www.samajalive.in
Monday, December 8, 2025
14.1 C
Bhubaneswar

କାଣ୍ଡଜ୍ଞାନର ଅଭାବ

କାଣ୍ଡଜ୍ଞାନର ଅଭାବ, କ୍ଷମତାର ଦୁରୁପଯୋଗ ଓ ଚାଟୁକାରିତାର ସର୍ବନାଶୀ ପରିଣାମ କ’ଣ ହୋଇପାରେ ତାହାର ଆଉ ଏକ ଉଦାହରଣ ଘଟିଗଲା ବିଜୟା ଦଶମୀ ଦିନ ପଞ୍ଜାବର ଅମୃତସରରେ। ବେଆଇନଭାବେ ଆୟୋଜିତ ଏକ ରାବଣପୋଡ଼ି କାର୍ଯ୍ୟକ୍ରମ ଚାଲିଥିବାବେଳେ ପାଖରେ ଯାଇଥିବା ଏକ ଉଚ୍ଚ ରେଳଲାଇନ ଉପରେ ଶହଶହ ଲୋକ ରୁଣ୍ଡ ହୋଇଥିଲେ। ଏହି ସମୟରେ ଅଚାନକ ଏକ ଟ୍ରେନ ବିନା ହର୍ଣ୍ଣରେ ମାଡ଼ିଆସିବାରୁ ୬୦ରୁ ଅଧିକ ଦର୍ଶକଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଏବେ ଘଟଣାକୁ ନେଇ ବିବାଦ ଓ ଆରୋପ-ପ୍ରତ୍ୟାରୋପ ଚାଲିଛି ଏବଂ ଆୟୋଜକ, ରେଳବାଇ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ପୁଲିସ, ସମସ୍ତେ ନିର୍ଦୋଷ ବୋଲି କହି ନିଜ ଉପରୁ ଦୋଷ ଖସାଉଛନ୍ତି। ତେଣୁ ଯେଉଁ ଲୋକମାନେ ରେଳଲାଇନ ଉପରେ ଛିଡ଼ାହୋଇ ଉତ୍ସବ ଦେଖୁଥିଲେ ସେମାନେ ହିଁ ଦାୟୀ ହେବେ; କାରଣ ରେଳବାଇ କହୁଛି ସେମାନେ ଅନୁପ୍ରବେଶକାରୀ ଏବଂ ରେଳଲାଇନ ଉପରେ ଛିଡ଼ାହେବାର ଅଧିକାର ସେମାନଙ୍କର ନଥିଲା। ତେଣୁ ଏ ଘଟଣାର ତଦନ୍ତ ହେବନାହିଁ ବୋଲି ରେଳରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ ରେଳବାଇ ବୋର୍ଡ଼ ଅଧ୍ୟକ୍ଷ ସିଧାସଳଖ ମନା କରିଦେଇଛନ୍ତି।
ଏହି ଦୁର୍ଘଟଣା ନେଇ ରେଳବାଇ ଯେଉଁସବୁ ସଫେଇ ଦେଉଛି ତାହା ଆଦୌ ଗ୍ରହଣୀୟ ନୁହେଁ। ସେସବୁ ବୃତ୍ତିଗତ ମିଥ୍ୟାଭଳି ମନେ ହେଉଛି। ଏବେ କୁହାଗଲା ଯେ ରେଳଲାଇନ ଉପରେ ଯେଉଁମାନେ ଛିଡ଼ା ହୋଇଥିଲେ ସେମାନେ ଅନୁପ୍ରବେଶକାରୀ। ଏ କି ପ୍ରକାରର କଥା? ଲାଗୁଛି ନିଜର ଦୋଷ ଓ ସଂପୃକ୍ତିକୁ ଲୁଚାଇବାକୁ ରେଳବାଇ ଚିରାଚରିତ ଢ଼ଙ୍ଗରେ ଅନ୍ୟ ଉପରକୁ ଦୋଷ ଠେଲିବାକୁ ଅପଚେଷ୍ଟା କରୁଛି। କୌଣସି କାରଣରୁ ରେଳଲାଇନ ଉପରେ ଲୋକ ଯଦି ରୁଣ୍ଡ ହୁଅନ୍ତି ଟ୍ରେନ ସେମାନଙ୍କ ଉପରେ ମାଡ଼ିଯିବାକୁ ରେଳ ଆଇନରେ ଲେଖାଯାଇଛି କି? ରେଳବାଇ ଏହି ମନୁଷ୍ୟକୃତ ତ୍ରୁଟି ପାଇଁ ମଧ୍ୟ ଦାୟୀ ଏବଂ ଏହାକୁ ଉତ୍ତର ଦେବାକୁ ପଡ଼ିବ।
ଦ୍ବିତୀୟ କଥାଟି ହେଲା ରାବଣପୋଡ଼ିର ଆୟୋଜନ ସ୍ଥଳ। ସେଇ ସ୍ଥାନଟି ଏଭଳି ଉତ୍ସବପାଳନ ପାଇଁ ନିରାପଦ ନଥିଲା। ଏହାସତ୍ତ୍ବେ ଅମୃତସର ପୂର୍ବତନ ସାଂସଦ ତଥା ପଞ୍ଜାବର ଏବେକାର ମନ୍ତ୍ରୀ ନବଜୋତ ସିଂହ ସିଧୁ ଓ ତାଙ୍କ ପତ୍ନୀ ନବଜୋତ କୌର ଏହି ଉତ୍ସବରେ ଅତିଥିଭାବେ ଯୋଗ ଦେବାକୁ ଥିବାରୁ ସ୍ଥାନୀୟ କଂଗ୍ରେସ ନେତାମାନେ ଜବରଦସ୍ତ ଏହାର ଆୟୋଜନ କରିଥିଲେ। ଅମୃତସର ନଗରନିଗମ ଏଥିପାଇଁ ଅନୁମତି ପ୍ରଦାନ ନ’କରିବା ସତ୍ତ୍ବେ ସ୍ଥାନୀୟ ପୁଲିସ ଉପରେ ଚାପ ପକାଯାଇ ଉତ୍ସବ ଆୟୋଜନ କରାଯାଇଥିଲା।
ତୃତୀୟ କଥାଟି ହେଲା ଏକ ଛୋଟିଆ ସ୍ଥାନରେ ପ୍ରାୟ ୫୦୦୦ ଲୋକ ସମବେତ ହୋଇଥିଲେ। କାର୍ଯ୍ୟକ୍ରମକୁ ଭଲଭାବେ ଦେଖିବାକୁ ଅନେକ ଲୋକ ପାଖରେ ଯାଇଥିବା ଉଚ୍ଚ ରେଳ ଲାଇନ ଉପରେ ଛିଡ଼ା ହୋଇଥିଲେ। ସେ ଲୋକମାନେ ତ ନିଜ ସୁରକ୍ଷା ଓ ହିତାହିତ ଜ୍ଞାନ ସଂପୂର୍ଣ୍ଣ ଭୁଲିଯାଇଥିଲେ, ଯାହା ସ୍ପଷ୍ଟ ପ୍ରମାଣିତ ହେଉଛି। ସେଥିପାଇଁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଜୀବନ ହାରିବାକୁ ପଡ଼ିଲା। ଆୟୋଜକମାନେ ରାବଣର ଯେଉଁ ବିରାଟ ପ୍ରତିମା କରିଥିଲେ ଅଗ୍ନି ସଂଯୋଗ ଯୋଗୁଁ ତାହା ରେଳଲାଇନ ଆଡ଼କୁ ଢ଼ଳି ପଡ଼ିବାରୁ ନିଆଁ ଝୁଲ ଓ ଧୂଆଁରୁ ବର୍ତ୍ତିବା ପାଇଁ ଅଧିକଲୋକ ରେଳଲାଇନ ଉପରକୁ ଚଢ଼ି ଯାଇଥିବାବେଳେ ଟ୍ରେନଟି ମାଡ଼ି ଆସିଥିଲା।
ଶେଷ ତଥା ଦୁଃଖଦାୟକ ଘଟଣା ହେଲା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ରେଳଲାଇନ ଉପରେ ଉତ୍ସବ ଆରମ୍ଭରୁ ଲୋକେ ଛିଡ଼ା ହୋଇଥିଲେ। ମନ୍ତ୍ରୀ ସିଧୁ ଆସିନଥିଲେ ମଧ୍ୟ ତାଙ୍କ ପତ୍ନୀ ନବଜୋତ କୌର ମଞ୍ଚରେ ଉପସ୍ଥିତ ଥିଲେ। ତାଙ୍କ ପାଖରେ ଉପସ୍ଥିତ ଜଣେ ସ୍ଥାନୀୟ କଂଗ୍ରେସ ନେତା ସୌରଭ ମଦନ ମିଠୁ କୌରଙ୍କୁ ରେଳଲାଇନ ଉପରେ ଛିଡ଼ା ହୋଇଥିବା ଲୋକଙ୍କୁ ଦେଖାଇ କୁଆଡ଼େ କହିଥିଲେ, ‘‘ଏମାନେ ସବୁ ଆପଣଙ୍କୁ ଦେଖିବାକୁ ଆସିଛନ୍ତି। ଟ୍ରେନ ଆସିଲେ ମଧ୍ୟ ସେମାନେ ହଟିବେ ନାହିଁ।’’ ନବଜୋତ୍‌ କୌର ଏହି ଚାଟୁକାରିତାରେ ଭଳି ନଯାଇ ତୁରନ୍ତ ଟ୍ରେନ ଲାଇନ ଖାଲି କରିବାକୁ ଅନୁରୋଧ କରୁକରୁ ଆଖି ପିଛୁଳାକେ ଟ୍ରେନ ମାଡ଼ି ଆସିଥିଲା। ‘ମିଠୁ’ ଭଳି ଚରିତ୍ର ଆମ ରାଜନୀତିରେ ଅନେକ। ନିଜ ସ୍ବାର୍ଥ ପାଇଁ ସେମାନଙ୍କୁ ଏହା କହିବାକୁ ପଡ଼େ। ଏଚରିତ୍ର ସବୁ ଦଳରେ ଅଛନ୍ତି। ତେଣୁ ଏଥିପାଇଁ କେବଳ କଂଗ୍ରେସକୁ ଦୋଷଦେବା ଅନାବଶ୍ୟକ। ଘଟଣା ଉଦ୍ଦେଶ୍ୟମୂଳକ ନ’ହେଲେ ମଧ୍ୟ ଏଥିରେ ଥିବା ତ୍ରୁଟିବିଚ୍ୟୁତି ଧର୍ତ୍ତବ୍ୟ ଅପରାଧ। ଦୋଷୀ ଦଣ୍ଡ ପାଇବା ଉଚିତ।
ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ପଞ୍ଜାବ ସରକାର ନିର୍ଦେଶ ଦେଇଛନ୍ତି। ସରକାରୀ ତଦନ୍ତର ପରିଣାମ କ’ଣ ହୁଏ ତାହା ସମସ୍ତଙ୍କୁ ଜଣା। ଯିଏ ମଲେ, ସେ ଗଲେ, ସେମାନଙ୍କ ପରିବାର ଉଜୁଡ଼ିଗଲା। ଯିଏ ଦରମରା ହୋଇରହିଲେ ଜୀବନସାରା ହା- ହତାଶାରେ ବଞ୍ଚିବେ। ଆମର ଅପରିଣାମଦର୍ଶିତା, ତୋଷାମୋଦୀ, ଅମାନବୀୟତା ଏବଂ ସମ୍ବେଦନହୀନ ସରକାରୀ ବ୍ୟବସ୍ଥା ଏଭଳି ଘଟଣା ଦ୍ବାରା ଯେ ବଦଳିବ, ସେ ସମ୍ଭାବନା ଆମକୁ ଦିଶୁନାହିଁ। ମୃତ୍ୟୁକୁ ଆମନ୍ତ୍ରଣ କରୁଥିବା ଭଳି ସ୍ଥିତି ପ୍ରତି ସମସ୍ତେ ସଜାଗ ରହିବା ଉଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories