ପାରିବାରିକ ଅଶାନ୍ତିରୁ ଜୀବନ ହାରିଲେ ଯବାନ, ଦଶନ୍ଧିକୂଳରେ ଶେଷକୃତ୍ୟ ସମ୍ପନ୍ନ

ଦୋବଲ : ରାଜସ୍ଥାନର ଯୋଧପୁର ସେନା ଶିବିରରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଯବାନ ମୃତ୍ୟୁଞ୍ଜୟ ଦାଶଙ୍କର ନିଜ ଗାଁ ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତର ଦଶନ୍ଧିକୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତୁରା ସୁବ୍ରତ ଦାଶ ମୁଖାଗ୍ନି ଦେଇଥିଲେ।
ସକାଳେ ମୃତ୍ୟୁଞ୍ଜୟଙ୍କ ମର ଶରୀର ଆସି ଧାମନଗର ଥାନାରେ ପହଞ୍ଚିଥିଲା। ସେଠାରେ ଏସଡିପିଓ ତ୍ରିଲୋଚନ ସେଠୀ ଏବଂ ଆଇଆଇସି ଗୋପାଳକୃଷ୍ଣ ଜେନା ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସ୍ବତନ୍ତ୍ର ଗାଡ଼ିରେ ମର ଶରୀରକୁ ଗାଁକୁ ନିଆଯାଇଥିଲା। ମୃତ ଯବାନଙ୍କ ଗାଁ ଦଶନ୍ଧିକୂଳରୁ ଶହ ଶହ ଲୋକ ବାଇକ୍ ଶୋଭାଯାତ୍ରା କରି ମର ଶରୀରକୁ ଗାଁକୁ ନେଇଥିଲେ। ସେଠାରେ ବୁଦ୍ଧିଜୀବୀ ଓ ରାଜନେତା ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ମର ଶରୀରକୁ ଗାଁ ପରିକ୍ରମା କରାଯାଇଥିଲା।
ସ୍ଥାନୀୟ ବାସିନ୍ଦା ଓ ମୃତ ଯବାନଙ୍କ ସାଙ୍ଗଙ୍କ କହିବା ଅନୁସାରେ ପାରିବାରିକ ଅଶାନ୍ତି କାରଣରୁ ମୃତ୍ୟୁଞ୍ଜୟ ମାନସିକ ଦୁଶ୍ଚିନ୍ତାରେ ରହି ଆସୁଥିଲେ। ପ୍ରାୟ ୧୦ ବର୍ଷ ତଳେ ତାଙ୍କର ବିବାହ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ହୋଇଥିଲା। ତେବେ କିଛିବର୍ଷ ପରେ ପତ୍ନୀଙ୍କୁ ନେଇ ସେନା କ୍ୟାଂପ ପାଖରେ ରହିଥିଲେ। ସେଠାରେ ପତ୍ନୀଙ୍କର ଅନ୍ୟ ପୁରୁଷ ସହ ପରକୀୟା ପ୍ରୀତି ଗଢ଼ି ଉଠିଥିଲା। ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ପରେ ମାମଲା କୋର୍ଟକୁ ଯାଇଥିଲା। ଆଉ ନିଜ ପିଲାର ଭରଣପୋଷଣ ବାବଦରେ ପତ୍ନୀ ମୃତ୍ୟୁଞ୍ଜୟଙ୍କ ଠାରୁ ଦରମାର ୬୦ ପ୍ରତିଶତ ଅର୍ଥ ନେଉଥିଲେ। ଯାହା ଫଳରେ ସେ ଘୋର ଆର୍ଥିକ ସମସ୍ୟାରେ ଯୁଝି ହେଉଥିଲେ। ଏହାକୁ ନେଇ ମାନସିକ ଦୁଶ୍ଚିନ୍ତା ବଢ଼ି ଯାଇଥିଲା। ଅପର ପକ୍ଷରେ ଛାଡ଼ପତ୍ର ମାମଲା ବି ସମାଧାନ ହେଉନଥିଲା। ଏହିସବୁ କାରଣରୁ ସେ ଅଶାନ୍ତି ଭିତରେ ରହୁଥିଲେ।
ମାର୍ଚ୍ଚ ୧୯ ତାରିଖ ବୁଧବାର ରାତିରେ ନିଜ କ୍ୟାଂପରେ ଥିବାବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସାଥୀ ଯବାନ ତାଙ୍କୁ ଉଦ୍ଧାର କରି ଆର୍ମି ହସ୍ପିଟାଲକୁ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଆଇନଗତ ପ୍ରକ୍ରିୟା ଶେଷ କରି ସେଠାରୁ ମର ଶରୀରକୁ ପଠାଯାଇଥିଲା। ଆଜି ଧାମନଗର ଥାନାକୁ ଅଣାଯାଇଥିଲା। ଏହାପରେ ଗାଁକୁ ନିଆଯାଇ ଶେଷକୃତ୍ୟ କରାଯାଇଛି।
Comments are closed.