www.samajalive.in
Thursday, December 11, 2025
15.1 C
Bhubaneswar

ଭାରତୀୟ ଗଣତନ୍ତ୍ରରେ ଯୋଗ୍ୟତାର ମାପକାଠି

ନିର୍ବାଚନ ଆସୁଛି। ଭାରତର ଜନସାଧାରଣ ଯୋଗ୍ୟତମ ବ୍ୟକ୍ତିକୁ ସାଂସଦ ଓ ବିଧାୟକ ଭାବରେ ନିର୍ବାଚିତ କରିବାକୁ ସଜବାଜ ହେଲେଣି। ରାଜଧାନୀରେ ଧାରଣା ଓ ଆନ୍ଦୋଳନ ଚାଲିଛି। କାରଣ ଏଇଟା ହିଁ ଉପଯୁକ୍ତ ସମୟ। ସେମାନେ ବୁଝୁଛନ୍ତି ଲୁହା ଗରମ ଥିବାବେଳେ ତାକୁ ପ୍ରହାର କଲେ ଇଚ୍ଛାନୁଯାୟୀ ତା’ର ଆକୃତିକୁ ପରିବର୍ତ୍ତନ କରିହୁଏ। ଏବେ ଯେଉଁଦଳ ଶାସନରେ ଅଛନ୍ତି ସେମାନେ ନିଶ୍ଚୟ ଚାହିଁବେ ଆଉ ଥରେ ଶାସନକୁ ଆସିବା ପାଇଁ ମତଦାତାମାନଙ୍କୁ ସନ୍ତୁଷ୍ଟ କରିବାକୁ ହେବ। ଏଣୁ ସେମାନେ ମତଦାତାଙ୍କ ସମସ୍ତ ଦାବିକୁ ଗ୍ରହଣ କରିନେବେ। ଏହି ଧାରଣାରେ ନିର୍ବାଚନ ପୂର୍ବରୁ ବିଭିନ୍ନ ଶ୍ରେଣୀର କର୍ମଚାରୀମାନେ ରାଜଧାନୀରେ ଧାରଣା ଦିଅନ୍ତି। ବିଧାୟକମାନେ ସେମାନଙ୍କୁ ସମର୍ଥନ କରି ବିଧାନସଭା ଗୃହରେ ପାଟିତୁଣ୍ଡ କରନ୍ତି ଓ ବିଧାନସଭାକୁ ଅଚଳ କରନ୍ତି। ସାଧାରଣ ସଭାରେ କେହି ପାଟିତୁଣ୍ଡ କଲେ, ମାଇକ୍‌ ଭାଙ୍ଗିଲେ ବା ମୁଥ ମାରିଲେ ଆଇନ ଅନୁସାରେ ଦଣ୍ଡିତ ହୁଏ। ମାତ୍ର ବିଧାୟକ ହୋଇଗଲେ ବିଧାନସଭା ଗୃହରେ ମାଇକ ଛଡ଼ାଇ ଫିଙ୍ଗିହୁଏ। ମୁଥ ମରାମରି କରିହୁଏ, ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବା ପାଇଁ ପ୍ରଚେଷ୍ଟା କରାଯାଏ। ଏହିସବୁ କରିପାରିବା ହେଉଛି ବିଧାୟକ ହେବାପାଇଁ ଯୋଗ୍ୟତାର ମାପକାଠି। ଏହିସବୁ କରିପାରୁଥିଲେ ଉଚ୍ଚଶିକ୍ଷା ଲାଭ କରିବାର ଆବଶ୍ୟକତା ନାହିଁ।
ମନେପଡ଼େ ଏକ ମଜାକଥା। ଶିଶୁଟିଏ ପ୍ରଥମଥର ପାଇଁ ବିଦ୍ୟାଳୟକୁ ଗଲା। ମାଆ ପ୍ରତିଦିନ ତାକୁ ବିଦ୍ୟାଳୟ ଛାଡ଼ନ୍ତି ଓ ପଢ଼ା ସରିବା ପରେ ଆଣନ୍ତି। ଦିନେ ଶିଶୁଟି କହିଲା ‘ମାଆ! ତୁମେ ଆଉ ଏତେ କଷ୍ଟ କରି ମୋତେ ଏଠାକୁ ନେବା ଆଣିବା କରିବା ଦରକାର ନାହିଁ। ମାଆ ପଚାରିଲେ, କାହିଁକି? ଶିଶୁଟି ଉତ୍ତର ଦେଲା, ‘ବିଦ୍ୟାଳୟରେ ସମସ୍ତେ ଚାହାନ୍ତି ମୁଁ ଅନର୍ଗଳ ଲେଖିପାରିବି ଓ ପଢ଼ିପାରିବି। କିନ୍ତୁ ମୋତେ ଲେଖି ଆସୁନି କି ପଢ଼ି ଆସୁନି। କେବଳ ଅନର୍ଗଳ କଥା କହି ଆସୁଛି। ମାତ୍ର ଏହା ସେମାନଙ୍କ ପସନ୍ଦ ନୁହେଁ। ଏଣୁ ବିଦ୍ୟାଳୟକୁ ଯାଇ ଲାଭ କ’ଣ?’ ମାଆ କହିଲେ , ‘ତା’ ହେଲେ ତୁ ବିଧାୟକ ବା ସାଂସଦ ହେବାପାଇଁ ଯୋଗ୍ୟ।’ ଏକଥା ମନେ ପକାଇବାର ତାତ୍ପର୍ଯ୍ୟ ହେଉଛି ଯେ ଭାରତୀୟ ଗଣତନ୍ତ୍ରରେ ସାଂସଦ ବା ବିଧାୟକ ହେବାପାଇଁ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ଖାଲି ଅନର୍ଗଳ କଥା କହିପାରୁଥିଲେ ହେଲା। ଭାରତରେ ଦସ୍ୟୁରାଣୀ ଫୁଲନ ଦେବୀ ସାଂସଦ ଭାବରେ ନିର୍ବାଚିତ ହୋଇଥିବାର ନଜିର ଅଛି। ବହୁ ବ୍ୟକ୍ତି ଜେଲ ଭିତରେ ଥାଇ ନିର୍ବାଚନ ଲଢ଼ିଛନ୍ତି ଓ ଜିତିଛନ୍ତି। ବହୁ ଅପରାଧରେ ଜଡ଼ିତ ହୋଇ ମଧ୍ୟ ଅନେକ ବିଧାୟକ ବା ସାଂସଦ ହୋଇଛନ୍ତି। ଅପରପକ୍ଷରେ ବିଦ୍ବାନ, ସମ୍ବିଧାନବିତ୍‌ ବ୍ୟକ୍ତି ମଧ୍ୟ ନିର୍ବାଚିତ ହୋଇପାରିନାହାନ୍ତି। ଓଡ଼ିଶାରେ ଶ୍ରୀରାମଚନ୍ଦ୍ର ଦାଶ ଓ ବୈଦ୍ୟନାଥ ମିଶ୍ରଙ୍କ ଭଳି ଜ୍ଞାନୀମାନେ ମଧ୍ୟ ବିଧାୟକ ଭାବରେ ନିର୍ବାଚିତ ହେବାପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି।
ସଂପ୍ରତି ଯୋଗ୍ୟତା ସମ୍ପର୍କରେ ଚିନ୍ତାକଲେ ୧୯୮୦ ମସିହାର ଏକ ଘଟଣା ମନେପଡ଼େ। ଚମ୍ବଲ ଉପତ୍ୟକତାରେ ଉପଦ୍ରବ କରୁଥିବା ଡାକୁମାନେ ସ୍ବତଃପ୍ରବୃତ୍ତ ହୋଇ ଆତ୍ମସମର୍ପଣ କଲେ। ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାପାଇଁ ସୁଯୋଗ ଦେବାପାଇଁ ସରକାର ଏକ ବ୍ୟବସ୍ଥା ପ୍ରବର୍ତ୍ତନ କଲେ। ଦିନେ ମଧ୍ୟପ୍ରଦେଶର ଥାନା ଭିତରକୁ ଜଣେ ଯୁବକ ପଶିଆସିଲା। ଧରିଥିବା ବନ୍ଧୁକକୁ ତଳେ ଥୋଇ କହିଲା, ମୁଁ ଆତ୍ମସମର୍ପଣ କଲି। ମୋତେ ଯାହା ଦଣ୍ଡ ଦେବା କଥା ଦିଅନ୍ତୁ। ମାତ୍ର ଆଗାମୀ ଜୀବନରେ କିପରି ଶାନ୍ତିରେ ବଞ୍ଚିବି ତା’ର ବ୍ୟବସ୍ଥା କରିଦିଅନ୍ତୁ। ପୁଲିସ ଅଫିସର ପୁଲକିତ ହେଲେ ଓ ଥାନାରେ ଥିବା ଡାକୁ ତାଲିକାରୁ ତନ୍ନତନ୍ନ କରି ତା’ର ନାମଟି ଖୋଜିଲେ। ମାତ୍ର ନାମଟି ନ ପାଇବାରୁ ସେ କହିଲେ, ଦୁର୍ଦ୍ଧର୍ଷ ଡାକୁ ତାଲିକାରେ ତୁମ ନାମ ନାହିଁ। ତୁମେ କେତେଜଣଙ୍କୁ ହତ୍ୟା କରିଛ? ଯୁବକଟି କହିଲା- ଆଜ୍ଞା ମୁଁ କୌଣସି ହତ୍ୟାକାଣ୍ଡରେ ସଂପୃକ୍ତ ନୁହେଁ। ମୁଁ କେବଳ ଲୁଟପାଟ କରେ। ମୋ ବିରୋଧରେ କୌଣସି ହତ୍ୟା ଅଭିଯୋଗ ନାହିଁ। ପୁଲିସ ଅଫିସର କହିଲେ, ତୁମ ବିରୋଧରେ ଗୁରୁତର ଅଭିଯୋଗ ନଥିବା ଆମ ପାଇଁ ସମସ୍ୟା। ଯୁବକଟି କିିଛି ବୁଝି ନପାରିବାରୁ ପୁଲିସ ଅଫିସର କହିଲେ, ଶୁଣ ବାବୁ, ତୁମେ ଭୟଙ୍କର ଡାକୁ ପର୍ଯ୍ୟାୟରେ ଯିବନାହିଁ। ତୁମେ ଜଣେ ଅତି ସାଧାରଣ ଦସ୍ୟୁ। ଦୁର୍ଦ୍ଧର୍ଷ ଡାକୁମାନଙ୍କ ପାଇଁ ସିନା ଆତ୍ମସମର୍ପଣ କଲେ ସରକାରୀ ବ୍ୟବସ୍ଥା ଅଛି। ତୁମ ପରି ଛୋଟଦସ୍ୟୁମାନଙ୍କ ପାଇଁ ସେ ସୁଯୋଗ ନାହିଁ। ପୁଲିସ ମୁହଁରୁ ଏହା ଶୁଣି ଯୁବକଟି ବିଚଳିତ ହେଲା ଓ ପଚାରିଲା- ‘ଆଜ୍ଞା, ତେବେ କ’ଣ ଯୋଗ୍ୟତା ହାସଲ କରିବା ପାଇଁ ମୋତେ ମଣିଷ ମାରିବାକୁ ହେବ?’ ଅଫିସରଜଣକ ଏହି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ। ଯୁବକଟି ଗିରଫ ହେଲା।
ଯୋଗ୍ୟତା ସମ୍ପର୍କରେ ଉପର୍ଯ୍ୟୁକ୍ତ ଘଟଣା ହାସ୍ୟକର ମନେ ହୋଇପାରେ। ମାତ୍ର ରାଜନୈତିକ ଜୀବନରେ ଏହି ଶୈଳୀରେ ଯୋଗ୍ୟତା ନିରୂପିତ ହୁଏ। ସାଂସଦ ଓ ବିଧାୟକ ହେବାପାଇଁ ଉଚ୍ଚଶିକ୍ଷା ଯୋଗ୍ୟତାର ମାପକାଠି ନୁହେଁ। ଏହି ପଦପାଇଁ ପ୍ରାର୍ଥୀ ହେଲେ ଆନ୍ଦୋଳନ କରିପାରୁଥିବା ଦରକାର। ଆବଶ୍ୟକ ପଡ଼ିଲେ ଟେବୁଲ ବାଡ଼େଇ ମାଇକ ଛଡ଼େଇ ହୋ-ହାଲ୍ଲା କରି ନିଜନିଜ ଭିତରେ ମୁଥ ମରାମରି ହୋଇ ବିଧାନସଭାକୁ ଅଚଳ କରିପାରୁଥିବା ଆବଶ୍ୟକ। ଏହାହିଁ ଏହି ପଦ ପାଇଁ ଯୋଗ୍ୟତାର ମାପକାଠି। ଆଜି ଭାରତର ବିଭିନ୍ନ ରାଜ୍ୟର ବିଧାନସଭାରେ ଏହିଭଳି ଦୃଶ୍ୟ ହିଁ ପରିଲକ୍ଷିତ। ଜନସାଧାରଣଙ୍କ ଦୃଷ୍ଟିରେ ଯୋଗ୍ୟ ବିବେଚିତ ନେତାଙ୍କ ସମ୍ପର୍କରେ ଜଣେ ବନ୍ଧୁ କହୁଥିଲେ, ଥରେ ଜଣେ ନେତା ନିର୍ବାଚନ ପ୍ରଚାରରେ ଆସି କହିଲେ, ‘ବିରୋଧୀମାନେ ପ୍ରଚାର କରୁଛନ୍ତି ମୁଁ କୁଆଡ଼େ ଜଣେ ଗୁଣ୍ଡା। ଏଠି ସିନା ସେମାନେ ମୋର ବଦନାମ୍‌ କରୁଛନ୍ତି। ଥରେ ମୋର ଇଲାକାକୁ ଯାଇ କହନ୍ତୁ, ସେମାନେ କେମିତି ଅକ୍ଷତ ଅବସ୍ଥାରେ ଫେରିବେ?’ ନେତା ଜଣକ ନିଜକୁ ଗୁଣ୍ଡା ନୁହେଁ ବୋଲି ପ୍ରମାଣ କରିବାକୁ ଯାଇ ଆଚରଣରେ ସେ ଗୁଣ୍ଡାବୋଲି ପ୍ରମାଣିତ କଲେ। ମାତ୍ର ସେ ଥିଲେ ନିଜକୁ ଜଣେ ଯୋଗ୍ୟ ଭାବୁଥିବା ନେତା। ନିର୍ବାଚନ ରଣାଙ୍ଗନରେ ଏଭଳି ନେତାମାନେ ବିଜୟୀ ହୋଇଥିବାର ଅନେକ ଦୃଷ୍ଟାନ୍ତ ଅଛି।
ଅଭିନୟ କରିପାରିଲେ ନିର୍ବାଚନ ରଣାଙ୍ଗନରେ ଗୁଣୀଜ୍ଞାନୀ ବ୍ୟକ୍ତିଙ୍କୁ ମଧ୍ୟ ପଛରେ ପକାଇ ହୁଏ। କଥିତ ଅଛି ଥରେ ଚାର୍ଲି ଚାପଲିନ୍‌ଙ୍କୁ ଅନୁକରଣ କରିବାରେ କିଏ କେତେ ସଫଳ ହେବ ତାହା ଦେଖିବାପାଇଁ ଏକ ପ୍ରତିଯୋଗିତା ହେଲା। ସେହି ପ୍ରତିଯୋଗିତାରେ ଅନେକ ଅଭିନେତା ଅଂଶ ଗ୍ରହଣ କଲେ। ମଜା ଦେଖିବାପାଇଁ ନିଜେ ଚାପଲିନ୍‌ ବିଭିନ୍ନ ନାମରେ ପ୍ରତିଯୋଗିତାରେ ଭାଗ ନେଲେ। ପ୍ରତିଯୋଗୀମାନେ ଘରୁ ଚାପଲିନ୍‌ଙ୍କ ଭଳି ବେଶରେ ସଜ୍ଜିତ ହୋଇ ଆସିଲେ। ବେଶଭୂଷା ଏତେ ପ୍ରାକୃତିକ ଥିଲା ଯେ ଅସଲ ଚାପଲିନ୍‌ଙ୍କୁ କେହି ଚିହ୍ନି ପାରିଲେ ନାହିଁ। ପ୍ରତିଯୋଗିତା ସରିଲା; ମାତ୍ର ଚାପଲିନ୍‌ ଦ୍ବିତୀୟ ସ୍ଥାନ ଅଧିକାର କଲେ ଓ ନକଲି ଚାପଲିନ୍‌ ପ୍ରଥମ ସ୍ଥାନ ଅଧିକାର କଲେ। ଆଜି ଭାରତୀୟ ଗଣତନ୍ତ୍ରରେ ଏହିଭଳି ଅସଲି ନେତା ନିର୍ବାଚନରେ ହାରୁଛନ୍ତି ଓ ନକଲିନେତା ଜିତୁଛନ୍ତି। ନିଜକୁ ଜଣେ ଆଦର୍ଶ ଓ ଉତ୍ସର୍ଗୀକୃତ ନେତାଭାବରେ ଯିଏ ଯେତେ ସଫଳ ଅଭିନୟ କରିପାରୁଛି, ସେ ସେତେ ଯୋଗ୍ୟ ବିବେଚିତ ହେଉଛି। ସଫଳ ଅଭିନୟ ହେଉଛି ଆଜି ଯୋଗ୍ୟତାର ମାପକାଠି। ଜନତାଙ୍କ ପାଇଁ ସତକୁ ସତ ଲୁହଝରାଇ କ୍ବଚିତ ଲୋକ ନେତା ହୋଇପାରୁଛନ୍ତି। ମାତ୍ର ଲୁହ ଢ଼ାଳିବାର ଅଭିନୟ କରି ନିଜକୁ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ଉପସ୍ଥାପିତ କରି ଜନପ୍ରିୟ ହେଉଥିବା ନେତାଙ୍କ ସଂଖ୍ୟା ବେଶି।
ମନେପଡ଼େ ଏକ ଘଟଣା। ଆମେରିକାରୁ ଫେରିଆସି ବିବେକାନନ୍ଦ ବେଲୁଡ ମଠରେ ଏକ କୋଠରିରେ ଶୋଇଥାନ୍ତି। ଐଶ୍ବର୍ଯ୍ୟଶାଳୀ ଆମେରିକା ଦେଖିସାରିବାପରେ ଭାରତର ବୁଭୁକ୍ଷୁ, ଦୁଃଖକ୍ଲିଷ୍ଟ ଜନସାଧାରଣଙ୍କ କଥା ଭାବି ରାତିଅଧରେ ସେ ଲୁଚିଲୁଚି କାନ୍ଦୁଥାନ୍ତି। ତା’ର ସାକ୍ଷୀ ଥିଲେ ସ୍ବାମୀ ବିଜ୍ଞାନାନନ୍ଦ। ଅପରପକ୍ଷରେ ଆଉ ଏକ କାହାଣୀ ଶୁଣାଯାଏ ରୋମ ସମ୍ରାଟ୍‌ ନୀରୋଙ୍କ ସମ୍ପର୍କରେ। ଦିନେ ହଠାତ୍‌ ଲୋକଙ୍କ ଦୁର୍ଦଶା ଭାବି ସେ କାନ୍ଦିବାର ପ୍ରେରଣା ଅନୁଭବ କଲେ। ଜଣେ ରାଜକର୍ମଚାରୀଙ୍କୁ ସେ କହିଲେ, ‘ମୂର୍ଖ, ଦେଖୁଛ କ’ଣ? ମୋ ଲୁହ ତଳେ ପଡ଼ି ନଷ୍ଟ ହେବା ପୂର୍ବରୁ ଧରିରଖ।’ କର୍ମଚାରୀ ଜଣକ ସୁନାର ଏକ ପାତ୍ର ନେଇ ଆସିଲା। ଏହି କାହାଣୀ ଉପରେ ଟିପ୍ପଣୀ ଦେଇ ବିଶିଷ୍ଟ ଲେଖକ ମନୋଜ ଦାସ ଲେଖିଥିଲେ ସେ ଯୁଗରେ ଫଟୋଗ୍ରାଫର ଥିଲେ ନୀରୋ ଅବଶ୍ୟ ସେମାନଙ୍କୁ କ୍ୟାମେରା ସଜଡ଼ାସଜଡ଼ି କରିବାର ସୁ​‌େ​‌ଯାଗ ଦେଇସାରି ଅଶ୍ରୁପାତ କରିଥାନ୍ତେ। ସୁନାପାତ୍ର ଆସିବା ବେଳକୁ ଲୁହ ତଥାପି ଉଦ୍‌ଗତ ଅବସ୍ଥାରେ ଥିଲା କି ଶୁଖିଯାଇଥିଲା ଜଣାନାହିଁ।’ (ସନ୍ଧାନ ଓ ସଂକେତ)। ଭାରତର ଅନେକ ନେତା ଯେ ଏହି ଶ୍ରେଣୀୟ, ଏଥିରେ ସନ୍ଦେହ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories