ବିଶ୍ବନିୟନ୍ତା କିଏ?

0

ହରପ୍ରସାଦ ଦାସ

ଆମେ ବିଶ୍ବାସ କରୁ ଯେ ଏ ବିଶ୍ବ-ବ୍ରହ୍ମାଣ୍ଡର ଅଛନ୍ତି ଜଣେ ନିୟନ୍ତା, ସେ ବିଶ୍ବନିୟନ୍ତା ଈଶ୍ବର। ତାଙ୍କରି ଇଚ୍ଛାରେ ସମସ୍ତେ ଆତଯାତ ହୁଅନ୍ତି, ସମଗ୍ର ଜୀବଜଗତ, ସାଗର, ନଦୀ, ପର୍ବତ, ବନସ୍ପତି, ଏପରିକି କ୍ଷୁଦ୍ରରୁ କ୍ଷୁଦ୍ରତମ ତୃଣ ମଧ୍ୟ ତାଙ୍କରି ଇଚ୍ଛାଶକ୍ତି ଦ୍ବାରା ନିୟନ୍ତ୍ରିତ ହୁଏ। କିନ୍ତୁ ଏକବିଂଶ ଶତାବ୍ଦୀର ରାଜନୀତିରେ ବିଶ୍ବନିୟନ୍ତା କିଏ? ମଣିଷକୁ ତା’ର ଆସ୍ଥାଜଗତରେ ଛାଡ଼ିଦେଇ କେତେବେଳେ ରାଜନୀତି ବିଶ୍ବର ନିୟନ୍ତ୍ରଣ କରାୟତ୍ତ କଲା? ଏ ଏକ ଲମ୍ବା କାହାଣୀ, ୟାକୁୁ ପ୍ରଥମେ ସଂକ୍ଷେପରେ କହିବାକୁ ହେବ।
ପ୍ରାଚୀନ ବିଶ୍ବରେ ମାନବସଭ୍ୟତା ଗୋଟିଏ ନଥିଲା। ଲୋକବସତି, ଲୋକସଂସ୍କାର ଓ ଲୋକବିକାଶ ଦୃଶ୍ୟମାନ ହୋଇ ଅନ୍ତତଃ ଏକହଜାର ବର୍ଷ ନ ରହିଲେ ବା ନ ତିଷ୍ଠିଲେ ‘ସଭ୍ୟତା’ ହୁଏ ନାହିଁ ବୋଲି ମୁଁ ବିଶ୍ବାସ କରେ। ବିଶିଷ୍ଟ ସଭ୍ୟତାବିଦ୍‌ମାନେ ଦୁଇହଜାର ବର୍ଷରୁ ଊର୍ଦ୍ଧ୍ବକାଳର ମାନ୍ୟତା ସ୍ଥିର କରିଛନ୍ତି, କିନ୍ତୁ ସଭ୍ୟତାର ପରିମାପକ ସିଦ୍ଧାନ୍ତଗୁଡ଼ିକ ବିଭିନ୍ନ ରଚନାରେ ବିକ୍ଷିପ୍ତ ହୋଇ ପଡ଼ିଛନ୍ତି, ତାଙ୍କୁ ଏକାଠି କରିବା ସମ୍ଭବ ହୋଇନାହିଁ। ତା’ର କାରଣ ଇଙ୍କା​‌‌, ଇଜିପ୍ଟିଆନ୍‌, ରୋମାନ, ଚାଇନିଜ୍‌ ଓ ଭାରତୀୟ (ଆର୍ଯ୍ୟ) ତଥା ଅନ୍ୟ କ୍ଷୁଦ୍ର ସଭ୍ୟତାମାନଙ୍କର ଉତ୍କର୍ଷ ବିନ୍ଦୁଗୁଡ଼ିକ ପରସ୍ପରଠାରୁ ଭିନ୍ନ। କିନ୍ତୁ ଏକଥା ତ ସ୍ବୀକାର୍ଯ୍ୟ ଯେ ‘ନଗର’, ‘ନଗରୀକରଣ’ ଓ ‘ନାଗରିକତା’ ସବୁ ସଭ୍ୟତାର ଉତ୍କର୍ଷ ପ୍ରବାହ ହୋଇ ରହିଛନ୍ତି, ଯାହା ପୁରାତାତ୍ତ୍ବିକ ଅନୁସନ୍ଧାନରୁ ଆମେ ଏବେ ଜାଣୁଚେ। ଗ୍ରାମ୍ୟଜୀବନ ସଭ୍ୟତାର ଅକ୍ଷୟ ଅବଶେଷ ନୁହେଁ। ଏ ନିଷ୍କର୍ଷରେ ମଧ୍ୟ ଉପନୀତ ହେବା ସମ୍ଭବ ଯେ ଗ୍ରାମ୍ୟଜୀବନ ନାଗରିକ ସଭ୍ୟତାରେ ପରିଣତ ନହେଲା ପର୍ଯ୍ୟନ୍ତ ବଡ଼ ନିର୍ମାଣ ସମ୍ଭବ ହୁଏ ନାହିଁ ଓ ବଡ଼ ନିର୍ମାଣ ସମ୍ଭବ ନହେଲା ଯାଏ ବଡ଼ ଧ୍ବଂସାବଶେଷର ପୁରାତାତ୍ତ୍ବିକ ସମ୍ଭାବନା ରହେନାହିଁ। ପୁରାତାତ୍ତ୍ବିକ ସମ୍ଭାବନା ବାହାରେ ଥାଏ ଆଉ ଗୋଟିଏ ସଂକେତ। ସେ ସଂକେତ ଜାତୀୟ ସ୍ମୃତି। ଦୁୁଇହଜାର ବର୍ଷରୁ ହଜାରେ ବର୍ଷକୁ ସଭ୍ୟତାର କାଳସୀମା ଭାବରେ ମୁଁ ଗ୍ରହଣ କରୁଛି ଏଇଥିପାଇଁ ଯେ ଦୁଇହଜାର ବର୍ଷରେ ଜାତୀୟ ସ୍ମୃତି ମଳିନ ପଡ଼ିଯାଏ ଓ ପୁନର୍ବ୍ୟାଖ୍ୟାନ ନହେଲେ ସଭ୍ୟତାର ମନ୍ମୟସଂକେତ ଗୁଡ଼ିକ ନଷ୍ଟ ହୋଇଯାଆନ୍ତି, ଯଦିଓ ଧାତୁ ଓ ପ୍ରସ୍ତର ସଂକେତଗୁଡ଼ିକ ରହିଯାଆନ୍ତି। ଗ୍ରୀକ୍‌ ଐତିହାସିକ ଥୁସିଦାଇଦିସ୍‌ ମାତ୍ର ପାଞ୍ଚଶହ ବର୍ଷର କାଳଖଣ୍ଡରେ ଗୋଟିଏ ସଭ୍ୟତା ଭିତରେ ନିୟନ୍ତା ଶକ୍ତି ଓ ନିବେଦିତ ମହତ୍ତ୍ବାକାଂକ୍ଷୀ ଶକ୍ତି ମଧ୍ୟରେ ସଂଘର୍ଷ ଲକ୍ଷ୍ୟ କରିଥିଲେ। ସଭ୍ୟତାବିଦ୍‌ମାନେ ପାଞ୍ଚଶହ ବର୍ଷ ଭିତରେ ଏ ସଂଘର୍ଷର ସମ୍ଭାବନାକୁ ‘ଥୁସିଦାଇଦିସ୍ ଟ୍ରାପ୍‌’ ବୋଲି କହିଛନ୍ତି। ବିଶ୍ବର ଇତିହାସକୁ ଲକ୍ଷ୍ୟକଲେ ଏ ଅନୁମାନ ସତ୍ୟ ହେବ ଯେ ପ୍ରାଚୀନ ସଭ୍ୟତାର ଜାତୀୟସ୍ମୃତି ପ୍ରାୟ ଲୋପ ପାଇଗଲାଣି ଓ ଗତ ହଜାରେ ବର୍ଷର ସ୍ମୃତି ବିଶ୍ବର ଇତିହାସ, ସଂସ୍କୃତି, କଳା ଓ ସାହିତ୍ୟ ସବୁଥିରେ ଜୀବନ୍ତ। ଥୁସିଦାଇଦିସ୍‌ ଯେଉଁ ଶକ୍ତି-ସଂଘର୍ଷର ଅନୁମାନ କରିଥିଲେ ତାହା ଦୁଇ ପ୍ରସ୍ଥରେ ଘଟିଯାଇଛି। ଗୋଟିଏ ପ୍ରସ୍ଥରେ ବିଶ୍ବର ଶକ୍ତି ସଂଗଠନ ମୁଖ୍ୟତଃ ସାମ୍ରାଜ୍ୟବାଦୀ ଇଂଲଣ୍ଡ ହାତରେ ଠୁଳୀଭୂତ ହୋଇଗଲା, ଆଉ ଗୋଟିଏ ପ୍ରସ୍ଥରେ ଇଂଲଣ୍ଡ ହାତରୁ ଶକ୍ତି ଯାଇ ଉଠିଲା ଯୁକ୍ତରାଷ୍ଟ୍ର ଆମେରିକା ହାତରେ। ଶକ୍ତି ହସ୍ତାନ୍ତରଣର ଏ ପ୍ରକ୍ରିୟା ଦୁଇ ବିଶ୍ବଯୁଦ୍ଧରେ ସାମ୍ରାଜ୍ୟବାଦୀ ୟୁରୋପ, କମ୍ୟୁନିଷ୍ଟ ରୁଷିଆ ଓ ପୁଞ୍ଜିବାଦୀ ଆମେରିକା ମଧ୍ୟରେ ସଂପାଦିତ ସତେବା ଏକ ଚୁକ୍ତି ଥିଲା। ଏ କି ପ୍ରକାରର ଚୁକ୍ତି ଥିଲା ତା’ର ଅନୁମାନ ପାଠ ଅନୁସାରେ ପରସ୍ପରଠୁ ଅଲଗା। ସାମ୍ରାଜ୍ୟବାଦୀ ପାଠରେ ୟାକୁ କୁହାଯିବ ଉପନିବେଶର ସମାପ୍ତି। କମ୍ୟୁନିଷ୍ଟ ପାଠରେ ୟାକୁ କୁହାଯିବ ସର୍ବହରାର ଏକଛତ୍ରବାଦ (ଡିକ୍ଟେଟରଶିପ୍‌ ଅଫ୍‌ ପ୍ରୋଲେତାରିଏତ୍‌)ର ବିଫଳତା। ପୁଞ୍ଜିବାଦୀ ପାଠରେ ୟାକୁ କୁହାଯିବ ଲେସେ ଫେଆର୍‌ (ଅହସ୍ତକ୍ଷେପ, ବ୍ୟକ୍ତିସ୍ବାତନ୍ତ୍ର୍ୟ)। ପ୍ରକୃତରେ ସଂଘର୍ଷ ଥିଲା ଉପନିବେଶବାଦ, ସାମ୍ୟବାଦ ଓ ପୁଞ୍ଜିବାଦ ମଧ୍ୟରେ, ବିଜୟ ଆମେରିକାର ହେଲା ନାହିଁ ପୁଞ୍ଜିବାଦର ହେଲା। ଇଂଲଣ୍ଡ ତା’ର ସାମ୍ରାଜ୍ୟବାଦୀ ଅଭିଯାନ ବନ୍ଦ କରିଦେଲା, ରୁଷିଆ ଏକ ସଶକ୍ତ ସମାଜବାଦୀ ରାଷ୍ଟ୍ର ସ୍ଥାପନା କଲା; କିନ୍ତୁ ସର୍ବହରାର ପ୍ରଭୁତ୍ବ ସ୍ଥାପିତ କରିପାରିଲା ନାହିଁ, ଆମେରିକା ବ୍ୟକ୍ତିସ୍ବାତନ୍ତ୍ର୍ୟର ଆଧାରରେ ଏକ ମହତ୍ତ୍ବାକାଙ୍‌କ୍ଷୀ ସଂପନ୍ନ ପୁଞ୍ଜିବାଦୀ ବ୍ୟବସ୍ଥା କାଏମ୍‌ କଲା। ଆମେରିକା ଓ ରୁଷିଆ ଭିତରେ ଯେଉଁ ଶୀତଳଯୁଦ୍ଧ (କୋଲ୍ଡ ୱାର) ଲାଗିରହିଲା ତାହା ପରସ୍ପରର ଶକ୍ତିରେ ପରସ୍ପରକୁ ନିବୃତ୍ତ କରି ରଖିବାର ଅଘୋଷିତ ଯୁଦ୍ଧ ନଥିଲା, ତାହା ପ୍ରକୃତରେ ଥିଲା ବିଚାରଧାରାର ଘୋଷିତ ଯୁଦ୍ଧ। ୧୯୮୯ରେ ଏ ଶୀତଳଯୁଦ୍ଧ ବି ବଡ଼ ନାଟକୀୟ ଭାବରେ ସମାପ୍ତ ହୋଇଗଲା। ପ୍ରକାଣ୍ଡ ଋଷୀୟ ସଂଯୁକ୍ତ ରାଷ୍ଟ୍ର ବିଭାଜିତ ହୋଇଗଲା। ୟାର ଅର୍ଥ ହେଲା ଏଇ ଯେ ବିଂଶଶତାବ୍ଦୀର ଅନ୍ତିମ ଦଶକ ବେଳକୁ ଆମେରିକା ହୋଇଗଲା ବିଶ୍ବନିୟନ୍ତା! ପ୍ରଭୁରାଷ୍ଟ୍ର।
ରାଜନୀତିର ଏ ବିଶ୍ବନିୟନ୍ତା ପ୍ରଭୁ ତାଙ୍କର ପ୍ରଭୁତ୍ବର ପ୍ରତିଷ୍ଠା ପାଇଁ ନାନା ଉପାୟ କଲେ। ବିଶ୍ବର ବିତ୍ତବ୍ୟବସ୍ଥା, ବିକାଶତନ୍ତ୍ର, ଜାତିସଂଘ ଓ ବୌଦ୍ଧିକ ବିଚାରଧାରା ସବୁ ଉପରେ ରହିଲା ତାଙ୍କର କର୍ତ୍ତୃତ୍ବ। ବିତ୍ତ ବ୍ୟବସ୍ଥା ଏଭଳି ହେଲା ଯେ ବିକାଶର ସ୍ବପ୍ନ ଦେଖୁଥିବା ବିଶ୍ବର ସବୁ ରାଷ୍ଟ୍ର ଋଣ କରିଥିବା ଅର୍ଥରେ ବିକାଶର ଢାଞ୍ଚା ତିଆରି କଲେ। ସେ ଢାଞ୍ଚା ବି ଥିଲା ଆମେରିକାନ୍‌ ବଳରେ ବଳୀୟାନ ଆନ୍ତର୍ଜାତିକ ବହୁମୁଖୀ ଋଣଦାତା ଅନୁଷ୍ଠାନମାନଙ୍କର ଉଦ୍‌ଭାବନ। ଅତ୍ୟନ୍ତ କମ୍‌ ସୁଧରେ, ପରିଶୋଧର କଡ଼ା କଟକଣା ନଥାଇ ଯେଉଁ ଋଣ ବ୍ୟବସ୍ଥା ଆମେରିକାନ୍‌ଙ୍କ ପ୍ରଭୁତ୍ବ ତତ୍ତ୍ବରୁ ବାହାରିଲା ତାହା ଆପାତତଃ ଆମେରିକାନ ବା ଆମେରିକାନ ନିୟନ୍ତ୍ରିତ ବିତ୍ତୀୟ ବଦାନ୍ୟତା ଭଳି ମନେହେଲା ସିନା, ତାହା ପ୍ରକୃତରେ ଥିଲା ବିଶ୍ବର ବିକାଶଶୀଳ ଦେଶକୁ ଅନୁଗତ ଓ ଚିିରକୃତଜ୍ଞ କରି ରଖିବାର ଦୁରଭିସନ୍ଧି। କୁହାଯାଇପାରେ ଯେ ଏହା ଥିଲା ଛାୟା ସାମ୍ରାଜ୍ୟବାଦ। ବିକାଶତନ୍ତ୍ରରେ ମଧ୍ୟ ସେଇ ଆମେରିକାନ୍‌ ନିୟନ୍ତ୍ରିତ ବ୍ୟବସ୍ଥା। ବିକାଶର ଭାଷା, ଅମଲାତାନ୍ତ୍ରିକ କର୍ମାନ୍ବୟନ, ପୁଞ୍ଜିନିବେଶ, ବଜେଟିଂ ଓ ପ୍ରଶାସନ (ଗଭର୍ଣ୍ଣାନ୍ସ) ଏସବୁ ବ୍ରିଟିଶ ଖୋଳରୁ ବାହାରି ଆମେରିକାନ୍‌ ​‌େ​‌ଖାଳରେ ବର୍ତ୍ତମାନ ପୂରା ନିବୁଜ। ୧୮୬୦ରେ ଯେଉଁ ପ୍ରଥମ ବଜେଟ୍‌ ଭାରତ ବ୍ୟାପାର ମନ୍ତ୍ରୀ ଜେମ୍‌ସ ୱିଲସନ୍‌ ବ୍ରିଟିଶ୍‌ ପାର୍ଲିଆମେଣ୍ଟରେ ଉପସ୍ଥାପିତ କରିଥିଲେ, ତା ସହିତ ସ୍ବାଧୀନ ଭାରତର ପ୍ରଥମ ବଜେଟ୍‌ ଯାହା ନଭେମ୍ବର ୨୬, ୧୯୪୭ରେ ବିତ୍ତମନ୍ତ୍ରୀ ଆର.କେ ଶନମୁଖମ୍‌ ଚେଟ୍ଟି ପ୍ରସ୍ତୁୁତ କରିଥିଲେ, ତୁଳନା କରନ୍ତୁୁ ଓ ଏ ପ୍ରଥମ ବଜେଟ୍‌ ସହିତ ଏଯାବତ୍‌ ପ୍ରସ୍ତୁୁତ ସମସ୍ତ ବଜେଟର। କହିବାରେ ଦ୍ବିଧା ନାହିଁ ଯେ ଆମେ ଆଂଗ୍ଲୋ-ଆମେରିକାନ ବଜେଟିଂ ଷ୍ଟାଣ୍ଡାର୍ଡ ବ୍ୟବହାର କରୁଚୁ। ଆମ ଭଳି ବହୁ ରାଷ୍ଟ୍ର ତାହା କରନ୍ତି। ଋଷୀୟ ପ୍ଲାନିଂ ସହିତ ଆଂଗ୍ଲୋଆମେରିକାନ ବଜେଟିଂ। ପ୍ଲାନିଂ କମିଶନର ଢାଞ୍ଚ ପୂରା ବଦଳାଇ ତାକୁ ନୀତି ଆୟୋଗରେ ପରିଣତ କରାଯିବା ଭାରତୀୟ ବିକାଶର ଏକ କେନ୍ଦ୍ରୀୟ ମଡେଲ। ଏହା ଏକ ଐତିହାସିକ ପରିବର୍ତ୍ତନ; କିନ୍ତୁୁ ବଜେଟିଂରେ ପରିବର୍ତ୍ତନ କାହିଁକି ହୋଇନାହିଁ। ତା’ର ଏକମାତ୍ର କାରଣ ‘ଆକାଉଣ୍ଟିଂ ମାଟ୍ରିକ୍ସ’ ବା ହିସାବ ରଖିବାର ମୂଳାଧାର। ଯୋଜନା ସହିତ ବଜେଟ ଓ ହିସାବ ରକ୍ଷଣର ଗାଠନିକ ସମ୍ପର୍କ କେତେ ସୃଜନଶୀଳ ତାହା ବିଚାରଯୋଗ୍ୟ। ଅନ୍ତତଃ ଏତିକି ସ୍ବୀକାର କରାଯାଉ ଯେ ଯୋଜନା ବା ନୀତି ସହିତ ବଜେଟ ଓ ହିସାବରକ୍ଷଣର ସମ୍ପର୍କ ବେପାର ସହିତ ବେପାରିଖାତାର ସମ୍ପର୍କ ନୁହେଁ, ଏ ସମ୍ପର୍କ ଗୋଟିଏ ଜୀବନ୍ତ ରାଷ୍ଟ୍ରର ସୃଜନଶୀଳ ଅଭିବ୍ୟକ୍ତି! ଜାତିସଂଘରେ ଭାରତର ସ୍ଥିତି କ’ଣ ବା ଅନ୍ୟ ଦ୍ରୁତ ବିକାଶଶୀଳ ରାଷ୍ଟ୍ରଙ୍କର ସ୍ଥିତି କ’ଣ? କୂଟନୀତିଜ୍ଞମାନଙ୍କର ମତ ତା’ ଜାଗାରେ ଥାଉ, ମୁଁ ମୋର ନିଜର ଅନୁଭୂତିରୁ କହିପାରେ ଯେ ଜାତିସଂଘରେ ଓ ଜାତିସଂଘର ସ୍ବତନ୍ତ୍ର ସଂସ୍ଥାମାନଙ୍କ​‌େ​ର ଆମେରିକାନ ଲବିର ମତ ହିଁ ଚଳେ। ତାହା ହିଁ ବିଶ୍ବର ମତ ବୋଲି ଧରାଯାଏ। ଜାତିସଂଘକୁ ରାଷ୍ଟ୍ରମାନେ ଦେଉଥିବା ଅନୁଦାନରେ ଆମେରିକା ସର୍ବୋଚ୍ଚ। ଆମେରିକାନ ପ୍ରସ୍ତାବ କାଟ୍‌ ଖାଇଗଲା ବୋଲି ଅନୁଦାନ ବନ୍ଦ କରି ଜାତିସଂଘକୁ ଘାଏଲ କରିବା କାର୍ଯ୍ୟ ମଧ୍ୟ ଆମେରିକା କରିଛି ଓ କରିବ। ସ୍ବଳ୍ପ ଅନୁଦାନ ଦେଇ ଭାରତ କରେ କ’ଣ? ଏକଥା କ’ଣ ସତ ନୁହେଁ ଯେ ଭାରତର ଅମଲାମାନେ ଜାତିସଂଘରେ ନିଜ ପାଇଁ ଜାଗା ଖୋଜନ୍ତି। କେବଳ ଭାରତ ନୁହେଁ ପ୍ରାୟ ସବୁ ଅନ୍ୟ ଦେଶର ଅମଲା ଓ ବିଶେଷଜ୍ଞ। ଆଲୋଚନାବେଳେ ଭାରତୀୟ ଦୃଷ୍ଟିକୋଣ ଯଦି ଆଜେଣ୍ଡାରେ ବା ନିଷ୍କର୍ଷରେ ସ୍ଥାନ ପାଏ ଆମର ଖୁସିର ସୀମା ରହେନି; କିନ୍ତୁ ତା’ର ରୂପାୟଣ ବିନା ଆମେରିକାନ୍‌ ସମର୍ଥନରେ ହୁଏ କି? ଜାତିସଂଘର ବ୍ୟବସ୍ଥା ସହିତ ବହୁବର୍ଷର ସମ୍ପୃକ୍ତିରୁ ମୁଁ ଏତିକି ଜାଣିଚି ଯେ ଏ ଅନୁଷ୍ଠାନ ପ୍ରଭୁଙ୍କ ମର୍ଜିରେ ଚଳେ। ବୌଦ୍ଧିକ ବିଚାରଧାରା କ୍ଷେତ୍ରରେ ଆମେ କେଉଁଠି? କିଛିବର୍ଷ ତଳେ ଫରାସୀ ଦାର୍ଶନିକ ଜାକ୍‌ ଦେରିଦା କଲିକତା ବହିମେଳାକୁ ଅତିଥି ହୋଇ ଆସିଥିଲେ। ସେଠି ତାଙ୍କ ଦର୍ଶନ ଉପରେ ଭାରତୀୟ ବିଦ୍ବାନମାନେ ଏତେ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଦେଲେ ଯେ ଦେରିଦା କହିଲେ: ମୋଠାରୁ ଅଧିକ ମୋତେ ଆପଣମାନେ ଜାଣନ୍ତି। ଆମ ଛାତି କୁଣ୍ଢେମୋଟ, କିନ୍ତୁ ଦୁଃଖର କଥା ହେଲା କୌଣସି ଗୋଟିଏ ବିଦେଶୀ ବହିମେଳା (ଯେମିତି ଫ୍ରାଙ୍କ୍‌ଫର୍ଟ ବୁକ୍‌ ଫେୟାର)ରେ କୌଣସି ଜଣେ ଭାରତୀୟ ଚିନ୍ତକଙ୍କ ବିଷୟରେ କେହିଜଣେ ୟୁରୋପୀୟ ବ୍ୟାଖ୍ୟାନ ପ୍ରସ୍ତୁତ କରନ୍ତି କି? ‘ଗ୍ଲୋବାଲ୍‌ ଡିସ୍କୋର୍ସ’ (ବିଶ୍ବବିମର୍ଶ)ରେ ଆମର ସ୍ଥାନ କେଉଁଠି, ଆମର ଅବଦାନ କ’ଣ? ଜାଣିଲେ ଆପଣ ବିସ୍ମିତ ହେବେ ଯେ ପୂର୍ବତନ ରୁଷୀୟ ରାଷ୍ଟ୍ର ଓ ପୂର୍ବତନ ଫରାସୀ ଉପନିବେଶଗୁଡ଼ିକରୁ ବର୍ତ୍ତମାନ କିଛି ବିଦ୍ବାନ୍‌ ବାହାରିଛନ୍ତି। ସେ କିନ୍ତୁ ପାଠମଞ୍ଚରେ, ରାଜନୈତିକ ମଞ୍ଚ ସଫା।
କୁହାଯାଉଛି ଯେ ଭାରତ, ବ୍ରାଜିଲ, ଚୀନ, ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା ଆଦି ରାଷ୍ଟ୍ରମାନେ ବର୍ତ୍ତମାନ ଆମେରିକାନ୍‌ ପ୍ରଭୁତ୍ବକୁ ଚାଲେଞ୍ଜ କରୁଛନ୍ତି ଓ ଏମାନେ ସଫଳ ହେଲେ ଶକ୍ତି ସଂଘର୍ଷର ରୂପ ବଦଳିଯିବ। କିଛିଦିନ ତଳେ ଜ​‌ଣେ ବିଶିଷ୍ଟ କୂଟନୀତିଜ୍ଞଙ୍କ ସହିତ ଏକ ଅନୌପଚାରିକ ଆଲୋଚନାରେ ସେ ଦୃଢ଼ତାର ସହିତ କହିଲେ ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ‘ଲୁକ୍‌ ଇଷ୍ଟ’ ନୀତି ପଛରେ ଏ ଅନୁମାନ ରହିଛି ଯେ ବିଶ୍ବର ଶକ୍ତିକେନ୍ଦ୍ର ବଦଳିବା ଆସନ୍ନ, ଏହା ପଶ୍ଚିମରୁ ପୂର୍ବକୁ ଆସିବ। ଅର୍ଥାତ୍‌ ଆମେରିକାରୁ ଏହା ଆମ ଭାରତ ହାତକୁ ବି ଆସିଯାଇପାରେ।
ଶକ୍ତିଶାଳୀ ପ୍ରଭୁୁରାଷ୍ଟ୍ର ଓ ମହତ୍ତ୍ବାକାଂକ୍ଷୀ ବିକଶିତ ରାଷ୍ଟ୍ରଙ୍କ ମଧ୍ୟରେ ଶକ୍ତିପରୀକ୍ଷା ଆଉ ସମ୍ଭବ ନୁହେଁ। ଇତିହାସରେ ରାଜନୀତିର ବିକାଶଗାଥା ଅନ୍ତତଃ ଶହେବର୍ଷ ତଳେ ସ୍ଥିର ହୋଇଯାଇଛି। ଶକ୍ତି ଅସ୍ତ୍ରରେ ନାହିଁ କି ବିତ୍ତରେ ବି ନାହିଁ। ବିଶ୍ବରେ ସେହି ପ୍ରଭୁ ଯାହାର ବିଚାରଧାରା ବିଶ୍ବର ମସ୍ତିଷ୍କକୁ ପ୍ରଭାବିତ କରେ। ୟୁୁରୋ ଆମେରିକାନ୍‌ ଚିନ୍ତନ କେନ୍ଦ୍ରଗୁଡ଼ିକ ବରାବର ଚିନ୍ତା କରିଚାଲିଛନ୍ତି କିଭଳି ସେମାନେ ବିଶ୍ବରେ ନିଜର ପ୍ରଭୁତ୍ବକୁ ବଜାୟ ରଖିବେ। ୯/୧୧ ପରେ ବିଚାରଧାରାରେ ପରସ୍ପର ବିରୋଧୀ ଦେରିଦା ଓ ହେବାରମାସ୍‌ ନ୍ୟୁୟର୍କରେ ଏକାଠି ହେବା ଓ ବିଶ୍ବର ଦାର୍ଶନିକ ଧରାତଳକୁ ବଦଳାଇବାର ମସୁଧା କରିବା ବିିସ୍ମୟକର ନୁହେଁକି? ଦୁଇ ଦାର୍ଶନିକ କହୁଛନ୍ତି ଯେ ଯୋଡ଼େ ଉଦ୍‌ବାର୍ଯ୍ୟ ଆତଙ୍କବାଦୀ ଯଦି ଆମେରିକାନ ଗରିମାର ପ୍ରତୀକ ଟ୍ବିନ୍‌ଟାୱାରକୁ ଧ୍ବସ୍ତ କରି ପାଶ୍ଚାତ୍ୟ ସଭ୍ୟତାକୁ ବିପନ୍ନ କରିଦେଲେ, ତେବେ ଯୁକ୍ତ ବିଶ୍ବର ପରିକଳ୍ପନାକୁ ବଦଳାଇବାକୁ ହେବ। କ’ଣ ବଦଳେଇଲେ ଜଣାନାହିଁ, କିନ୍ତୁ ଅନୁମାନ ଭୁଲ୍‌ ନୁହେଁ ଯେ ଆମେରିକା ଓ ୟୁରୋପରେ ଜାତୀୟତାବାଦ ଓ ରାଷ୍ଟ୍ରବାଦର ଉତ୍ଥାନ ପଛରେ ଏହାଥିଲା ବୌଦ୍ଧିକ ପୃଷ୍ଠଭୂମି।
ଭାରତର ବୌଦ୍ଧିକ ଉତ୍ସ ପୁନଃନବୀକରଣ ଅଭାବରୁ ଏଭଳି ପରିତ୍ୟକ୍ତ ହୋଇପଡ଼ିଛି ଯେ ୟାକୁ ପୁନର୍ଗଠିତ କରିବା ସ୍ବୟଂ ଏକ ସଂପୂର୍ଣ୍ଣ ବଜେଟ୍‌ ଦାବି କରେ। ସତେ କ’ଣ ବିଚାରାଧାରର ପ୍ରତିଷ୍ଠା ପାଇଁ କେବେ ବଜେଟ ହେବ? ବିନା ବିଚାରଧାରାର ସାମର୍ଥ୍ୟରେ ବିଶ୍ବର ପ୍ରଭୁ କିଏ ହେବ? କଥା ବିତ୍ତରେ ନାହିଁ କି ଅସ୍ତ୍ରଶସ୍ତ୍ରରେ ନାହିଁ କି ଆଟମିକ୍‌ ସାମର୍ଥ୍ୟରେ ନାହିଁ। ସମସ୍ତେ ପରସ୍ପର ଆଡ଼କୁ ଅସ୍ତ୍ର ମୁହାଁଇ ଠିଆହୋଇଛନ୍ତି। କେହି କାହା ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରିବେ ନାହିଁ; କିନ୍ତୁ ବିଚାରଧାରା ପାଇଁ ଦ୍ବାର ଉନ୍ମୁକ୍ତ। ବିଚାରଧାରା ପାଇଁ ତୃତୀୟ ବିଶ୍ବଯୁଦ୍ଧ ହେଉ ନହେଉ, ଅନ୍ତତଃ ବିଚାରଧାରା ଆଧାରରେ ନୂଆବିଶ୍ବର ଭାଗ୍ୟ ଲେଖା ହେବ। ସମଭାଗୀ ରାଷ୍ଟ୍ରଙ୍କର ବୌଦ୍ଧିକ ସମବାୟ ଲୋଡ଼ା; ଏକ ଉନ୍ନାସିକ ରାଷ୍ଟ୍ରଗୋଷ୍ଠୀର ପ୍ରଭୁୁତ୍ବ ଆଉ ଲୋଡ଼ା ନାହିଁ। ଯଦି ସେ ସମବାୟ ସମ୍ଭବ ନୁହେଁ, ଅନ୍ତତଃ ଭାରତଭଳି ସୁଦୀର୍ଘ ବୌଦ୍ଧିକ ପରମ୍ପରା ବିଶିଷ୍ଟ ରାଷ୍ଟ୍ରରୁ ମୌଳିକ ଚିନ୍ତନ ଉତ୍ସରିତ ହେବନାହିଁ କାହିଁକି?
ଆମର ରାଜନୈତିକ ପରିବେଶ ଓ ସାମାଜିକ ପରିସର ବୌଦ୍ଧିକ ଶକ୍ତିବିକାଶ ପାଇଁ ଅନୁକୂଳ କି? ଦକ୍ଷତାର ବିକାଶ ରୋଜଗାର ସୃଷ୍ଟି କରିପାରେ, କିନ୍ତୁ ବିଶ୍ବନିୟନ୍ତାଙ୍କ ଶକ୍ତିପାଠକୁ ବିଚାରଧାରାର ପ୍ରତିପାଠ (କାଉଣ୍ଟର ଟେକ୍ସଟ୍‌) ଦ୍ବାରା ନାକଚ ନ କଲାଯାଏ, ନୂଆ ଶକ୍ତିକେନ୍ଦ୍ରର କଳ୍ପନା କରିବା କେମିତି? ସ୍ବଳ୍ପମିଆଦି ବିକାଶର ତାତ୍କାଳିକତାଠାରୁ ବଡ଼ ସୁଦୂରପ୍ରସାରୀ ବିଚାରଧାରାର ନିର୍ମାଣ। ବିଚାରଧାରାର ନିର୍ମାତାରାଷ୍ଟ୍ର ହିଁ ହେବ ନୂଆ ବିଶ୍ବନିଅନ୍ତା।

Leave A Reply