ମଦମୁକ୍ତ ଓଡ଼ିଶା: ଏକ ରାଜନୈତିକ ଆହ୍ବାନ
ଅଭୟ ଦ୍ବିବେଦୀ
ଓଡିଶା ଅବକାରୀ ଆଇନ ୨୦୧୮ (ଓଡିଶା ଆକ୍ଟ ୧୦ ଅଫ୍ ୨୦୧୩) ଆଧାରରେ ରାଜ୍ୟ ସରକାର ଜିଲାପାଳଙ୍କୁ ବିଦେଶୀ ମଦ ବିକ୍ରି, ଭାରତରେ ନିର୍ମିତ ବିଦେଶୀ ମଦ ଉତ୍ପାଦନ ଓ ବିକ୍ରି, ଦେଶୀ ମଦ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରି ନିମନ୍ତେ ଅନନ୍ୟ ବିଶେଷାଧିକାର ପ୍ରଦାନ କରୁଛନ୍ତି। ଏହା ହେଉଛି ଓଡିଶା ସରକାରଙ୍କ ଅବକାରୀ ବିଭାଗର ତା ୧୬.୮.୨୦୧୮ ରିଖ ଅଧିସୂଚନାର ମୁଖ୍ୟ ଅଂଶ। ଏହା ପୂର୍ବରୁ ମଦ ଦୋକାନ ଖୋଲିବା ନିମନ୍ତେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିଥିଲା। ଜିଲାପାଳ ପ୍ରାଥମିକ ରିପୋର୍ଟ ପ୍ରଦାନ କରୁଥିଲେ, ଅବକାରୀ କମିଶନର ତାହାର ଅନୁସନ୍ଧାନ କରି ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଅବକାରୀ ମନ୍ତ୍ରୀ ଅନୁମୋଦନ କରୁଥିଲେ। ବର୍ତ୍ତମାନ ଜିଲାପାଳ ହେଉଛନ୍ତି ସେହି କ୍ଷମତାର ଅଖଣ୍ଡ ଅଧିକାରୀ। ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ଆହୁରି ଅଧିକ କଟକଣା ଲାଗୁ କରିବା ନିମନ୍ତେ ଦୀର୍ଘ ଦିନ ଧରି ବହୁ ସଂଗଠନ ତରଫରୁ ଦାବି ରହିଥିବାବେଳେ, ସରକାର ସେହି ନିୟମକୁ କୋହଳ କରିଦେଇଛନ୍ତି। ଯେଉଁ ଫାଇଲଟି ଜିଲାପାଳଙ୍କ ଦପ୍ତର, ଅବକାରୀ କମିସନର ଏବଂ ମନ୍ତ୍ରୀଙ୍କ ପାଖରୁ ଆସିବା ପାଇଁ କେତେ ସପ୍ତାହ ଲାଗିଥାନ୍ତା, ତାହା ଏବେ ମାତ୍ର କେତୋଟି ଘଣ୍ଟାରେ ମଂଜୁର ହୋଇଯିବ। ପ୍ରାୟ ସମସ୍ତେ ଜାଣିଛନ୍ତି, ଜିଲାପାଳଙ୍କ କାର୍ଯ୍ୟାଳୟ ଦଳୀୟ ରାଜନୀତିର ଊର୍ଦ୍ଧ୍ବକୁ ଉଠି ପାରିନାହିଁ। ମନ୍ତ୍ରୀ , ବିଧାୟକଙ୍କ କଥା ତ ଭିନ୍ନ, ପଞ୍ଚାୟତସ୍ତରର ଟାଣୁଆ କର୍ମୀମାନେ ମଧ୍ୟ ଜିଲାପାଳଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବାରେ ସମର୍ଥ ହୁଅନ୍ତି। ଏହା ଆମ ଅଙ୍ଗେ ନିଭେଇବା କଥା। ଏହାର ଅର୍ଥ – ଏବେ ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିବାର ବାଟ ସଫା ହେଇଗଲା। ସାଧାରଣ ନିର୍ବାଚନ ଆଉ ମାତ୍ର କେଇଟା ମାସ ଥିବାବେଳେ, ସରକାର କାହା ସ୍ୱାର୍ଥରେ ଏଭଳି ନିଷ୍ପତ୍ତି ନେଇଛନ୍ତି ? ସାଧାରଣ ଜନତାର ହିତରେ ନା, ନିର୍ବାଚନ ରାଲିରେ ସ୍ଳୋଗାନ ଦେଉଥିବା ଦଳୀୟ କର୍ମୀଙ୍କ ସ୍ୱାର୍ଥରେ ? ବର୍ତ୍ତମାନ ପ୍ରତିଟି ନିର୍ବାଚନରେ ମୁଖ୍ୟ ଆୟୁଧ ହେଉଛି – ଅର୍ଥ ଏବଂ ମଦ। ୨୦୧୪ ସାଧାରଣ ନିର୍ବାଚନରେ ସମୁଦାୟ ଦଳୀୟ ଖର୍ଚ୍ଚ ପରିମାଣ ଥିଲା ୩୫,୦୦୦ କୋଟି ଟଙ୍କା। (ସରକାର ଖର୍ଚ୍ଚ କରିଥିଲେ ୩,୪୨୬ କୋଟି ଟଙ୍କା)। ସେହି ନିର୍ବାଚନ ସମୟରେ ପୁଲିସ ହାତରେ ଜବତ ହୋଇଥିବା ଅର୍ଥର ପରିମାଣ ଥିଲା ୩୧୩ କୋଟି ଟଙ୍କା। ଅର୍ଥାତ ଖର୍ଚ୍ଚ ହୋଇଥିବା ସମୁଦାୟ ଅର୍ଥର ମାତ୍ର ୦.୦୦୮୯%। ସେହି ସମୟରେ ପୁଲିସ ୩ କୋଟି ଲିଟର୍ ମଦ ଜବତ କରିଥିଲା। ଅର୍ଥ ଏବଂ ମଦର ଅନୁପାତ ସମତୁଲ ବିଚାର କଲେ, ନିର୍ବାଚନରେ ବିତରଣ ହୋଇଥିବା ସମୁଦାୟ ମଦ ପରିମାଣ ଥିବ ୩,୩୭୦ କୋଟି ଲିଟର। ସେଥିରୁ ଆମ ରାଜ୍ୟର ଭାଗ କେତେ, ପାଠକ ବନ୍ଧୁମାନେ ହିସାବ କରନ୍ତୁ। ଆଗାମୀ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ମଦର ଅଭାବ ରହିବ ନାହିଁ, ବୋଧହୁଏ ଏହି ନ୍ୟାୟରେ ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନିଷ୍ପତ୍ତି କିନ୍ତୁ ସାଧାରଣ ଜନତାର ହିତରେ ନୁହେଁ – ଏହା ଦୋହରାଇବାରେ ଆମର ଆଦୌ ସଙ୍କୋଚ ନାହିଁ।
୨୦୧୬ରେ ‘ମଦମୁକ୍ତ ବିହାର’ ଘୋଷଣା ହେବାର ପ୍ରାୟ ଦୁଇ ବର୍ଷ ପରେ ଏସିଆନ ଡେଭଲପ୍ମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଡେଭଲପମେଣ୍ଟ ମାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ନାମକ ଦୁଇଟି ଅନୁଷ୍ଠାନ, ରାଜ୍ୟରେ ଆର୍ଥିକ ଓ ସାମାଜିକ ଶିଡିର ନିମ୍ନରେ ବାସ କରୁଥିବା ସାଧାରଣ ବ୍ୟକ୍ତିଙ୍କ ଜୀବନଶୈଳୀ ଉପରେ ମଦ ନିଷେଧ ପରିପ୍ରେକ୍ଷୀରେ ସର୍ଭେ କରିଥିଲେ। ସର୍ଭେ ରିପୋର୍ଟର ତଥ୍ୟ ଅତ୍ୟନ୍ତ ଉତ୍ସାହଜନକ। ସେହି ରିପୋର୍ଟକୁ ବିହାର ଅର୍ଥନୈତିକ ସର୍ଭେ ରିପୋର୍ଟ ସହିତ ମିଶାଇ ବିଧାନସଭାରେ ଉପସ୍ଥାପନା କରାଯାଇଛି। ମଦ ନିଷିଦ୍ଧ ପୂର୍ବରୁ ରାଜ୍ୟର ପ୍ରାୟ ୧୧ କୋଟି ଜନସଂଖ୍ୟା ମଧ୍ୟରୁ ମଦୁଆଙ୍କ ସଂଖ୍ୟା ଆକଳନ କରାଯାଇଥିଲା ୪୪ ଲକ୍ଷ , ମାତ୍ର ୪% ଆଧାରରେ। (କିନ୍ତୁ ଆମ ଦେଶରେ ମଦପାନ କରୁଥିବା ଜନସଂଖ୍ୟା ହାର ୩୦% )। ଏହି ୪୪ ଲକ୍ଷ ବ୍ୟକ୍ତି ଯଦି ମାସକୁ ହାରାହାରି ୧୦୦୦ଟଙ୍କା ମଦ ବାବଦକୁ ଖର୍ଚ୍ଚ କରୁଥିଲେ, ତେବେ ସମୁଦାୟ ଖର୍ଚ୍ଚ ପରିମାଣ ଥିଲା ୪୪୦ କୋଟି ଟଙ୍କା ଏବଂ ବର୍ଷକୁ ୫୨୮୦ କୋଟି ଟଙ୍କା। ଦୁଇ ବର୍ଷରେ ରାଜ୍ୟରେ ମଦ ବାବଦକୁ ସଂଚୟ ହୋଇଛି ୧୦,୫୦୦ କୋଟି ଟଙ୍କା। ଯେଉଁ ଟଙ୍କା ମଦରେ ଖର୍ଚ୍ଚ ହେଉଥିଲା, ତାହା ପରିବାର କଲ୍ୟାଣ ନିମନ୍ତେ ବିନିଯୋଗ ହୋଇଛି – ମୂଲ୍ୟବାନ ଶାଢ଼ି କିଣା ହାର ୧୭୫୧ % ବୃଦ୍ଧି ପାଇଛି, ପିଲାଙ୍କ ପୋଷାକ ୯୧୦%, ସୁନା ଗହଣା ୪୦% ଏବଂ ୧୯% ପରିବାର ନୂଆ ଘର ଏବଂ ଜମି କଣିଛନ୍ତି। କ୍ଷୀର, ଘିଅ, ଛେନା, ଲସି ଆଦି ଖାଦ୍ୟ ପଦାର୍ଥର ବିକ୍ରି ଆଶାତୀତ (୫୦%ରୁ୨୦୦%) ବୃଦ୍ଧି ପାଇଛି। ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ ବୃଦ୍ଧି ପାଇଛି। ଆହୁରି ଗୁରୁତ୍ୱପୂର୍ଣ୍ଣ – ୫୮% ମହିଳା ମତ ରଖିଛନ୍ତି ମଦ ନିଷିଦ୍ଧ ହେବା ପରେ ସେମାନଙ୍କ ଉପରେ ନିର୍ଯାତନା ହ୍ରାସ ପାଇଛି ଏବଂ ପରିବାରରେ ଶାନ୍ତି, ସମୃଦ୍ଧି ଫେରି ଆସିଛି। ୨୨% ମହିଳା ଆହୁରି ମଧ୍ୟ କହିଛନ୍ତି, ପରିବାରର ସମସ୍ତ ନିଷ୍ପତ୍ତିରେ ସେମାନଙ୍କ ମତ ଲୋଡା ଯାଉଛି। ସବୁଠାରୁ ଉଲ୍ଲେଖନୀୟ ସଫଳତା ହେଉଛି ବିହାରରେ ଅପରାଧ ହାର ହ୍ରାସ ପାଇଛି। ଅପହରଣ ପାଇଁ ବିହାର କୁଖ୍ୟାତ। ମଦ ନିଷିଦ୍ଧ ହେବା ପରେ ଅପହରଣ ହାର ୬୬.୬%, ହତ୍ୟା ହାର ୨୮.୩% ଏବଂ ଡକେଇତି ୨.୩% ହ୍ରାସ ପାଇଛି। ଏହା ସହିତ ରାସ୍ତା ଦୁର୍ଘଟଣା ୫୫%, ସାଂପ୍ରଦାୟିକ ଦଙ୍ଗା ୩୭% ଏବଂ ରାଜ୍ୟରେ ସାମଗ୍ରିକ ଅପରାଧ ୧୮% ହ୍ରାସ ପାଇଛି। ଏହା ବଦଳରେ ବିହାର ରାଜସ୍ୱ ହରାଇଛି ୮୦୦୦ କୋଟି ଟଙ୍କା। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି – ଯଦି ରାଜ୍ୟ ୮୦୦୦ କୋଟି ଟଙ୍କା ରାଜସ୍ୱ ହରାଇ ଥିବାବେଳେ ପରିବାର କଲ୍ୟାଣ କ୍ଷେତ୍ରରେ ୧୦,୦୦୦ କୋଟି ଟଙ୍କା ବିନିଯୋଗ ହୋଇପାରିଲା ଏବଂ ରାଜ୍ୟରେ ଅପରାଧ ଉଲ୍ଲେଖନୀୟ ହ୍ରାସ ପାଇ ପାରିଲା, ତେବେ ଏହା ନିଶ୍ଚିତ ଭାବେ ଜନକଲ୍ୟାଣକାରୀ ଯୋଜନା। ଯେଉଁ ଯୋଜନା କାର୍ଯ୍ୟକାରୀ ହେବାର ମାତ୍ର ଦୁଇ ବର୍ଷ ପରେ ୫୮% ମହିଳା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି – ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଫେରି ଆସିଛି, ଗୋଟିଏ ଜନମଙ୍ଗଳ ରାଜ୍ୟରେ ଏହା ଠାରୁ ଅଧିକ ସଫଳ ଯୋଜନା ଆଉ କ’ଣ ବା ଥାଇପାରେ !
ସାଧାରଣ ନିର୍ବାଚନ ମାତ୍ର କେଇଟା ମାସ ରହିଲା। ସମସ୍ତ ରାଜନୈତିକ ଦଳଙ୍କୁ ଆହ୍ୱାନ – ଓଡିଶାକୁ ମଦମୁକ୍ତ ଘୋଷଣା କରନ୍ତୁ। ବିଜେଡି, ବିଜେପି , କଂଗ୍ରେସ – ଯେଉଁ ଦଳ ଏହି ଘୋଷଣା କରିବେ, ମହିଳା ସଂଗଠନର କର୍ମୀମାନେ ସେହି ଦଳ ପାଇଁ ଘରଘର ବୁଲି ପ୍ରଚାର କରିବେ। ପଡୋଶୀ ବିହାର ରାଜ୍ୟ ଆମ ଆଗରେ ଏହାର ସମୁଜ୍ବଳ ଦୃଷ୍ଟାନ୍ତ। ନୀତୀଶ କୁମାର ମହିଳାମାନଙ୍କ ଅକୁଣ୍ଠ ସମର୍ଥନରେ ନିର୍ବାଚନ ଜିତିଥିଲେ। ଏହି ଦୁଇ ବର୍ଷ ମଧ୍ୟରେ ମଦ ନିଷେଧ ଆଇନକୁ ଏତେ କଡାକଡି ଲାଗୁ କରିଛନ୍ତି ଯେ ବିହାର ଆଜି ମଦମୁକ୍ତ ହେବା ସହିତ ଅପରାଧ-ମୁକ୍ତ ରାଜ୍ୟରେ ପରିଣତ ହୋଇଛି। ଏଇ କିଛି ମାସ ତଳେ, ମଦମୁକ୍ତ ଭାରତ ପାଇଁ ସେ ଆହ୍ୱାନ ଦେଇଥିଲେ। ତାଙ୍କର ଯୁକ୍ତି – ଯଦି ବିହାର ଭଳି ଗୋଟିଏ ମଦସିକ୍ତ-ଅପରାଧପ୍ରବଣ ରାଜ୍ୟରେ ସମ୍ଭବ ହୋଇ ପାରିଲା, ଅନ୍ୟ ରାଜ୍ୟରେ ଏହା ବାସ୍ତବ ରୂପ ନ ନେବ କାହିଁକି ? ଆସନ୍ତୁ , ଆମେ ସମସ୍ତେ ମିଶି ମଦମୁକ୍ତ ଓଡିଶା ପାଇଁ ରାଜନୈତିକ ଦଳମାନଙ୍କୁ ଆହ୍ୱାନ କରିବା।
ଭଦ୍ରକ
[email protected]