ବିକାଶର ଧାରା ଅଧିକ ତ୍ୱରାନ୍ୱିତ ହେବ
କଟକ : ସରକାର ରାଜ୍ୟବାସୀଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି। ଅନେକ କ୍ଷେତ୍ରରେ ରାଜ୍ୟ ଦେଶର ଅନ୍ୟ ରାଜ୍ୟଠାରୁ ବେଶ୍ ଆଗରେ ରହିଛି। ରାଜ୍ୟର ବିକାଶ ଦେଶର ଅଭିବୃଦ୍ଧିରେ ସହାୟକ ହୋଇଛି। ରାଜ୍ୟବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ସେତୁ ନିର୍ମାଣ ଫଳରେ ଯୋଗାଯୋଗ କ୍ଷେତ୍ରରେ ଆଉ ଏକ ମାଇଲ୍ଖୁଣ୍ଟ ସ୍ଥାପନ ହୋଇଛି। ରାଜଧାନୀ ଭୁବନେଶ୍ୱର ସହ ପୁରାତନ ରାଜଧାନୀ କଟକ ତଥା ଦକ୍ଷିଣ ଓ ପଶ୍ଚିମ ଓଡିଶା ମଧ୍ୟରେ ସମ୍ପର୍କର ସେତୁ ନିବିଡ ହେବା ସହିତ ବିକାଶର ଧାରା ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ମହାନଦୀ ଉପରେ ବିଜୁ ପଟ୍ଟନାୟକ ପାର୍କ ନିକଟରୁ କଟକ ସହର-ନୂଆପାଟଣା ମଧ୍ୟରେ ନିର୍ମିତ ‘ଉତ୍କଳ ଗୌରବ ମଧୁସୂଦନ ସେତୁ’ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରବିବାର ପୂର୍ବାହ୍ଣରେ ଉଦ୍ଘାଟନ କରି କହିଲେ ଓଡିଶା ଦିବସ ପାଳନ ପରିପ୍ରେକ୍ଷୀେର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ସେତୁ ମଧୁବାବୁଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ଏହି ସେତୁ ଦ୍ୱାରା କଟକ ଓ ଢେଙ୍କାନାଳ ମଧ୍ୟରେ ୧୬ କି.ମି ଦୂରତା ହ୍ରାସ ପାଇବା ସହ ପ୍ରଭୁ ଧବଳେଶ୍ୱର ପୀଠକୁ ଭକ୍ତମାନଙ୍କ ଯାତାୟତ ସୁଗମ ହୋଇପାରିବ ବୋଲି ସେ କହିଥିଲେ। ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ କ୍ରୀଡା, ଯୁବ ସେବା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ଡା. କୁଳମଣି ସାମଲ, ବିଧାୟକ ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ରପ୍ରତାପ ସ୍ୱାଇଁ, ଦେବୀପ୍ରସାଦ ମିଶ୍ର, ପ୍ରଭାତକୁମାର ତ୍ରିପାଠୀ, ଡାକ୍ତର ପ୍ରମୋଦକୁମାର ମଲ୍ଲିକ, ରାଜ୍ୟ ନିର୍ମାଣଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ ପ୍ରମୁଖ ଯୋଗଦେଇ ଏହି ସେତୁ ରାଜ୍ୟର ବିକାଶ ଧାରାକୁ ବଜାୟ ରଖିବା ପାଇଁ ଓଡିଶାବାସୀଙ୍କର ସହଯୋଗ ପ୍ରଶଂସନାୟ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଇସ୍ପାତ ଏବଂ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ମେୟର ମୀନାକ୍ଷୀ ବେହେରା, ଜିଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, ଜିଲାପାଳ ସୁଶାନ୍ତ ମହାପାତ୍ର, ଜିଲା ବିଜେଡିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂ, ସମ୍ପାଦକ ପ୍ରଶାନ୍ତ ନାୟକ, ନଗର ବିଜେଡିର କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ, ସଭାପତି ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ, ୩ ଲେନ୍ ବିଶିଷ୍ଟ ୨୫୮୩ ମିଟର ଦୈର୍ଘ୍ୟ ଓ ୧୪.୮ ମିଟର ପ୍ରସ୍ତ ପରିମିତ ୧୫୭.୪୭ କୋଟି ଟଙ୍କା ବିନିମୟରେ ନାବାର୍ଡ ସହାୟତାରେ ପୂର୍ତ୍ତ ବିଭାଗ ଦ୍ୱାରା ଏହି ସେତୁ ନିର୍ମାଣ କରାଯାଇଛି।