www.samajalive.in
Monday, December 15, 2025
27.1 C
Bhubaneswar

ରାଜ୍ୟସଭା ମନୋନୟନ

ଶନିବାର ରଥଯାତ୍ରାର ଶୁଭ ଅବସରରେ ଯେଉଁ ଭଲ ଖବରଟି ରାଜ୍ୟବାସୀଙ୍କୁ ଆହ୍ଲାଦିତ କରିଥିଲା, ତାହା ଥିଲା ରାଷ୍ଟ୍ରପତିଙ୍କ ଦ୍ବାରା ଦୁଇ ଓଡ଼ିଆ, ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏବଂ ପ୍ରଖ୍ୟାତ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୟନ। ସ୍ବାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାର ଏହି ପ୍ରତିଭାଦ୍ବୟଙ୍କୁ ମନୋନୀତ କରାଯିବା ସ୍ବାଗତଯୋଗ୍ୟ। ଏମାନେ ନିଜନିଜ କ୍ଷେତ୍ରରେ ଯେ ଅପ୍ରତିଦ୍ବନ୍ଦ୍ବୀ; ତେଣୁ ଯୋଗ୍ୟ, ସେଥିରେ ଆଦୌ ସନ୍ଦେହ ନାହିଁ। ଓଡ଼ିଶାକୁ ରାଜ୍ୟସଭା ମନୋନୟନ କ୍ଷେତ୍ରରେ କେବେ ତା’ର ପ୍ରାପ୍ୟ ମିଳୁନଥିବା ଅଭିଯୋଗ ହୋଇଆସୁଥିଲା, ଯାହା ଅଯଥାର୍ଥ ନୁହେଁ। ଅନ୍ତତଃ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ଅମଳରେ ତାହା ପ୍ରାପ୍ତ ହେବା ଖୁସିର କଥା।
ଅବଶ୍ୟ ଏଥିରେ ବି ବିରୋଧୀ ଓ ରାଜନୈତିକ ସମୀକ୍ଷକମାନେ ରାଜନୀତି ଦେଖିବା ଆରମ୍ଭ କରିଛନ୍ତି, ଯାହାକୁ ଅମୂଳକ ବୋଲି କହିହେବ ନାହିଁ। ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଷ୍ଟି ଓଡ଼ିଶା ଉପରେ ଅଧିକ ନିବଦ୍ଧ, ତାହା ବିଜେପି ନିଜେ ବି ସ୍ବୀକାର କରିଛି। ଗତ ଜୁଲାଇ ୧ରେ ସମର୍ଥନ ପାଇଁ ସମ୍ପର୍କ ଅଭିଯାନରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସ୍ଥପତି ଶ୍ରୀ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସେହି ଦୃଷ୍ଟିରୁ ଏହି ରାଜ୍ୟସଭା ମନୋନୟନକୁ ମଧ୍ୟ ଏକ ରଣନୀତିର ଅଂଶ ଭାବେ ଦେଖାଯାଇପାରେ। ବିଜେପି ଏହାଦ୍ବାରା କେତେ ଫାଇଦା ପାଇବ, ତାହା ଭିନ୍ନକଥା, କିନ୍ତୁ ଏ କ୍ଷେତ୍ରରେ ଓଡ଼ିଶାକୁ ପୂର୍ବରୁ ଯେଉଁ ଉପେକ୍ଷା କରାଯାଇଥିଲା, ତା’ର ଅବସାନ ଘଟିଛି ଏବଂ ରାଜ୍ୟ ଏହାଦ୍ବାରା ସମ୍ମାନିତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରର ୧୨ ଜଣ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିପାରିବେ। ତଦନୁସାରେ କେବେମଧ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ଓଡ଼ିଶାର କେହି ମନୋନୀତ ନହୋଇପାରିବା ପ୍ରକୃତରେ ବିସ୍ମୟକର। ଓଡ଼ିଶାର କୌଣସି ବ୍ୟକ୍ତି ଯେ ଏଥିପାଇଁ ପୂର୍ବରୁ ଯୋଗ୍ୟ ନଥିଲେ, ତାହା ତ ଆଦୌ ନୁହେଁ। ଏଠାକାର ଅନେକ ପ୍ରତିଭା କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ମଧ୍ୟ ସୁନାମ ଅର୍ଜନ କରିଆସିଛନ୍ତି; କିନ୍ତୁ ସେମାନଙ୍କୁ ରାଜ୍ୟସଭା ପାଇଁ ଉପଯୁକ୍ତ ବିବେଚନା କରାନଯିବା ଓଡ଼ିଶା ପ୍ରତି ଉପେକ୍ଷା ନୁହେଁ ତ ଆଉ କ’ଣ? ଏଥର ଓଡ଼ିଶାର ଦୁଇଜଣଙ୍କ ବ୍ୟତୀତ ଅନ୍ୟ ଯେଉଁ ଦୁଇଜଣ ରାକେଶ ସିହ୍ନା ଓ ରାମ ଶକଲଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି, ଉଭୟେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହିତ ଘନିଷ୍ଠ। ଜଣେ ସଂଘ-ବିଚାରକ ଓ ଆଉ ଜଣେ ସଂଘ-ପ୍ରଚାରକ। ଏଥିରୁ ଓଡ଼ିଶାକୁ କିଭଳି ଗୁରୁତ୍ବ ଦିଆଯାଇଛି, ତାହା ସହଜେ ଅନୁମେୟ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories