌େ​‌ର୍ଯ୍ୟାଦୟ ଦେଖିପାରିବେ ନାହିଁ। ଏହି ସମୟରେ ପୁରୀ ଜିଲାର ନିମାପଡ଼ାଠାରେ ସତ୍ୟାଗ୍ରହୀମାନଙ୍କ ଉପରେ ପୁଲିସର ଗୁଳିଚାଳନାରେ ବି ଜଣେ ସହିଦ ହୋଇଥିଲେ।
ଢେଙ୍କାନାଳ ଗଡ଼ଜାତ ଅଞ୍ଚଳରେ ପୁଲିସ ଗୁଳିରେ ୨ ଜଣ ସଂଗ୍ରାମୀଙ୍କ ଜୀବନଦୀପ ଲିଭି ଯାଇଥିବା ବେଳେ ୩ ଜଣଙ୍କୁ ଫାଶୀ ଦଣ୍ଡ ଆଦେଶ ହୋଇଥିଲା। ତାଳଚେର, ନୀଳଗିରି, ନୟାଗଡ଼ ଆଦି ଗଡ଼ଜାତ ଅଞ୍ଚଳରେ ମଧ୍ୟ ୧୫ ଜଣ ସହିଦ ହେଲେ। ସୋନପୁରରେ ସହିଦହେବାର ସୁଯୋଗ ମିଳିଥିଲା ଜଣେ ମହିଳା ସତ୍ୟାଗ୍ରହୀଙ୍କୁ। ସମଗ୍ର ଦେଶ ସହ ତାଳଦେଇ ଓଡ଼ିଶା ସାରା ଅସହଯୋଗ ଆନ୍ଦୋଳନର ଲହର ଖେଳିଗଲା। ଅନେକ ସ୍ଥାନରେ ଶହଶହ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ। ରେଭେନ୍ସା କଲେଜର ଛାତ୍ରଛାତ୍ରୀମାନେ ଅପୂର୍ବ ସାହସିକତାର ପରିଚୟ ଦେଇ ବ୍ରିଟିଶ୍ ପତାକା ଓହ୍ଲାଇ ଉଡ଼ାଇଲେ ତ୍ରିରଙ୍ଗା ଝଣ୍ଡା। କର ବା ମର ଆହ୍ୱାନ ଏତେ ତୀବ୍ର ଥିଲା ଯେ ବହୁ ନବପରିଣୀତା ଓ ୧୫/୧୬ ବର୍ଷର କିଶୋରୀ ଝିଅ ବି ଆନ୍ଦୋଳନରେ ଝାସ ଦେଇ କାରାବରଣ କରିଥିଲେ। ଓଡ଼ିଶାରେ ବନ୍ଦୀ ହୋଇଥିବା ହଜାରହଜାର ସଂଗ୍ରାମୀଙ୍କୁ ରଖିବା ଲାଗି କାରାଗାରରେ ବି ସ୍ଥାନର ଅଭାବ ପଡ଼ିଥିଲା।
ଏହି ଆନ୍ଦୋଳନ ବେଳେ ଜେଲ୍ ଭିତରେ ଓ ବାହାରେ ଯେଉଁ ଦମନଲୀଳା ଚାଲିଥିଲା ସେଥିରେ କେବଳ ଅବିଭକ୍ତ କୋରାପୁଟ ଜିଲାର ୮୩ ଜଣ ସହିଦ ହୋଇଥିଲେ। ସମଗ୍ର ରାଜ୍ୟରେ ଏହି ସଂଖ୍ୟା ଢେର୍ ଅଧିକ ଥିଲା। ହଜାରହଜାର ସଂଗ୍ରାମୀଙ୍କ ବଳିଦାନର ପୃଷ୍ଠଭୂମିରେ ଆମେ ହାସଲ କଲୁ ଆମର ଈପ୍ସିତ ସ୍ୱାଧୀନତା ୧୯୪୭ ଅଗଷ୍ଟ ୧୫ ତାରିଖରେ। ମହାତ୍ମା ଗାନ୍ଧୀଙ୍କ ଅଧିନାୟକତ୍ୱରେ ଚାଲିଥିବା ସ୍ୱାଧୀନତା ଆନ୍ଦୋଳନ ସଫଳ ହେଲା, କିନ୍ତୁ ସ୍ୱାଧୀନତାର ୬ ମାସ ମଧ୍ୟରେ ଏକ ବିକୃତ ବିଚାରର କୁତ୍ସିତ ଷଡ଼ଯନ୍ତ୍ରରେ ଗାନ୍ଧୀ ବି ସହିଦ ହୋଇଗଲେ। ଦେଶ ସ୍ୱାଧୀନତାର ଇତିମଧ୍ୟରେ ୭୧ ବର୍ଷ ପୂରଣ ହେଉଛି। ଇଂରେଜମାନେ ହଟି ନିର୍ବାଚିତ ଭାରତୀୟ ଲୋକପ୍ରତିନିଧି ଦେଶ ଶାସନ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଅବଶ୍ୟ ଦେଶର ପ୍ରଗତି ହୋଇଛି, କିନ୍ତୁ ଏଯାବତ୍ ସ୍ୱାଧୀନତା ସଂଗ୍ରାମର ସମସ୍ତ ଘୋଷିତ ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଆର୍ଥିକ ଅସମାନତାଠାରୁ ଆରମ୍ଭ କରି ବେକାରୀ, ବେରୋଜଗାରୀ ଆଦି ଆମ ବ୍ୟବସ୍ଥାକୁ ପଙ୍ଗୁ କରୁଛି। ସାମାଜିକ, ଆର୍ଥିକ, ନୈତିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ରାଜନୈତିକ କ୍ଷେତ୍ରରେ ସ୍ୱାଧୀନ ଭାରତର ଯେଉଁ ସ୍ୱରୂପ ଆସିବ ବୋଲି କୁହାଯାଉଥିଲା ତାହା ଏବେ ବି ସ୍ୱପ୍ନରେ ରହିଛି। ସ୍ୱାଧୀନ ଭାରତର ଆଇନଶୃଙ୍ଖଳା ବ୍ୟବସ୍ଥା ଏତେ ଉନ୍ନତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ ରାସ୍ତାର ଯେକୌଣସି ସ୍ଥାନକୁ ଯାଇ ନିରାପଦରେ ଫେରି ଆସିବ ବୋଲି କୁହାଯାଇଥିଲା। ଏବେ କିନ୍ତୁ ଅବସ୍ଥା ସମ୍ପୂର୍ଣ୍ଣ ବିପରୀତ। ସ୍ୱାଧୀନତା ପ୍ରାପ୍ତି ପରେ ବ୍ୟବସ୍ଥାର ପରିବର୍ତ୍ତନ ଲାଗି ଗାନ୍ଧିଜୀ ଲମ୍ବା ଲଢ଼େଇ ପାଇଁ ଆହ୍ୱାନ ଦେଇଥିଲେ। ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗ ହିଁ ଦେଶ ବିକାଶ ଲାଗି ଏକମାତ୍ର ଚାବିକାଠି। ଭାରତଛାଡ଼ ଆନ୍ଦୋଳନର ୭୬ ବର୍ଷ ପୂର୍ତ୍ତି ଅବସରରେ ବ୍ୟବସ୍ଥାର ବିବର୍ତ୍ତନ ଲାଗି ଜାତିର ଜନକଙ୍କ ଗୁରୁମନ୍ତ୍ର ‘କର ବା ମର’ ତେଣୁ ମନେ ପଡ଼ିବା ସ୍ୱାଭାବିକ। ଏହି ଭିତ୍ତିଭୂମିରେ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି ଜାତୀୟ କବି ବୀରକିଶୋରଙ୍କ ବିଦ୍ରୋହୀ ବୀଣାର ସେହି କାଳଜୟୀ ଆହ୍ୱାନ- ‘ଅରି ଫେରି ନାହିଁ, ଯୁଦ୍ଧ ସରିନାହିଁ/ ଆସ ମୋ ଶିବିରେ ଆସ ଭାଇ…..’।

Leave A Reply