www.samajalive.in
Thursday, December 11, 2025
15.1 C
Bhubaneswar

ଡାକ୍ତରୀ ପାଠରେ ନୈତିକତା

ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟ ପାଇଁ ନୈତିକତା ଜରୁରୀ। ଆମର ବ୍ୟକ୍ତିଗତ, ସାମାଜିକ ବା ପେସାଦାର ଜୀବନରେ ଆଚାର-ବ୍ୟବହାରର ଆଧାର ନୈତିକ ମାନଦଣ୍ଡ ହେବା ଚାହି। ଅନେକ ସମୟରେ ଅବଶ୍ୟ ମଣିଷ ସେଥିରୁ ବିଚ୍ୟୁତ ହେବା ଦେଖାଯାଏ। ତେବେ ଏଭଳି କେତେକ ପେସା ଅଛି, ଯେଉଁଥିରେ ନୈତିକତାର ପ୍ରାଧାନ୍ୟ ଖୁବ୍‌ବେଶୀ। ଡାକ୍ତରୀ ସେହିଭଳି ଏକ ପେସା। ଚିକିତ୍ସକଟିଏ ପ୍ରତିଦିନ ଭିନ୍ନଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ରୋଗୀ ଓ ତା’ର ସମ୍ପର୍କୀୟଙ୍କ ସହ ମିଶିଥାଏ ଓ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼ିଥାଏ। ଡାକ୍ତର କେବଳ ରୋଗର ପ୍ରତିକାର କରିନଥାଏ, ସେ ନିଜର ବ୍ୟବହାର ଓ କଥାବାର୍ତ୍ତା ମାଧ୍ୟମରେ ରୋଗୀଟିକୁ ଆଶା-ଆଶ୍ବାସନା ମଧ୍ୟ ଦେଇଥାଏ। ସେଇ କାରଣରୁ ଡାକ୍ତରଙ୍କୁ ‘ଦ୍ବିତୀୟ ଈଶ୍ବର’ ବୋଲି କୁହାଯାଇଆସୁଛି। ତେବେ ଆଜିକାଲି ଅନେକ ସମୟରେ ଦେଖିବାକୁ-ଶୁଣିବାକୁ ମିଳୁଛି ଯେ ଡାକ୍ତରଙ୍କ ଖରାପ ବ୍ୟବହାର ଦ୍ବାରା ଅପ୍ରିୟ ପରିସ୍ଥିତି ସୃଷ୍ଟି ହେଉଛି। ଏହା ସମଗ୍ର ଡାକ୍ତରଖାନା ଉପରେ କୁପ୍ରଭାବ ପକାଇଥାଏ। ଏଭଳି ସ୍ଥିତି ଯେଭଳି ଉତ୍ପନ୍ନ ନହେବ, ସେଥିପାଇଁ ଭାରତୀୟ ଚିକିତ୍ସା ପରିଷଦ ଏକ ସ୍ବତନ୍ତ୍ର ପଦକ୍ଷେପ ନେବାପାଇଁ ସ୍ଥିର କରିଛି।
ଏବେ ଏମ୍‌ବିବିଏସ୍ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କେବଳ ଡାକ୍ତରୀ ଶିକ୍ଷା ଦିଆଯିବ ନାହିଁ, ନୈତିକତାର ପାଠ ମଧ୍ୟ ପଢ଼ାଯିବ। ଶିକ୍ଷା ଶେଷ ହେବାପରେ ଡାକ୍ତରୀ ମାନ୍ୟତା ଗ୍ରହଣ ସମୟରେ ଛାତ୍ରଛାତ୍ରୀଙ୍କୁ ରୋଗୀ ସହ ଉତ୍ତମ ବ୍ୟବହାର ଦେଖାଇବା ତଥା ପେସାଦାର ସାଧୁତା ରକ୍ଷା କରିବା ପାଇଁ ସଙ୍କଳ୍ପ ନେବାକୁ ପଡ଼ିଥାଏ; କିନ୍ତୁ ବିଭିନ୍ନ ଘଟନାରୁ ଏହା ଯଥେଷ୍ଟ ନୁହେଁ ବୋଲି ମନେହେଉଛି। ଯେଉଁମା​‌େ​‌ନ ଡାକ୍ତରୀ ପାଠ ପଢ଼ି ଡାକ୍ତର ହୁଅନ୍ତି, ସେମାନେ ମଧ୍ୟ ଆମ ସମାଜର; ତେଣୁ ସେମାନଙ୍କ ଭିତରେ ବି ବିଭିନ୍ନ ପ୍ରକାରର ଦୁର୍ବଳତା ରହିଥିବା ସ୍ବାଭାବିକ। କିନ୍ତୁ, ସମଗ୍ର ଶିକ୍ଷାଗ୍ରହଣ ସମୟରେ ଯଦି ସେମାନଙ୍କୁ ନୈତିକ ମୂଲ୍ୟବୋଧ ଶିକ୍ଷା ଦିଆଯାଏ, ତେବେ ସେମାନଙ୍କ ଉପରେ ତା’ର ସୁପ୍ରଭାବ ପଡ଼ିବ ବୋଲି ଆଶା କରାଯାଇପାରେ। ୨୦୧୫ ମସିହାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ପ୍ରଦାନ ଉପରେ ଚିନ୍ତା କରାଯାଇଥିବାବେଳେ ଏବେ ତା’ର ଅନ୍ତିମ ରୂପରେଖ ପ୍ରସ୍ତୁତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ବର ବହୁ ଦେଶରେ ଏଭଳି ବ୍ୟବସ୍ଥା ରହିଛି।
କହିବା ବାହୁଲ୍ୟ ଯେ ନୈତିକତା କେବଳ ପାଠରୁ ଶିଖିହୁଏ ନାହିଁ, ଆମ ଚାରିପାଖରେ ଥିବା ମଣିଷମାନଙ୍କଠାରୁ ବେଶି ଶିଖିହୁଏ। ଅର୍ଥାତ, ଡାକ୍ତରୀ ପାଠ ପଢ଼ୁଥିବା କନିଷ୍ଠ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକ ଓ ବରିଷ୍ଠ ଛାତ୍ରଛାତ୍ରୀଙ୍କଠାରୁ ମଧ୍ୟ ନୈତିକତା ଶିଖିପାରିବେ। ତେଣୁ ଏ କ୍ଷେତ୍ରରେ ସେମାନଙ୍କର ଭୂମିକା ମଧ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ଉତ୍ତମ ଡାକ୍ତରଟିଏ କେବଳ ରୋଗର ଚିକିତ୍ସା କରେନାହିଁ, ରୋଗୀର ମନୋଦଶା ଓ ସ୍ଥିତିକୁ ବୁଝି ତା’ର ପ୍ରତିକାର କରିବାକୁ ଚେଷ୍ଟା କରିଥାଏ। ସେଥିପାଇଁ ଅସୀମ ଧୈର୍ଯ୍ୟ ଓ ସମ୍ବେଦନଶୀଳତା ଲୋଡ଼ା। ଆମ ଯୁବ ଚିକିତ୍ସକଙ୍କଠାରୁ ଆମେ ଅନ୍ତତଃ ଏହା ଆଶା କରିବା। ନୂଆ ପଦକ୍ଷେପ କେତେ ସଫଳ ହେଉଛି, ତାହା ଭବିଷ୍ୟତରେ ଜଣାପଡ଼ିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories