‘ବାବୁ’ ବିଶିଷ୍ଟ

0

କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଅମଲାତାନ୍ତ୍ରିକ ନିଯୁକ୍ତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ପ୍ରଥମେ ଯୁଗ୍ମ ସଚିବ ସ୍ତରରେ ଏହା କାର୍ଯ୍ୟକାରୀ ହେବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି, ତଦନୁସାରେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଦଶଟି ବିଭାଗ ରାଜସ୍ବ, ଅର୍ଥନୈତିକ ବ୍ୟାପାର, କୃଷି, ସମବାୟ ଓ କୃଷକ କଲ୍ୟାଣ, ସଡ଼କ ପରିବହନ ଓ ରାଜପଥ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ନବୀକରଣ ଶକ୍ତି, ବେସାମରିକ ବିମାନ ଚଳାଚଳ ଓ ବାଣିଜ୍ୟରେ ‘ଲା‌ଟେରାଲ ଏଣ୍ଟ୍ରି’ ଜରିଆରେ ‘ବାବୁ’ମାନଙ୍କୁ ନିଯୁକ୍ତି ଦିଆଯିବ। ଏମାନଙ୍କ ପାଇଁ ଆଉ ସିଭିଲ୍‌ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ପଡ଼ିବ ନାହିଁ। ଅନ୍ୟୂନ ପନ୍ଦର ବର୍ଷର ଅଭିଜ୍ଞତା ଓ କାର୍ଯ୍ୟରେ ବୈଶିଷ୍ଟ୍ୟକୁ ବିଚାରକୁ ନେଇ ଉପରୋକ୍ତ ଅମଲାତନ୍ତ୍ରୀଙ୍କୁ ଏହି ବଡ଼ ପଦଗୁଡ଼ିକରେ ନିଯୁକ୍ତ କରାଯିବ। ବିଶେଷତଃ, ଏହି ନୂଆ ଅମଲା ନିଯୁକ୍ତି ବ୍ୟବସ୍ଥାକୁ ଭଲଭାବେ ଅନୁଧ୍ୟାନ କଲେ ଦେଖାଯିବ ଯେ ଯେଉଁମାନେ ଘରୋଇ କ୍ଷେତ୍ର ବା କର୍ପୋରେଟ୍ କମ୍ପାନୀଗୁଡ଼ିକରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଏଥିରେ ସିଧାସଳଖ ନିଯୁକ୍ତି ମିଳିବ। ଏହା ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ମୋଦୀ ସରକାରଙ୍କ ଦ୍ବାରା ନିଆଯାଇଥିବା ଏକ ବହୁତ ବଡ଼ ପଦକ୍ଷେପ, ଯାହାକୁ ନେଇ ବିଭିନ୍ନ କାରଣରୁ ବିବାଦ ସୃଷ୍ଟି ହେବା ମଧ୍ୟ ସ୍ବାଭାବିକ।
ସମଗ୍ର ଏସିଆ ମହାଦେଶରେ ଭାରତର ଅମଲାତନ୍ତ୍ରକୁ ନିକୃଷ୍ଟତମ ବୋଲି କୁହାଯାଇଥାଏ। ଏହା ଠକ, ଦୁର୍ନୀତିଗ୍ରସ୍ତ, ଠାପୁଆ ବୋଲି ସାଧାରଣରେ ଧାରଣା ରହିଛି। ମୋଦୀ ସରକାର କ୍ଷମତା ହାତକୁ ନେବାପରେ ଏହାକୁ ଅତି ପାରଙ୍ଗମ କରିଦେବେ ବୋଲି ବାରମ୍ବାର ଘୋଷଣା କରିଆସିଥିଲେ ବି ତା’ର ଚରିତ୍ରରେ ଏବେ ବି ପରିବର୍ତ୍ତନ ଆସିଥିବା ଜଣାପଡ଼ୁନାହିଁ। ଅବଶ୍ୟ ସରକାର ଅନେକଙ୍କୁ ଇତିମଧ୍ୟରେ ସେମାନଙ୍କ ଅପାରଗତା, ଦୁର୍ନୀତି ଆଦି ପାଇଁ ନିଲମ୍ବିତ ଓ ବହିଷ୍କାର ଭଳି ଚରମ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ତେବେ କାର୍ଯ୍ୟସଂସ୍କୃତି ନବଦଳିବା ଯାଏଁ ଏଭଳି ସାମୟିକ କାର୍ଯ୍ୟାନୁଷ୍ଠାନର କିଛି ଅର୍ଥ ନାହିଁ। ହୁଏତ ଏଇଆ ଭାବି ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥାଇପାରନ୍ତି।
ଭାରତୀୟ ପ୍ରାଶାସନିକ ସେବାରେ ସଂସ୍କାର ଆଣିବା ପାଇଁ ବହୁ ପ୍ରକାରର ପ୍ରସ୍ତାବ ଦୀର୍ଘଦିନ ହେଲା ଆଲୋଚିତ ହୋଇଆସୁଛି। ଅମଲାତନ୍ତ୍ରରେ ଏହି ‘ଲାଟେରାଲ୍‌ ଏଣ୍ଟ୍ରି’ ପ୍ରସ୍ତାବ ସର୍ବପ୍ରଥମେ ୨୦୦୫ ମସିହାରେ ପ୍ରାଶାସନିକ ସଂସ୍କାର ଆୟୋଗର ରିପୋର୍ଟରେ କୁହାଯାଇଥିଲା। ୨୦୧୪ରେ ମୋଦୀ ସରକାର ପ୍ରଥମେ ଏନେଇ ବିଚାରବିମର୍ଶ ଆରମ୍ଭ କରିଥିଲେ। ଏବେ ତାକୁ ଲାଗୁ କରିଛନ୍ତି। ତେବେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ଏକ କଠିନ ପରୀକ୍ଷା ଯୋଗେ ବଛାଯାଉଥିବା ଆମ ଅମଲାତନ୍ତ୍ରୀମାନେ ପ୍ରକୃତରେ କାହିଁକି କାର୍ଯ୍ୟକ୍ଷେତ୍ରରେ ସର୍ବୋତ୍ତମ ବା ଅଗ୍ରଗାମୀ ହୋଇପାରୁନାହାନ୍ତି, ତା’ର କାରଣ ଖୋଜାଯିବା ଆବଶ୍ୟକ। ଅନେକ ସମୟରେ ଏକ ପଛୁଆ, ଦୁର୍ବଳ ବ୍ୟବସ୍ଥା ପ୍ରଗତିଶୀଳ ଓ କର୍ମଠ ବ୍ୟକ୍ତିଟିକୁ ମଧ୍ୟ କର୍ମକୁଣ୍ଠ ଏବଂ ଉଦାସୀନ କରିପକାଏ। ତେଣୁ ବ୍ୟବସ୍ଥାକୁ ପ୍ରଥମେ ତଦନୁରୂପ ଭାବେ ସର୍ବୋତ୍ତମ କରିବାର ଆବଶ୍ୟକତା ରହିଛି। କେବଳ କେତେକ ବାବୁଙ୍କୁ ବାହାରୁ ଆଣି ବସାଇଦେଲେ ପ୍ରଶାସନ ସମ୍ପୂର୍ଣ୍ଣ ପାରଙ୍ଗମ ହୋଇଯିବ, ତାହା କୁହାଯାଇନପାରେ। ଘରୋଇ କ୍ଷେତ୍ରରୁ ଯେଉଁମାନଙ୍କୁ ନିଯୁକ୍ତି ଦିଆଯିବ, ସେମାନେ ନିଜ ଉପରିସ୍ଥ ଆଇଏଏସ୍ ଅଥବା ଅଧସ୍ତନ ସହକର୍ମୀଙ୍କ ସହ ତାଳମେଳ ରଖି ଉଚିତ ନିର୍ଣ୍ଣୟ ନେଇପାରିବା ନେଇ ଆଶଙ୍କା ରହିଛି। ସାମ୍ବିଧାନିକ ବ୍ୟବସ୍ଥା ଦେଇ ଆସିନଥିବାରୁ ଏବଂ କର୍ପୋରେଟ୍ ଶୈଳୀରେ କାର୍ଯ୍ୟ କରିବାର ଅଭ୍ୟାସ ଥିବାରୁ ସେମାନେ ପ୍ରଚଳିତ ବ୍ୟବସ୍ଥା ଭିତରେ କିଭଳି କାମ କରିବେ, ତାହା ଦେଖିବା କଥା।
ସରକାରଙ୍କ ଯୁକ୍ତି ହେଉଛି ଘରୋଇ କ୍ଷେତ୍ରରୁ ଦକ୍ଷ ଲୋକଙ୍କୁ ଅଣାଗଲେ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ନୂତନ ପ୍ରୟୋଗସବୁ ସମ୍ଭବ ହେବ। ଏହା ଠିକ୍ କଥା; କିନ୍ତୁ ଘରୋଇ କ୍ଷେତ୍ରର ଅଭିଜ୍ଞତା ସରକାରୀ କ୍ଷେତ୍ରରେ ପ୍ରୟୋଗ କରିବା କାଠିକର ପାଠ ହେବ ନିଶ୍ଚୟ। ପୁନଶ୍ଚ, ଘରୋଇ କ୍ଷେତ୍ରରେ ଯେଉଁମାନଙ୍କୁ ସଫଳ ବୋଲି କୁହାଯାଏ, ସେମାନେ କମ୍ପାନୀର ଲାଭ ପାଇଁ ବହୁ ବେଆଇନ କାର୍ଯ୍ୟ କରୁଥିବା ଦେଖାଯାଉଛି; ଅର୍ଥାତ ଫାଇଦା ପାଇଁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ସରକାରୀ କ୍ଷେତ୍ରରେ ତାହା କରିବା ସମ୍ଭବ ନୁହେଁ ବା କରାଯିବା ଅନୁଚିତ। ସରକାରୀ ଯୋଜନାର ପ୍ରମୁଖ ଲକ୍ଷ୍ୟ ଯେନତେନ ପ୍ରକାରେ ଲାଭ କରିବା ନୁହେଁ, ବରଂ ଜନମଙ୍ଗଳ ଓ ଲୋକକଲ୍ୟାଣ। ତାକୁ ପୁଣି ସରକାରୀ ବିଧିବ୍ୟବସ୍ଥା ଭିତରେ ସଂପନ୍ନ କରାଯିବା ଆବଶ୍ୟକ। ଲାଭଜନକ ବେଉସା କରିଆସିଥିବା ବାବୁମାନେ ଜନହିତମନସ୍କ ହୋଇପାରିବେ ତ?
ଆଉମଧ୍ୟ ଏହି ବ୍ୟବସ୍ଥାର ରାଜନୀତିକରଣ ହେବାର ଯେଉଁ ଆଶଙ୍କା ପ୍ରକାଶ ପାଇଛି, ତାହା ଅମୂଳକ ନୁହେଁ। କ୍ଷମତାସୀନମାନେ ଏଥିରେ ପ୍ରିୟାପ୍ରୀତିତୋଷଣ କରି ନିଜ ଲୋକଙ୍କୁ ନିଯୁକ୍ତି ଦେଇପାରନ୍ତି। ସେପରି ହେଲେ ଦେଶପାଇଁ ଅଧିକ ବିପଦ ସୃଷ୍ଟି ହେବ; କାରଣ ଏହାଦ୍ବାରା ସରକାରୀ ଯୋଜନାର ଘରୋଇକରଣ ଏବଂ ଆତ୍ମସାତ୍‌ ହେବାର ଆଶଙ୍କା ସର୍ବାଧିକ; ଅର୍ଥାତ ନୀତିନିୟମ କାର୍ଯ୍ୟକାରିତା କ୍ଷେତ୍ରରେ ସାଧାରଣ ଲୋକେ ଅବହେଳିତ ଓ ବଞ୍ଚିତ ହୋଇପାରନ୍ତି। ଅତଏବ ବିଶିଷ୍ଟ ବାବୁମାନଙ୍କ ନିଯୁକ୍ତି ପାଇଁ ମନୋନୟନ ପଦ୍ଧତି ନିହାତି ସ୍ବଚ୍ଛ ଓ ନିରପେକ୍ଷ ହେବା ସର୍ବାଦୌ ଆବଶ୍ୟକ। ସରକାର ନିଜେ ଏ ନେଇ ନିଷ୍ପତ୍ତି ନନେଇ ୟୁପିଏସ୍‌ସି ଜରିଆରେ ଏହି ମନୋନୟନ କରିବା ଶ୍ରେୟସ୍କର।

Leave A Reply