www.samajalive.in
Saturday, December 6, 2025
23.1 C
Bhubaneswar

କୁଁଅର ସାହେବ, ଏ କଥା କହିବ ନାହିଁ….

ଡ.ହେମେନ୍ଦ୍ର ନାରାୟଣ ଦାସ

ୱାଘା। ଭାରତ ପାକିସ୍ତାନ ସୀମାନ୍ତରେ ଥିବା ଏକ ଆଉଟପୋଷ୍ଟ। ସେଠାରେ ଆମେ ପହଞ୍ଚିଲାବେଳକୁ ଆସନ୍ନ ସନ୍ଧ୍ୟାର ପୃଷ୍ଠଭୂମିରେ ଆକାଶ ତଥାପି ଥିଲା ସୁନୀଳ। ଉପରେ ଫିକା ପୋର୍ସେଲିନ୍‌ ରଙ୍ଗର ନୀଳ ଆକାଶ। ଏପଟୁ ଦଳଦଳ ପକ୍ଷୀ ଉଡ଼ିଯାଉଛନ୍ତି ସେପଟକୁ, ପୁଣି ଚକ୍କର କାଟି ଫେରିଆସୁଛନ୍ତି ଏପଟକୁ। ଏ ପକ୍ଷୀମାନେ ବୁଝନ୍ତି ନାହିଁ କ’ଣ ଭୂଗୋଳ, କ’ଣ ରାଜନୀତି! ଅନନ୍ତ ଆକାଶ ବି ଛବିଟିଏ ଆଙ୍କେନାହିଁ, କିଏ କେଉଁଆଡ଼େ ଗଲାବୋଲି। କିଛି ସମୟପରେ ଆରମ୍ଭ ହେଲା ପତାକା ଅବତରଣ ଉତ୍ସବ। ଉଭୟ ଦେଶର ମିଲିଟାରୀ କମାଣ୍ଡର ମିଲିଟାରୀ ବ୍ୟାଣ୍ଡର ତାଳେତାଳେ ହାତ ମିଳେଇବେ ଆସନ୍ତାକାଲି ପାଇଁ ଶାନ୍ତି ଓ ସଦିଚ୍ଛା ପ୍ରତିଷ୍ଠା ପାଇଁ। ହଠାତ୍‌ ଆରମ୍ଭ ହୋଇଗଲା ଉଭୟ ପଟରେ ରୁଣ୍ଡ ହୋଇଥିବା ଲୋକଙ୍କ ଭିତରେ ପରସ୍ପର ବିରୋଧୀ ପ୍ରବଳ ହଟ୍ଟଗୋଳ। ମଣିଷ ତରଙ୍ଗର ଉଗ୍ର କଳରୋଳ ଭିତରେ ଶାନ୍ତି ଓ ଭାଇଚାରା କେତେବେଳେ କେଉଁଠି ଦୂରକୁ ଛିଟିକି ପଡ଼ିଥିଲା। ସ୍ମୃତିର ତମସାଭିତରୁ ହଠାତ୍‌ ଫୁଟି ଉଠିଲା ପିଲାଦିନର ଖେଳ। କଅଁଳ, ଚପଳ, ଅବୋଧ ଶୈଶବ କାଳର ସେ, ଖେଳରେ ଯିଏ ଜିତିଲା ସେ ଭାରତ, ଆଉ ଯିଏ ହାରିଲା ସିଏ ପାକିସ୍ତାନ।
କୁଁଅର ନଟ୍‌ୱର ସିଂହ ଥିଲେ ଭାରତର ବୈଦେଶିକ ମନ୍ତ୍ରୀ। ତା’ ପୂର୍ବରୁ ଥିଲେ ଭାରତୀୟ ବୈଦେଶିକ ସେବାର ଅଫିସର। ଚାକିରିକାଳ ମଧ୍ୟ‌େର ନିଯୁକ୍ତି ମିଳିଲା ପାକିସ୍ତାନର ରାଷ୍ଟ୍ରଦୂତ ଭାବରେ। ଇସ୍‌ଲାମାବାଦ ଯିବା ପୂର୍ବରୁ ଭାରତରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ଅବଦୁସ୍‌ ସତ୍ତାରଙ୍କୁ ସାକ୍ଷାତ କରି ପଚାରିଲେ, ‘ମି ସତ୍ତାର, ଆମେ ଉଭୟ ପରସ୍ପରର ବନ୍ଧୁ ଓ ଲଣ୍ଡନ କମନ୍‌ୱେଲ୍‌ଥରେ ଏକାଠି କାମ କରିଛେ। ଜଣେ ପେସାଦାର କୂଟନୀତିଜ୍ଞ ଭାବରେ ମୁଁ ଜାଣେ ଶ୍ରଦ୍ଧା ଓ ସୌଜନ୍ୟରେ ପଡ଼ୋଶୀ ରାଷ୍ଟ୍ରକୁ କ’ଣ କୁହାଯାଇପାରେ, ତେବେ ମୋତେ କହିପାରିବେ କି, କ’ଣ କୁହାଯିବନାହିଁ? ଉତ୍ତରରେ ସତ୍ତାର କହିଲେ, ‘କୁଁଅର ସାହେବ, କେବେବି ଏକଥା କହିବ ନାହିଁ, ଆମେ ଗୋଟିଏ ସଂସ୍କୃତି, ଗୋଟିଏ ଐତିହ୍ୟର ମଣିଷ ବୋଲି। ଯଦି ତା ହୋଇଥାଆନ୍ତା ତେବେ ଆମେ ବିଭାଜିତ କାହିଁକି ହୋଇଥାଆନ୍ତେ ଓ କାଶ୍ମୀର ଆଜି ସମସ୍ୟା ହୋଇ ରହିନଥାଆନ୍ତା। ତାଙ୍କର ଆତ୍ମଜୀବନୀ ‘ୱାନ୍‌ ଲାଇଫ୍‌ ଇଜ୍‌ ନଟ୍‌ ଏନଫ୍‌’ରେ ନଟୱର ସିଂହ ଲେଖୁଛନ୍ତି, ଏ କଥା ମୁଁ ପାକିସ୍ତାନରେ ଥିବା ପର୍ଯ୍ୟନ୍ତ କେବେବି ଭୁଲି ନଥିଲି।
ଏଇ କାଶ୍ମୀର ହେଉଛି ଭାରତବର୍ଷର ଏଭଳି ଏକ ରାଜ୍ୟ ଯାହାର ସୀମାକୁ ସ୍ପର୍ଶ କରୁଛ ପାଞ୍ଚପାଞ୍ଚଟି ଦେଶ-ରୁଷିଆ, ପାକିସ୍ତାନ, ଆଫ୍‌ଗାନିସ୍ତାନ, ଚୀନ ଓ ଭାରତ। ଏହାର ଅପରୂପ ସୌନ୍ଦର୍ଯ୍ୟର ମୋହିନୀ ମହିମାରେ ମୁଗ୍‌ଧ ହୋଇ କ୍ରୁଶ୍ଚେଭ୍‌ ଥରେ କହିଥିଲେ, ‘‘କାଶ୍ମୀରର ପର୍ବତ ଶିଖରରେ ଠିଆହୋଇ ଡାକଦେଲେ, ପାଞ୍ଚଟି ଦେଶ ଏହାର ସ୍ବର ଶୁଣିପାରିବେ।’’ କାଶ୍ମୀରକୁ ନେଇ ଚାଲିଛି ଆଜି ଦୁଇ ଦେଶ ମଧ୍ୟରେ ଶ୍ବାନଯୁଦ୍ଧର ଜିଘାଂସା ଓ ଚାଲିଛି ମଧ୍ୟ କେତେ ଯେ କେତେ ବିରତିହୀନ ନିଷ୍ଫଳ ବିତର୍କ। ବିଡ଼ମ୍ବନା ହେଉଛି ଶାନ୍ତି ଆଜି ଦୂରେଇ ଯାଉଥିବା ଦିଗ୍‌ବଳୟ ରେଖା ପରି ସୁଦୂରପରାହତ ହୋଇଯାଉଛି। ଏହି ପରମାଣୁ ଶକ୍ତି ସମ୍ପନ୍ନ ଉଭୟ ରାଷ୍ଟ୍ର ବିଶ୍ବଶାନ୍ତି ପାଇଁ ସବୁଠାରୁ ବଡ଼ ଆହ୍ବାନ। ଆମେରିକାର ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ଭାଷାରେ କାଶ୍ମୀର ହେଉଛି- ‘ମୋଷ୍ଟ ଡେଞ୍ଜରସ ନ୍ୟୁକ୍ଲିଅର ଫ୍ଲାସ୍‌ପଏଣ୍ଟ ଅଫ୍‌ ଦି ୱାର୍ଲଡ’।
କାଶ୍ମୀରର ଇତିହାସ! ବଡ଼ ବୈଚିତ୍ର୍ୟମୟ ଓ ରୋମାଞ୍ଚରେ ଭରା ତା’ର ଇତିହାସ। ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଇଷ୍ଟଇଣ୍ଡିଆ କମ୍ପାନୀ ମହାରାଜା ଗୁଲାବ ସିଂହଙ୍କୁ କାଶ୍ମୀରକୁ ବିକି ଦେଇଥିଲେ। ବିନିମୟରେ ପାଇଥିଲେ ଷାଠିଏ ଲକ୍ଷଟଙ୍କା ଓ ପ୍ରତି ବର୍ଷ କାଶ୍ମୀରର ପାର୍ବତ୍ୟ ଅଞ୍ଚଳରେ ବୁଲୁଥିବା ଏକ ବିଶେଷ ପ୍ରଜାତିର ମେଣ୍ଢାଙ୍କ ବେକରୁ ମିଳୁଥିବା ଉଲରୁ ତିଆରି ପାଞ୍ଚଟି ଶାଲ୍‌। ସମୟ ସ୍ରୋତରେ ମହାରାଜା ହରି ସିଂହ ହେଲେ କାଶ୍ମୀରର ଶାସକ। କାଶ୍ମୀରର ସୀମାନ୍ତବର୍ତ୍ତୀ ଅଞ୍ଚଳ ପୁଞ୍ଚ ଥିଲା ଆଂଶିକ ସ୍ବୟଂଶାସିତ। ଦ୍ବିତୀୟ ବିଶ୍ବଯୁଦ୍ଧ ସରି ଆସିଥାଏ। ହରି ସିଂହ ପୁଞ୍ଚକୁ ସମ୍ପୂର୍ଣ୍ଣରୂପେ ନିଜ ନିୟନ୍ତ୍ରଣକୁ ନେଇ ଆସିଲେ ଏବଂ ସେଠାକାର ସଂଖ୍ୟାଧିକ ମୁସଲମାନଙ୍କ ଉପରେ ଆଖିବୁଜା କରଧାର୍ଯ୍ୟ କଲେ। ପୁଞ୍ଚରେ ମୁଣ୍ଡ ଟେକିଲା ପ୍ରବଳ ଜନଅସନ୍ତୋଷ। ସେଇ ସମୟରେ ସେଠାରେ ଥାଆନ୍ତି ବ୍ରିଟିଶ ଇଣ୍ଡିଆନ୍‌ ଆର୍ମିର ପଚାଶ ହଜାର ସଦ୍ୟ ଯୁଦ୍ଧଫେରନ୍ତା ସୈନିକ। ସମସ୍ତଙ୍କ ପାଖରେ ବନ୍ଧୁକ। ଦୁର୍ବଳ, ଦୋଦୁଲ୍ୟମାନ ଚରିତ୍ରର ମଣିଷ ଥିଲେ ହରି ସିଂହ। ଆତଙ୍କିତ ହରି ସିଂହ ମୁସଲମାନ ସୈନିକମାନଙ୍କଠାରୁ ବନ୍ଧୁକ ଜବତ କଲେ। କେବଳ ସେତିକି ନୁହେଁ, ସେ ସବୁକୁ ହିନ୍ଦୁ ଓ ଶିଖ ପରିବାରଙ୍କ ହାତରେ ଟେକିଦେଲେ। ତା’ର ପ୍ରତିକ୍ରିୟା ସ୍ରରୂପ ମୁସଲମାନମାନେ ସୀମାନ୍ତବର୍ତ୍ତୀ ନର୍ଥ ୱେଷ୍ଟର୍ଣ୍ଣ ପ୍ରଭିନ୍‌ସର ଖୋଲାବଜାରରୁ ଅସ୍ତ୍ର କିଣିଲେ। ସେଇ ଦିନଠାରୁ ଉଭୟ ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଗଲା ଅବିଶ୍ବାସ ଓ ତିକ୍ତତା। ବିଶିଷ୍ଟ ଐତିହାସିକ କ୍ରିଷ୍ଟୋଫର ସ୍ନିଡେନଙ୍କ ଏକ ବହୁଚର୍ଚ୍ଚିତ ପୁସ୍ତକ ହେଉଛି ‘କାଶ୍ମୀର ଦି ଅନ୍‌ରିଟିନ୍‌ ହିଷ୍ଟ୍ରି’। ସେଥିରେ ସେ ଲେଖୁଛନ୍ତି, ଭାରତ- ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ସମ୍ପର୍କରେ ଅବକ୍ଷୟ ଓ ଯୁଦ୍ଧର ବାତାବରଣ, ଊଣେଇଶ ଶତଚାଳିଶ ମସିହା ପାକିସ୍ତାନ ପ୍ରାୟୋଜିତ ଆକ୍ରମଣ ପୂର୍ବରୁ, ଏହି ପୁଞ୍ଚ ବିଦ୍ରୋହ ପରଠାରୁହିଁ ଆରମ୍ଭ ହୋଇଥିଲା।
ଏହା ଭିତରେ ସତୁରିବର୍ଷ ବିତିଗଲାଣି; ଇତିହାସର ବହୁ ଛନ୍ଦପତନ ଭିତରେ ଅନେକ କିଛି ବଦଳି ଯାଇଛି। କାଶ୍ମୀରରେ ଆଜି ଶୁଭୁଛି ‘ଆଜାଦିର’ ଡାକ ଓ ପାକିସ୍ତାନରେ ‘ଜିହାଦ’ ଭାରତବର୍ଷ ଓ ହିନ୍ଦୁମାନଙ୍କପ୍ରତି ଘୃଣା ଓ ବି​‌େ​‌ଦ୍ବଷ ଭାବ ସମଗ୍ର ପାକିସ୍ତାନରେ ସ୍କୁଲପିଲାଙ୍କ ପାଠ୍ୟକ୍ରମରେ ଅଂଶବିଶେଷ ହୋଇଯାଇଛି। ନର୍ଥ ​‌େ​‌ୱଷ୍ଟର୍ଣ୍ଣ ପ୍ରଭିନ୍‌ସ ଓ ପାଖାପାଖି ପାହାଡ଼ି ଅଞ୍ଚଳମାନଙ୍କରେ ଏବେ ମଧ୍ୟ ସୃଷ୍ଟି ହେଉଛନ୍ତି ଭାରତବିରୋଧୀ ଆତଙ୍କବାଦୀ ଗୋଷ୍ଠୀ। ‘ଆଲ୍ଲାଙ୍କ’ ନାମରେ କାଶ୍ମୀର ମୁସଲମାନଭାଇଙ୍କ ‘ମୁକ୍ତି’ ପାଇଁ ଭାରତ ବିରୋଧରେ ଯୁଦ୍ଧପାଇଁ ଏମାନେ ପ୍ରସ୍ତୁତ। ଏହାହିଁ ଘଟିଥିଲ ଊଣେଇଶ ସତଚାଳିଶ ମସିହାରେ। ସୌଭାଗ୍ୟବଶତଃ କାଶ୍ମୀର ପାକିସ୍ତାନ କବଳରୁ ବଞ୍ଚିଯାଇଥିଲା। ଊଣେଇଶ ସତଚାଳିଶ ମସିହା ଅକ୍ଟୋବର ଶେଷ ଭାଗରେ ପାକିସ୍ତାନ ପଠେଇଥାଏ ହଜାରହଜାର ସଂଖ୍ୟାରେ ସଶସ୍ତ୍ର ପାହାଡ଼ି ପଠାଣ ଜନଜାତି ସଂପ୍ରଦାୟର ଲୋକଙ୍କୁ କାଶ୍ମୀର ଅଧିକାର କରିବା ପାଇଁ। ତାଙ୍କର ନେତୃତ୍ବ ନେଇଥାଆନ୍ତି ତେଇଶ ବର୍ଷ ବୟସ୍କ ସୈରାବ୍‌ ଖଇରାତ ଖାଁ। ମଧ୍ୟରାତ୍ରିର ସମାହିତ ନିସ୍ତବ୍ଧତାକୁ ବିଦୀର୍ଣ୍ଣ କରି ଏମାନେ ପହଞ୍ଚିଗଲେ ଝେଲମ୍‌ ନଦୀ କୂଳରେ। ଅକ୍ଲେଶରେ ନଦୀପାର ହୋଇ ଆରପଟେ ପହଞ୍ଚିଗଲେ ସୈରାବ୍‌। ଆଗରେ ଶ୍ରୀନଗରକୁ ପହଞ୍ଚିବାର ରାସ୍ତା ସଫା। ଆଉମାତ୍ର ଅଳ୍ପ କେତେ ମାଇଲ୍‌। ଆନନ୍ଦରେ ଆତ୍ମହରା ହୋଇ ସୈରାବ୍‌ ଭାବୁଛନ୍ତି, ଉଷାର ପ୍ରଥମ କିରଣ ମହାରାଜାଙ୍କ ଉଆସକୁ ଚୁମ୍ବନ ଦେବା ପୂର୍ବରୁ ସେ ମହାରାଜାଙ୍କୁ ନିଦରୁ ଉଠେଇବେ ଓ ଚାହା ପାତ୍ର ଧରେଇ କହିବେ, ‘ପ୍ରିୟ ମହାଶୟ ! ଉଠନ୍ତୁ, କାଶ୍ମୀର ଏବେ ପାକିସ୍ତାନର’, କିନ୍ତୁ ତରୁଣ ସେନାପତିଙ୍କ ଅଚିରେ ମୋହ ଭଙ୍ଗ ହେଲା। ଜୀବନ ତ ସ୍ବପ୍ନ ଓ ସ୍ବପ୍ନଭଙ୍ଗର ଏକ ଚିରନ୍ତନ ଲୁଚକାଳି ଖେଳ। ସେ ଦେଖିଲେ ତାଙ୍କ ପାଖରେ ପଠାଣ ସୈନିକମାନେ ଆଉ କେହି ନାହାନ୍ତି। ରାତ୍ରିର ସେଇଶେଷ ପ୍ରହରରେ ସେମାନେ ପାଖ ବଜାର ଲୁଣ୍ଠନ କରୁଛନ୍ତି ଓ ଆଦିମ କ୍ଷୁଧା ମେଣ୍ଟାଉଛନ୍ତି ନାରୀ ଧର୍ଷଣରେ। ବିଚଳିତ ହୋଇପଡ଼ି ସୈରାତ କହୁଛନ୍ତି- ‘ଏଇ, ଏସବୁ କ’ଣ କରୁଛ, ଆମେ ଯେ ଶ୍ରୀନଗର ଯିବା। ଶ୍ରୀନଗର ଆଉ ମାତ୍ର ତିରିଶ ମାଇଲ୍‌।’ ଏକଥା ପଠାଣ ସୈନିକଙ୍କ ଉପରେ କିଛିବି ପ୍ରଭାବ ପକାଇଲା ନାହିଁ। ତନ୍ତୁୁରେ ତନ୍ତୁରେ ସେମାନଙ୍କର ପ୍ରବୃତ୍ତିର ଉଦ୍ଦାମ ଅନଳଶିଖା। ସେତେବେଳକୁ ଏଇ ସୈନିକମାନେ ପାଖ ଫ୍ରାନ୍‌ସିସ୍‌ ମିସନାରୀ ଡାକ୍ତରଖାନା ଭିତରେ। କିଛି ସମୟ ପୂର୍ବରୁ ମିସନାରୀ ନନ୍‌ମାନେ ସାରାଦିନର ପରିଶ୍ରମର କ୍ଲାନ୍ତି ମେଣ୍ଟାଇ ଶୋଇ ପଡ଼ିଥିଲେ। ଚାରିପଟେ ଘେରିରହିଥିଲା ନୀରବତା। ଆତଙ୍କିତା ନନ୍‌ମାନଙ୍କୁ ଧର୍ଷଣ କଲେ ଏହି କାମାନ୍ଧ ସୈନିକମାନେ। ଛାତିରେ କ୍ରସକୁ ଜାକିଧରି ସୁଦୂର ବେଲ୍‌ଜିଅମରୁ ଆସିଥିବା ମିସନାରୀର ମୁଖ୍ୟ ସିଷ୍ଟର ମେରି ମୃତ୍ୟୁ ବରଣ କଲେ ଭାରତବାସୀଙ୍କର ମଙ୍ଗଳକାମନା କରି। ବେଲ୍‌ଜିଅମ, ଫ୍ରାନ୍ସ, ଇଟାଲି, ପର୍ତ୍ତୁଗାଲରୁ ଆସିଥିବା ଚଉଦଜଣ ନନ୍‌ଙ୍କର ଆକୁଳ କ୍ରନ୍ଦନଧ୍ବନି ରାତିର ସେଇ ଅନ୍ଧକାର ଭିତରେ ମିଳେଇଗଲା। କେତେ ନିବିଡ଼ ଥିଲା ସେ ତମିସ୍ରା, କେତେ ଗହନଥିଲା ସେ ଅନ୍ଧକାର। ଇତିହାସର ଦୁର୍ନିବାର ସ୍ରୋତଭିତରେ ସେ ସବୁ ହୁଏତ ଆଜି ହଜିଯାଇଛି। ସେଇ ଦୁଇଘଣ୍ଟା। କେବଳ ଆମ ସୈନ୍ୟବାହିନୀର ଅସାମାନ୍ୟ ବୀରତ୍ବଯୋଗୁଁ ନୁହେଁ, ଆଜି ଯଦି କାଶ୍ମୀର ତଥାପି ଆମର ହୋଇରହିଛି, ତେବେ ତା’ର ନେପଥ୍ୟରେ ମଧ୍ୟ ରହିଛି ଏଇ ଚଉଦଜଣ ବିଦେଶୀ ସେବିକାଙ୍କର ଆତ୍ମତ୍ୟାଗର ଅଶ୍ରୁଳ କାହାଣୀ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories