www.samajalive.in
Tuesday, December 9, 2025
23.1 C
Bhubaneswar

ନିବେଶ ଓ ବିଶ୍ବାସ

ତୀବ୍ର ପ୍ରତିଯୋଗିତାମୂଳକ ବଜାରରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରି ଓଡ଼ିଶାରେ ସେମାନଙ୍କୁ ବେପାର ବଣିଜ ଓ ଶିଳ୍ପୋଦ୍ୟୋଗ ପାଇଁ ସୁଯୋଗ ଦେବା ସହଜ କାମ ନୁହେଁ। ଏଥିପାଇଁ ନିରନ୍ତର ପ୍ରୟାସ ଓ ଅସୀମ ଧୈର୍ଯ୍ୟର ଆବଶ୍ୟକତା ରହିଛି। ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବାରେ ସୁବିଧାସୁଯୋଗ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ପୂର୍ବ ତାଲିକାରେ ସମ୍ମାନଜନକ ସ୍ଥାନରେ ଥିଲା। ଏବେ କିନ୍ତୁ ଏଥିରେ ଅବନତି ଘଟିଛି ଓ ରାଜ୍ୟ ଅନେକ ତଳକୁ ଖସିଯାଇଛି। ଏହାର ଅର୍ଥ ଓଡ଼ିଶା ସରକାର ‘ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ’ ବା ବେପାର ବଣିଜର ସୁଗମତା ପାଇଁ ଚାଲିଥିବା ଜାତୀୟ ସ୍ତରର ପ୍ରତିଯୋଗିତାରେ ପଛେଇ ଯାଇଛନ୍ତି। ପ୍ରତିଦ୍ବନ୍ଦ୍ବୀ ରାଜ୍ୟଙ୍କର ସଫଳତା ଓଡ଼ିଶା ତୁଳନାରେ ଯଥେଷ୍ଟ ଭଲ ହୋଇଛି ଏବଂ ଏ କ୍ଷେତ୍ରରେ ଯେଉଁ ତ୍ରୁଟି ରହୁଛି ତାହାକୁ ସୁଧାରିବା ଉପରେ ଅବଶ୍ୟ ରାଜ୍ୟସରକାର ଗୁରୁତ୍ବ ଦେଉଥିବେ; କାରଣ ବ୍ୟାପାର ଓ ନିବେଶରେ ବିଶ୍ବାସ ସବୁଠୁ ବଡ଼କଥା।
ଶୋଇଥିବା ସିଂହ ମୁହଁରେ ମୃଗ ଆପଣାଛାଏଁ ଆସି ପ୍ରବେଶ କରେ ନାହିଁ। ତେଣୁ ଶିଳ୍ପାୟନ ପାଇଁ ଓଡ଼ିଶାର ଯେଉଁ ବିପୁଳ ସୁବିଧାସୁଯୋଗ ଓ ସମ୍ଭାବନା ରହିଛି ତାହା ବାହାର ଦୁନିଆକୁ ଭଲଭାବେ ଦେଖାଇବାକୁ ପଡ଼ିବ ଏବଂ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧାସୁଯୋଗ ଯୋଗାଇ ନିବେଶକଙ୍କ ବିଶ୍ବାସ ଜିତିବାକୁ ହେବ। ଶିଳ୍ପାୟନ ଏକ ଦୀର୍ଘ, ନିରନ୍ତର ପ୍ରକ୍ରିୟା ଏବଂ ଏହା ସହିତ ଅନେକ ସମସ୍ୟା ଜଡ଼ିତ ଥାଏ। ତେଣୁ ନିବେଶକ ନିଜର ମନଲାଖି ସୁବିଧା ନ’ପାଇ ମୁହଁ ଫେରାଇବା ନୂଆକଥା ନୁହେଁ। ଓଡ଼ିଶାର ଏ ଅନୁଭୂତି ମଧ୍ୟ ରହିଛି। ଆହୁରି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ସରକାର ଦେଶବିଦେଶରେ ଯେଉଁସବୁ ପ୍ରୟାସ ଏଯାବତ କରି ଆସିଛନ୍ତି ତାହାର ଫଳାଫଳ ସେତେ ଉତ୍ସାହଜନକ ହୋଇନାହିଁ। ସେଥିପାଇଁ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଛନ୍ତି। ତେବେ ଏ କ୍ଷେତ୍ରରେ କହିବା ବା ଦୋଷ ଦେବା ସହଜ ସିନା, କାମରେ କରି ଦେଖାଇବା ଅତ୍ୟନ୍ତ କଷ୍ଟସାଧ୍ୟ।
ଭୁବନେଶ୍ବରରେ ଆରମ୍ଭ ହୋଇଥିବା ‘ମେକ୍‌ ଇନ୍‌ ଓଡ଼ିଶା’ କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଦେଶବିଦେଶର ଶିଳ୍ପପତିଙ୍କୁ ଓଡ଼ିଶାକୁ ବିଶ୍ବର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠରେ ପରିଣତ କରିବାରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି। ଓଡ଼ିଶାରେ କିଛି ହୁଏନା ଓ ହେବନାହିଁ ବୋଲି ଯେଉଁ ପୁରୁଣା ଧାରଣା ରହିଛି ତାହାକୁ ଖଣ୍ଡନ କରିବାକୁଯାଇ ମୁଖ୍ୟମନ୍ତ୍ରୀ ଯେଉଁ କେଇପଦ କଥା ଉଦାହରଣ ଛଳରେ କହିଛନ୍ତି ତାହା ଅବଶ୍ୟ ପ୍ରଣିଧାନଯୋଗ୍ୟ। ହଁ, ସତରେ କିଏ ଭାବିଥିଲା ଓଡ଼ିଶା ସ୍ମାର୍ଟ ସିଟି ଚାଲେଞ୍ଜରେ ଦେଶର ପ୍ରଥମ ହେବ, ବିପର୍ଯ୍ୟୟ ପରିଚାଳନାରେ ବିଶ୍ବସ୍ତରୀୟ ସଫଳତା ପାଇବ। କିଏ ଭାବିଥିଲା ଦେଶର ଖାଦ୍ୟ ନିରାପତ୍ତାରେ ଓଡ଼ିଶା ପ୍ରମୁଖ ଭୂମିକା ନିର୍ବାହ କରିବ ଏବଂ ଓଡ଼ିଶାର ସର୍ବାଧିକ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ଅସ୍ବୀକାର କରିହେବ ନାହିଁ। ଇତି ମଧ୍ୟରେ ଓଡ଼ିଶା ତା’ର ପୁରୁଣା ଅପବାଦକୁ ହଟାଇ ପରିବର୍ତ୍ତନର ଏକ ନୂଆଧାରା ଓ ନୂଆ ପରିଚୟ ସୃଷ୍ଟି କରିବାରେ ଅବଶ୍ୟ ସଫଳ ହୋଇଛି। ସେଇ ସଫଳତାକୁ ବୁଝି ପରଖି କେତେ ନିବେଶକ ଓଡ଼ିଶା ଆସି ପୁଞ୍ଜି ଖଟାଇବେ ଓ ବିକାଶ ପ୍ରକ୍ରିୟାରେ ସହଯୋଗୀ ହେବେ ତାହା ଭିନ୍ନ କଥା; ତଥାପି ମୁଖ୍ୟମନ୍ତ୍ରୀଙ୍କ ଏହି କଥା ଯେ ବିଶ୍ବାସର ବାର୍ତ୍ତା ଦେଉଛି ତାହାକୁ ଅସ୍ବୀକାର କରିହେବ ନାହିଁ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories