ପାକ୍ ନିର୍ବାଚନ ଓ ଭାରତ
ପାକିସ୍ତାନରେ ଚଳିତମାସ ଶେଷ ସପ୍ତାହରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ସେ ଦେଶ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ଭାରତଭଳି ପଡ଼ୋଶୀଙ୍କ ପାଇଁ ତା’ଠାରୁ ଅଧିକ ଗୁରୁତ୍ବ ରଖେ। ଏହାର କାରଣ ହେଲା ସେଠାରେ ଯଦି ନୂଆଦଳ କ୍ଷମତାକୁ ଆସେ ତାହାର ନୂତନ ଆଭ୍ୟନ୍ତରୀଣ ବାସ୍ତବତା ଦେଶର ବୈଦେଶିକ ନୀତି ଓ ପଡ଼ୋଶୀ ସମ୍ପର୍କକୁ ବଦଳାଇବାକୁ ବାଧ୍ୟ କରିପାରେ। ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି) ଓ ନୱାଜ ସରିଫଙ୍କ ମୁସଲିମ ଲିଗ (ପିଏମଏଲଏନ) ସରକାରର ସ୍ବଭାବ ଓ ଚରିତ୍ର ବିଷୟରେ ଭାରତ ଅବଗତ। ବେନଜିରଙ୍କ ଅବର୍ତ୍ତମାନେର ଏଥର ପିପୁଲସ ପାର୍ଟିର ବିଜୟ ସମ୍ଭାବନା ସେତେ ଉଜ୍ବଳ ନଥିବାବେଳେ ନୱାଜ ସରିଫଙ୍କ ଦଳକୁ କ୍ଷମତାରୁ ଦୂରେଇ ରଖିବାକୁ ସେ ଦେଶରେ ରୀତିମତ ଏକ ପ୍ରୟାସ ଉଚ୍ଚସ୍ତରରେ ଚାଲିଛି। ଉଭୟ ସେନା ଓ ଅଦାଲତ ଏହି ପ୍ରକ୍ରିୟାରେ ହାତ ମିଳାଇ ଥିବାର ଯେଉଁ ଅଭିଯୋଗ ହେଉଛି ତାହା ଅମୂଳକ ମନେହୁଏ। ପାନାମାଗେଟ ମାମଲାରେ ଝିଅଜ୍ବାଇଁଙ୍କ ଦୁର୍ନୀତି ପ୍ରସଙ୍ଗରେ ନୱାଜ ସରିଫଙ୍କୁ ଟାଣିଓଟାରି ସଂପୃକ୍ତ କରିବାସହ ତାଙ୍କୁ ପଦଚ୍ୟୁତ କରି ତାଙ୍କର ରାଜନୈତିକ ଅଧିକାର ଛଡ଼ାଇ ନେବାକୁ ଯେଉଁ କାଣ୍ଡ ଘଟିଲା ସେଥିରେ ପାକିସ୍ତାନ ସର୍ବୋଚ୍ଚ ଅଦାଲତଙ୍କ ଅତିକ୍ରିୟା ଜଳଜଳ ଦେଖାଯାଏ। ମନେହୁଏ ସତେ ଯେପରି ସମଗ୍ର ପ୍ରକରଣଟି ନୱାଜ ସରିଫ ଓ ତାଙ୍କ ପରିବାରବର୍ଗଙ୍କୁ ନିଶାଣ କରି ତିଆରି ହୋଇଛି। ଅସୁସ୍ଥ ପତ୍ନୀଙ୍କୁ ଦେଖି ଲଣ୍ଡନରୁ ସ୍ବଦେଶ ଫେରିବା ପରେ ସରିଫ୍ ଓ ତାଙ୍କ କନ୍ୟା ତଥା ରାଜନୈତିକ ଉତ୍ତରାଧିକାରୀ ମରିୟମଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି।
ଯେଉଁଭଳି ପରିସ୍ଥିତିରେ ସରିଫଙ୍କୁ କ୍ଷମତାଚ୍ୟୁତ କରାଯାଇ ଏବେ ବନ୍ଦୀ କରାଯାଇଛି ତାହା ଦେଶର ସାଧାରଣ ଜନତା ଓ ଭୋଟରଙ୍କ ମଧ୍ୟରେ ଏକ ଅନୁକମ୍ପା ସୃଷ୍ଟି କରିଛି। ତେଣୁ ତାଙ୍କ ଦଳକୁ ସାଧାରଣ ନିର୍ବାଚନରେ ଭଲ ଜନସମର୍ଥନ ମିଳିବବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ପୂର୍ବତନ କ୍ରିକେଟ ତାରକା ଇମ୍ରାନ ଖାଁଙ୍କ ଦଳ ଏଥର ନିର୍ବାଚନରେ ସରକାର ଗଢ଼ିବ ବୋଲି କେତେକ ପ୍ରାକ୍ ନିର୍ବାଚନ ସର୍ଭେରୁ ଜଣାପଡ଼ିଛି। ଇମ୍ରାନଙ୍କ ପ୍ରତି ସେନା ଓ ମୌଳବାଦୀ ସଂଗଠନଗୁଡ଼ିକର ସମର୍ଥନ ଥିବା କଥା କୁହାଯାଉଛି। ତେଣୁ ତାଙ୍କଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନ’ପାଇଲେ ମଧ୍ୟ ସରକାର ଗଠନପାଇଁ ବିଶେଷ ଅସୁବିଧା ହେବନାହିଁ। ତଥାପି ସାଧାରଣ ନିର୍ବାଚନରେ ନୱାଜ ସରିଫଙ୍କ ଦଳକୁ ସଂପୂର୍ଣ୍ଣ ପରାସ୍ତ କରିବା ଏତେ ସହଜ ମନେହୁଏନା। ବିବାଦ ଓ ଅଭିଯୋଗ ସତ୍ତ୍ବେ ସେ ଦେଶର ଜଣେ ଗ୍ରହଣଯୋଗ୍ୟ ଓ ମାନ୍ୟ ନେତା। ତାଙ୍କୁ ଆଇନ ଜାଲରେ ଛନ୍ଦି କ୍ଷମତାରୁ ଦୂରେଇ ରଖିବା ସହଜ ହୋଇ ନ ପାରେ।
ଇମ୍ରାନଙ୍କ ଭଳି ନେତା ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ଭାରତ ସହ ଥିବା ସେ ଦେଶର ତିକ୍ତ ସମ୍ପର୍କରେ ହଠାତ୍ ଉନ୍ନତି ଘଟିବା ସମ୍ଭାବନା କ୍ଷୀଣ। ଯିଏ ପ୍ରଧାନମନ୍ତ୍ରୀ ହୁଅନ୍ତୁ ନା କାହିଁକି ସେନା ଓ ମୁଲ୍ଲାଙ୍କ ଚାପରେ ‘ଦାସେ ଅଇଲେ ମୂଳରୁ ଗା’ ନୀତିରେ କାଶ୍ମୀର ପ୍ରସଙ୍ଗକୁ ମୂଳ କରି ଭାରତସହ ସମ୍ପର୍କର ସମୀକ୍ଷା କରିବା ପ୍ରାୟ ନିଶ୍ଚିତ। ଏହା ବାହାରେ ଦ୍ବିପାକ୍ଷିକ ସମ୍ପର୍କରେ ସମୀକ୍ଷା ଓ ସମସ୍ୟାର ସମାଧାନ ପାଇଁ ସେ ଦେଶର ନେତା ସୃଷ୍ଟି ହୋଇନାହାନ୍ତି କିମ୍ବା ସେଠା ରାଜନୈତିକ ଓ ସାମାଜିକ ବ୍ୟବସ୍ଥା ଏଯାଏ ଯଥେଷ୍ଟ ବଦଳି ନାହିଁ।