www.samajalive.in
Tuesday, December 9, 2025
15.1 C
Bhubaneswar

ସନ୍ନ୍ୟାସୀଙ୍କୁ ସମ୍ମାନ

ସନ୍ନ୍ୟାସୀଙ୍କୁ ସମ୍ମାନ

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଯୋଗୁଗୁରୁ ବାବା ରାମଦେବ ଭାରତରତ୍ନ ସମ୍ମାନ ପ୍ରସଙ୍ଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ରାମଦେବ ପ୍ରଶ୍ନ କରିଛନ୍ତି ଯେ ସାଧୁସନ୍ଥ, ସନ୍ନ୍ୟାସୀମାନଙ୍କୁ ଭାରତରତ୍ନ ପ୍ରଦାନ କରାଯିବ ନାହିଁ କାହିଁକି ? ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ବି କୌଣସି ସାଧୁସନ୍ଥଙ୍କୁ ଭାରତରତ୍ନ ଦିଆଯାଇନାହିଁ। ସମାଜ ପାଇଁ ସାଧୁସନ୍ଥଙ୍କ ବଳିଷ୍ଠ ଅବଦାନ ସତ୍ତ୍ବେ ସେମାନଙ୍କୁ ଏଯାବତ୍‍ ଏହି ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇନାହିଁ। ମହର୍ଷି ଦୟାନନ୍ଦ ଏବଂ ସ୍ୱାମୀ ବିବେକାନନ୍ଦଙ୍କର ଦେଶ ପ୍ରତି କିଛି କମ୍‍ ଅବଦାନ ନାହିଁ। ମଦର ଟେରେସାଙ୍କୁ ଏଭଳି ସମ୍ମାନ ଦିଆଯାଇଥିବାବେଳେ ହିନ୍ଦୁଧର୍ମର ସାଧୁସନ୍ଥଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଦୁର୍ଭାଗ୍ୟଜନକ ବୋଲି ବାବା କହିଛନ୍ତି। ତେବେ ରାମଦେବଙ୍କର ଏହି ବୟାନକୁ ବହୁଲୋକ ପସନ୍ଦ କରିନଥିବା ଜଣାଯାଇଛି।
ଭାରତର ସାଧୁସନ୍ଥମାନେ ହିଁ ଏ ଦେଶର ରତ୍ନ। ଏକଥା ପ୍ରମାଣ କରିବା କି ସାଧୁସନ୍ଥଙ୍କୁ ଭାରତରତ୍ନ ବା ସେହିଭଳି କିଛି ସମ୍ମାନରେ ଭୂଷିତ କରିବାର କୌଣସି ଆବଶ୍ୟକତା ନାହିଁ। ରାମଦେବ ସାଧାରଣ ଜୀବନରେ ରହୁଛନ୍ତି। ଟେଲିଭିଜନ ସାକ୍ଷାତ୍‌କାରକୁ ଯାଉଛନ୍ତି, ହିରୋଇନ୍‍ମାନଙ୍କ ସହ ବାର୍ତ୍ତାଳାପ କରୁଛନ୍ତି। ବିଶାଳ ବ୍ୟାବସାୟିକ ସାମ୍ରାଜ୍ୟ ସ୍ଥାପନ କରିଛନ୍ତି। ସେ ଦୃଷ୍ଟିରୁ ତାଙ୍କୁ ଭାରତରତ୍ନ ବା ସେହିଭଳି ସମ୍ମାନ ମିଳିବାରେ କିଛି ଅସୁବିଧା ନାହିଁ। ସେଥିଲାଗି ସେ ଚାହିଁଲେ ‘ଲବି’ କରିପାରନ୍ତି, ମାତ୍ର ସାଧୁସନ୍ଥଙ୍କୁ ଏଭଳି ପାର୍ଥିବ ସମ୍ମାନ ଆଡକୁ ଟାଣିବାର କୌଣସି କାରଣ ନାହିଁ।
ଏ ଦେଶରେ ଯଦି ସନ୍ନ୍ୟାସୀଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ବିଚାର କରାଯାଏ ତେବେ ଭାରତରତ୍ନ ମେଡାଲ ଲାଗି ସ୍ୱତନ୍ତ୍ର କାରଖାନା ବସାଇବାକୁ ପଡିପାରେ। କାରଣ ବଶିଷ୍ଠ, ବିଶ୍ୱାମିତ୍ର, ଯାଜ୍ଞବଳ୍‍କ୍ୟ, ଭରଦ୍ୱାଜ, ଗୌତମ, ଅତ୍ରି, ଅଙ୍ଗିରାଙ୍କଠାରୁ ଆରମ୍ଭ କରି ଆଧୁନିକ ସମୟର ମହାବତାର ବାବାଜୀ ମହାରାଜ, ଶ୍ରୀରାମକୃଷ୍ଣ ପରମହଂସ, ଯୋଗୀରାଜ ଶ୍ୟାମାଚରଣ ଲାହିରୀ, ତ୍ରୈଲଙ୍ଗ ସ୍ୱାମୀ, ଗୋରଖନାଥ, ମତ୍ସେନ୍ଦ୍ରନାଥ, ଭଗବାନ ରମଣ ମହର୍ଷି, ଯୋଗୀ ଅରବିନ୍ଦଙ୍କ ଯାଏଁ ଏତେ ସନ୍ଥଙ୍କ ବିଭୂତିରେ ଏ ଦେଶ ମହିମାନ୍ୱିତ ଯେ ସେମାନଙ୍କର ତାଲିକା କଲେ ବୋଧହୁଏ ପୋଥିଟିଏ ହେବ। ଏମାନଙ୍କ ଭିତରୁ କିଏ ଭାରତର ରତ୍ନ ନୁହନ୍ତି ବା କିଏ ଏଭଳି ସମ୍ମାନ ପାଇବାକୁ ଅଯୋଗ୍ୟ ତାହାର ଗୋଟିଏ ବି ଉଦାହରଣ ବାବା ରାମଦେବ ଦେଇପାରିବେ କି ?
ଏ ଦେଶ ହେଉଛି ସାଧୁସନ୍ଥଙ୍କର ଭୂମି। ଏ ଦେଶରେ ଜନ୍ମହେଉଥିବା ବ୍ୟକ୍ତି ନିକଟରେ ଆଉ କିଛି ଯୋଗ୍ୟତା ଥାଉ ବା ନଥାଉ ସନ୍ଥଟିଏ ହେବାଲାଗି ଭରପୂର ଯୋଗ୍ୟତା ରହିଥାଏ। ବୈରାଗ୍ୟ ଭାରତୀୟର ସ୍ୱଭାବ। ‘ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡନମ୍‍’ ହେଉଛି ଭାରତୀୟ ଆଦର୍ଶ। ସାଧୁସନ୍ଥ ହେବା ଲାଗି ସନ୍ନ୍ୟାସୀ ହେବା ଏ ଦେଶର ପରମ୍ପରା ବି ନୁହେଁ। ବଶିଷ୍ଠ, ଯାଜ୍ଞବଳ୍‍କ୍ୟ, ଅତ୍ରି, ଅଙ୍ଗିରା ପ୍ରମୁଖ ମହାନ ଋଷି ଗୃହସ୍ଥ ଥିଲେ। ଏମାନଙ୍କର ପତ୍ନୀ ଓ ସନ୍ତାନମାନେ ଅତ୍ୟନ୍ତ ବିଦ୍ୱାନ ଥିଲେ। ରାଜା ଜନକ ଜଣେ ରାଜର୍ଷି ଥିଲେ ଯାହାଙ୍କୁ ଏ ଦେଶର ସବୁଠାରୁ ବଡ ବିଦ୍ୱାନ ଓ ଆତ୍ମଜ୍ଞାନୀ ପୁରୁଷଭାବେ ଗଣାଯାଉଥିଲା। ସେ ଦୃଷ୍ଟିରୁ ସାଧୁସନ୍ଥମାନଙ୍କର ସଂଜ୍ଞା ନିରୂପଣ ନିମନ୍ତେ ଜଟାଛାଡି କୌପୀନ ମଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ଉଦାହରଣଭାବେ ନିଆଯିବାରେ କୌଣସି ଯଥାର୍ଥତା ନାହିଁ।
ସବୁଠାରୁ ବଡକଥା ହେଲା ଏ ଦେଶର ଆଧ୍ୟାତ୍ମିକ ପଥରେ ଅଗ୍ରଗାମୀ ହେଉଥିବା ବ୍ୟକ୍ତିଟି ଲାଗି ଧନ, ସମ୍ମାନ ଆଦି ତୁଚ୍ଛ ବୋଧ ହୋଇଥାଏ। ସାଧୁସନ୍ନ୍ୟାସୀମାନଙ୍କର ପ୍ରଥମ ଚରିତ୍ର ହେଲା ସେମାନେ ବିନୟୀ। ଗୋସ୍ୱାମୀ ତୁଳସୀ ଦାସ ଶ୍ରୀରାମଚରିତମାନସରେ ବର୍ଣ୍ଣନା କରିଛନ୍ତି – ‘ସଂତ ସରଲ ଚିତ ଜଗତହିତ ଜାନି ସୁଭାଉ ସନେହୁ’; ଅର୍ଥାତ୍‍ ସନ୍ଥମାନେ ହେଉଛନ୍ତି ସରଳ ହୃଦୟ ଓ ଜଗତର ହିତକାରୀ। ବର୍ତ୍ତମାନ ମହାନ ଭାରତବର୍ଷରେ ଯେ ସନ୍ଥ ନାହାନ୍ତି ସେକଥା ନୁହେଁ। ତେବେ ଯେଉଁମାନେ ବାସ୍ତବରେ ସନ୍ଥ, ବାସ୍ତବରେ ଈଶ୍ୱରଙ୍କ ଦୂତ ସେମାନେ କେବେ ଟିଭି ଚ୍ୟାନେଲରେ ପ୍ରବଚନ ଦିଅନ୍ତି ନାହିଁ କି ବିଳାସପୂର୍ଣ୍ଣ ଆଶ୍ରମ ସ୍ଥାପନ କରି ମଜା ଲୁଟନ୍ତି ନାହିଁ କି ଯୋଗ-ଆୟୁର୍ବେଦ ବ୍ୟବସାୟ କରନ୍ତି ନାହିଁ। ବିଳାସବ୍ୟସନଠାରୁ ଅନେକ ଦୂରରେ ରହିଥାନ୍ତି ସନ୍ଥ। ଶ୍ରୀରାମକୃଷ୍ଣ ପରମହଂସଙ୍କ ନିକଟକୁ ଜଣେ ଭଦ୍ରବ୍ୟକ୍ତି ଏକ ଦାମିକା କମ୍ବଳ ନେଇ ଆସିଥାନ୍ତି। ଅତି ଶ୍ରଦ୍ଧାରେ ସେ ତାକୁ ରାମକୃଷ୍ଣଙ୍କୁ ପ୍ରଦାନ କଲେ। ଉଦ୍ଦେଶ୍ୟ ଶୀତଦିନେ ଏହା ଠାକୁରଙ୍କ କାମରେ ଆସିବ; ମାତ୍ର ରାମକୃଷ୍ଣ କମ୍ବଳଟିକୁ ନେଇ ତଳେ ପକାଇ ତା ଉପରେ ଚକାମାଡି ବସିପଡିଲେ। ବ୍ୟକ୍ତିଜଣକ ମନେମନେ ଭାବୁଥାନ୍ତି – ଠାକୁର ଏ କ’ଣ କଲେ ମ ! ଏତେ ଦାମିକା କମ୍ବଳଟିକୁ ତଳେ ପକାଇ ବସିପଡିଲେ। ଶୀତଦିନ। ନିଆଁ ଜଳୁଥାଏ। ସମସ୍ତେ ନିଆଁ ପୋଇଁ ହେଉଥାନ୍ତି। କିଛିସମୟ ଗଲାପରେ ହଠାତ୍‍ ରାମକୃଷ୍ଣ କ’ଣ କଲେ ନା କମ୍ବଳଟିକୁ ନିଆଁରେ ଫୋପାଡିଦେଇ କହିଲେ – ‘ଯା ଏଇଟା ବଡ ଅସୁବିଧା କରୁଥିଲା। ଗଲା ତ ! ଏବେ ଶାନ୍ତ ହୋଇ ମା’ର କଥା ଶୁଣ।’ ଏ ହେଲା ସନ୍ଥଙ୍କ ଆଚରଣ। ପାର୍ଥିବ ବସ୍ତୁରେ ସେମାନଙ୍କର ତିଳେମାତ୍ର ଆକର୍ଷଣ ନଥାଏ। ତା’ ନହୋଇଥିଲେ ଅତୀତରେ ରାଜାମାନେ ଋଷିମାନଙ୍କୁ ଦାନ କରୁଥିବା ସହସ୍ରସହସ୍ର ସ୍ୱର୍ଣ୍ଣମୁଦ୍ରା, ଲକ୍ଷଲକ୍ଷ ଗୋଧନକୁ ସେମାନେ ଅକାତରରେ ବିତରଣ କରିଦେଇ କୁଡିଆରେ ରହୁନଥାନ୍ତେ। ଧନଭଳି ସମ୍ମାନକୁ ମଧ୍ୟ କେବେ ବି ସାଧୁସନ୍ଥ ବା ସନ୍ନ୍ୟାସୀମାନେ ଆଶା କରିନଥାନ୍ତି। କୌଣସି ରାଜାଙ୍କ ଦରବାରରେ ମୁନିଋଷିମାନଙ୍କୁ ଉପାଧିରେ ପୂଜା କରାଯାଏନା। କାରଣ ଏ ଦେଶର ପରମ୍ପରାରେ ରାଜାଙ୍କ ପାଖରେ ସେତିକି କ୍ଷମତା ବା ସମ୍ବଳ ନାହିଁ ଯେ ସେ କୌଣସି ମୁନିଙ୍କୁ ଉପାଧିଯୁକ୍ତ କରିପାରିବ। ରାଜା ସବୁବେଳେ ମୁନିଋଷି, ସାଧୁସନ୍ଥଙ୍କର ଆଶୀର୍ବାଦ ଭିକ୍ଷା କରେ। ଏ ଦେଶର ପରମ୍ପରାରେ କୌଣସି ରାଜାଙ୍କ ଦରବାରକୁ ସନ୍ନ୍ୟାସୀ ବା ମୁନିଋଷି ଆଗମନ କଲେ ସେ ନିଜର ରାଜସିଂହାସନ ଉକ୍ତ ମହାନ ଆତ୍ମାକୁ ଛାଡିଦିଏ ଓ ନିଜେ ତାଙ୍କ ଚରଣତଳେ ଉପବିଷ୍ଟ ହୋଇଥାଏ। ସେ ଦୃଷ୍ଟିରୁ ସାଧୁସନ୍ଥମାନେ ରାଷ୍ଟ୍ରର ସମ୍ମାନଠାରୁ ବହୁ ଊର୍ଦ୍ଧ୍ବରେ। ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଥିଲେ ବି ଦେଶବାସୀ ଏବେ ବି ହିନ୍ଦୁ ଧର୍ମର ସାଧୁସନ୍ଥ, ସନ୍ନ୍ୟାସୀମାନଙ୍କୁ ସବୁବେଳେ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥାନ୍ତି। ଅବଶ୍ୟ ଟେଲିଭିଜନରେ ପ୍ରବଚନ ଦେଉଥିବା ଓ ଗେରୁଆ ବସ୍ତ୍ରଧାରଣ କରିଥିବା ବାବାମାତାଙ୍କ କଥା ଭିନ୍ନ।
ଏଭଳି ବାବାମାନଙ୍କର ହୁଏତ ଭାରତରତ୍ନ, ପଦ୍ମଶ୍ରୀ, ପଦ୍ମଭୂଷଣ, ବିଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନ ଲୋଡା ହୋଇପାରେ। କାରଣ ଏଭଳି ସମ୍ମାନ ସେମାନଙ୍କ ବାବା ବ୍ୟବସାୟକୁ ଅଧିକ ପ୍ରସାରିତ କରିବାରେ ସହାୟକ ହୋଇପାରେ। ମାତ୍ର ଯେଉଁମାନେ ବାସ୍ତବରେ ମାନବିକତାର ପୂଜାରୀ, ଯେଉଁମାନେ ଆଧ୍ୟାତ୍ମିକ ଅନୁସନ୍ଧିତ୍ସୁ ସେମାନେ ଯେକୌଣସି ପ୍ରକାର ସମ୍ମାନରୁ ବହୁ ଊର୍ଦ୍ଧ୍ବରେ। ଏହି ପରିପ୍ରେକ୍ଷୀରେ ବିଚାର କଲେ ସ୍ୱାମୀ ବିବେକାନନ୍ଦ, ଯୋଗୀ ଅରବିନ୍ଦ, ମହର୍ଷି ଦୟାନନ୍ଦଙ୍କ ଭଳି ମହାପୁରୁଷମାନଙ୍କୁ ଭାରତରତ୍ନ ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ ବା ଏଭଳି ସମ୍ମାନ ପରେ ଯେ ସେମାନଙ୍କର କିଛି ଗରିମା ବଢିଯିବ, ସେଭଳି ଚିନ୍ତନର କୌଣସି ହେତୁ ନାହିଁ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories