ସୃଷ୍ଟିର ଆଦ୍ୟାଶକ୍ତି ହିଁ ମହାମାୟା। ଆଦି ସଂହିତାକାର ମନୁଙ୍କ ମତରେ, ସୃଷ୍ଟିର ଆଦିମ ଅବସ୍ଥାରେ ଚତୁର୍ଦ୍ଦିଗ କେବଳ ଅନ୍ଧକାର ଦ୍ୱାରା ଆଚ୍ଛାଦିତ ଥିଲା। ସେତେବେଳେ ରାତ୍ରି ନ ଥିଲା କି ଦିବସ ମଧ୍ୟ ନ ଥିଲା। ବୈଦିକ ପୁରୁଷ ସୂକ୍ତରେ କେବଳ ସେତେବେଳେ ପରମ ପୁରୁଷ ପରଂବ୍ରହ୍ମ ଥିଲେ ବୋଲି ବର୍ଣ୍ଣିତ ଅଛି। “ପୁରୁଷ ଏବେଦଂ ସର୍ବଂ”। କିନ୍ତୁ ଭାରତୀୟ ଶାକ୍ତ ଶାସ୍ତ୍ରରେ – ଯେତେବେଳେ ପରମ ପୁରୁଷ ନଥିଲେ, ସେତେବେଳେ କେବଳ ଆଦ୍ୟାଶକ୍ତି ମହାମାୟା ଥିଲେ ବୋଲି ଉଲ୍ଲେଖ ଅଛି। ସେଇଥିପାଇଁ ମଣିଷର କଳ୍ପନାରେ ସର୍ବପ୍ରଥମେ ଦେବୀ- ଚେତନା ଆଉ ମାତୃ-ଚେତନା ସ୍ଥାନ ପାଇଥିବା କଥା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ଅଛି। ତେଣୁ ଦେବୀ ହେଉଛନ୍ତି ବିଶ୍ୱର ଆଦ୍ୟାଶକ୍ତି। ସେ ଏକାଧାରରେ ବିଶ୍ୱ-ପ୍ରସବିନୀ ଏବଂ ବିଶ୍ୱ-ସଂହାରିଣୀ। ଭାରତୀୟ ଦର୍ଶନରେ ତାଙ୍କୁ କେତେବେଳେ ଅସୁର ମର୍ଦିନୀ ଦୁର୍ଗତିନାଶିନୀ ଦୁର୍ଗା ରୂପରେ, କେତେବେଳେ ନୃମୁଣ୍ଡ ମାଳିନୀ ଧ୍ୱଂସରତା କାଳୀ ରୂପରେ, କେତେବେଳେ ପୁଣି ଚିରଯୌବନା ଗୌରୀ ରୂପରେ ପୁଣି କେତେବେଳେ ବିଶ୍ୱ ଶାସନରତା ବିଶ୍ୱମୋହିନୀ ଭୁବନେଶ୍ୱରୀ ରୂପରେ ଆରାଧନା କରାଯାଉଛି। ସମଗ୍ର ବିଶ୍ୱର ପ୍ରତ୍ୟେକ ବସ୍ତୁରେ ଶକ୍ତି ଭାବରେ ଅବସ୍ଥାନ କରିଛନ୍ତି ସେ।
ଭାରତୀୟ ସାଂସ୍କୃତିକ ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ, ଶକ୍ତି – ଉପାସନା ଅନ୍ୟାନ୍ୟ ଉପାସନାର କଠୋରତା ଆଉ ରକ୍ଷଣଶୀଳତାକୁ ଦୂର କରି, ଯୁଗ ପରେ ଯୁଗ ସମାଜର ବିଭିନ୍ନ ସ୍ତରରେ ପ୍ରଭାବ ବିସ୍ତାର କରିବା ସହିତ ସାର୍ବଜନୀନ ଆଦର ଲାଭ କରିଆସିଛି। ଶାକ୍ତ ଉପାସନାର ପରଂପରା ଏତେ ଅଧିକ ଯେ, ଲୋକଧର୍ମ, ବୌଦ୍ଧଧର୍ମ, ତନ୍ତ୍ରଶାସ୍ତ୍ର, ବୈଷ୍ଣବଧର୍ମ ଆଦିରେ କଳ୍ପିତ ଦେବୀମାନଙ୍କର ସଂଖ୍ୟା କଳନା କରିବା ସମ୍ଭବପର ହୁଏନି। ପୌରାଣିକ ଯୁଗରେ ଅଗଣିତ ଦେବୀ ରୂପ କଳ୍ପନା ଏବଂ ସେମାନଙ୍କର ପୂଜାବିଧି ପାଳନ ତଥା ପ୍ରସାର ଦ୍ୱାରା ଭାରତୀୟ ସମାଜରେ ଅନୁଭୂତ ହେଲା ଯେ, ଶକ୍ତି ହିଁ ସମସ୍ତ ଉପାସନାର ଏବଂ ଦେବଦେବୀଙ୍କର ମୂଳଉତ୍ସ। ତେଣୁ କାଳକ୍ରମେ ଶକ୍ତି-ଉପାସନା ଓ ପୂଜା ବିଶଦ୍ ଭାବରେ ଆଦୃତି ଲାଭ କଲା। ଫଳତଃ, ମହିଷମର୍ଦିନୀ ଦୁର୍ଗା, ପାର୍ବତୀ, ନାରସିଂହୀ, ଚାମୁଣ୍ଡା ପ୍ରଭୃତି ସପ୍ତମାତୃକା, କାତ୍ୟାୟନୀ, କାଳୀ, ଯୋଗିନୀ, ମଙ୍ଗଳା, ଚଣ୍ଡୀ, ତାରା, ଦଶ ମହାବିଦ୍ୟା ଆଦି ବିଭିନ୍ନ ରୂପରେ ପୂଜା ପାଇଲେ। ସେଇଥିପାଇଁ ଦେବୀଙ୍କର କଳ୍ପିତ ରୂପ ମଧ୍ୟରେ ଉତ୍କଳ ଭୂଇଁରେ ପୂଜିତା ରୂପ ଅନେକ, ପୀଠ ମଧ୍ୟ ଅନେକ। ଏହିସବୁ ପୀଠର ଐତିହ୍ୟ, ଦେବୀମାନଙ୍କର ଆବିର୍ଭାବ ଓ ପୂଜାର୍ଚ୍ଚନା ସମ୍ପର୍କରେ ପ୍ରଚଳିତ ଲୋକୋକ୍ତି ତଥା ଶାସାନୁମୋଦିତ ମତ, ଏହି ରାଜ୍ୟର ଶକ୍ତି ଉପାସନାର ପ୍ରାଚୀନତାକୁ ପ୍ରମାଣିତ କରିଥାଏ।
ଓଡ଼ିଶାର ସମସ୍ତ ପୀଠରେ ନୈଷ୍ଠିକତାର ସହିତ ଷୋଡ଼ଶୋପଚାରରେ ମହିଷମର୍ଦିନୀ ମା’ ଦୁର୍ଗାଙ୍କୁ ଷୋଡ଼ଶ ଦିବସ ବ୍ୟାପୀ ଷୋଳପୂଜାର ବିଧି ମହାପାର୍ବଣର ରୂପ ଗ୍ରହଣ କରିଛି। ମା’ ଆଦ୍ୟାଶକ୍ତିଙ୍କର ଷୋଳଦିନାତ୍ମକ ଶାରଦୀୟ ମହୋତ୍ସବ ଆରମ୍ଭ ହୁଏ ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିରୁ। କାରଣ -ସ୍ୱରୂପ ପଣ୍ଡିତମାନେ ସେମାନଙ୍କର ମତ ପ୍ରଦାନ କରି କହିଥାନ୍ତି, ଦେବୀଙ୍କ ସହିତ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶୁକ୍ଳପକ୍ଷ ନବମୀ ତିଥି ପର୍ଯ୍ୟନ୍ତ-ଷୋହଳଦିନ ବ୍ୟାପୀ ଚାଲିଥିଲା। ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ। ନବମୀ ରାତ୍ରିର ଅନ୍ଧକାର ସହିତ ତିନିଲୋକରୁ ଅମଙ୍ଗଳର, ଆସୁରିକ ଶକ୍ତିର ଛାୟା ଅପସରି ଗଲା। ଶୁକ୍ଳ ଦଶମୀ ଦିନ ଆରମ୍ଭ ହେଲା ଶୁଭଙ୍କର ମୁହୂର୍ତ୍ତମାନ। ପୁନଶ୍ଚ, ଏହି ଦଶମୀ ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତୃଶକ୍ତି ମହାମାୟୀଙ୍କୁ ଆରାଧନା କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ଯାତ୍ରା କରିଥିଲେ। ସେଇଥିପାଇଁ ଦଶମୀ ଦିନଟିକୁ ବିଜୟାଦଶମୀ ଭାବରେ ମଧ୍ୟ ପାଳନ କରାଯାଇଥାଏ ଏବଂ ଆସୁରିକ ଶକ୍ତି ଉପରେ ଧାର୍ମିକ ଶକ୍ତିର ବିଜୟର ପ୍ରତୀକ ଭାବରେ ଓଡ଼ିଶା ତଥା ଭାରତବର୍ଷର ନାନା ସ୍ଥାନରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥାଏ। ତେବେ ଷୋଳପୂଜାର ପୂଜାବିଧି ସ୍ୱତନ୍ତ୍ର। ଷୋଳଦିନ ବ୍ୟାପୀ ଏହି ମହୋତ୍ସବରେ ଦେବୀଙ୍କର ଭୋଗ ନୈବେଦ୍ୟ ତଥା ବେଶ ଆଦି ସବୁ ଭିନ୍ନ ଭିନ୍ନ।
ଶାରଦୀୟ ଦୁର୍ଗାପୂଜାର ଦୁଇଟି ଧାରା ଓଡ଼ିଶାର ପାର୍ବଣ ପରଂପରାରେ ପ୍ରତିଷ୍ଠା ଲାଭ କରି ଆସିଛି। ଗୋଟିଏ ଦେବୀଙ୍କର ପୀଠମାନଙ୍କରେ ଆରାଧନା ଓ ପୂଜା ଆଉ ଅନ୍ୟଟି ଦଶଭୁଜାଙ୍କର ମୃଣ୍ମୟ ମୂର୍ତ୍ତି ସୁସଜ୍ଜିତ ମଣ୍ଡପମାନଙ୍କରେ ସ୍ଥାପନା କରି ପ୍ରତିଷ୍ଠା, ପୂଜାର୍ଚ୍ଚନା ଏବଂ ବିସର୍ଜନର ବିଧି। କଟକ, ଭୁବନେଶ୍ୱର ସହିତ ରାଜ୍ୟର ସବୁ ସହର ତଥା ଗ୍ରାମାଞ୍ଚଳରେ ମୃଣ୍ମୟୀ ଦେବୀଙ୍କର ପୂଜା ସମାରୋହରେ ପାଳିତ ହୋଇ ଆସୁଛି। ଆଗ କାଳର ଶୋଲ, ଜରି ଆଉ ଜିଙ୍କ୍ ବଦଳରେ ଏବେ ରୁପା, ଚାନ୍ଦିର ମେଢ଼ ସାଙ୍ଗକୁ ସୁନାର ଗହଣାରେ ସଜ୍ଜିତ ହୋଇ ମା’ ପୂଜା ପାଉଛନ୍ତି। ଅବଶ୍ୟ ଅନେକଙ୍କ ମତରେ ଉତ୍କଳର ଦଶଭୁଜା ମୃଣ୍ମୟୀ ମୂର୍ତ୍ତି ବଙ୍ଗୀୟ ରୀତିରେ ପୂଜିତ। ଉତ୍କଳୀୟ ପରଂପରାରେ ଦେବୀଙ୍କର ମୂର୍ତ୍ତି ଚତୁର୍ଭୁଜା, ଅଷ୍ଟଭୁଜା ଆଉ ଷୋଡ଼ଭୁଜା। ସେହିପରି ଉତ୍କଳୀୟ ଚଳଣିରେ ଦୁର୍ଗାଙ୍କର ଧ୍ୟାନର ମନ୍ତ୍ର ନଅ ଅକ୍ଷର ବିଶିଷ୍ଟ କିନ୍ତୁ ବଙ୍ଗୀୟ ବିଧିରେ ମନ୍ତ୍ର ଛଅ ଅକ୍ଷର ବିଶିଷ୍ଟ। ପ୍ରତୀକାତ୍ମକ ଭାବରେ ଯୁଗେ ଯୁଗେ ହୃଦୟ ରୂପକ ଦୁର୍ଗରେ ସତ୍ୟ, ଜ୍ଞାନ, ଶକ୍ତି ଓ ଆନନ୍ଦରୂପୀ ଦୁର୍ଗାଙ୍କୁ ଅଧିଷ୍ଠିତ କରି ସକଳ ଅଜ୍ଞାନ, ହିଂସା, ପାଶବିକତା ଆଦି କୁପ୍ରବୃତ୍ତି ରୂପୀ ଅସୁରମାନଙ୍କୁ ବିନାଶ କରିବା ପାଇଁ ଶକ୍ତି ଆରାଧନା କରାହୋଇ ଆସୁଛି। ଏହି ମହାପାର୍ବଣ-ସୁଦୃଢ଼ ପରପଂରା ଓ ସଂସ୍କୃତି ମଧ୍ୟରେ ସୁଶୃଙ୍ଖଳିତ। ଉତ୍କର୍ଷତାରେ ଅଦ୍ୱିତୀୟ ଆଉ ଅତୁଳନୀୟ।



