www.samajalive.in
Monday, December 8, 2025
14.1 C
Bhubaneswar

ବିଶିଷ୍ଟ ଅଶିଷ୍ଟ

କର୍ମକ୍ଷେତ୍ରରେ ମହିଳାମାନେ ନିଜର ଉଚ୍ଚପଦସ୍ଥ ଅଧିକାରୀ ବା ସହକର୍ମୀଙ୍କ ଦ୍ବାରା ଯୌନଶୋଷଣ, ନିର୍ଯାତନା ବା ବ୍ଲାକ୍‌ମେଲିଂର ଶିକାର ହେବା ବିଶ୍ବବ୍ୟାପୀ ଏକ ବଡ଼ ସମସ୍ୟା; କିନ୍ତୁ ଏହା ଏଭଳି ଏକ ବିଷୟ, ଯାହାକୁ ବିଭିନ୍ନ କାରଣରୁ ପୀଡ଼ିତାମାନେ ସର୍ବସାଧାରଣରେ ପ୍ରକାଶ କରିବାକୁ କୁଣ୍ଠିତ ହୋଇଥାନ୍ତି। ଗ୍ରାମାଞ୍ଚଳ ମହିଳାଙ୍କ କଥା ଦୂରେଥାଉ, ସହରୀ ଉଚ୍ଚଶିକ୍ଷିତା ମହିଳାମାନେ ମଧ୍ୟ ଏ ନେଇ ମୁହଁ ଖୋଲିବାକୁ ସହଜରେ ସାହସ କରନ୍ତି ନାହିଁ। ତେବେ ବର୍ଷକ ତଳେ ଆମେରିକାରେ ଜଣେ ଅଭିନେତ୍ରୀଙ୍କଠାରୁ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଥିବା ‘#ମି ଟୁ’ ବା ‘#ମୁଁ ବି’ ଅଭିଯାନ ଆନ୍ଦୋଳନର ରୂପ ନେବା ସହ ମହିଳାମାନେ ନିଜନିଜର ଯୌନ ନିର୍ଯାତନାର ବିବରଣୀ ଲିପିବଦ୍ଧ କରି ଉତ୍ପୀଡ଼କମାନଙ୍କ ମୁଖା ଖୋଲିଆସିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଏବେ ତା’ର ପ୍ରଭାବ ଆମ ଦେଶରେ ଦେଖିବାକୁ ମିଳିଛି ଓ ଗତ କେଇଦିନ ଧରି ଏଠାକାର ବହୁ ଅଭିନେତ୍ରୀ, କଳାକାର ଓ ସାମ୍ବାଦିକା ‘#ମୁଁ ବି’ ଅଭିଯାନରେ ସାମିଲ୍ ହୋଇ ନିଜନିଜର ଅଙ୍ଗେନିଭା ଅନୁଭୂତିକୁ ବର୍ଣ୍ଣନା କରୁଛନ୍ତି। ଏବେ ଏହା ସତେଯେମିତି ନିଆଁ ପରି ବ୍ୟାପିଚାଲିଛି, ଯାହାର ଧାସ ବହୁ ବିଶିଷ୍ଟ ବ୍ୟକ୍ତିଙ୍କଠାରେ ବାଜିସାରିଲାଣି।
ପ୍ରଖ୍ୟାତ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସର୍ବପ୍ରଥମେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଯୌନ ନିର୍ଯାତନା ଅଭିଯୋଗ ଆଣିବାପରେ ନିଜର ନିର୍ଭୀକ ମନ୍ତବ୍ୟ ପାଇଁ ଖ୍ୟାତ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ କଙ୍ଗନା ରାଣାୱତ୍ ତଥା ତାଙ୍କର ସହ-ଅଭିନେତ୍ରୀ ନୟନୀ ଦୀକ୍ଷିତ ‘କୁଇନ’ର ନିର୍ଦେଶକ ବିକାଶ ବହଲଙ୍କ ବିରୋଧରେ ଯୌନ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଉଲ୍ଲେଖନୀୟ ଯେ ତନୁଶ୍ରୀ ବିଧିବଦ୍ଧଭାବେ ଦଶବର୍ଷ ତଳେ ‘ସିନେ ଏଣ୍ଡ୍‌ ଟିଭି ଆର୍ଟିଷ୍ଟ୍‌ସ ଆସୋସିଏସନ’ (ସିନ୍‌ଟା) ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ ହେଁ ତାହା ତାଙ୍କ କଥାକୁ ଆଦୌ ଗୁରୁତ୍ବ ଦେଇନଥିଲା। ଏବେ ତନୁଶ୍ରୀଙ୍କ ନିକଟରେ ‘ସିନ୍‌ଟା’ କ୍ଷମାପ୍ରାର୍ଥନା କରିଛି। ବର୍ତ୍ତମାନ ଚଳଚ୍ଚିତ୍ର, ସାହିତ୍ୟ ଓ ଗଣମାଧ୍ୟମ ଜଗତର ଯେଉଁ ‘ବିଶିଷ୍ଟ’ମାନଙ୍କ ନାମରେ ଯୌନ ନିର୍ଯାତନା, ଅସଦାଚରଣ, ଯୌନ ଦୁର୍ବ୍ୟବହାର ଆଦିର ଅଭିଯୋଗ ଉଠିଛି, ସେମାନଙ୍କ ମଧ୍ୟରେ ରହିଛନ୍ତି ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ, କଳା ସମୀକ୍ଷକ ସଦାନନ୍ଦ ମେନନ, ଅଭିନେତା-ନିର୍ଦେଶକ ରଜତ କପୁର, ଅଭିନେତା ଆଲୋକ ନାଥ, ହାସ୍ୟ କାର୍ଯ୍ୟକ୍ରମ ‘ଏଆଇବି’ର ସଦସ୍ୟ ଉତ୍ସବ ଚକ୍ରବର୍ତ୍ତୀ, ଲୋକପ୍ରିୟ ଔପନ୍ୟାସିକ ଚେତନ ଭଗତ, ଲେଖକ କିରଣ ନାଗରକର, ‘ହିନ୍ଦୁସ୍ତାନ ଟାଇମ୍ସ’ର ରାଜନୀତିକ ସଂପାଦକ ପ୍ରଶାନ୍ତ ଝା, ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ହାଇଦରାବାଦ ରେସିଡେଣ୍ଟ୍ ଏଡିଟର କେ.ଆର୍. ଶ୍ରୀନିବାସ, ସେହି ଖବରକାଗଜର ପୂର୍ବତନ ସେଲିବ୍ରିଟି ସମ୍ପାଦକ ଗୌତମ ଅଧିକାରୀ ପ୍ରମୁଖ। ଶ୍ରୀ ଝା ନିଜ ପଦରୁ ଇସ୍ତଫା ଦେଇଥିବାବେଳେ ଶ୍ରୀ କପୁର, ଶ୍ରୀ ଚକ୍ରବର୍ତ୍ତୀ ଓ ଶ୍ରୀ ଭଗତ କ୍ଷମାପ୍ରାର୍ଥନା କରିଛନ୍ତି। ଏବେ ପ୍ରଖ୍ୟାତ ସାମ୍ବାଦିକ ତଥା ବର୍ତ୍ତମାନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିବା ଏମ୍‌.ଜେ. ଆକବରଙ୍କ ବିରୋଧରେ ବରିଷ୍ଠ ସାମ୍ବାଦିକା ପ୍ରିୟା ରମାନୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କର ଇସ୍ତଫା ଦାବି ଉଠିଲାଣି। କହିବା ବାହୁଲ୍ୟ ଯେ ‘#ମୁଁ ବି’ ନିଆଁ ଯେଉଁଭଳି ବ୍ୟାପୁଛି, ତାହା ‘ବିଶିଷ୍ଟ’ ଅଶିଷ୍ଟମାନଙ୍କୁ ଦଗ୍ଧ ନକରି ଛାଡ଼ିବ ନାହିଁ। ବିଶିଷ୍ଟମାନେ ସାବଧାନ ହେଇଯାଆନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories