ଗତ କେଇଦିନ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କେତେକ ଐତିହାସିକ ଫଇସଲା ଶୁଣାଇ ଜନସାଧାରଣଙ୍କ ପାଇଁ ଏକ ପ୍ରଗତିଶୀଳ ଭାରତୀୟ ସମାଜ ସୃଷ୍ଟି ପାଇଁ ପଥପ୍ରଦର୍ଶକର ଭୂମିକା ତୁଲାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି କ୍ରମରେ ନ୍ୟାୟାଳୟ ସୋମବାର ଦେଇଥିବା ରାୟଟି ମଧ୍ୟ କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। କୌଣସି ଗୋଷ୍ଠୀ, ତାହା ସାମାଜିକ, ରାଜନୈତିକ ବା ଅନ୍ୟ କିଛି ହେଉ, ଯଦି ଆନ୍ଦୋଳନ ନାମରେ ବ୍ୟକ୍ତିଗତ, ସାର୍ବଜନୀନ ବା ସରକାରୀ ସମ୍ପତ୍ତି ନଷ୍ଟ କରନ୍ତି କିମ୍ବା କାହାର ମୃତ୍ୟୁର କାରଣ ହୁଅନ୍ତି, ତେବେ ସେହି ଗୋଷ୍ଠୀର ନେତାଙ୍କ ବିରୋଧରେ ଏବେ ବ୍ୟକ୍ତିଗତ ଭାବେ ଆପରାଧିକ ମୋକଦ୍ଦମା ରୁଜୁ କରାଯାଇପାରିବ ଓ ହିଂସାକାଣ୍ଡରେ ପୀଡ଼ିତ ଓ ନଷ୍ଟ ହୋଇଥିବା ସମ୍ପତ୍ତି ତାଙ୍କଠାରୁ ଭରଣା କରାଯିବ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବାଧୀନ ପୀଠ ସ୍ପଷ୍ଟ କରିଛନ୍ତି ଯେ ବିଶେଷତଃ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ବା କଳା ସ୍ବାଧୀନତାର ଅଭିବ୍ୟକ୍ତି ବିରୋଧରେ ଆନ୍ଦୋଳନ ବା ବିକ୍ଷୋଭ ନାଁରେ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ ଓ ହିଂସା ସୃଷ୍ଟି, ପ୍ରରୋଚିତ ବା ପ୍ରୋତ୍ସାହିତ କଲେ ଆନ୍ଦୋଳନର ନେତା ସେଥିପାଇଁ ଉତ୍ତରଦାୟୀ ରହିବେ। ସମ୍ଭବତଃ ଏହି ରାୟ ଦେଲାବେଳେ ନିକଟ ଅତୀତରେ ‘ପଦ୍ମାବତୀ ଚଳଚ୍ଚିତ୍ର’କୁ ନେଇ କରଣୀ ସେନା ନାମକ ଏକ ଗୋଷ୍ଠୀ ଯେମିତି ଉତ୍ପାତ କଲେ ଓ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଥିଲେ, ତାହା ଅଦାଲତଙ୍କ ମନରେ ରହିଥିବ।
କେବଳ ନେତା ନୁହନ୍ତି, ହିଂସାକାଣ୍ଡରେ ଭାଗୀଦାର ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଭାରତୀୟ ପିଙ୍ଗଳ ସଂହିତା (ଆଇପିସି)ର ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରାଯିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। କୌଣସି ବ୍ୟକ୍ତି ବା ସଂଗଠନ ସାମାଜିକ ଗଣମାଧ୍ୟମ ଅଥବା ମୁଖପାତ୍ରଙ୍କ ଜରିଆରେ ହିଂସାକୁ ଉସୁକାଇଥିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏଭଳି ବ୍ୟକ୍ତି ବା ନେତାଙ୍କୁ ହିଂସାଗ୍ରସ୍ତ ସ୍ଥଳରେ ପୁଲିସ ଧରେ, ତେବେ ତାଙ୍କୁ ତତ୍କାଳ ଗିରଫ କରାଯାଇପାରିବ ବୋଲି ଅଦାଲତ କହିଛନ୍ତି। ଆହୁରି ମଧ୍ୟ ଯଦି କୌଣସି ନେତା ଥାନାକୁ ନଆସନ୍ତି, ତେବେ ତାଙ୍କୁ ‘ଫେରାର୍ ଅପରାଧୀ’ ଭାବେ ବିବେଚନା କରାଯିବ। ନ୍ୟାୟାଳୟ ଗୋଷ୍ଠୀଗତ ହିଂସାକୁ ରୋକିବା ପାଇଁ ପ୍ରତ୍ୟେକ ରାଜ୍ୟକୁ ଜିଲାସ୍ତରରେ ‘ରାପିଡ଼ ରେସ୍ପନ୍ସ ଟିମ୍’ ଗଠନ ସହ ୱେବସାଇଟରେ ଗୋଷ୍ଠୀହିଂସାର ଘଟନାକ୍ରମ ଓ ତା’ ଦ୍ବାରା ହୋଇଥିବା କ୍ଷୟକ୍ଷତିର ବିବରଣୀ, ସ୍ବତନ୍ତ୍ର ହେଲ୍ପଲାଇନ ଆଦି ବିଷୟରେ ଦର୍ଶାଇବାକୁ ପରାମର୍ଶ ଦେଇଛନ୍ତି। ଆମର ବିଶ୍ବାସ ଯେ ଓଡ଼ିଶା ସମେତ ପ୍ରତ୍ୟେକ ରାଜ୍ୟ ଅଦାଲତଙ୍କ ଏହି ସୁପରାମର୍ଶକୁ ଅବିଳମ୍ବେ କାର୍ଯ୍ୟକାରୀ କରିବେ। ଯେଉଁମାନେ ବିକ୍ଷୋଭ ଓ ଆନ୍ଦୋଳନ ଆଦିରେ ଭାଗ ନେଉଛନ୍ତି, ସେମାନଙ୍କୁ ମଧ୍ୟ ଏହା ସଂଯତ ରଖିବା ଆଶା କରାଯାଏ। ଯେ କୌଣସି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ବିଧେୟ।
ନେତା ସାବଧାନ
Popular Categories



