ଜିଡିପି କନ୍ଦଳ
ଭାରତର ମୋଟ ଘରୋଇ ଉତ୍ପାଦନ (ଜିଡିପି)ର ଅଭିବୃଦ୍ଧି ଘେନି ଶାସକ ଏନ୍ଡିଏ ବିରୋଧୀ ୟୁପିଏ ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇ ଅସ୍ବାଭାବିକ ନୁହେଁ। ସଫଳତାର ଶ୍ରେୟ ନେବାକୁ ସମସ୍ତେ ଚାହାନ୍ତି ଏବଂ ବିଫଳତା ପାଇଁ ଅନ୍ୟ ଉପରକୁ ଦୋଷ ଗଡାନ୍ତି। ଭାରତର ଜିଡିପି ସ୍ଥିତି ନେଇ ଏନ୍ଡିଏ ସମାନ ଦୃଷ୍ଟିକୋଣ ଆପଣାଇଥିବା ବେଳେ ବିରୋଧୀ ୟୁପିଏ କିନ୍ତୁ ଏଥିରେ ତାହାର ଶ୍ରେୟ ଦାବି କରି ସିଧାସଳଖ ଏନ୍ଡିଏର ବିଫଳତାକୁ ଦାୟୀ କରୁଛି। ବିବାଦର କାରଣ ହେଲା ଜିଡିପି ଅଭିବୃଦ୍ଧି ଘେନି ବ୍ୟାଙ୍କ ଡାଟା ଅାଧାରିତ ନୂଆ ହିସାବ ଢାଞ୍ଚା ପ୍ରସ୍ତୁତ କରିବାକୁ ଜାତୀୟ ପରିସଂଖ୍ୟାନ ଆୟୋଗ ଦ୍ବାରା ନିଯୁକ୍ତ ଏକ କମିଟିକୁ ଯେଉଁ ଦାୟିତ୍ବ ପ୍ରଦାନ କରାଯାଇଥିଲା ତାହା ନିଜର ରିପୋର୍ଟ ପ୍ରକାଶ କରିଛି। ସେଥିରେ ଯେଉଁ ହିସାବ ପଦ୍ଧତି ଅବଲମ୍ବନ କରାଯାଇଥିଲା ତାହା ଅଭିବୃଦ୍ଧି ହାର ବଢ଼ାଇବ ବୋଲି ଆଶା କରାଯାଉଥିଲା; କିନ୍ତୁ ଫଳ ତାହା ହୋଇନାହିଁ। ଏହି ରିପୋର୍ଟ ଦର୍ଶାଇଛି ଯେ ୟୁପିଏର ଉଭୟ ପାଳିରେ ଜିଡିପିର ହାରାହାରି ଅଭିବୃଦ୍ଧି ହାର ଯାହାଥିଲା ଏନଡିଏ ତାହାକୁ ଛୁଇଁ ପାରିନାହିଁ। ଏହି ତଥ୍ୟ ଆଶ୍ଚର୍ଯ୍ୟଜନକ ନୁହେଁ ଏବଂ ଏହାକୁ ନେଇ ୟୁପିଏ ଏନଡିଏକୁ ଆକ୍ଷେପକରି ତାହାର ବୃଥା ଆସ୍ଫାଳନକୁ ପଦାରେ ପକାଇ ଦେଇଛି। ଏହି ଘଟଣାରେ ଅଡ଼ୁଆରେ ପଡ଼ିଥିବା ଏନଡିଏ ସରକାରଙ୍କ ସ୍ବାଭାବିକ ସଫେଇ ହେଲା ଏଭଳି ହିସାବ ପାଇଁ ବିଭାଗୀୟ କିମ୍ବା ସରକାରୀ ଅନୁମତି ଦିଆଯାଇ ନଥିଲା।
ଏହି ପରିସଂଖ୍ୟାନର ସରଳ ତଥ୍ୟ ହେଲା ୟୁପିଏ ଶାସନକାଳରେ ଜିଡିପି ଅଭିବୃଦ୍ଧି ଦୁଇଥର ଦୁଇଅଙ୍କରେ ପହଞ୍ଚିଥିଲା ଏବଂ ବର୍ତ୍ତମାନ ସେ ସ୍ଥିତିରେ ସେମିତି କିଛି ପ୍ରଗତି ଘଟିନାହିଁ ଏବଂ ସମଗ୍ର ଅଭିବୃଦ୍ଧିର କାହାଣୀ ମୋଟାମୋଟି ଯଥାପୂର୍ବଂ ତଥା ପରଂ ସ୍ଥିତିରେ ଅଛି। ବ୍ୟାକ୍ ସିରିଜ ଡାଟା ନେଇ ଜିଡିପି ଅଭିବୃଦ୍ଧି ହାର ନିର୍ଣ୍ଣୟ କରିବାବେଳେ ଦୁଇଟି ସମୟର ସ୍ଥିତିକୁ ବିଚାରକୁ ନେବାର ଆବଶ୍ୟକତା ଥିଲା। ମନମୋହନ ସିଂହଙ୍କ ଶାସନକାଳ ଓ ନରେନ୍ଦ୍ର ମୋଦୀଙ୍କ ଶାସନକାଳର ସ୍ଥିତି ସମାନ ନୁହେଁ। ଏନଡିଏର ଶାସନକାଳ ନିଶ୍ଚିତ ଏକ ଅସ୍ବାଭାବିକ ସମୟ ଏଇଥିପାଇଁ ଯେ ବିଶ୍ବ ମାନ୍ଦାବସ୍ଥା, ବିମୁଦ୍ରାୟନ, ସବ୍ସିଡି ବୋଝ, ଉଚ୍ଚ ତୈଳଦର, ବ୍ୟାଙ୍କ ସମୂହଙ୍କ ଅନାଦାୟ ଋଣବୋଝ ଆଦିର ପ୍ରଭାବ ଜିଡିପି ଉପରେ ପଡ଼ିଛି। ୟୁପିଏ ସରକାର ସମୟରେ ମଧ୍ୟ କିଛି ଜଟିଳ ସମସ୍ୟା ଥିଲା। ତା’ସତ୍ତ୍ବେ ଅଭିବୃଦ୍ଧି ବଢ଼ିଥିଲା। ଜିଡିପିର ବ୍ୟାକ୍ ଡାଟା ସିରିଜ ଆକଳନ ଗୋଟିଏ କଥା ସ୍ପଷ୍ଟ କରିଛି ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଧାରା ଅବ୍ୟାହତ ରହିଥିଲେ ମଧ୍ୟ ଏହା ସେପରି ଉଲ୍ଲେଖନୀୟ ନୁହେଁ; ଯାହା ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ପ୍ରଚାର କରୁଛନ୍ତି। ତେବେ ସେ ଯାହାହେଉ ଏହି ବ୍ୟାକ୍ ସିରିଜ ଆକଳନର ପଦ୍ଧତି ଏବଂ ନିର୍ଣ୍ଣୟକୁ ସଂପୂର୍ଣ୍ଣ ନିର୍ଭୁଲ ବୋଲି କୁହାଯାଇପାରିବ ନାହିଁ। ୨୦୧୧-୧୨କୁ ମୂଳ ବର୍ଷ ଭାବେ ଧରି ଏ କ୍ଷେତ୍ରରେ ଯେଉଁ ହିସାବ କରାଯାଇଛି ସେଥିରେ ଅଭିବୃଦ୍ଧି ୧୦ ଶତାଂଶରୁ ଅଧିକ ହୋଇଛି। କମିଟି ତଥ୍ୟ ସଂଗ୍ରହ ପାଇଁ ପରିବର୍ଦ୍ଧିତ ସମୟକୁ କାହଁିକି ହିସାବକୁ େନଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ତଥ୍ୟକୁ ନେଇ କନ୍ଦଳ କରିବା ପରିବର୍ତ୍ତେ ତଥ୍ୟାବଳୀକୁ ପ୍ରଥମେ ବିଶ୍ବସନୀୟ କରିବାକୁ ହେବ ଏବଂ ଅଭିବୃଦ୍ଧି ସଂକ୍ରାନ୍ତ ପରିସଂଖ୍ୟାନକୁ ନେଇ ରାଜନୈତିକ ସ୍ତରରେ କଳିତକରାଳରୁ ଦୂରେଇ ରହି ନିରପେକ୍ଷ ସତ୍ୟକୁ ଲୋକଲୋଚନକୁ ଆଣିବାକୁ ପଡ଼ିବ। ଏହାଦ୍ବାରା ଦେଶର ଓ ଅର୍ଥନୀତିର ମଙ୍ଗଳ ହେବ।