ଡୋପ୍‍ ଟେଷ୍ଟରେ ଧରାପଡ଼ିଲେ ଯୁବ ଭାରୋତ୍ତୋଳକ

0

ବ୍ରହ୍ମପୁର : ବ୍ରହ୍ମପୁର କ୍ରୀଡ଼ା ଛାତ୍ରବାସର ଯୁବ ଭାରୋତ୍ତୋଳକ ଘଷିରାମ ଖରା ଡୋପ୍‍ ଟେଷ୍ଟରେ ଧରା ପଡ଼ିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ ଘଷିରାମଙ୍କୁ ଏଭଳି ସାର୍ଟିଫିକେଟ ଦିଆଯିବା ପରେ ଭାରତୀୟ ଭାରୋତ୍ତୋଳନ ଫେଡେରେସନ (ଆଇଡବ୍ଳ୍ୟୁଏଲଏଫ) ପକ୍ଷରୁ ତାଙ୍କୁ ପଟିଆଲା ସ୍ଥିତ ଜାତୀୟ ଶିବିରରୁ ବିଦା କରାଯାଇଛି। ସେହିପରି ପୂର୍ବରୁ ପାଇଥିବା ପଦକ ଫେରାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ଆଗାମୀ ୭ ଦିନ ଭିତରେ ‘ବି’ ନମୁନା ପରୀକ୍ଷଣ ପାଇଁ ଆବଦେନ କରିବାକୁ ଆଇଡବ୍ଳ୍ୟୁଏଲଏଫ ପରାମର୍ଶ ଦେଇଛି।
ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଫେବୃୟାରୀ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣା ଠାରେ ଅନୁଷ୍ଠିତ ୧୩ଶ ଜାତୀୟ ସବ୍‍ ଜୁନିୟର ବାଳକ ଓ ବାଳିକା ଭାରୋତ୍ତୋଳନ ଚମ୍ପିଆନସିପ୍‍ରେ ଓଡ଼ିଶା ଦଳ ପକ୍ଷରୁ ଭାଗ ନେଇ ଘଷିରାମ ତିନୋଟି ରୌପ୍ୟ ପଦକ ପାଇଥିଲେ। ୫୦ କିଗ୍ରା ବର୍ଗରେ ଖେଳୁଥିବା ଘଷିରାମ ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବା ସହ ସ୍ନାଚ୍‍, କ୍ଳିନ ଆଣ୍ଡ୍‍ ଜର୍କ ଓ ଟୋଟାଲ୍‍ରେ ରୌପ୍ୟ ପଦକ ହାସଲ କରିଥିଲେ। ଆଇଡବ୍ଳ୍ୟୁଏଲଏଫ ପକ୍ଷରୁ ମନୋନୀତ ହୋଇ ସେ ପଟିଆଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟସ ପରିସରରେ ଚାଲିଥିବା
ଜାତୀୟ ଶିବରରେ ଯୋଗ ଦେଇଥିଲେ। ସେଠାରୁ ସେ ଏପ୍ରିଲ ୨୬ ରୁ ୩୦ ତାରିଖ ପର୍ଯନ୍ତ କାଜାଗିସ୍ତାନଠାରେ ହେବାକୁ ଥିବା ଏସିଆନ ଚମ୍ପିଆନସିପ୍‍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥାନ୍ତେ। ବିଶାଖାପାଟଣାରେ ପ୍ରତିଯୋଗିତା ଚାଲିଥିବା ବେଳେ ଘଷିରାମଙ୍କ ଉଭୟ ‘ଏ’ ଓ ‘ବି’ କୋଡ୍‍ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ପରବର୍ତ୍ତୀ ସମୟରେ ନାଡା ପକ୍ଷରୁ ଘଷିରାମଙ୍କ ‘ଏ’ କୋଡ୍‍ର ରକ୍ତ ନମୁନା ପରୀକ୍ଷଣ କରାଯାଇ ସେଥିରେ ପଜିଟିଭ୍‍ ଥିବା ସ୍ପଷ୍ଟ କରାଯାଇଥିଲା। ଡୋପ୍‍ ଟେଷ୍ଟରେ ଧରାପଡ଼ିବା ପରେ ଆଇଡବ୍ଳ୍ୟୁଏଲଏଫ୍‍ ଓଡ଼ିଶା ଭାରୋତ୍ତୋଳନ ସଂଘକୁ ଗତକାଲି ପ୍ରଥମ ନୋଟିସ ଜାରି କରିଛି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସିର ଆଣ୍ଟି ଡୋପିଂ ରୁଲ୍ସ ୨୦୧୫ ଅନୁସାରେ ଘଷିରାମଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ତାଙ୍କୁ ଜାତୀୟ ଶିବିରରୁ ବିଦା କରାଯାଇଥିବା ବେଳେ ଆଗାମୀ ୭ ଦିନ ଭିତରେ ‘ବି’ ନମୁନା ପରୀକ୍ଷଣ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବିଶାଖାପାଟଣା ପ୍ରତିଯୋଗିତାରୁ ପାଇଥିବା ପଦକ ଓ ସାର୍ଟିଫିକେଟ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏ ନେଇ ଓଡ଼ିଶା ସଂଘର ସମ୍ପାଦକ ନାରାୟଣ ସାହୁ କହିଛନ୍ତି ସେ ଆଇଡବ୍ଳ୍ୟୁଏଲଏଫ୍‍ ପକ୍ଷରୁ ଗତକାଲି ସେ ନୋଟିସ ପାଇଛନ୍ତି। ନୋଟିସ ପାଇବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା କହିବା ସହ ଡୋପ୍‍ ଟେଷ୍ଟରେ ବିଫଳ ହୋଇଥିବାରୁ ଘଷିରାମଙ୍କୁ ଆଗାମୀ ୪ ବର୍ଷ ପାଇଁ ବିଭିନ୍ନ ପ୍ରତିଯୋଗିତାରୁ ବାସନ୍ଦ ସହ ୫୦ ହଜାର ଟଙ୍କା ଜୋରିମାନା ହୋଇପାରେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଘଷିରାମ କୋରାପୁଟ ଜିଲା ପରାଜାବେଡା ଗ୍ରାମରୁ ଆସି ଗତ କିଛି ବର୍ଷ ହେବ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ରହୁଥିଲେ। କୋଚ୍‍ ସଚିନ୍ଦ୍ର ମାଝିଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଇ ସେ ଏକାଧିକ ଜାତୀୟ ପ୍ରତିଯୋଗିତାରେ ସଫଳତା ମଧ୍ୟ ପାଇଥିଲେ। ଘଷିରାମ ଶିବିରରୁ ବିଦା ହେବା ପରେ ବ୍ରହ୍ମପୁର ଫେରିଥିଲେ ମଧ୍ୟ ତାଙ୍କର ଦେଖା ମିଳୁନାହିଁ। ସେହିପରି ଏ ବିଷୟରେ କୋଚ୍‍ ଶ୍ରୀ ମାଝିଙ୍କ ପ୍ରତିକ୍ରିୟା ପାଇଁ ବାରମ୍ବାର ଯୋଗାଯୋଗ ସତ୍ତ୍ବେ ସେ ଫୋନ୍‍ ଗ୍ରହଣ କରୁନାହାନ୍ତି।

Leave A Reply