BJD Bijuli 480×75 Mob

ପଞ୍ଚରଥୀ ନିଜେ ନିର୍ବାଚନ ନ ଲଢ଼ନ୍ତୁ

BJD Bijuli 480×75 Mob
0

ପଦ୍ମଚରଣ ନାୟକ

ଓଡ଼ିଶା ଏକ ବିଚିତ୍ର ରାଜ୍ୟ, ଯେଉଁଠି ଓଡ଼ିଆ ଭାଷା ଖାଲି ନୁହେଁ, ଓଡ଼ିଶାର ୫ଟି ବଡ଼ ନଈ, ବଡ଼ ପର୍ବତ, ସବୁ ଜିଲାର ପ୍ରଶାସନିକ କେନ୍ଦ୍ରର ନାମ ଜାଣିନଥିବା ଜଣେ ବ୍ୟକ୍ତି ଊଣେଇଶି ବର୍ଷ ଧରି ରାଜ୍ୟ ଶାସନ କରି ଚାଲିଛନ୍ତି। ତାଙ୍କ ମନ୍ତ୍ରୀମାନେ ତାଙ୍କର ସହକର୍ମୀ ନୁହନ୍ତି; ଅନୁଗ୍ରହୀ। ଜଣେ ମନ୍ତ୍ରୀ ତ କହିଲେ ସେ ନବୀନବାବୁଙ୍କ ଚାକର। ଅନ୍ୟମାନେ ଏହା ନ କହିଲେ ମଧ୍ୟ ସେମାନେ ବି ତାଙ୍କର କିଙ୍କର ଭଳି ବ୍ୟବହାର କରନ୍ତି। ସେ ଏମାନଙ୍କୁ ଉପେକ୍ଷା କରି ରାଜ୍ୟର ଜଣେ ବାସ୍ତବ ଚାକରଙ୍କ ଦ୍ୱାରା ପରିଚାଳିତ ହେଉଥିବା କଥା କିଏ ନଜାଣେ? ଏହା ଦାମୋଦର ରାଉତ ବହୁ ଦିନରୁ କହି ଆସୁଥିଲେ ଓ ଏହିଭଳି କାରଣରୁ ବିଜେଡି ଛାଡ଼ିଥିଲେ। ଏମାନଙ୍କ ପୂର୍ବରୁ ଭିନ୍ନ କାରଣରୁ ବିଜୟ ମହାପାତ୍ର, ଦିଲୀପ ରାୟ, ବ୍ରଜକିଶୋର ତ୍ରିପାଠୀ, ବିଜେଡି ଛାଡ଼ିଥିଲେ। ଏମାନଙ୍କ ଛଡ଼ା ଶ୍ରୀକାନ୍ତ ଜେନା ଏବେ ଦଳମୁକ୍ତ। ଏସବୁ ନେତାଙ୍କର କ୍ଷେତ୍ରୀୟସ୍ତରରେ କିଛି କିଛି ପ୍ରଭାବ ଥିଲେ ବି ନବୀନବାବୁଙ୍କର ସେଥିପ୍ରତି ଖାତିର ନାହିଁ। ତାଙ୍କର ପରାମର୍ଶଦାତାଙ୍କ ବରାଦ ଅନୁସାରେ ରାଜ୍ୟରେ ନିର୍ବାଚନ ଜିତିବାର ‘ମାକ୍ରୋ’ ଓ ‘ମାଇକ୍ରୋ’ ରଣନୀତି ଏବଂ ରଣକୌଶଳ ପ୍ରୟୋଗ ଚାଲିଛି। ଚାଷୀ ଓ ମହିଳାଙ୍କୁ ସନ୍ତୁଷ୍ଟ କରିବା ଲାଗି ସରକାରୀ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଅଧ୍ୟାପକ, ଶିକ୍ଷକଙ୍କ ସମେତ ସରକାରୀ କର୍ମଚାରୀ ଏବଂ ସରକାରଙ୍କ ଅର୍ଥ ଉପରେ ନିର୍ଭରଶୀଳ ସଂସ୍ଥାର କର୍ମଚାରୀମାନଙ୍କ ଭୋଟ ଆୟତ୍ତ କରିବା ଲାଗି ସେମାନଙ୍କ ଦାବି ପୂରଣ କରାଯାଉଛି। ଏମାନଙ୍କ ଛଡ଼ା କାର୍ତ୍ତିକ ମାସର ହବିଷ୍ୟାଳିଙ୍କ ପାଇଁ ରହିବା, ଖାଇବା ବ୍ୟବସ୍ଥା, ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ଆଦି ‘ମାଇକ୍ରୋ’ ଭୋଟର ଗୋଷ୍ଠୀଙ୍କ ମନ କିଣିବା ଲାଗି ସରକାରୀ ଟଙ୍କାରେ ଖଇରାତି ଚାଲିଛି। ଏହାଛଡ଼ା ସମଗ୍ର ଓଡ଼ିଆ ଜାତିକୁ କାଉଳା କରିବା ଲାଗି ମେଡ଼ିଆର ମୁଖ୍ୟ ଏବଂ ‘ଫିଚର’ ଲେଖକଙ୍କୁ ‘ପେରୋଲ୍‌’ରେ ରଖାଯାଇଛି। ଅବଶ୍ୟ ଏ ଫାଶରେ ନ ପଡ଼ିବା ବ୍ୟତିକ୍ରମମାନେ ଅଛନ୍ତି। ଏହି ରଣକୌଶଳ ତ ଗତ ନିର୍ବାଚନ ପରଠାରୁ ଚାଲିଥିଲା; ତାହା କିଛି ମାସ ହେଲା ସଘନ ଭାବରେ ସମ୍ପାଦିତ ହେଉଛି। ସେହି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ‘ବିଜୁ ଯୁବ ବାହିନୀ’। ସରକାରୀ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଜନସାଧାରଣଙ୍କ ଅର୍ଥରେ ନିର୍ବାଚନ ରଣକ୍ଷେତ୍ର ପାଇଁ ତୋଫାନୀ ବାହିନୀକୁ ତାଲିମ୍‌ ଦିଆଚାଲିଛି ଓ ମୋବାଇଲ୍‌ ଦେବା, ବିଦେଶ ବୁଲିବା ଆଦି ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ସମ୍ବାଦପତ୍ରରେ ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମରେ ନବୀନବାବୁଙ୍କ ହସହସ ମୁହଁ ଓ ତାଙ୍କ ଦ୍ୱାରା ଉପକୃତ ହେଉଥିବା ବା ହେବାକୁ ଥିବା ସବୁ ବର୍ଗର ଲୋକଙ୍କ ହସହସ ମୁହଁ ତାଲିକା ତଳେ ଦିଆଚାଲିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ନବୀନ ବାବୁ ପ୍ରତିଦିନ କେଉଁଠି କେଉଁ କାମ ଉଦ୍‌ଘାଟନ କରିବେ ବା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ସେ ସବୁର ବିବରଣୀ ଦେଇ ସେତିକି ନୂଆ ନୂଆ କଥା କହି ଲୋକଙ୍କୁ ପ୍ରବଞ୍ଚିତ କରୁଛନ୍ତି। କ୍ଷମତା ତୃଷ୍ଣାରେ ମତ୍ତ ନବୀନ ମଦର ବନ୍ୟା ଛୁଟାଇ ମହିଳାମାନଙ୍କ ସଂସାର ଉଜାଡ଼ିଲା ପରେ ବି ‘ନ ମାଗେ କ୍ଷମତା, ମାଗୁଛି ମମତା, ମାଗୁଣି’ ତ ଶୁଣିଥିଲୁ। ଊଣେଇଶ ବର୍ଷ ମଧ୍ୟରେ ୬ଟିରୁ ଅଧିକ ଗୋଟିଏ ଓଡ଼ିଆ ଅକ୍ଷର ଓ ଦୁଇଟିରୁ ଅଧିକ ଗୋଟିଏ ମାତ୍ରା ଯିଏ ଶିଖିପାରିଲେ ନାହିଁ, ଯିଏ ଆଜି ବି ରୋମିଓ ଲିପିରେ ଲେଖା ଯାଇଥିବା ଓଡ଼ିଆକୁ ପରଦେଶୀ ଲୋକଙ୍କ ଭଳି ଢଙ୍ଗରେ କହୁଛନ୍ତି। ଏବେ ସେ ଯେତେବେଳେ ସମଗ୍ର ଓଡ଼ିଆଙ୍କୁ ନିଜ ପରିବାର ବୋଲି ଘୋଷଣା କରୁଛନ୍ତି, ତାହା ଶୁଣିବା ପରେ ତାଙ୍କୁ ପ୍ରବଞ୍ଚନା ପଟ୍ଟନାୟକ ନାମରେ ଡ଼ାକିବା ଯଥାର୍ଥ ହେବ। ଏ ସବୁ ବ୍ୟବସ୍ଥା ସତ୍ତ୍ୱେ ନିର୍ବାଚନ କାଳର ଖର୍ଚ୍ଚ ଲାଗି ବହୁ ଦିନରୁ ପାଣ୍ଠି ସଂଗ୍ରହ ଚାଲିଛି; ଟଙ୍କାରେ ବି ସବୁ ଦଳକୁ ହତ୍‌ବାକ କରିବା ପାଇଁ ବ୍ୟବସ୍ଥା ହେଉଛି।
ଚାଷୀମାନଙ୍କୁ କାଳିଆ ଯୋଜନାରେ ନିର୍ବାଚନ ପୂର୍ବରୁ ଟଙ୍କାତକ ଚେକ୍‌ ଆକାରରେ ଦିଆଯାଉଛି, କିନ୍ତୁ ଭାଗଚାଷୀଙ୍କ ନାମ ତ କେଉଁଠି ସରକାରୀ ରେକର୍ଡ଼ରେ ନାହିଁ; ସେମାନଙ୍କୁ କାଳିଆ ଯୋଜନାରେ କିଭଳି ଟଙ୍କା ଦିଆଯାଉଛି ବୋଲି ସରକାର କହୁଛନ୍ତି? ‘କାଳିଆ ଯୋଜନା’ ପେନ୍‌ସନ ଭଳି ଏକ ସ୍ଥାୟୀ ଯୋଜନା ନୁହେଁ। ପାଣ୍ଠି ଅଭାବ ଦର୍ଶାଇ ଏହାକୁ ପରବର୍ଷ ବନ୍ଦ କରିଦିଆଯାଇ ପାରିବ। ଏଣୁ ଯେଉଁ ଚାଷୀମାନେ ପେନ୍‌ସନ ପାଇବା ଆଶାରେ ବର୍ଷବର୍ଷ ଧରି ଲଢେଇ କରି ଆସିଥିଲେ ସେହି ନବନିର୍ମାଣ କୃଷକ ସଂଗଠନର ଲୋକଙ୍କ ସମର୍ଥନ ନବୀନ ବାବୁ ପାଇବେ ନାହିଁ। ଚାଷ ପାଇଁ ଜଳସେଚନ ଓ ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ଏବଂ ଉତ୍ପନ୍ନ ଦ୍ରବ୍ୟର ଉପଯୁକ୍ତ ଦରରେ ବିକ୍ରି ବ୍ୟବସ୍ଥା ନ କରି ଚାଷୀଙ୍କୁ ଠକିବା ଲାଗି କାଳିଆ ଠାକୁରଙ୍କ ନାଆଁକୁ ବ୍ୟବହାର କରି ସେମାନଙ୍କ ଭୋଟ ହାସଲ କରିବାର ଯେଉଁ ଯୋଜନା ଚାଲିଛି ତାହା ବି ଚାଷୀଙ୍କୁ ଖୁବ୍‌ ପ୍ରଭାବିତ କରିବ ନାହିଁ। ଜଳସେଚନ ଲାଗି ଶତାଧିକ ବର୍ଷର ପୁରୁଣା କେନାଲ ମଧ୍ୟରୁ ଅଧିକାଂଶ ଶୁଖିଲା ଓ ଦଳପୂର୍ଣ୍ଣ। ଓଡ଼ିଶାର ଗୋଟିଏ ନଦୀରେ ବି କୋଡ଼ିଏ ବର୍ଷ ମଧ୍ୟରେ, ଜଳସେଚନ ବ୍ୟବସ୍ଥା ଲାଗି, ଗୋଟିିଏ ଆନିକଟ ନିର୍ମାଣ ହୋଇନାହିଁ କି ସବୁ ପୁରୁଣା ମଧ୍ୟମ ଜଳସେଚନ ଯୋଜନା ସମ୍ପୂର୍ଣ୍ଣ ହୋଇନାହିଁ। ଅନ୍ୟ ଅଞ୍ଚଳ କଥା ଛାଡ଼ନ୍ତୁ; ଊଣେଇଶ ବର୍ଷ ମଧ୍ୟରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଜଳସେଚନ ବ୍ୟବସ୍ଥା ପାଇଁ ସେ ଭୁଲି ଯାଇଥିଲେ। ନିକଟରେ ହିଞ୍ଜିଳିକାଟୁ ଗସ୍ତ କାଳରେ ତାହାର ଶେରଗଡ଼ ବ୍ଲକର ପ୍ରାୟ ୧୦ ହଜାର ଏକର ଜଳସେଚନ ସୁବିଧା ଲାଗି ସେ ଏବେ ହରଭଙ୍ଗା ଜଳସେଚନ ଯୋଜନାରୁ ଏକ ସମ୍ପ୍ରସାରିତ କେନାଲ ନିର୍ମାଣର ଶୁଭ ଦେଇ ଆସିଲେ।
ଉଲ୍ଲେଖଯୋଗ୍ୟ ଯେ ହରଭଙ୍ଗା ଜଳସେଚନ ଯୋଜନାରୁ ଯେତିକି ଅଞ୍ଚଳରେ ଜଳସେଚିତ ହେବାର କଥା ​‌େ​‌ସତକକୁ ସେଥିରୁ ପାଣି ନିଅଣ୍ଟ ପଡ଼ୁଛି। ଏଣୁ ଶେରଗଡ଼ ଅଞ୍ଚଳକୁ ସେଠାରୁ ଜଳ ଆସିବାର ସମ୍ଭାବନା ମୋଟେ ନାହିଁ। ଦଶବର୍ଷ ତଳୁ ନବୀନ ବାବୁ ଏହି କାମଟି ଆରମ୍ଭ କରିଥିଲେ ଇତି ମଧ୍ୟରେ ତାହାର ସଫଳତା ତ ମିଳିପାରିଥାନ୍ତା; ତାହା ନ କରି ନିର୍ବାଚନ ପୂର୍ବରୁ ସେ ଏଭଳି ଯେଉଁ ପ୍ରବଞ୍ଚନା ଚଳାଇଛନ୍ତି ତାହାକୁ ଲୋକ ବିଶ୍ୱାସ କରିବେ ନାହିଁ। ଇତିମଧ୍ୟରେ ରାଜ୍ୟରେ ଯେତିକି ବି ଶୀତଳ ଭଣ୍ଡାର କାର୍ଯ୍ୟକାରୀ ହୋଇଥିଲା, ସେଥିରୁ ଅଧିକାଂଶ ଏବେ ଅଚଳ। ଚାଷରେ ଲାଭ ହେଉନଥିବାରୁ ଉପକୂଳ ଅଞ୍ଚଳରେ କୃଷି ଶ୍ରମିକଙ୍କ ଅଭାବ ଯୋଗୁ, ବହୁ ଚାଷୀ ଜମି ପଡ଼ିଆ ରଖୁଛନ୍ତି। ଚାଷୀ ଓ କୃଷକ-ଶ୍ରମିକ ସେତିକି ଅର୍ଜନ କରୁଛନ୍ତି ତହିଁରୁ ବେଶ୍‌ କିଛି ବି ମଦରେ ଯାଉଛି। ଠିକ୍‌ ସେହିଭଳି ମହିଳାମାନଙ୍କ ମନ କିଣିବା ଲାଗି ବିଭିନ୍ନ ଭାବରେ ଟଙ୍କା ଓ ମୋବାଇଲ୍‌ ଆଦି ଦିଆଯାଉଛି। ସରକାରଙ୍କ ମଦ ପ୍ରସାରଣ ନୀତି ଫଳରେ ଏତେ ଶତାଂଶ ଲୋକ ମଦ ଖାଉଛନ୍ତି ଯେ ତାହା କାହା ଘରେ ନପଶିଛି କହି ହେବନାହିଁ। ସାଧାରଣ ସ୍ତରର ଲୋକେ ଦିନକୁ ପ୍ରାୟ ଶହେ ଟଙ୍କାର ମଦ ଖାଉଛନ୍ତି। ଏଣୁ ଏ ବାବଦରେ ପରିବାରର ଜଣେ ମଦ ଖାଉଥିଲେ ପାଞ୍ଚବର୍ଷରେ ତାହାର ୧ ଲକ୍ଷ ୮୦ ହଜାର ଟଙ୍କା ମଦ ଖାଇବାରେ ଯାଉଛି। ଏହା ସଙ୍ଗେସଙ୍ଗେ କିଛି ବର୍ଷ ମଦ ଖାଇବା ଫଳରେ ସେମାନଙ୍କ ମଧ୍ୟରୁ ଅନେକ ତିନିରୁ ପାଞ୍ଚବର୍ଷରେ ବା ଦଶ ବର୍ଷ ମଧ୍ୟରେ ମରୁଛନ୍ତି। ପରିଣାମ ସ୍ୱରୂପ ଗତ କୋଡ଼ିଏ ବର୍ଷ ମଧ୍ୟରେ ୧୦ଲକ୍ଷ ଝିଅ ୨୫ରୁ ୩୫ ବର୍ଷ ବୟସରେ ଅକାଳରେ ବିଧବା ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଗୋଟିଏଗୋଟିଏ ଗାଁ​‌େ​‌ର ବିଧବାଙ୍କ ପଡ଼ା ଦେଖିବାକୁ ମିଳୁଛି। ଏଭଳି ଉଜୁଡ଼ା ପରିବାରକୁ ପଚିଶ ହଜାର ଟଙ୍କା ଦେଇ ତା’ର ସାରାଜୀବନ ଦୁଃଖ ଦୂର କରି ହେବନାହିଁ। ନିଜର ଯୁବକପୁଅ ବା ସ୍ୱାମୀ ମଦଖାଇ ମାତାଲ ହୋଇ ମରିଗଲେ ସେମାନେ ମଦ ଦୋକାନ ଭାଙ୍ଗୁଛନ୍ତି ଓ ପୋଡ଼ୁଛନ୍ତି। ସେମାନଙ୍କ ସମ୍ମିଳିତ କ୍ରୋଧ ନୂଆ ରୂପ ନେବାକୁ ଯାଉଛି। ଏମାନଙ୍କ ଛଡ଼ା ତଫସିଲ୍‌ଭୁକ୍ତ ଜାତି ଓ ଜନଜାତିର ନୂଆ ପିଢିର ଲୋକେ ମଦର ଦୁର୍ଗତ ଅନୁଭବ କଲେଣି। ନାମ ହଜିଯାଇଥିବା ଯେଉଁ ଓଡ଼ିଆ ଜାତିକୁ ମଧୁବାବୁ ଜୀବନ୍ୟାସ ଦେଇଥିଲେ ଆଜି ସେ ଜାତି ଚରମ ଦୁର୍ଗତି ମଧ୍ୟରେ ଗତି କରୁଛି। ଉତ୍କଳ ଗୌରବ ଜାତୀୟ ଚରିତ୍ର ଓ ସ୍ୱାଭିମାନକୁ ଖୁବ୍‌ ଗୁରୁତ୍ୱ ଦେଉଥିଲେ। ଆଜି ଅନ୍ୟାନ୍ୟ କାରଣ ମଧ୍ୟରେ ମଦର ପ୍ରସାର ଯୋଗୁ ସେହି ଜାତିର ସ୍ୱାଭିମାନ ଓ ବିବେକ ଧ୍ୱଂସ ପାଇଗଲାଣି। ପୁଅ ଆଜି ମଦ ଖାଇବା ପାଇଁ ୨୦୦ ଟଙ୍କା ଲାଗି ବାପାକୁ କିରାସିିନି ଢାଳି ପୋଡୁଛି ଓ ମା’ର ଭତ୍ତା ଟଙ୍କା ମଦ ପାଇଁ ନ ଦେବାରୁ ପୁଅ ଝଗଡ଼ା କରି ତା ପେଟରେ ଦା’ ଭୁସୁଛି; ଆଉ ସ୍ତ୍ରୀ ତ ସାରା ଜୀବନ ଦୁଃଖରେ ଶଢୁଛି। ସମଗ୍ର ଜାତିକୁ ଏଥିରୁ ଉଧୁରିବାର ଭରସା ଦେବାକୁ କେହି ନାହିଁ। ଅନ୍ୟାନ୍ୟ କଥା ଉପରେ ନବୀନ ବାବୁ କିଛିକିଛି କହୁଥିଲା ବେଳେ ନିଶା ନିବାରଣ କଥାଟି ବିଜୁ ଯୁବ ବାହିନୀଙ୍କ ଦାୟିତ୍ୱରେ ଛାଡ଼ି ଦେଇଛନ୍ତି; ଯେଉଁମାନଙ୍କ ମଧ୍ୟରୁ ଅର୍ଦ୍ଧେକ ହୁଏତ ମଦାସକ୍ତ ଥିବେ। ମଦ ମଦ୍ୟପଙ୍କ ମଧ୍ୟରେ ଏଭଳି ତୃଷ୍ଣା ସୃଷ୍ଟି କରିଥାଏ ଯେ ସେ ସେତକ ନ ପାଇଲେ ସବୁ କିଛି ଅଚିନ୍ତନୀୟ ଅପକର୍ମ କରିପାରେ। ବିଜୁ ଯୁବ ବାହିନୀର ‘ମଦକୁ ନା’ କହିବାରେ ମଦ୍ୟପ ଯେ ମଦ ଛାଡ଼ିବ ସେ କଥା କିଏ ବିଶ୍ୱାସ କରିବ? ମଦ ହଟାଇବା ମନରେ ନଥିବାରୁ ତାଙ୍କ ସରକାର ଗାନ୍ଧୀଙ୍କ ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମରେ ନିଶା ନିବାରଣ ସମ୍ବନ୍ଧରେ ନୀରବରେ ରହିଛନ୍ତି। ଅହିଂସା ଶବ୍ଦର ଯଥାର୍ଥ ମର୍ମ ନଜାଣି ସେ ସମ୍ବିଧାନରେ ଅହିଂସା ଶବ୍ଦ ଯୋଡ଼ିବାକୁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ହିଂସା ଓ ନାନା ପୈଶାଚିକ କାର୍ଯ୍ୟର ଜନକ ଯେ ମଦ ଏହା କିଏ ନଜାଣେ? ଓଡ଼ିଶାକୁ ମଦମୁକ୍ତ କମିବାରେ ଆଗ୍ରହ ତାଙ୍କର ମୋଟେ ନାହିଁ। ନଅଙ୍କ ଦୁର୍ଭିକ୍ଷ ପରେ ଏତେ କୋଠାବାଡ଼ି, ସଡ଼କ, ବିଜୁଳି ଓ ଶିକ୍ଷାର ପ୍ରସାରଣ ସତ୍ତ୍ୱେ ଓଡ଼ିଆ ଜାତି ପାଇଁ ଏବର କଳା ରାତିର ଅବସାନ ଦିଶୁନାହିଁ। ଆଜିର ନୈରାଶଜନକ ପରିସ୍ଥିତିରେ ଆମ ଆଗରେ ନବକୃଷ୍ଣ ଚୌଧୁରୀ ଓ ହରେକୃଷ୍ଣ ମହାତାବଙ୍କ ଭଳି ନେତା ନାହାନ୍ତି; ଯେଉଁମାନେ ଅତୀତରେ କଂଗ୍ରେସ ହଟାଅ ଆନ୍ଦୋଳନରେ ଓ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ନେତୃତ୍ୱ ଦେଇଥିଲେ। ତଥାପି ଆମ ରାଜ୍ୟରେ ଅୟୁତଅୟୁତ ଚିନ୍ତାଶୀଳ ବ୍ୟକ୍ତି ଊଣେଇଶବର୍ଷ ଧରି ଚାଲି ଆସିଥିବା ଶାସନର ପରିବର୍ତ୍ତନର ଅପରିହାର୍ଯ୍ୟତା ଅନୁଭବ କରୁଛନ୍ତି। ନବବାବୁ ଓ ମହତାବବାବୁଙ୍କ ଭଳି ମହାନ୍‌ ବ୍ୟକ୍ତିଙ୍କ ବିକଳ୍ପ ନହେଲେ ମଧ୍ୟ ଶ୍ରୀକାନ୍ତ ବାବୁ, ଦାମୋଦର ବାବୁ, ବ୍ରଜବାବୁ, ବିଜୟ ବାବୁ ଓ ଦିଲୀପ ବାବୁଙ୍କ ସମ୍ମିଳିତ ଆହ୍ୱାନ ଅସହାୟ ଓଡ଼ିଆ ଜାତି ଲାଗି ଏକ ଆଶାର ସଞ୍ଚାର କରନ୍ତା। ଏମାନେ ଓଡ଼ିଆ ଜାତିଠାରୁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ପାଇଛନ୍ତି। ଏ ଜାତିର ଦୁର୍ଦିନରେ ସେମାନଙ୍କର ଋଣ ପରିଶୋଧ କରିବାର ସମୟ ଆସିଛି। ସେମାନେ ନିଜ ପାଇ୍‌ଁ ଓ ଅଳ୍ପ କିଛି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ନ କରି ବର୍ତ୍ତମାନ ଚାଲିଥିବା ପ୍ରବଞ୍ଚନାର ପ୍ରବାହକୁ ରୋକିବା ଲାଗି ମିଳିତ ସ୍ୱର ଉଠାଇଲେ ଊଣେଇଶ ବର୍ଷର ଅବକ୍ଷୟର ଅବସାନ ଘଟନ୍ତା। ସେମାନଙ୍କ ଆହ୍ୱାନକୁ ଆଗେଇ ନେବା ଲାଗି ରାଜ୍ୟରେ ହଜାରହଜାର ପ୍ରବୀଣ ଅଧ୍ୟାପକ, ଅଧିବକ୍ତା ଓ ଚିନ୍ତାଶୀଳ ବ୍ୟକ୍ତି ଓ ଯୁବକ ଏବଂ ଚାଷୀ ତଥା ମହିଳା ଆଗଭର ହେବେ। ବିଭିନ୍ନ ରାଜନୀତିକ ଦଳକୁ ଏହି ସଂଗ୍ରାମର ଅଂଶୀଦାର ହେବା ଲାଗି ରାଜ୍ୟକୁ ମଦମୁକ୍ତ କରିବା ଓ ଚାଷୀଙ୍କୁ ପେନ୍‌ସନ୍‌ ଦେବା ଭଳି ଅଳ୍ପ କିଛି କାର୍ଯ୍ୟକ୍ରମକୁ ସେମାନେ ଦଳମାନଙ୍କ ଆଗରେ ରଖିପାରନ୍ତି। ନବୀନ ବାବୁ ହଞ୍ଜିଳିକାଟୁ ବା ଅନ୍ୟ ଯେକୌଣସି ସ୍ଥାନରୁ ଠିଆହେଲେ ସେଠାରୁ କୌଣସି ଦଳ ପ୍ରାର୍ଥୀ ନଦେବାକୁ ଘୋଷଣା କରିବାକୁ କୁହାଯାଉ ଏବଂ କେଉଁ ନିର୍ବାଚନ ମଣ୍ଡଳୀରୁ କେଉଁ ପ୍ରାର୍ଥୀ ନବୀନଙ୍କ ପ୍ରାର୍ଥୀଙ୍କୁ ହରାଇ ପାରିବେ ସେ ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କ ବିଚାର ଉପରେ ଛଡ଼ାଯାଉ।
ଜନତାର ଅସନ୍ତୋଷ ଓ କ୍ରୋଧରେ ବିଜୁ ପଟ୍ଟନାୟକ ଓ ଇନ୍ଦିରା ଗାନ୍ଧୀଙ୍କ ଭଳି ନେତା ଟଳି ପଡ଼ିଛନ୍ତି। ସେମାନଙ୍କ ତୁଳନାରେ ପ୍ରଚାରସର୍ବସ୍ୱ ନବୀନ ପଟ୍ଟନାୟକ କୁଟା ଖିଅ ଭଳି। ତାଙ୍କର ସବୁ ପ୍ରବଞ୍ଚନା ବିଚାରଶୀଳ ଲୋକେ ବୁଝିଲେ ବି ସେମାନଙ୍କ ମନର କଥା କେହି ନେତା କହୁନାହାନ୍ତି। ଓଡ଼ିଆ ଜାତିର ଏହି ଦୁର୍ଦିନରେ ପୂର୍ବୋକ୍ତ ନେତାମାନେ ନିଜେ ନିର୍ବାଚନ ନ ଲଢି ଓଡ଼ିଆଜାତିକୁ ଲଢେଇରେ ଠିଆ କରନ୍ତୁ। ଏହା ଫଳରେ ସେମାନଙ୍କ ସମାଲୋଚନା ଅଧିକ ହୃଦୟଗ୍ରାହୀ ହେବ। ପରିବର୍ତ୍ତନ ଗଣତନ୍ତ୍ରର ଏକ ପ୍ରଚଳିତ ଧାରା। ପଶ୍ଚିମବଙ୍ଗର ବାମପନ୍ଥୀ ସରକାର ଲକ୍ଷଲକ୍ଷ ଚାଷୀଙ୍କୁ ଜମିର ଅଧିକାର ଦେଇଥିଲେ ଓ ଚାଷୀମାନଙ୍କ ପାଇଁ ଅନ୍ୟାନ୍ୟ ବହୁ ସୁଯୋଗ ସୃଷ୍ଟି କରିଥିଲେ ବି ସେ ସରକାରଙ୍କୁ ଲୋକେ ହରାଇଲେ। ତ୍ରିପୁରାର ମାଣିକ ସରକାରଙ୍କ ଦୁର୍ନୀତିମୁକ୍ତ ଓ ଜନବାଦୀ ସରକାର ସତ୍ତ୍ୱେ ସେ ଏକାଧିକ୍ରମେ ବହୁ ବର୍ଷ ଶାସନରେ ରହିଥିବାରୁ ତାଙ୍କୁ ଲୋକେ ହଟାଇ ଦେଇଥିଲେ। କାରଣ ପରିବର୍ତ୍ତନ ଗଣତନ୍ତ୍ରର ଏକ ମୁଖ୍ୟ ମନ୍ତ୍ର। ଓଡ଼ିଶାରେ ତାହାବି ସମ୍ଭବପର। ପରିବର୍ତ୍ତନ ନହେଲେ ପୁଣି ପାଞ୍ଚବର୍ଷ ଲାଗି ଆହୁରି ସ୍ୱେଚ୍ଛାଚାରୀ ସରକାର ଯେ ଚାଲିବ, ଲୋକଙ୍କୁ ଏହା ବୁଝାଇବା କଷ୍ଟକର ହେବ ନାହିଁ। ଆଗାମୀ ନିର୍ବାଚନ ପରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେଉ, ଏହା ହିଁ ହେଉ ପ୍ରତ୍ୟେକ ଓଡ଼ିଆର ଧ୍ୟେୟ। ଆଉ ପ୍ରତ୍ୟେକ ଜାତିପ୍ରାଣ ଓଡ଼ିଆ ଏ ଦିଗରେ ସେମାନଙ୍କର ଉଦ୍ୟମ ଜାରି ରଖନ୍ତୁ। ପର୍ବୋକ୍ତ ପଞ୍ଚରଥୀ ଦେଖିବେ ଯେ ଲୋକେ ଟଙ୍କା ଓ ମଦକୁ ଉପେକ୍ଷା କରି ସେମାନଙ୍କ ସଭାରେ ଅପ୍ରତ୍ୟାଶିତ ଭାବରେ ଗହଳି କରୁଛନ୍ତି ଓ ସେମାନଙ୍କ ଆହ୍ୱାନକୁ ଗ୍ରହଣ କରୁଛନ୍ତି।

Leave A Reply