www.samajalive.in
Monday, December 15, 2025
24.1 C
Bhubaneswar

ବର୍ଷା ବିତ୍ପାତରୁ ଶିକ୍ଷା: ସହର ପାଇଁ ନୂଆ ଯୋଜନା ଦରକାର

ଏ ବର୍ଷର ବର୍ଷାଋତୁ ଭାରତର ବିଭିନ୍ନ ସହର ପାଇଁ ଯେଉଁ ବିପର୍ଯ୍ୟୟ ଆଣିଦେଲା ତହିଁରୁ ଅନେକ କିଛି ଶିଖିବାର ଅଛି। ସ୍ମାର୍ଟସିଟିର ମାନ୍ୟତା ପାଇଥିବା ବହୁ ସହର ଏଥର ଜଳବନ୍ଦୀ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ।  ଦଶ ବର୍ଷ ତଳେ ବଡ଼ ଆଶା ନେଇ ଆରମ୍ଭ ହୋଇଥିଲା  ଭାରତରେ “ସ୍ମାର୍ଟ ସିଟି” ଯୋଜନା। ସ୍ମାର୍ଟ ସିଟି ଯୋଜନାରେ ଏକ “ନୂଆ ଭାରତ”ର ଚିତ୍ର ଦେଖାଯାଉଥିଲା, ଯାହା ଡିଜିଟାଲ୍ ବ୍ୟବସ୍ଥା ଓ ଉନ୍ନତ ଜୀବନଶୈଳୀକୁ ଆଧାର କରି  ଗଢ଼ାହେବ । ଆଜି କିନ୍ତୁ ଏହି ସ୍ୱପ୍ନ ଏକ କଠିନ ବାସ୍ତବତାର ସମ୍ମୁଖୀନ ହୋଇଛି ।   ରାସ୍ତାର ଖାଲ, ବର୍ଷା ଦିନେ ଲୋକଙ୍କ ଘରେ ପାଣି ପଶିବା, ସ୍ମାର୍ଟ ସହରବାସୀଙ୍କ ଜଳବନ୍ଦୀ ଜୀବନ, ଯାବତୀୟ ପ୍ରଦୂଷଣ ଓ ଅଳିଆରେ “ସ୍ମାର୍ଟ” ସହରର ଚମକ ଧୀରେ ଧୀରେ ହଜିଯାଉଛି। ମିଶନର ମୂଳ ଲକ୍ଷ୍ୟ ସହରଗୁଡ଼ିକୁ ଅଧିକ ବସବାସ ଯୋଗ୍ୟ, ଦକ୍ଷ ଏବଂ ସ୍ଥାୟୀ କରିବା ଥିଲା। ଅଧିକାଂଶ ପାଣ୍ଠି କିନ୍ତୁ ଡିଜିଟାଲ୍ ଡ୍ୟାସବୋର୍ଡ, ସିସିଟିଭି କ୍ୟାମେରା ଏବଂ କମାଣ୍ଡ୍ ସେଣ୍ଟର ଭଳି ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସମାଧାନରେ ବିନିଯୋଗ କରାଯାଇଛି। ନିକଟରେ ଗୁରୁଗ୍ରାମ, ବେଙ୍ଗାଲୁରୁ ଏବଂ ମୁମ୍ବଇ ଭଳି “ସ୍ମାର୍ଟ୍” ସହରଗୁଡ଼ିକରେ ହୋଇଥିବା ବର୍ଷାଜନିତ ସମସ୍ୟା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ମୌଳିକ ଭିତ୍ତିଭୂମି ଯଥା – ଦୃଢ଼ ଡ୍ରେନେଜ୍ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ  ଭଲ ରାସ୍ତା ପ୍ରତି ଅବହେଳା କରାଯାଇଛି। ସ୍ମାର୍ଟ ସିଟି ଗଢ଼ିବା ବେଳେ  ପରିବେଶ କଥା ବିଚାରକୁ ନେବା ଦରକାର ଥିଲା; କିନ୍ତୁ  ସରକାର ତାହା କଲେ ନାହିଁ । ପୋଖରୀ, ନଦୀକୂଳ ଏବଂ ଗଛଲତା ଭରା ଜାଗାଗୁଡ଼ିକ ବର୍ଷା ପାଣିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି। ସେସବୁକୁ କଂକ୍ରିଟରେ ପୋତି ଦିଆଗଲା। ଫଳରେ, ପ୍ରତି ବର୍ଷାଦିନେ  ଆମ ସ୍ମାର୍ଟ  ସହରଗୁଡିକରେ ବନ୍ୟା ହେଉଛି।

ଆମ ରାଜ୍ୟର ରାଜଧାନୀ ସମେତ ଘୋଷିତ ସ୍ମାର୍ଟସିଟିଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୂପ। ମେଟ୍ରୋ ରେଳ କାମ ଅଧାରୁ ରହିଛି, ବସ୍ ସେବା ମଧ୍ୟ ଭଲ ନୁହେଁ କି ବିଶ୍ୱାସଯୋଗ୍ୟ ନୁହେଁ। ଏମିତି ପରିସ୍ଥିତିରେ କେବଳ ଡିଜିଟାଲ୍ ଉପାୟରେ ଟିକେଟ୍ କାଟିବା କିମ୍ବା ବସ୍‌ଗୁଡ଼ିକର ଯାତାୟାତ ସୂଚନା ଲାଗି ଆପ୍ ତିଆରି କରି ସରକାର  “ଆମ ସହର ସ୍ମାର୍ଟ” ବୋଲି  ଦେଖାଉଛନ୍ତି।

- Advertisement -

ଭାରତକୁ ଟୋକିଓ ଏବଂ ସିଙ୍ଗାପୁର ଭଳି ସହରରୁ ଶିଖିବା ଦରକାର। ସେହି ସହରଗୁଡ଼ିକ କେବଳ ଟେକ୍ନୋଲୋଜି ବ୍ୟବହାର କରି ନାହାନ୍ତି, ବରଂ ପ୍ରକୃତି ସହିତ ଖାପଖୁଆଇ ସହରକୁ ଏମିତି ଭାବରେ ତିଆରି କରିଛନ୍ତି ଯେ, ସହର ଯେ କୌଣସି ପରିସ୍ଥିତିକୁ ସମ୍ଭାଳି ପାରୁଛି।  କେବଳ ୱାଇ-ଫାଇ ଖୁଣ୍ଟ ଲଗାଇଦେଲେ କୌଣସି ସହର ସ୍ମାର୍ଟ ହୋଇଯାଏ ନାହିଁ। ସତରେ ସ୍ମାର୍ଟ ସିଟି ତାହା, ଯେଉଁଠି ଲୋକମାନେ ସୁରକ୍ଷିତ ରହିବେ, ସହଜରେ ଯିବାଆସିବା କରିପାରିବେ, ବର୍ଷା ହେଲେ ବି  ଜଳବନ୍ଦୀ ଏବଂ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେବେ ନାହିଁ । ସହରୀ ଭାରତର ଭବିଷ୍ୟତ କେବଳ ମୋବାଇଲ୍ ଆପ୍ ବା ଟେକ୍ନୋଲୋଜି ଉପରେ ନିର୍ଭର କରେନାହିଁ, ବରଂ କ୍ରମାଗତ ଭଲ କାମ କରିବା ଏବଂ ଭଲ ଭାବରେ ଯୋଜନା କରିବା ଉପରେ ନିର୍ଭର କରେ।  ସହର କେବଳ କଂକ୍ରିଟ୍ ଜଙ୍ଗଲରେ ନୁହେଁ ପ୍ରାକୃତିକ ପରିବେଶରେ ତିଆରି ହେବା ଦରକାର।  ଏହି ସ୍ମାର୍ଟ ସିଟି ମିଶନକୁ ସଫଳ କରିବା ପାଇଁ, ଆମକୁ ନୂଆ ଉପାୟରେ ଚିନ୍ତା କରିବାକୁ ପଡ଼ିବ ଏବଂ କେଉଁ କାମକୁ ପ୍ରଥମେ କରିବା ଦରକାର, ତାହା ପୁଣି ଥରେ ଭାବିବାକୁ ପଡ଼ିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories